୨୧ ବର୍ଷ ପରେ ପୁଣି ସୁପର ସାଇକ୍ଲୋନ: ୨୨୧ କିମି ପ୍ରତି ଘଣ୍ଟା ବେଗରେ ବହିପାରେ ପବନ!

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଭାରତର ପୁର୍ବ ରାଜ୍ୟରେ ଏବେ ସାମୁଦ୍ରିକ ଝଡ଼ ଅମ୍ଫନ୍ ପ୍ରଳୟ ରଚିବାକୁ ଯାଉଛି। ଏହା ସୁପର ସାଇକ୍ଲୋନ ହୋଇଥିବାରୁ ଅଧିକ କ୍ଷୟକ୍ଷତି ହେବା ସହ ଭୟାବହତା ମଧ୍ୟ ରହିଛି। ଏ ସମୟରେ ପବନର ବେଗ ୨୦୦ କିମି ପ୍ରତି ଘଣ୍ଟାରୁ ଅଧିକ ଜୋର ହୋଇପାରେ। 

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଭାରତରେ ଏହିଭଳି ସୁପର ସାଇକ୍ଲୋନ ୧୯୯୯ ମସିହାରେ ହୋଇଥିଲା  ଏଥିରେ ପାଖାପାଖି ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଭାରତ ସରକାର ପକ୍ଷରୁ ଏହାକୁ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଥିଲା। ତେବେ ଏହା ପୂର୍ବରୁ ୧୯୭୦ ନଭେମ୍ବର ୩ ତାରିଖରେ ପୂର୍ବ ପାକିସ୍ଥାନ ( ବର୍ତ୍ତମାନ ବାଂଲାଦେଶ) ଓ ପଶ୍ଚିମବଙ୍ଗରେ ଭୋଲା ନାମକ ଏକ ସୁପର ସାଇକ୍ଲୋନ ଆସିଥିଲା। ଏଯାଏ ଏହା ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ବୋଲି କୁହାଯାଉଛି। ଏଥିରେ ପାଖାପାଖି ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାତ୍ୟା ବେଳେ ପବନର ବେଗ ୨୪୦ କିମି ପ୍ରତି ଘଣ୍ଟା ରହିଥିଲା। ଏପରିକି ଏହା ଏଭଳି ପ୍ରଳୟ ରଚିଥିଲା ଯେ, ସବୁ ଜିନିଷକୁ ପବନରେ ଉଡ଼ାଇ ନେଇଥିଲା।

ଏନସିଆରଏମପି ସୂଚନା ଅନୁସାରେ, କଟକ, ପୁରୀ ଓ ବାଲେଶ୍ଵରରେ ୧୮୯୧ ରୁ ୨୦୦୨ ମଧ୍ୟରେ ପ୍ରାୟ ୮୩ ଥର ସାମୁଦ୍ରିକ ଝଡ଼ ଆସି ସାରିଛି। ଏଥିରେ ଏ ଅଞ୍ଚଳରେ ଆସିବାକୁ ଥିବା ଏହି ସୁପର ସାଇକ୍ଲୋନ ବି ସାମିଲ ଥିବା କୁହାଯାଉଛି। ତେବେ ମହାବାତ୍ୟାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି। ଯାହାର ଆଧାରରେ ଏହାକୁ ସାଇକ୍ଲୋନ କିମ୍ବା ସୁପର ସାଇକ୍ଲୋନ ନାମରେ ନାମିତ କରାଯାଏ। ସାମାନ୍ୟ ଶ୍ରେଣୀରେ ଆସୁଥିବା ସାମୁଦ୍ରିକ ଝଡ଼ ବେଳେ ପବନର ବେଗ ୬୨ରୁ ୮୮ କିମି ପ୍ରତି ଘଣ୍ଟା ହୋଇଥାଏ। ଏହାଠାରୁ ଅଧିକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ବେଳେ ୮୮ରୁ ୧୧୮ କିମି ପ୍ରତି ଘଣ୍ଟା ବେଗରେ ପବନ ବହେ। ତେବେ ତୃତୀୟ ଶ୍ରେଣୀରେ ଅଧିକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଆସେ। ଯଦ୍ୱାରା ଏହାର ପବନର ବେଗ ମଧ୍ୟ ଅଧିକ ରହିଥାଏ। ୧୧୯ରୁ ୨୨୧ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥାଏ। ଏହାପରେ ଚତୁର୍ଥ ତଥା ଅନ୍ତିମ ଶ୍ରେଣୀରେ ସୁପର ସାଇକ୍ଲୋନ ଆସିଥାଏ। ଏଥିରେ ପବନର ବେଗ ୨୨୧ କିମି ପ୍ରତି ଘଣ୍ଟାରୁ ବି ଅଧିକ ଜୋରରେ ପବନ ବହେ।

ତେବେ ସାଇକ୍ଲୋନ ନେଇ ଭାରତର ଇତିହାସ କାଫି ଲମ୍ବା ରହିଛି। ୨୦୦୯ ମସିହାରେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଆଇଲା ନାମକ ସାମୁଦ୍ରିକ ଝଡ଼ ଆସିଥିଲା। ଏହି ବାତ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବେଘର ହୋଇଥିଲେ। ସେହିପରି ୨୦୦୮ରେ ଫଣି ସାଇକ୍ଲୋନ ଆସିଥିଲା। ତେବେ ଉଭୟ ସୁପର ସାଇକ୍ଲୋନ ଶ୍ରେଣୀର ନଥିଲା। ଏବେ ଅମ୍ଫନ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ଥିବାରୁ  ବହୁ କ୍ଷୟ କ୍ଷତି  ଘଟାଇବା ସମ୍ଭାବନା ରହିଛି। ଏଥିପାଇଁ ସରକାର ଓ ଏନଡିଆରଏଫ୍ ଟିମ୍ ପୁରାପୁରି ଭାବେ ସତର୍କ ରହିଛନ୍ତି।

ଏନଡିଆରଏଫ୍ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଓଡ଼ିଶାରେ ୧୭ଟି ଟିମକୁ ପଠାଯାଇଛି। ଏରିଆ ସାଇକ୍ଲୋନ ୱର୍ଣ୍ଣିଂ ସେଣ୍ଟର କୋଲକାତାର ନିର୍ଦ୍ଧେଶକ ଡା. ଗଣେଶ କୁମାର ଦାସଙ୍କ କହିବା ଅନୁସାରେ ଅମ୍ଫନ ସମୁଦ୍ରରେ ଯେଭଳି ପ୍ରଚଣ୍ଡତା ଦେଖାଉଛି, ସେତିକି ମାତ୍ରାରେ ସ୍ଥଳଭାଗରେ ପ୍ରଭାବ ପକାଇବ ନାହିଁ। ସେ କହିଛନ୍ତି ଯେ, ସାମୁଦ୍ରିକ ଝଡ଼ ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ଏହାର ତୀବ୍ରତା ଅବଶ୍ୟ କମିବ। ତେବେ ଏହା ଦ୍ବାରା ବହିବାକୁ ଥିବା ପବନର ବେଗ ପୃଥକ୍ ରହିବା ସହ ପ୍ରଭାବ ମଧ୍ୟ ଅଲଗା ଅଲଗା ରହିବ ବୋଲି ଅନୁମାନ କରାଯାଉଛି।

 

Leave a Reply