ଓଡ଼ିଶାର ଜଣାଶୁଣା ଗାଳ୍ପିକ ଅଞ୍ଜନ ଚାନ୍ଦଙ୍କ ଚମତ୍କାର ଗପ ମୃତ୍ୟୁର ଡାକ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ତୁ ଯେ ଦିନେ ସତରେ ମରିବୁ ଏ ବିଶ୍ୱାସ ମୋର ଅଛି କିନ୍ତୁ ଭରସା ପାଉନି… ମୃତ୍ୟୁଞ୍ଜୟ ଉଦ୍ଦେଶ୍ୟରେ ମୋର ଏ କଥାଟି ଶୁଣି ସମସ୍ତେ ଠୋ ଠୋ ହସିଲେ।

ଆମେ ପିଲାଦିନର ସାଥିମାନେ ବହୁବର୍ଷ ପରେ ଗାଁକୁ ଆସିଥିଲୁ ଏବଂ ଗୋଟେ ବିବାହ ଭୋଜିରେ ଏକଜୁଟ ହୋଇ ଖୁସିଗପରେ ମାତିଥିଲୁ। ଆକସ୍ମିକ ଦୁର୍ଘଟଣାଗୁଡିକରେ ସେ କିପରି ବାରମ୍ବାର ମୃତ୍ୟୁମୁଖରୁ ଖସିଯାଇ ସମସ୍ତଙ୍କୁ ଚକିତ କରି ଦେଉଥିଲା ସେ ବିଷୟରେ କଥା ହେଉଥିଲୁ।
ପ୍ରଥମ ଘଟଣା।
ସେତେବେଳେ ସେ ଅତି ଦରିଦ୍ର। ଗୁଜୁରାଣ ପାଇଁ କୁଣ୍ଡାବେପାର କରୁଥାଏ। ଧାନକୁଟା ହଲରରୁ କୁଣ୍ଡା ସଂଗ୍ରହ କରି ଗାଁ ଗାଁରେ ବିକୁଥାଏ। ସେତେବେଳେ ଘରେ ଘରେ ଗୋରୁଗାଈ। ବେପାର ଭଲ ଚାଲୁଥାଏ। ପାଠପଢାଛାଡି ଧନ୍ଦାରେ ପଶିଥିବାରୁ ଆମ ଆଗରେ ଫୁଟାଣି ମାରୁଥାଏ।
ଏବେ ଘଟଣାଦିନର କଥା।
ପାଞ୍ଚନମ୍ବର ଜାତୀୟ ରାଜପଥ ପାଖରେ ଥିବା ହଲର ମେସିନରୁ ବସ୍ତାଏ କୁଣ୍ଡା ସାଇକେଲ ପଛରେ ଲଦି ସେ ଗାଁକୁ ଫେରୁଥାଏ। ଫାଣ୍ଡି ଛକରେ ରାସ୍ତାକୁ ଉଠିବା ବେଳେ ଆନ୍ଧ୍ରା ଟ୍ରକଟିଏ ଫୁଲ ସ୍ପୀଡ଼ରେ ମାଡିଆସିଲା। ମୃତ୍ୟୁଞ୍ଜୟ ଓ ତା ସାଇକେଲକୁ କିଛି ନୁହେଁ ମନେକରି ସିଧା ଆଗକୁ ଚାଲିଗଲା।
ଢୋ କରି ଗୋଟେ ଭୀଷଣ ଶବ୍ଦ।
ଲୋକମାନେ ହାୟ ହାୟ କହି ଧାଇଁଆସିଲେ।
ମୃତ୍ୟୁଞ୍ଜୟର କୁଣ୍ଡାବସ୍ତା ବାଁ ପଟେ, ସାଇକେଲ ଡାହାଣପଟେ ଓ ସେ ନିଜେ ରାସ୍ତାମଝିରେ ପଡିଥିଲା।
ଗାଁଲୋକ କିଏ ଜଣେ ତାକୁ ଜାବୁଡିଧରି ହାଉ ହାଉ କାନ୍ଦି ଉଠିବା ବେଳକୁ ସେ ହଠାତ ଉଠିପଡ଼ି କହିଲା.. ଆବେ, କାନ୍ଦିବୁ ପରେ. ଆଗ ମୋ ସାଇକେଲଟା ଉଠା।
ସେ ଘଟଣାପରେ ମୃତ୍ୟୁଞ୍ଜୟ ଛକରେ ନାଁ କରିଗଲା। ଟ୍ରକର ଦଶଟି ଚକରୁ ଗୋଟେ ବି ତା ଦେହକୁ ଛୁଇଁଲା ନାହିଁ। ସତରେ ସେ ଭାଗ୍ୟବାନ।
ତା ଭାଗ୍ୟରୁ ଲାଭ ଉଠାଇବାପାଇଁ ବନବିହାରୀ ସେଠ୍ ତାକୁ ନିଜ ଦୋକାନରେ ରଖିଲା। ସେଠି ସେ ମନଲଗାଇ କାମ କଲା। ସେଠ୍ ର ଅତି ବିଶ୍ୱସ୍ତ ହୋଇଗଲା।
ଦିନେ ମାଲ ଆଣିବାକୁ ସେ ସହରକୁ ଯାଇଥିଲା। ଓଭରବ୍ରିଜ ଉପରେ ଦଳେ ଗୁଣ୍ଡା ତାକୁ ଘେରିଗଲେ। ପକେଟରୁ ଟଙ୍କାସବୁ ନେଇ ବ୍ରିଜ ତଳକୁ ଠେଲି ଦେଲେ। ତଳେ ଯାଇଥିବା ବିଜୁଳି ତାରରେ ପଡ଼ି ସେ ଝୁଲି ରହିଲା।
ସେମିତି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ଗହଳି ଲାଗିଗଲା। ତଳେ ଉପରେ ଲୋକସଂଖ୍ୟା ଅସମ୍ଭାଳ ହେଲା। ସାମ୍ବାଦିକମାନେ ଧାଇଁଆସିଲେ। ଖଚ ଖାଚ ଫଟୋ ଉଠାଇଲେ। ସୁଟିଂ କଲେ. ବ୍ରେକିଂ ନିଉଜ ପାଇଁ ଭଲ ମସଲା ମିଳିଗଲା ବୋଲି ଖୁସି ହୋଇଗଲେ।
କିଏ ଜଣେ ଦମକଳ ଅଫିସକୁ ଫୋନ କଲେ। ସେମାନେ ଆସି ଦେଖିବା ବେଳକୁ ମୃତ୍ୟୁଞ୍ଜୟ ବଂଚିଛି। ଖବର ନେବାରୁ ଜଣାଗଲା ତlରରେ କରେଣ୍ଟ ନାହିଁ।
ସେଦିନର ଘଟଣା ପରେ ମୃତ୍ୟୁଞ୍ଜୟ ମିଡିଆ ମାଧ୍ୟମରେ ସାରା ଦେଶରେ ଚର୍ଚିତ ହୋଇଗଲା। ଗୋଟେ ଟେକ୍ସଟାଇଲ କମ୍ପାନୀ ତାକୁ ନେଇ ବିଜ୍ଞାପନ ଦେଖାଇଲା। ଦୁର୍ଘଟଣାର ଭିଡ଼ିଓ କ୍ଲିପ ସହିତ ସେତେବେଳେ ସେ ସେଇ କମ୍ପାନୀର ଗଞ୍ଜି ଜଂଘିଆ ପିନ୍ଧିଥିବାରୁ ତାର କିଛି ହେଲାନାହିଁ ବୋଲି ପ୍ରଚାର ହେଲା।
ମୃତ୍ୟୁଞ୍ଜୟର ଚେହେରା ସୁନ୍ଦର। ଗାଁ ଯାତ୍ରାପାର୍ଟିରେ ହିରୋ ହେଉଥିଲା। ବିଜ୍ଞାପନରେ ତା ଅଭିନୟ ଦେଖି ଅନ୍ୟ କମ୍ପାନୀ ବି ତାକୁ ମଡେଲ କଲେ। ଟି ଭି ସିରିଏଲ, କେତୋଟି ସିନେମାରେ ବି ସେ ଚାନ୍ସ ପାଇଗଲା।
ଦିନେ ବିଦେଶରେ ସୁଟିଂ ସାରି ସେ ଘରକୁ ଫେରୁଛି ତା ପ୍ଲେନ କ୍ରlସ ହେଲା। ବିପଦସୂଚନା ପାଇ ଯାତ୍ରୀମାନେ ଭୟରେ କୋଳାହଳ କରୁଥିବାବେଳେ ମୃତ୍ୟୁଞ୍ଜୟ ନୀରବରେ ବସି ଈଶ୍ବରଙ୍କୁ ପ୍ରାର୍ଥନା କଲା।
ଏକ ଭୟଙ୍କର ଶବ୍ଦ ଓ ମିଳିତ କରୁଣ ଚିତ୍କାର। ତାପରେ କଣ ହେଲା ସେ ଜାଣେନାହିଁ। କେତେଘଣ୍ଟା ପରେ ଗୋଟେ ଖାଇ ପାଖରେ ଥିବା ଗହଳ ବୁଦାରୁ ଲୋକମାନେ ତାକୁ ଉଦ୍ଧାର କଲେ। କେତେ ଜାଗାରେ ଆଞ୍ଚୁଡ଼ି ଯିବା ବ୍ୟତୀତ ତାର ଆଉକିଛି ହୋଇ ନଥିଲା।
ଏଇ ଶେଷ କଥାଟି ଆମେ ଜାଣିନଥିଲୁ। ସେ ନିଜେ ଘଟଣାଟିକୁ ଚମତ୍କାର ଭାବରେ ବର୍ଣନା କଲା। ଆମେ ତା ପ୍ରଶଂସାରେ ଶତମୁଖ ହେଲୁ। ଉତ୍ଫୁଲ୍ଲିତ ହୋଇ ସେ କହିଲା.. ମୁଁ ମୃତ୍ୟୁଞ୍ଜୟ. ମୃତ୍ୟୁକୁ ଜୟ କରିଛି। ମୋ ପାଖରେ ଯମରାଜ ଫେଲ ମାରିଛନ୍ତି. ହାଃ ହାଃ ହାଃ.
ଐତିହାସିକ ନାଟକର ରାଜା ପରି ଠୋ ଠୋ ହସୁଥିବାବେଳେ ତା ବିଶାଳ ବପୁର ଓଜନରେ ନୟାନ୍ତ ପ୍ଲାଷ୍ଟିକ ଚେୟାରର ପଛଗୋଡ଼ଟି ହଠାତ ଭାଙ୍ଗିଗଲା ଏବଂ ଚେୟାର ସହିତ ସେ ପଛକୁ ଓଲଟିଗଲା।
ଏକ ସାଧାରଣ ଘଟଣା ମନେକରି ତାକୁ ଉଠାଇବା ବେଳକୁ ଚକିତରେ ଦେଖିଲୁ ଆମ ହାତରେ ଝୁଲିପଡ଼ିଛି ମୃତ୍ୟୁଞ୍ଜୟର ମରଶରୀର।                                           ……………….

ଚାନ୍ଦକୁଟୀର, ବିକାଶନଗର
ଅଙ୍ଗାରଗଡିଆ, ବାଲେଶ୍ୱର
ଫୋନ.6370661147

Leave a Reply