ରାଜ୍ୟରେ ହଜାରେ ଟପିଲା କରୋନା ସଂଖ୍ୟା, ୬ ମୃତ: ପଶ୍ଚିମରେ ରୋଗୀ ସଂଖ୍ୟା ୭୫କୁ ବୃଦ୍ଧି

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଥମିବାର ନା ନେଉନି। ଗତକାଲି ରେକର୍ଡ ସଂଖ୍ୟକ ୧୦୨ ଚିହ୍ନଟ ପରେ ଆଜି ପୁଣି ୭୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୫୨ ହୋଇଥିବା ହେଲେ ମୃତକ ସଂଖ୍ୟା ୬କୁ ବୃଦ୍ଧି ପାଇଛି।


ଆଜି କରୋନା ଆକ୍ରାନ୍ତ ଜିଲ୍ଲାରେ ସାମିଲ ହେଲା ମାଲକାନଗିରି। ପ୍ରଥମ କରି ଏହି ଜିଲ୍ଲାରେ ୨ ଜଣ ରୋଗୀ ଚିହ୍ନଟ ହେବା ସହ ରାଜ୍ୟର ୨୪ ଜିଲ୍ଲାକୁ ବ୍ୟାପିଲାଣି ମହାମାରୀ କରୋନା। ଚିହ୍ନଟ ୭୪ ମଧ୍ୟରେ ସବୁଠାରୁ ଅଧିକ ରୋଗୀ ଅଛନ୍ତି ପଶ୍ଚିମ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ। ଗୋଟିଏ ଦିନରେ ୨୮ ରୋଗୀ ଚିହ୍ନଟ ହେବା ପରେ ଜଗତସିଂହପୁର ଓ ସୁନ୍ଦରଗଡ଼କୁ ପଛରେ ପକାଇ ଟପ୍ ତାଲିକାର ୯ ନମ୍ବରରେ ରହିଛି। ସେହିପରି ପୁରୀର ୧୧, କଟକ ୯, ଖୋର୍ଦ୍ଧା ୭, ଗଞ୍ଜାମ ୬, ଯାଜପୁର ୬, କେନ୍ଦ୍ରାପଡା ୨, ମାଲକାନଗିରି ୨, ଢେଙ୍କାନାଳ ୧ ଓ କନ୍ଧମାଳରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ୭୪ ଜଣଙ୍କ ମଧ୍ୟରୁ ୭୨ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ କରୋନା ପୁଣି ଜଣଙ୍କ ମୁଣ୍ଡ ନେଇଛି। ଉଚ୍ଚ ରକ୍ତଚାପ ଯୋଗୁ ଖୋର୍ଦ୍ଧାର ଜଣେ ୭୦ ବର୍ଷୀୟ ବୃଦ୍ଧକୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଟେଷ୍ଟ ପରେ ତାଙ୍କର କରୋନା ପଜିଟିଭ ବାହାରିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।


ଏପଟେ ପଶ୍ଚିମରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗୋଟିଏ ଦିନରେ ବୌଦ୍ଧରେ ୨୮ ରୋଗୀ ଚିହ୍ନଟ ପରେ ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୭୫ ଛୁଇଁଛି। ଏବେ ବୌଦ୍ଧରେ ୩୩ ସକ୍ରିୟ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ୬, ସମ୍ବଲପୁର ୩, ଦେବଗଡ ୨, ଝାରସୁଗୁଡ଼ା ୨ ଓ କଳାହାଣ୍ଡି ଜିଲ୍ଲାରେ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ଚିହ୍ନଟ ହୋଇଥିବା ମୋଟ ୭୫ ଜଣ ମଧ୍ୟରୁ ୨୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୫୫ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।