ନବନୀତା ବ୍ୟୁରୋ। ଜିଆରଏସ ପରେ ଜେଇ ବି ହଟିଲେ। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ବିଲାଇସର୍ଡା ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇଙ୍କୁ ହଟାଇ ଦିଆଯାଇଛି। ଗତ କିଛି ଦିନ ତଳେ ଜେଇ ବୃଷଭ ହୋତାଙ୍କୁ ଏଠାରୁ ହଟାଇ ତାଙ୍କ ଜାଗାରେ ଚିନ୍ମୟୀ ସାମଲଙ୍କୁ ଅତିରିକ୍ତ ଦାୟିତ୍ବ ଦିଆ ଯାଇଛି। ତେବେ ଅଚାନକ କନିଷ୍ଠ ଯନ୍ତ୍ରୀ ବୃଷଭ ହୋତାଙ୍କୁ ଏଠାରୁ ହଟାଇ ଦିଆଯାଇଥିବାରୁ ସାଧାରଣରେ ଜୋରସୋର ଚର୍ଚ୍ଚା ଚାଲିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବଦଳିର ଠିକ କିଛି ଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ବୃଷଭ ହୋତା ଏକ ମାଟିକାମର ମେଜରମେଣ୍ଟ ପାଇଁ ବନ୍ଧକୁ ଯାଇଥିଲେ। ଶ୍ରମିକଙ୍କ ମାଟିକାମ ଅନୁଯାୟୀ ସଠିକ ମାପ କରିଥିଲେ କନିଷ୍ଠ ଯନ୍ତ୍ରୀ ବୃଷଭ। ହେଲେ ଏଥିରେ ସଂପୃକ୍ତ ଠିକାଦାର ଅସନ୍ତୋଷ ହୋଇଥିଲେ। ଏପରିକି କିଛି ଶ୍ରମିକଙ୍କୁ ମତାଇ ଜେଇଙ୍କ ବିରୁଦ୍ଧରେ ପିଡିଙ୍କ ପାଖରେ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ପାଇଁ କନିଷ୍ଠ ଯନ୍ତ୍ରୀ ବୃଷଭ ହୋତାଙ୍କୁ ବିଲାଇସର୍ଡାରୁ ହଟାଇ ଦିଆ ଯାଇଥିବା ଜଣା ପଡିଛି। ତେବେ ଦୁର୍ନୀତିକୁ ପ୍ରଶୟ ନ ଦେବାରୁ ଷଡ଼ଯନ୍ତ୍ରର ଶିକାର ହେଲେ ବୃଷଭ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ପଞ୍ଚାୟତରେ ଅଲ ଇଜ ନଟ ୱେଲ। ଠିକ ଠାକ୍ ଚାଲିନି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ। କାରଣ ଏହା ପୂର୍ବରୁ ଜିଆରଏସ ଶ୍ରୀନିବାସ ପଟେଲଙ୍କୁ ହଟାଇ ଦେବାଶିଷ ବାବୁଙ୍କୁ ଅବସ୍ଥାପିତ କରାଯାଇଥିଲା। ମନରେଗା କାର୍ଯ୍ୟର ସୁପରିଚାଳନା ଲାଗି ଜିଆରଏସଙ୍କୁ ବଦଳି କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ ବିଡିଓ। ଏହାର କିଛି ଦିନ ପରେ ପୁଣି ସେହି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ହଟା ଯାଇଥିବାରୁ ଦୁର୍ନୀତିର ଗନ୍ଧ ବାରି ହେଉଛି।
ଲୋକଙ୍କ ଅଭିଯୋଗ ଅନୁସାରେ ଏହି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମହା ଦୁର୍ନୀତି ହୋଇଛି। କୋଠା ମରାମତି ନ କରି ସମ୍ପୂର୍ଣ ଟଙ୍କା ଉଠା ଯାଇଥିବା ବେଳେ ସଫେଇ କାର୍ଯ୍ୟରେ ଦୁଇ ଗୁଣା ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଅନେକ ରାସ୍ତା କାମରେ ବ୍ୟାପକ ଜାଲିଆତି କରି ଟଙ୍କା ହଡ଼ପ କରାଯାଇଥିବା ସହ ଇନ୍ଦିରା ଆବାସ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ଭିଜଲାନ୍ସ ତଦନ୍ତ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି।

କେବଳ ଏତିକି ନୁହେଁ, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ଵିପର୍ ଧନମତୀ ମୀରିଗଙ୍କ ପାଉଣା ମଧ୍ୟ ଦିଆ ଯାଇନି। ତାଙ୍କ ଅଭିଯୋଗ ଅନୁସାରେ ଟିଏମସିରେ କାର୍ଯ୍ୟ କରିବା ଆଗରୁ ଇଓ ଫକୀର ମିଶ୍ର, ସ୍ଥାନୀୟ ସରପଞ୍ଚ ଓ କିଛି ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ ଧନମତୀଙ୍କୁ ଦୈନିକ ଦୁଇ ହଜାର ଟଙ୍କା ଲେଖାଏଁ ଦେବା ପାଇଁ କହିଥିଲେ। ହେଲେ ମାସେ କାମ କରିବା ପରେ ଇଓ ଫକୀର ମିଶ୍ରଙ୍କୁ ପାଉଣା ମାଗିବାରୁ ସେ ସ୍ଵିପରଙ୍କୁ ଜାଣି ନଥିବା କହିଥିଲେ। ଏନେଇ ତାଙ୍କର ଏକ ଭିଡିଓ ଶୋସଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଇଓ ଫକୀର ମିଶ୍ରଙ୍କୁ ଯୋଗାଯୋଗ କରିଥିଲୁ। ହେଲେ ଫୋନ୍ ରେସପଣ୍ଡ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
ସେପଟେ ବୃଷଭ ହୋତାଙ୍କୁ ବିଲାଇସର୍ଡା ପଞ୍ଚାୟତରୁ ହଟାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଇଁନ୍ତଲା ବିଡିଓ ରବି ନାରାୟଣ ଆଚାର୍ଯ୍ୟ। ସେ କହିଛନ୍ତି, ମନରେଗା କାର୍ଯ୍ୟ ସୁପରିଚାଳନା ପାଇଁ ଅକ୍ଷମତା ପ୍ରକାଶ କରିବା ସହ ପଞ୍ଚାୟତରୁ ନିଜେ ହଟିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଦୁର୍ନୀତିକୁ ପ୍ରଶୟ ନ ଦେବାରୁ ବଦଳି କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତାହାକୁ ଅସ୍ବୀକାର କରିଛନ୍ତି ବିଡିଓ ରବି ନାରାୟଣ ଆଚାର୍ଯ୍ୟ।
