କାହା କଥା ସତ, ସାଂସଦ ନା ସରକାର? ପଢନ୍ତୁ ଏହି ଖବର

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। କରୋନା ଲଢେଇରେ ଟଳି ପଡିଲା ଜଣେ ଯୋଦ୍ଧା। ମହାମାରୀ କରୋନା ବିରୁଦ୍ଧରେ ଯୋଦ୍ଧା ସାଜି ଜୀବନକୁ ପାଣି ଛଡେଇ ଦେଇଛନ୍ତି ଆଶାକର୍ମୀ ନିର୍ମଳା ସୋରେନ। ଏ କଥା ଆମେ କହୁନୁ। ଖୋଦ୍ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ସୋସାଲ ମିଡ଼ିଆରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଗତ ମାସ ୨୭ ତାରିଖରେ ଆଶାକର୍ମୀ ନିର୍ମଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ବାଲିଶଙ୍କରା ବ୍ଲକ୍ କଙ୍କରାଯୋର ଗାଁରେ।

କରୋନା ବିରୋଧୀ ଲଢେଇରେ ଲଢି ସେ ମୃତ୍ୟୁବରଣ କରିଛନ୍ତି। ଏନେଇ ଗତ ମାସ ୨୯ ତାରିଖରେ ସୋସାଲ ମିଡ଼ିଆରେ ପୋଷ୍ଟ ବି କରିଛନ୍ତି ସାଂସଦ ଜୁଏଲ ଓରାମ। ମୃତ ନିର୍ମଳା କିଞ୍ଜିରକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ନିଷ୍ଠାର ସହ କରୋନା ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କର ଏହି ବଳିଦାନ ସୁନ୍ଦରଗଡବାସି ସବୁଦିନ ଲାଗି ମନେ ରଖିବେ ବୋଲି କହିଛନ୍ତି ଜୁଏଲ। କରୋନା ଯୋଦ୍ଧା ଭାବେ ସେ ପ୍ରାଣ ହରାଇଥିବା ଦୃଢ଼ ଦାବି କରିଛନ୍ତି ଜୁଏଲ।

ତେବେ ମୃତ୍ୟୁର ତିନି ଦିନ ପରେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ନ ଆସିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଜୁଏଲ। କରୋନା ଯୁଦ୍ଧର ଆଗଧାଡିର ରହି ଯୋଦ୍ଧା ସାଜି ଜୀବନ ହରାଇଥିବା ଆଶାକର୍ମୀ ନିର୍ମଳାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ସାଂସଦ ଜୁଏଲ ଓରାମ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମୃତ ନିର୍ମଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। 

ସେପଟେ କରୋନା ସମ୍ପର୍କିତ ଟିକିନିକ ସୂଚନା ଦେଉଛନ୍ତି ରାଜ୍ୟ ସରକାର। ସୂଚନା ଓ ଲୋକ ସଂପର୍କ ବିଭାଗ, ସ୍ଵାସ୍ଥ୍ୟ ବିଭାଗ ସହ ପ୍ରତିଦିନର ଅପଡେଟ୍ ତଥ୍ୟ ଦେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ ପାତ୍ର ସୁବ୍ରତ ବାଗଚୀ। ତେବେ କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ଆଶାକର୍ମୀଙ୍କ ତଥ୍ୟ ଦିଆ ଯାଇନାହିଁ କି ୱେବସାଇଟରେ ମଧ୍ୟ ଉଲ୍ଲେଖ କରା ଯାଇ ନାହିଁ। ତେବେ କିଏ ସତ କହୁଛି! ସାଂସଦ ନା ସରକାର। ଯଦି ସାଂସଦ ଜୁଏଲ ଓରାମଙ୍କ ଦାବି ସତ ହୋଇଥାଏ ତେବେ ଘଟଣା ସାଙ୍ଘାତିକ। ଯଦି ଭୁଲ ତାହେଲେ ସରକାର ସାଂସଦଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରି ପାରିବେ।

ଅନ୍ୟପଟେ ଜୁଏଲ ଓରାମ ମୃତ ନିର୍ମଳାଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବି କରିଥିଲେ ମଧ୍ୟ ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଘଟଣା ନେଇ ସରକାର ମୁହଁ ଖୋଳୁ ନଥିବାରୁ ଦ୍ଵନ୍ଦ ସୃଷ୍ଟି ହେଉଛି। ଏନେଇ ସରକାର ତଥ୍ୟ ଲୁଚାଉ ନାହାନ୍ତି ତ! ଯଦି କରୋନା ଲଢେଇରେ ଜୀବନ ଯାଇନି ତାହେଲେ ପ୍ରତିକ୍ରିୟା ନ ଦେଇ ଚୁପ୍ ରହି ଛନ୍ତି କାହିଁକି? ଘଟଣା ନେଇ ଜୁଏଲ ଦୁଇ ଦୁଇ ଥର ସୋସାଲ ମିଡ଼ିଆରେ ପୋଷ୍ଟ କରିବା ପରେ ମଧ୍ୟ ସରକାର ନୀରବ ରହିଛନ୍ତି କାହିଁକି? ଘଟଣା ସତ୍ୟ ହେଉ କି ଭୁଲ ସରକାର ପ୍ରତିକ୍ରିୟା ରଖି ଲୋକଙ୍କ ଶଙ୍କା ଦୂର କରୁ ନାହାନ୍ତି କାହିଁକି?

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୧ ତାରିଖରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସହାୟକଙ୍କ ପାଇଁ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ଯୋଦ୍ଧାଙ୍କ କାର୍ଯ୍ୟ ଓ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କର ମୃତ୍ୟୁ ହେଲେ ସହିଦ ଆଖ୍ୟା ସହ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କେ଼ାଭିଡ଼ ଲଢେଇରେ ନିୟୋଜିତ ଆଶାକର୍ମୀ ନିର୍ମଳା ସୋରେନ୍ ଗତ ଏପ୍ରିଲ ୨୭ ତାରିଖରୁ ମୃତ୍ୟୁ ବରଣ କରିସାରିଥିଲେ ସୁଦ୍ଧା ସରକାର ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ମୃତ ନିର୍ମଳାଙ୍କୁ ସହିଦ ଘୋଷଣା କି ତାଙ୍କ ପରିବାର ଲୋକଙ୍କୁ ସରକାର ଏଯାଏଁ କୋୖଣସି ଆର୍ଥିକ ସହାୟତା ଦେଇନ ଥିବା ଜଣା ପଡିଛି।ଦେଖା ଯାଉ ଆଗକୁ ଏହି ଘଟଣା କେଉଁ ମୋଡ଼ ନେଉଛି।

Leave a Reply