ମହାମାରୀ କରୋନାକୁ ନେଇ ଗାଲ୍ପିକ ଅଞ୍ଜନ ଚାନ୍ଦଙ୍କ ସୁନ୍ଦର୍ ଆଲେଖ୍ୟ “ଘର ରଙ୍ଗ ହେଉଛି”, ପଢନ୍ତୁ।

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଗୋଟେ ବଣରେ କୌଣସି ବଡ଼ପଶୁ ନଥିଲେ। ତେଣୁ ସମସ୍ତେ ମିଶି ହନୁମାଙ୍କଡ଼କୁ ବଣର ରାଜା କରିଦେଲେ। ଦିନେ ଆଉ କେଉଁ ମୁଲକରୁ ବାଘଟିଏ ସେଠାକୁ ଚାଲିଆସିଲା। ହରିଣ ପଲ ପଛରେ ଗୋଡ଼ାଇ ଶିକାର କଲା। ସେମାନଙ୍କ ପ୍ରତିନିଧି ଧାଇଁ ଯାଇ ରାଜାଙ୍କୁ ଖବର ଦେଲା। ରାଜା ଆସିଲେ। ଗଛ ଉପରେ ବସି ହୁଙ୍କାର ଛାଡ଼ିଲେ। ଏ ଡାଳ ସେ ଡାଳ ଡେଇଁଲେ। ବାଘ ତାର ସେସବୁକୁ ଖାତିର ନକରି ତଳେ ହରିଣ ଶିକାର କରିବାକୁ ଲାଗିଲା। ହରିଣ ପ୍ରତିନିଧି କହିଲା.. ମଣିମା, କିଛି କରନ୍ତୁ।
‎ରାଜା କହିଲେ.. ଆଉ କେତେ କରିବି? ମୋ କ୍ଷମତା ଯେତିକି ସେତିକିରେ ଯଥେଷ୍ଟ କରୁଛି। ସେଥିରେ ଯଦି ଫଳ କିଛି ହେଉନାହିଁ ମୋର ଆଉ କିଛି କରିବାର ନାହିଁ।
‎ଏବେ କରୋନା ବାଘ ସବୁଠି ମାତିଛି। ତାକୁ ଘଉଡ଼ାଇବାକୁ ଆମେ ଶଙ୍ଖ ଫୁଙ୍କିଛୁ। ଘଣ୍ଟ ବାଡ଼େଇଛୁ। ଦୀପ ଜାଲିଛୁ। ଘର ଭିତରେ ନିଜକୁ ବନ୍ଦୀ କରିଛୁ। ସେବାକାରୀଙ୍କ ଉପରେ ଫୁଲବର୍ଷା କରିଛୁ। ଆହୁରି ଏମିତି କେତେ କଣ। ଆମେ ଯେତେ ଯାହା କରୁଛୁ ସେ ତାର କିଛି ନଶୁଣି ଦିନକୁ ଦିନ ଅଧିକ ଶିକାର କରୁଛି। ସାରା ଦୁନିଆର ଛୋଟବଡ଼ ସବୁଦେଶକୁ ନିଜ ହାତମୁଠାରେ ରଖି ଦଳିଚାଲିଛି।
‎ଏବେ ଟିଭିରେ ଆଉ କିଛି ଖବର ନାହିଁ। କେବଳ ଗଣିତ ଓ ଗଣିତ। ସବୁ ଚାନେଲରେ ହିସାବ ଚାଲିଛି। କରୋନା କେତେ ଜଣକୁ ଧରିଛି? କେତେ ମାରିଛି? କେତେଜଣ ଧରାପଡ଼ି ଖସି ଯାଇଛନ୍ତି? କେତେଜଣ ବଇଦ ଘରେ ଛଟପଟ ହେଉଛନ୍ତି?
‎ଏହା ସହିତ କିଛି ବିଶେଷ ହିସାବ ରହିଛି। ଯେମିତି କେତେଜଣ ପରୀକ୍ଷାରେ ବସିଲେ? କେତେ ପାସ କେତେ ଫେଲ ହେଲେ? ପାସ ଫେଲ ର ହାର କେତେ? କେତେ ହାରରେ ଲୋକମାନେ ଭଲ ହେଉଛନ୍ତି? କେତେ ହାରରେ ମରୁଛନ୍ତି?
‎ଏ ହିସାବ ସାରା ପୃଥିବୀର, ଦେଶର, ଅନ୍ୟ ଦେଶ ତୁଳନାରେ ଭାରତର, ଓଡ଼ିଶାର ଏବଂ ଆମ ସହରର।
‎ଏହା ସହିତ ଜଡ଼ିତ ଆଉ କିଛି ରୋଚକ ଖବର ବି ଅଛି। ବନ୍ଧ ବାଡ଼ ନମାନି ବାହାରେ ବୁଲୁଥିବା ଅବୋଲକରାମାନଙ୍କୁ ପୁଲିସିଆ ମାଡ଼। ଦଳେ ଅପଗଣ୍ଡ ସୁରକ୍ଷାକର୍ମୀଙ୍କୁ ମାରି ଗୋଡ଼ାଇଲେ। ଗାଁକୁ ଫେରିବାକୁ ଶ୍ରମିକମାନେ ଦେଶର ଏମୁଣ୍ଡରୁ ସେମୁଣ୍ଡ ପାଦରେ ଚାଲିଲେ। ଚାଳିଶ ଦିନ ପରେ ଖୋଲିଲା ମଦ ଦୋକାନ। ମଦ କିଣିବାକୁ ଚାରି ମାଇଲଯାଏ ଧାଡ଼ି ଲମ୍ବିଲା।
‎ପ୍ରାୟ ଅଧା ବର୍ଷ ବିତି ଯାଇଛି। କରୋନାର ପ୍ରକୋପ କମୁନାହିଁ ବରଂ ଅଧିକ ବେଗରେ ବଢ଼ିଚାଲିଛି। ଧୀରେ ଧୀରେ ତାହା ଆମର ଦେହସୁହା ହୋଇଆସୁଛି। ଲକ ଡାଉନ ରହିଛି କିନ୍ତୁ ଦିନକୁଦିନ କୋହଳ ହେଉଛି। କାରଖାନା, ଅଫିସ, ଦୋକାନ ବଜାର ଖୋଲୁଛି। ବସ, ଟ୍ରେନ ଗଡୁଛି। ସତର୍କ ଭାବରେ କରୋନା ସହିତ ବଞ୍ଚିବାକୁ ଶିଖିବା ଆରମ୍ଭ ହୋଇଛି।
‎ପୃଥିବୀରେ କେତେ ଶାସ୍ତ୍ର, ପୁରାଣ, ଦର୍ଶନ, ବିଜ୍ଞାନ ଅଛି। ସେଗୁଡ଼ିକ ଯାହା ଆମକୁ ଶିଖାଇ ପାରିନଥିଲା ଏଇ କେତେ ମାସର ବିପତ୍ତି ତାହା ହେଜାଇପାରିଛି। ମଣିଷର ଅସଂଯତ ଚରିତ୍ର ସଂଯତ ହୋଇଛି। ବ୍ୟବହାର ବଦଳିଛି। ଘରେ ଜୋତା ମାଡ଼ି ବୁଲୁଥିବା ଲୋକ ଗୋଡ଼ ହାତ ଧୋଇ ଘରକୁ ପଶୁଛି। ଯିଏ ଭିଟାମାଟିକୁ ଭୁଲିଥିଲା ସେ ମୋ ଗାଁ, ମୋ ଘର କହି ବିଦେଶରୁ ଫେରୁଛି। ଆମ ଦେଶ, ଆମ ସଂସ୍କୃତି ଭଲ ବୋଲି କହୁଛି। ଅହଂର ଆବରଣ ତରଳି ଯାଇ ମଣିଷ ତାର ପ୍ରକୃତ ସ୍ୱରୂପକୁ ଦେଖି ପାରୁଛି। ସବୁଠୁ ଉଲ୍ଲେଖନୀୟ ହେଉଛି ଏଇ କେତେ ମାସ ଭିତରେ ପ୍ରକୃତି ସୁନ୍ଦର ଓ ପରିବେଶ ନିର୍ମଳ ହୋଇଛି।
‎କିଏ କେଉଁଠି ଏ ଭୂତାଣୁକୁ ସୃଷ୍ଟି କରିଛି ଏ ବିଷୟରେ ତନାଘନା ଆଲୋଚନା ହେଉଛି। ଯଦି ବି ସେମିତି ହୋଇଥାଏ ତା ପଛରେ ଅନ୍ୟ ଏକ ଅଦୃଶ୍ୟ ହାତ ରହିଛି ଏବଂ ତାହା ଈଶ୍ୱରଙ୍କର। ପୃଥିବୀରୁ ମହାକାଶ, ଗ୍ରହ ନକ୍ଷତ୍ରପୁଞ୍ଜ ଆଡ଼କୁ ବ୍ୟାପି ଚାଲିଥିବା ମାନବିକ ବିଜ୍ଞାନ ଆଜି କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ନିକଟରେ ଅତ୍ୟନ୍ତ ନ୍ୟୂନ ହୋଇଯାଇଛି।
‎ମହାମାରୀ ପୃଥିବୀପାଇଁ ନୂଆ କଥା ନୁହେଁ। ଏକ ବିପୁଳ ସମୟଖଣ୍ଡ ବ୍ୟବଧାନରେ ଏହା ସଂଘଟିତ ହୁଏ ଓ ଜନଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ଏଥିରୁ ମୁକୁଳିବାକୁ ମଣିଷ ଯେତେ ଉଦ୍ୟମ କରିଛି, ପ୍ରତିଷେଧକ ବାହାର କରିଛି ସେ ନୂଆ ରୂପ ନେଇ ସେତେ ଉଗ୍ର ରୂପରେ ପୁଣି ଥରେ ହାଜର ହୋଇଛି ଏବଂ ସୃଷ୍ଟିରେ ସଂହାର ଲୀଳା ରଚନା କରିଛି।
‎ଯିଏ ଜଣେ ଅତି ଯତ୍ନରେ ଘରଟିଏ ଗଢ଼ିଛି ସେ ତାର ସୁରକ୍ଷା ଓ ସୌନ୍ଦର୍ଯ୍ୟପାଇଁ କେତେ ବର୍ଷ ଅନ୍ତରାଳରେ ଚୂନ ଧଉଳା କରି ରଙ୍ଗ ମାରୁଛି। ସେତେବେଳେ ଘରେ ଆଶ୍ରୟ ନେଇଥିବା କେତେ ଅବାଂଛିତ ପ୍ରାଣୀ ମୃତ୍ୟୁମୁଖରେ ପଡୁଛନ୍ତି ସତ କିନ୍ତୁ ଘରଟି ପୁଣି ନୂଆ ଜୀବନ ପାଇ ହସିଉଠୁଛି। ସମୟଖଣ୍ଡ ବ୍ୟବଧାନରେ ପୃଥିବୀରେ ଘଟୁଥିବା ଏପରି ବିପର୍ଯ୍ୟୟ ଯାହାକୁ ବୋଧେ ପୁରାଣରେ ପ୍ରଳୟ ବା ଯୁଗାବସନ ବୋଲି ବର୍ଣନା କରାଯାଇଛି ତାହା କେବଳ ପୃଥିବୀର ସୁରକ୍ଷାପାଇଁ ସଂଘଟିତ ହେଉଛି l
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ.୯୪୩୭୨୯୬୮୬୪ ‎ ‎

Leave a Reply