ଭାରତୀୟ ବୈଜ୍ଞାନିକଙ୍କ ଦାବା: ୨୦୨୧ ପୂର୍ବରୁ କରୋନା ଟୀକା ଅସମ୍ଭବ!

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ମହାମାରୀ କରୋନା ଭୂତାଣୁ ନେଇ ଏଯାଏ କୌଣସି ମେଡିସିନ କି ଟୀକା ବାହାରି ନାହିଁ। ଏଥିପାଇଁ ସାରା ବିଶ୍ବ ଲାଗିଛି ଏହାର ଟୀକା ସନ୍ଧାନରେ। ସେ ମଧ୍ୟରେ ଭାରତର ୬ଟି କମ୍ପାନୀ ମଧ୍ୟ କାମ କରୁଛନ୍ତି। ତେବେ ଭାରତୀୟ ବରିଷ୍ଠ ବୈଜ୍ଞାନିକଙ୍କ କହିବା କଥା ହେଲା,୨୦୨୧ ପୂର୍ବରୁ ଟୀକା ଆବିଷ୍କାର ସମ୍ଭବ ନୁହେଁ।
କରୋନା ସଂକ୍ରମଣ ଯୋଗୁଁ ବିଶ୍ୱସ୍ତରରେ ୧୯ ଲକ୍ଷ ଲୋକରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ୧.୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଲାଣି। ଏହାର ମୁକାବିଲା ପାଇଁ ସାରା ବିଶ୍ଵର ବୈଜ୍ଞାନିକ ମାନେ ଅନୁସନ୍ଧାନରେ ଲାଗିଛନ୍ତି। ଫରିଦାବାଦ ସ୍ଥିତ ଟ୍ରାନସଲେଶନଲ ହେଲଥ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର କାର୍ଯ୍ୟକାରୀ ନିର୍ଦ୍ଧେଶକ ଗଗନଦୀପ କଙ୍ଗଙ୍କ କହିବା ଅନୁସାରେ କରୋନା ଭୂତାଣୁକୁ ପରାସ୍ତ କରିବା ପାଇଁ ଚାଲିଥିବା ଉଦ୍ୟମ ଅତୁଳନୀୟ ଅଟେ।
ସେ ଆହୁରି କହିଛନ୍ତି ଯେ, କୌଣସି ଟୀକା ପରୀକ୍ଷା ପାଇଁ ପ୍ରକ୍ରିୟା ବହୁସ୍ତରୀୟ, ଜଟିଳ ଓ ଅନେକ ଚାଲେଞ୍ଜ ହୋଇଥାଏ। କରୋନା ଟୀକା ଆବିଷ୍କାର କରିବାକୁ ଅନ୍ୟ ରୋଗର ଟୀକା ଭଳି ୧୦ ବର୍ଷ ଲାଗିବ ନାହିଁ। କିନ୍ତୁ ଯେକୌଣସି ଟୀକାର ଅନୁସନ୍ଧାନ ପରେ ସୁରକ୍ଷିତ, ପ୍ରଭାବୀ ଓ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରିବା ପାଇଁ ଅତି କମରେ ଗୋଟିଏ ବର୍ଷ ଲାଗିବ।
କେରଳର ରାଜୀବ ଗାନ୍ଧି ସେଣ୍ଟର ଫର ବାଇଟେକ୍ନୋଲୋଜିର ମୁଖ୍ୟ ସାଇନ୍ଟିଫିକ୍ ଅଫିସର ଇ. ଶ୍ରୀକୁମାର ଓ ହାଇଦ୍ରାବାଦ ସିଏସଆଇଆର ସେଣ୍ଟର ଫର ସେଲୁଲର ଏଣ୍ଡ ମାଲିକ୍ୟୁଲର୍ ବାଇଲୋଜି ନିର୍ଦ୍ଧେଶକ ରାକେଶ ମିଶ୍ରଙ୍କ କହିବା କଥା ଯେକୌଣସି ଟୀକା ପ୍ରସ୍ତୁତ କରିବା ପାଇଁ ଅନେକ ବର୍ଷ ଲାଗିଥାଏ। ପରୀକ୍ଷା କରିବାର ବିଭିନ୍ନ ସ୍ତର ଅତିକ୍ରମ କରିବା ଓ ତାପରେ ମଞ୍ଜୁରୀ ମିଳିବା ପାଇଁ ବହୁ ଅନେକ ବର୍ଷ ଲାଗିଥାଏ। ତେବେ ଯାହା ହେଉ ଏବର୍ଷ କରୋନା ଭୂତାଣୁ ଟୀକା ଉପଲବ୍ଧ ହେବା ସମ୍ଭବ ନୁହେଁ।

Leave a Reply