ରେକର୍ଡ ରୋଗୀ ଚିହ୍ନଟ: ଗୋଟିଏ ଦିନରେ ୩୦୪ ଓ ୨ ମୃତ, ରାଜ୍ୟର ମୋଟ ରୋଗୀ ଆକ୍ରାନ୍ତ ସଂଖ୍ୟା ୫ ହଜାର ଟପିଲା

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା। ପ୍ରତିଦିନ ଶହ ଶହ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୩୦୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୦୪ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୭୨ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୨ ଜଣ ଲୋକାଲ କେସ ବୋଲି ସୂଚନା ଦିଆଯାଇଛି। ତେବେ ଦୁଃଖର କଥା ହେଉଛି ଯେ, ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସେ ମଧ୍ୟରୁ ଦୁଇ ଜଣ କରୋନା ରୋଗରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ବରଗଡର ଜଣେ ୭୬ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି। ସେହିପରି ଗଞ୍ଜାମର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ୪୯ ବର୍ଷୀୟ ଏହି ପୁରୁଷ ଗଞ୍ଜାମ ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଅନ୍ୟ ଜଣେ ପୁରୀ ଜିଲ୍ଲାରେ ମୃତ୍ୟୁ ଘଟିଛି। ହେଲେ ତାଙ୍କର କରୋନା ବ୍ୟତୀତ ଅନ୍ୟ କାରଣରୁ ଜୀବନ ଯାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ତେବେ ଚିହ୍ନଟ ୩୦୪ ରୋଗୀ ମଧ୍ୟରେ ଗଞ୍ଜାମର ୪୦, ଖୋର୍ଦ୍ଧା ୫, କଟକ ୧୩, ଯାଜପୁର ୨୧, ବାଲେଶ୍ଵର ୧୭, ଗଜପତି ୪୭, ପୁରୀ ୩, ଜଗତସିଂପୁର ୨୯, କେନ୍ଦ୍ରାପଡ଼ା ୫, ଭଦ୍ରକ ୧୧, କନ୍ଧମାଳ ୧୨, ବଲାଙ୍ଗିର ୧, ସୁନ୍ଦରଗଡ଼ ୧, ମୟୂରଭଞ୍ଜ ୬, ନୟାଗଡ଼ ୩, ବରଗଡ଼ ୧୪, ମାଲକାନଗିରି ୨, ଢେଙ୍କାନାଳ ୧, ଝାରସୁଗୁଡ଼ା ୨୫, ସୋନପୁର ୪ ଓ ସମ୍ବଲପୁର ଜିଲ୍ଲାରେ ୨ ରୋଗୀ ଚିହ୍ନଟ ହୋଇଛନ୍ତି।


ସୂଚନା ଅନୁସାରେ, ରାଜ୍ୟରେ ଏଯାଏ ୫୧୬୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୦୭ ଜଣ ସକ୍ରିୟ ରୋଗୀ ରହିଛନ୍ତି। ତେବେ କରୋନାରେ ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ କରୋନା ବ୍ୟତୀତ ଅନ୍ୟ କାରଣରୁ ୫ ଜଣଙ୍କ ମୃତ୍ୟୁ ଘଟିଛି।