ଲୋକପ୍ରିୟ ଲେଖିକା ପାରମିତା ଷଡ଼ଙ୍ଗୀଙ୍କ ମନଛୁଆଁ ଗପ “ବର୍ଷା ଓ ମୁଁ”, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ବର୍ଷା ଠକ୍ ଠକ୍ କରୁଥିଲା ମୋ ଝରକାକୁ। ମୁଁ ବି ଆରକ ଖୋଲି ଦେଲି। ଜାଣି ଥିଲି ତାକୁ ଅଟକାଇ ପାରିବିନି ତଥାପି ଖୋଲି ଦେଲି ଝରକାଟାକୁ ।ପଶିଆସିଲା ସେ ବିନ୍ଦୁ ବିନ୍ଦୁ କରି। ମଣିଷ ଗୁଡିକ ସବୁବେଳେ ଲୋଭି ତ,ଏଇ ସମୟଟାକୁ ହାତରୁ ଯିବାକୁ ଦେଇଥାନ୍ତି କିପରି ? ଚା’ କପେ ଧରି ବସିଗଲି ବାଲକୋନୀରେ। ସଜା ହୋଇ ଥିବା ଫୁଲ, ଲତା,ଆଉ ବତୀର ଭ୍ରମ କରୁଥିବା କେତେ ଗୁଡ଼ିଏ ପ୍ଲାଷ୍ଟିକ୍ସ ଝାଲର ବର୍ଷା ତାଳରେ ତାଳ ମିଶାଇବାକୁ ଲାଗିଲେ। ଏଠି କହି ରଖୁଛି ଯେ କେବଳ ମୁଁ ହିଁ ବସିଥିଲି, କିନ୍ତୁ ବାକି ସହରଟା ତ ଧାଉଁ ଥିଲା। କେତେ ଗୁଡିଏ ବାଦଲ ଦିନ ପଣଟାକୁ ଢାଙ୍କି ଦେଇ ସଂଧ୍ୟାର ଭ୍ରମ ଦେଉ ଥିଲେ ବି…. ସମସ୍ତେ ହାତରେ ତ ଘଡ଼ି ପିନ୍ଧି ଥିଲେ।

ବାଲକୋନୀରୁ ଟିକିଏ ଟିକିଏ କରି ଛୁଇଁ ଯାଉଥିଲା ବର୍ଷାଟା ମୋତେ। ହଠାତ୍ ସେ ତା ହାଫ୍ ପ୍ୟାଣ୍ଟଟାକୁ ଉପରକୁ ଟାଣି କହିଲା”,ଚାଲ୍ ଭିଜିବା”

ମୁଁ କହିଲି”,ହେ ! ଛାଡ ନା ଏସବୁ, ଏ ବୟସରେ…. ଏସବୁ?”

ସେ କହିଲା,” ମନ କ’ଣ ବୟସ ଥାଏ?”

ମୋ ଭିତରର ଅବୋଧ ବାଳକଟା ବାହାରକୁ ଦଉଡିବାକୁ.…. ଭିଜିବାକୁ ବିକଳ ହେଉଥିଲା। ମୁଁ ମୋ ମନଟାକୁ ଧରିଥିଲି ,ଛାଡ଼ୁ ନ ଥିଲି ।ସେ ଛଟପଟ ହେଉଥିଲା। ଛାଡି ଦେବି କି! _ ନାଁ ମ ଏଇଲେ ବୁଲା ଷଣ୍ଢ ପରି ଏପଟ ସେପଟ ହେବ।

ହେଉ ସେ ବୁଲା ଷଣ୍ଢ ପରି , କ’ଣ ବିଗିଡି ଯିବ କି!

ନାଁ ମ ଲୋକ କ’ଣ ଭାବିବେ….ଏ ବୟସରେ…।

ବର୍ଷା ଆଉ ମୁଁ_ ଆମ ଭିତରେ ବୟସର ପାଚେରିଟେ ଠିଆ ହୋଇ ସାରିଥିଲା। ବୋଧହୁଏ ମୋ ପିଲା ଦିନର ବର୍ଷାଟା ବଡ଼ ହେବାକୁ ମନା କରିଦେଇଥିଲା।

ବାଲକୋନୀର କାଚ ଉପରେ ବର୍ଷାଟା ଠନ୍ ଠନ୍ ଶବ୍ଦ କରି ପଡ଼ୁଥିଲା… ଡାକୁଥିଲା ମୋତେ ପୂର୍ବ ପରି। ଇସ୍ କି ଜିଦ୍ ତାର।

“ତୁ ଯା ନା, ଆଉ କ’ଣ ଖେଳି ପାରିବି ତୋ ସହ।”

” କାହିଁକି ନୁହେଁ। ସେଇ ତୁ ଆଉ ସେଇ ମୁଁ”

ମୁଁ କହିଲି” ସେତେବେଳେ ତୁ ଭଲ ଲାଗୁଥିଲୁ। ଆଜି କାଲି ତୋତେ ଦେଖିଲେ ମୋତେ ଡର ଲାଗୁଛି।”

ସେ କହିଲା,”ମିଛଟା ରେ ମୋତେ ବଦନାମ କରୁଛୁ”।

“ମାନେ”

” ତୁ ଡରକୁଳା ହୋଇଗଲୁଣି”।

ମୁଁ ଖାଲି ହସିଦେଇ,କହିଲି” ସତ କଥା”।

ସେ କହିଲା,”ଆସ ନା, ପୁଣି ପିଲା ହୋଇ ଯିବା”

“ନାହିଁ ତୋ ଦେହରେ କୀଟାଣୁ ଅଛନ୍ତି”

“ଆଛା, ଆଜି କୀଟାଣୁ ଦେଖାଗଲେଣି। ସେ ଦିନ ତ ପଚ୍ ଫଚ୍ କରି ଡେଉଁଥିଲୁ। କିଛି ଭାବୁ ନ ଥିଲୁ।”

“ମୋ ଲାପଟପଟି ଓଦା ହୋଇଯିବ ଯଦି!”

“ଆଗରୁ ତ କେତେ ଓଦା ହେଉଥିଲୁ, ଗୋଟେ ଦିନ ସ୍କୁଲ ଯିବୁନି ବୋଲି। ଆଜି କେତେ ନଖରା କରୁଛୁ ।ଆସେନା ଭିଜିବା”

” ଆରେ ନାଇଁ ରେ ବାବା, କାଲି ଅଫିସ ବନ୍ଦ କଲେ ଗୋଟିଏ ଦିନର ସାଲାରି କଟି ଯିବ। ବୁଝୁନୁ କାହିଁକି? ମୋ ପିଲା ଦିନର ବର୍ଷାଟା କେବେଠାରୁ ହଜି ଗଲାଣି।”

” ଏବେ ମୁଁ କ’ଣ କରିବି?”

“ତୁ ବି ମୋ ସହ ବଡ଼ ହେଇ ଯାଉଛି”।

“ନାଁ ନାଁ …ବଡ଼ ହେବା ନାଁରେ ମୁଁ ମୋ ମୂଲ୍ୟବାନ ଜିନିଷଟାକୁ ହରାଇବାକୁ ଚାହୁଁନି।”

“ତା ହେଲେ?”

“ତା ହେଲେ_ ଆଉ କ’ଣ? ଚାଲିଲି ଆଉ ଗୋଟିଏ ପିଲା ଦିନ ଭିତରେ ବଞ୍ଚିବାକୁ”।

ବର୍ଷାଟା ମୋତେ ଛାଡ଼ିଦେଇ ଚାଲିଗଲା ଅନ୍ୟ କେତେକ କାଗଜ ଡଙ୍ଗା ଖୋଜିବାକୁ। ମୁଁ ଠିଆ ହୋଇଥିଲି ମୋ ବାଲକୋନୀରେ ବହୁତ କିଛି ହରାଇବାର ଅବସୋସ ନେଇ।

Leave a Reply