ଏଥର ଗଡ଼ିବନି ରଥ, ପୁରୀ ରଥଯାତ୍ରା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଗଡିବନି ରଥ। ପୁରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତି ନେଇଛନ୍ତି। ଆସନ୍ତା ୨୩ ତାରିଖରେ ରଥଯାତ୍ରା ଆୟୋଜନ ଲାଗି ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।
ପ୍ରଧାନ ବିଚାରପତି ଏସଏ ପ୍ରଧାନ, ବିଚାରପତି ଦିନେଶ ମାହେଶ୍ୱରୀ ଓ ବିଚାରପତି ଏଏସ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି କରିଥିଲେ। ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ସାର୍ବଜନୀକ ସ୍ଵାସ୍ଥ୍ୟ ଓ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ପ୍ରଧାନ ବିଚାରପତି କହିଛନ୍ତି ଯେ, ଯଦି ଏହି ବର୍ଷ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାନ୍ତା ତାହେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରନ୍ତେ ନାହିଁ। କାରଣ ମହାମାରୀ କରୋନା ବିପତ୍ତି ବେଳେ ଏଭଳି ବିଶାଳ ଜନସମାଗମ ଆୟୋଜିତ ହେବା ସମ୍ଭବ ନୁହେଁ। ଏଥିସହ ଖଣ୍ଡପୀଠ ଓଡ଼ିଶା ସରକାରକୁ କହିଛନ୍ତି ଯେ, କେବଳ ପୁରୀ ନୁହଁ ରାଜ୍ୟର କୌଣସି ଜାଗାରେ ରଥଯାତ୍ରା କି ଧାର୍ମିକ ଜୁଲୁସ୍ ତଥା ଏ ସମ୍ବନ୍ଧିତ ଗତିବିଧି ଉପରେ ଅନୁମତି ନ ଦେବାକୁ।
ଓଡ଼ିଶାର ଏକ ବେସରକାରୀ ସଂଗଠନ ପକ୍ଷରୁ ଦାୟର ପିଟିସନ୍ ଉପରେ ଏହି ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦୀର୍ଘ ୧୦/୧୨ ଦିନ ଧରି ପାଳନ ହେଉଥିବା ରଥଯାତ୍ରାକୁ ଚଳିତ ବର୍ଷ ସ୍ଥଗିତ ରଖିବାକୁ ପିଟିସନରେ ଅନୁରୋଧ କରାଯାଇଥିଲା। ଏଥିରେ ସାରା ଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହୋଇଥାଏ।

Leave a Reply