ପୁଣି ଆସୁଛି ଶ୍ରମିକ ଟ୍ରେନ୍: ବଲାଙ୍ଗିର ରେଳ ଷ୍ଟେସନ ସଲଂଗ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି କଲା ପ୍ରଶାସନ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା। ଗତ ତିନି ଦିନ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ବଲାଙ୍ଗିର ଜିଲ୍ଲାକୁ ଫେରିଛନ୍ତି। କେବଳ ବଲାଙ୍ଗିର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକ ଏହି ରେଳ ଷ୍ଟେସନରୁ ଓହ୍ଲାଇ ନିଜ ନିଜ ଅଞ୍ଚଳକୁ ଯାଇ ସଂଗରୋଧରେ ଅଛନ୍ତ୍ତି। ଏ କ୍ରମରେ ବୁଧବାର ପୁଣି ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗିର ଆସିବ। ମହାରାଷ୍ଟ୍ରରୁ ବାହାରିଥିବା ପ୍ରଥମ ଟ୍ରେନ୍ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ସକାଳ ୯ ଟା ୫ ମିନିଟରେ ବଲାଙ୍ଗିର ରେଳ ଷ୍ଟେସନ ରେ ପହଞ୍ଚିବ। ସେହିପରି ତେଲେଙ୍ଗାନାରୁ ବାହାରିଥିବା ଦ୍ବିତୀୟ ଟ୍ରେନ୍ ଅପରାହ୍ନ ୩ ଟା ୩୦ ମିନିଟରେ ଷ୍ଟେସନରେ ପହଞ୍ଚିବ।

ତେବେ ଗୋଟିଏ ଦିନରେ ପୁଣି ଦୁଇ ଦୁଇଟା ଟ୍ରେନ୍ ବଲାଙ୍ଗିରକୁ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ଲାଟଫର୍ମ ୧ ରେ ସମସ୍ତ ଶ୍ରମିକ ଓହ୍ଲାଇବାକୁ ଥିବାରୁ ଷ୍ଟେସନ ସଲଙ୍ଗ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ବୁଧବାର ସକାଳ ୭ଟାରୁ ରାତି ୧୦ ଟା ଯାଏ ଏହି କର୍ଫ୍ୟୁ ଜାରି ରହିବ ବୋଲି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର।

ଏପଟେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରବାସୀ ଶ୍ରମିକ ବଲାଙ୍ଗିର ରେଳ ଷ୍ଟେସନରେ ଓହ୍ଲାଉଥିବାରୁ ଏହାକୁ ବିରୋଧ କରିଛି ନଗର କଂଗ୍ରେସ। କାରଣ ଏହି ଷ୍ଟେସନରୁ ସମସ୍ତେ ନିଜ ନିଜ ଅଞ୍ଚଳକୁ ଯାଉଥିବାରୁ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ଏହାକୁ ବିରୋଧ କରି ଜିଲ୍ଲା ପ୍ରଶାସନକୁ ଏକ ଦାବି ପତ୍ର ପ୍ରଦାନ କରିଛି ନଗର କଂଗ୍ରେସ।