ଭୁବନେଶ୍ୱରର ଜଣାଶୁଣା ଲେଖକ ଉମାକାନ୍ତ ରାଉତଙ୍କ ଚଚ୍ଚିତ ଗଳ୍ପ ଆବିଷ୍କାର, ପଢ଼ନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ । ମୋର ବିଶ୍ୱାସ, ସୃଷ୍ଟିର ବିଚିତ୍ରତମ ଜନ୍ତୁଟିକୁ ଦେଖିବାକୁ ତୁମେ କେବେ ମନା କରିବ ନାହିଁ । ବିବେକ ସହ ଘନିଷ୍ଠତା ହୋଇନଥିଲେ ମୋ’ର ବି କ’ଣ ସେତକ ସୌଭାଗ୍ୟ ଆସିଥାନ୍ତା କି?
ତୁମେ କେବେ କୌଣସି ଚିଡ଼ିଆଖାନାକୁ ଯାଇଛ? ଯାଇଥାଅ କି ନ ଯାଇଥାଅ; ମୋ’ କଥା ମାନି ଗୋଟେ ସ୍ୱତନ୍ତ୍ର ଧରଣର ଚିଡ଼ିଆଖାନା, ତା’ ନାଆଁଟା ହେଲା ‘ବିଚିତ୍ର ଜନ୍ତୁଶାଳା’, ସେଠିକି ଅନ୍ତତଃ ଥରୁଟିଏ ମୁହଁ ମାରି ଆସ ତ!
ସହର ତଳି ଅଂଚଳର ଏକ ତାରବାଡ ଼ଘେରା ଇଲାକା । ସୁନ୍ଦର ଓ ସୁସଜ୍ଜିତ ପ୍ରବେଶ ଦ୍ୱାରର ଫାଟକ । ମୋ ସହ ଥାଏ ବନ୍ଧୁ ବିବେକ… ବିବେକ ସାମନ୍ତରାୟ । ହାତ ଧରାଧରି ହୋଇ ଚିନାବାଦାମ ପାଟିରେ ପକଉ ପକଉ ଆମେ ଦୁହେଁ ପ୍ରବେଶ କଲୁ ଚିଡ଼ିଆଖାନା ଭିତରକୁ । ବେଶ ସୁନ୍ଦର ଘାସର ଗାଲିଚା । ଠାଏ ଠାଏ ଶୋଭା ପାଉଥାଏ ଯୂଇ, ଜାଇ, ହେନା ଓ ଡାଲିଆର ସୁସଜ୍ଜିତ କୁଣ୍ଡ । ଅନେକ ଦର୍ଶକ ଏପାଖ ସେପାଖ ବୁଲି ଦେଖୁଥାନ୍ତି । ବେଶ୍ ମଜା ଲାଗୁଥାଏ ଆମକୁ ।
କିଛି ସମୟ ଏପଟ ସେପଟ ବୁଲିଲା ପରେ ଆମ ଗାଇଡ୍ ଜଣକ ଆମକୁ ନେଇଗଲା ଗୋଟିଏ ତାରଜାଲି ଦିଆ ବିରାଟ ଘର ଆଡ଼କୁ ।
‘ସାର, ୟାଡ଼େ ଦେଖନ୍ତୁ?
ଚାହିଁଲାରୁ ତାରଜାଲି ଫାଙ୍କରୁ ଆମଆଡ଼କୁ ଲମ୍ବିଆସିଥିଲା ଦୁଇଟି ଲୋମଶ ହାତ । ହିନ୍ଦୀରେ ସାଇନବୋର୍ଡ ଝୁଲିଲା- ‘ଜନ୍ତୁ ନଂ ୧- ବିଚିତ୍ର ମାଙ୍କଡ଼’ । ଗାଇଡ଼ ଜଣକ ସେହି ମାଙ୍କଡ଼ମାନଙ୍କର ଇତିହାସ ଓ ବିଚିତ୍ରତା ବିଷୟରେ ଗୋଟେ ନନ୍‌ଷ୍ଟପ୍ ବିବରଣୀ ଗାଇଗଲା ସଂଗେ ସଂଗେ । ଖୁବ୍ ଆମୋଦିତ ହେଲୁ ଆମେ ଦୁଇ ବନ୍ଧୁ ।
ତା’ ପରେ ପରେ ଆମେ ଦେଖିଲୁ ବିଭିନ୍ନ ପ୍ରକାର ପକ୍ଷୀ, କୁମ୍ଭୀର ଓ ସରୀସୃପ । କେଉଁଠି ତାରଜାଲି, କେଉଁଠି ପାଣି ତ ଆଉ କେଉଁଠି ସୁଗଭୀର ଖାଲ ଭିତରେ ଜନ୍ତୁମାନଙ୍କୁ ଆବଦ୍ଧ କରି ରଖାଯାଇଥାଏ । ପ୍ରତ୍ୟେକଙ୍କଠାରେ ଗୋଟିଏ ଗୋଟିଏ ସୁନ୍ଦର ଫାଇବର୍ ପ୍ଲେଟ୍‌ରେ ଜୀବଜନ୍ତୁମାନଙ୍କର ଆଚରଣ, ଇତିହାସ, ଚଳଣି । ସେମାନଙ୍କଠାରୁ ନିରାପଦ ଦୂରତାରେ ରହିବାର ସାବଧାନତା ଆଦି ସଂପର୍କରେ ସଂକ୍ଷେପରେ ଲେଖାଯାଇଥାଏ ।
ଏତିକିବେଳେ ଗାଇଡ୍ ଆମକୁ ଅନ୍ୟ ଗୋଟେ ଏରିଆକୁ ନେଇଗଲା । ଗୋଟେ ଶଙ୍କ ତାରଘେରା ଆଡ଼କୁ ଇସାରା କରି କହିଲା, “ସାର, ଏଇଟା ‘ମାଲୟେସିଆନ ଅଜଗର’, ଭେରି ଡେଞ୍ଜର୍ସ ସାର, ଭେରି ଭେରି ଡେଞ୍ଜର୍ସ । ସିଏ ଏକା ନିଃଶ୍ୱାସରେ ଶିକାରକୁ ଟାଣି ନେଇପାରେ । ତା’ ବିରାଟ ପାଟିକୁ ଆପଣ ଲକ୍ଷ୍ୟ କରନ୍ତୁ, ସାର ।’ ଉଲ୍ଲାସମିଶା ଭୟରେ ମୋତେ ଜାବୁଡ଼ି ଧରି ପକାଇଲା ବିବେକ ।
ଡାହାଣପଟେ ଥିବା ତାର ଜାଲି ଭିତରୁ ଗର୍ଜନ ଶୁଣି ଚାହିଁ ଦେଲାରୁ ବାଘ ବାଘୁଣୀ । ସେଇଟା ବୋଧହୁଏ ଖାଦ୍ୟ ପରସା ଯିବାର ସମୟ । କୁଦି କୁଦି ଭୟଙ୍କର ଗର୍ଜନ କରୁଥିଲେ ସେମାନେ । ଫଳକଟିଏ ଝୁଲୁଥିଲା- ଜନ୍ତୁ ନଂ.୨୧, ରୟାଲ ବେଙ୍ଗଲ ଟାଇଗର ।’ ତାହାର ବିପରୀତ ପଟେ ଲାଞ୍ଜକୁ ତଳେ ପିଟି ପିଟି ତାଳ ଦେଉଥିଲା ଗୁଜୁରାଟରୁ ଅଣାଯାଇଥିବା ସିଂହ ଓ ସିଂହୀ । ଗାଇଡ଼ ଜଣକ ବଖାଣି ଚାଲିଥାଏ ତା’ର ଭୟାବହତା ଓ ବିଚିତ୍ରତା । ଶୁଣୁ ଶୁଣୁ ମୁଁ ଚିହିଁକି ଉଠିଲି । ତାରଜାଲି ଫାଡ଼ି ମାଡ଼ି ଆସିବେକି ଆଉ?
ତା’ପରେ ଭାଲୁ, ଗୟଳ, ଚମରୀଗାଈ, ଗଣ୍ଡା, ବଣମଣିଷ ଆଦି ଜନ୍ତୁମାନଙ୍କୁ ଦେଖିସାରି ଆମେ ପହଞ୍ଚିଲୁ ଚିଡ଼ିଆଖାନାର ଶେଷ ପ୍ରାନ୍ତରେ ଥିବା ଏକ ମଖମଲି ଏକ ପ୍ରକାର ସୁନେଲି ମେଟାଲରେ ତିଆରି ଏକ ସୁନ୍ଦର ବେଷ୍ଟନ ପାଖରେ । ଗାଇଡ୍ ସୂଚନା ଦେଲା-“ସାର, ଏଇଟା ହିଁ ଚିଡ଼ିଆଖାନାର ଶେଷ ଦର୍ଶନୀୟ ଜାଗା । ଏଠାରେ ଆମର କିଛି ଆବଶ୍ୟକତା ନାହିଁ । ୟା ଭିତରେ ଆପଣ ନିଜେ ସବୁ କିଛି ବୁଝି ପାରିବେ ସାର୍ ।”
ଆମେ ଦେଖିଲୁ ଭିତରୁକୁ ଯିବା ପାଇଁ ସୁନ୍ଦର ପ୍ରବେଶ ପଥଟିଏ । ପାଖରେ ଏକ ଆକର୍ଷଣ ଫଳକ । ସେଥିରେ ଇଂରାଜୀ ଓ ହିନ୍ଦୀରେ ଲେଖା ଯାଇଛି ସୂଚନା । ସେହି ସୂଚନାକୁ ପଢ଼ିବାକୁ ପରାମର୍ଶ ଦେଇ ଗାଇଡ ଜଣକ ହାତ ହଲାଇ ଆମଠାରୁ ବିଦାୟ ନେଲା ।
ଆମେ ଦେଖିଲୁ, ପାଖ ଫଳକରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା- ବିଚିତ୍ରତମ ଜନ୍ତୁ ନଂ. ୪୨୦ । ନିଜେ ଦେଖନ୍ତୁ । ଅନୁଭବ କରନ୍ତୁ । ଗାଇଡ଼ମାନଙ୍କୁ ୟା ଭିତରକୁ ପଶିବା ମନା ।’
ସୁତରାଂ, ବିବେକ ଓ ମୁଁ ସୁସଜ୍ଜିତ ଫାଟକ ମଧ୍ୟ ଦେଇ ପ୍ରବେଶ ପଥରେ ସେହି ମଖମଲି ବେଷ୍ଟନୀ ମଧ୍ୟକୁ ପ୍ରବେଶ କଲୁ । ସୁନ୍ଦର ଏସେନସର ବାସ୍ନା ବାଜୁଥାଏ ନାକରେ । ଏପଟ ସେପଟକୁ ଚକିତ ଦୃଷ୍ଟିରେ ବିହଙ୍ଗାବଲୋକନ କରି ଚାଲିଥାଉ ଆମେ ଦୁହେଁ । ମନରେ ଖୁବ୍ ଉଲ୍ଲାସ, କୌତୂହଳ । ‘କେମିତିକା ହୋଇପାରେ ସେହି ବିଚିତ୍ରତମ ଜନ୍ତୁ! ତା’ ନାଆଁ କ’ଣ? କ’ଣ ତା’ର ଇତିହାସ? କ’ଣ ତା’ର ଆଚରଣ?…ଏମିତି କେତେ କେତେ କଥା । ଏଯାଏଁ ଦେଖା ଯାଇନି କାହିଁ… ଆଉ କେତେଦୂରରେ ଅଛି ସେ ବିଚିତ୍ରତମ ଜନ୍ତୁ!’
ଆମେ ଦୁଇ ବନ୍ଧୁ ଚାଲିଥାଉ ଚାତକର ଆଖି ଆଉ ଉତ୍ସୁକର ମନ ନେଇ । ଦେଖିଲୁ, ବେଷ୍ଟନୀର ପ୍ରାୟ ଶେଷଆଡ଼କୁ ନୀଳଜଳ ଭର୍ତ୍ତି ପୋଖରୀଟିଏ । ପାଣି ଭିତରେ କେତେ କେତେ ପ୍ରକାର ନାଲି ନେଳି ଆଲୁଅର ଛଇଛଟା । କେଉଁଠି ମନୋମୁଗ୍ଧକର ବିଚ୍ଛୁରଣ!
ପରେ ପରେ ଆମେ ଆବିଷ୍କାର କଲୁ ଗୋଟିଏ ଅଭିନବ ଡିଜାଇନ୍‌ର ଘର । ନାନା କାରୁକାର୍ଯ୍ୟପୂର୍ଣ୍ଣ । ସେଥିରୁ ମଝିରେ ମଝିରେ ନିର୍ଦ୍ଦିଷ୍ଟ ବ୍ୟବଧାନ ରଖି ଭାସି ଆସୁଥାଏ କାହାର ସ୍ୱର, କେତେବେଳେ ସୁଲଳିତ ତ କେତେବେଳେ କରୁଣ । କେତେବେଳେ ସାଧାରଣ ତ କେତେବେଳେ ପୁଣି ଭୟଙ୍କର! ବଡ଼ ବିଚିତ୍ର…!
ମୋର ସକଳ ଭାବନାରେ ପୂର୍ଣ୍ଣଛେଦ ପକାଇ ବିବେକ ଅତ୍ୟନ୍ତ ଉଦଗ୍ରୀବତାର ସହ କହିଲା, “ବୁଝିଲୁ ଅରୂପ, ଏଇଟା ବିଚିତ୍ରତମ ଜନ୍ତୁଟିର ସ୍ୱର ନିଶ୍ଚୟ! ହେଇ, ହେଇ ଶୁଣ, ପୁଣି ଗୋଟେ ପ୍ରକାରର ଗମ୍ଭୀର ସ୍ୱର ଶୁଣାଗଲାଣି । ଇଏ କି ଜନ୍ତୁରେ ବାବା? ମୁଁ ଆଦୌ ଆକଳନ କରି ପାରୁ ନାହିଁ, କି ପ୍ରକାର ଜନ୍ତୁଟିଏ ହୋଇପାରେ ଇୟେ? କେମିତି ଦେଖିବା ସେ ଜନ୍ତୁଟିକୁ? ଓଃ.. ଏତିିକିବେଳେ ସେ ଗାଇଡ୍‌ଟା ଚାଲିଗଲା କାହିଁକି ଯେ? ଗାଇଡ୍‌କୁ ୟା ଭିତରେ ପଶିବା ମନା । କ’ଣ ମ’ ମନା? କିଏ କଣ ଏଠି ଦେଖୁଛି ନା ଚେକ କରୁଛି? ଆଉ ପାଞ୍ଚ ମିନିଟ୍ ଆମ ସହ ରହିଯାଇଥିଲେ କଣ ପୃଥିବୀଟା ପ୍ରଳୟ ହୋଇ ଯାଇଥାନ୍ତା? ଠକ୍‌..ଠକ୍‌..ସମସ୍ତେ ଗୋଟେ ଗୋଟେ ଚିଟର । ଖାଲି ଗୋଟେ ପଇସା ନବାର ବାହାନା । ହେତ, ବ୍ଲଡ଼ି, ବୋଗସ୍ ଫୁଲ.. ।”
ବିଚିତ୍ରତମ ଜନ୍ତୁଟିଏ ଆବିଷ୍କାର କରିବାର ପ୍ରବଳ ଉତ୍କଣ୍ଠା ଆଉ ବନ୍ଧବାଡ଼ ମାନୁନଥାଏ । ଅନ୍ଧି ସନ୍ଧି ଖୋଜି ବୁଲୁଥାଉ ଆମେ ଦୁଇ ବନ୍ଧୁ କିଛି ଗୋଟେ ସୁରାକ୍ ପାଇବା ପାଇଁ । ହେଲେ, କାହିଁ?
ଦକ୍ଷିଣ କଡ଼ର ଦୀର୍ଘ ଫଳକଟି ସାମନାରେ ଅଟକି ଯାଇଥାଏ ବିବେକ ।
“ଓଃ…ଗଡ଼! ଜନ୍ତୁଟିଏ ଆବିଷ୍କାର କରିବାର ଆବଶ୍ୟକୀୟ ସୂଚନା ଏହି ଫଳକଟିରେ ଅଛି । ଦୌଡ଼ି ଯାଇ ଉତ୍କଣ୍ଠାର ସମସ୍ତ ଦୃଷ୍ଟି ଥାପି ନେଲି ଫଳକଟି ଉପରେ । ପରିଷ୍କାର ଅକ୍ଷରରେ ଲେଖାଥିଲା- “ବିଚିତ୍ରତମ ଜନ୍ତୁଟିକୁ ଚିହ୍ନିବାର ସରଳ ଉପାୟ!”
(କ) ଏହି ବିଚିତ୍ର ଜନ୍ତୁଶାଳାର ପ୍ରତ୍ୟେକ ଜନ୍ତୁମାନଙ୍କର କିଛି ନା କିଛି ବିଶେଷ ବିଚିତ୍ରତା ରହିଛି ନିଶ୍ଚୟ । ହେଲେ ସେସବୁ ବିଚିତ୍ରତାଠାରୁ ଖୁବ୍ ମାତ୍ରାରେ ଅଧିକ । ବିଚିତ୍ରତମ ଜନ୍ତୁଟିଏ ଏଠି ଧରା ହୋଇଛି ଯାହାକି ଏ ତାରଜାଲି ଭିତର ଇଲାକାରେ ରହିଛି । (ଖ) ବିଚିତ୍ରତମ କାରଣ: ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ କି ନୀତିିନିୟମର ବଶବର୍ତ୍ତୀ ନୁହେଁ । ଏହାର ଗତିବିଧି ଓ କାର୍ଯ୍ୟପ୍ରଣାଳୀକୁ ଲିପିବଦ୍ଧ କରାଯାଇ ପାରି ନାହିଁ । କାରଣ, ତାହା ନିର୍ଦ୍ଦିଷ୍ଟ ନୁହେଁ, ସଦା ପରିବର୍ତ୍ତନଶୀଳ । ଏହାର କିଛି ଠିକ୍ ଠିକଣା ନଥାଏ । ପ୍ରକୃତ ରୂପକୁ ଗୋପନ ରଖି ନିଜକୁ ଅନ୍ୟ ରୂପରେ ପ୍ରତିଭାତ କରାଇ ଭୁଲ ବିଶ୍ୱାସ ଜନ୍ମାଇବାରେ ଏ ଜନ୍ତୁଟି ପ୍ରବଳ ଧୁରନ୍ଧର । ଏଣୁ ଏହାକୁ ପରୋକ୍ଷରେ ବହୁରୂପୀ ମଧ୍ୟ କୁହାଯାଇପାରେ । ଏହାର ନିଜର ଚିନ୍ତା, ବୁଦ୍ଧି ଅବା ପାରିବାର ପଣିଆ ଦ୍ୱାରା ଯେକୌଣସି ରୂପ ମଧ୍ୟ ନେବାର ସାମର୍ଥ୍ୟ ରଖେ । (ଗ)ଏହାକୁ କୌଣସି ତାରଜାଲି, ଶକ୍ତିଶାଳୀ ଘେରା, ଇଟାପଥରର କାନ୍ଥ କିମ୍ବା ଅନ୍ୟ କୌଣସି ଶକ୍ତ ପଦାର୍ଥ ଆବଦ୍ଧ କରି ରଖି ପାରେନା । ସେସବୁକୁ ହଟେଇ ଦେଇ ମୁକ୍ତ ହେବାର ବାଟ ୟାକୁ ଜଣା । ତେଣୁ ଏହି ବେଷ୍ଟନୀର ଫାଟକକୁ ସବୁବେଳେ ଖୋଲା ରଖାଯାଇଛି । ସୁତରାଂ ଆପଣ ନିଜେ ନିଜ ସୁରକ୍ଷା ପାଇଁ ଦାୟୀ; କର୍ତ୍ତୃପକ୍ଷଙ୍କର ଏଥିରେ କିଛି ଭୂମିକା ନାହିଁ । ତେଣୁ କ୍ଷତି ପାଇଁ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି ।
ସେତେବେଳକୁ ଦୁନିଆର ଆଉ ସବୁ କିଛି ଭୁଲି ଯାଇଥାଏ ମୁଁ । ଚିନ୍ତା କରିବାକୁ ଲାଗିଲି- “କାହିଁ? ଦେଖିବା ତ ଦୂରର କଥା । ଏମିତି ଜନ୍ତୁ ବିଷୟରେ ପୂର୍ବରୁ କେବେ ଶୁଣି ବି ନାହିଁ! କୌଣସି ବହିରେ ବି ତ ଏମିତି କଥା କେବେ ପଢ଼ି ନାହିଁ ମୁଁ!
“ଇୟେ କେମିିତିକା ଜନ୍ତୁ? କି ଜନ୍ତୁରେ ଇଏ ବାବା??”
ଜନ୍ତୁଟିକୁ ସ୍ୱଚକ୍ଷୁରେ ଭଲକରି ଦେଖିବାର ପ୍ରବଳ ଉତ୍କଣ୍ଠା ଜନ୍ମିଲା । ଶେଷ ସୂଚନାଟିକୁ ଉତ୍କଣ୍ଠାରେ ଚକ୍ଷୁପାତ କଲୁ । ସେଠି ଲେଖା ଥିଲା । (ଘ) ଏହି ଫଳକର ନିମ୍ନରେ ଥିବା ଲାଲ ବଟନ୍‌ଟିକୁ ଦାବି ଦିଅନ୍ତୁ । ସବୁ କିଛି ପରିଷ୍କାର ହୋଇଯିବ ।
ମନରେ ଉଲ୍ଲାସ ମିଶା ଭୟର ସଂଚାର । ଆଖିରେ ଉତ୍କଣ୍ଠାର ଚାହାଣି । ନାଲି ବଟନଟି ଆଡ଼କୁ ପ୍ରସାରିତ ହୋଇଗଲା ହାତ । ଏକ ଅହେତୁକ ତଥା ଅପ୍ରତ୍ୟାଶିତ ଭୟରେ ବିବେକ ମୋତେ ଜାବୁଡ଼ି ଧରି ପକାଇଲା । ପ୍ଲିଜ୍ ତୁ ସେ ନାଲି ବୋତାମରେ ହାତ ଦେଏନା । ଚାଲ୍‌, ଏବେ ଫେରିଯିବା…”
ହେଲେ, ଜନ୍ତୁଟିକୁ ଆବିଷ୍କାର କରିବାର ପ୍ରବଳ ଉତ୍କଣ୍ଠା, ଇତିପୂର୍ବରୁ ମୋ ହାତର ଆଙ୍ଗୁଳିଟିକୁ ନାଲି ବଟନରେ ଦାବି ସାରିଥିଲା ।
…ଆଶ୍ଚର୍ଯ୍ୟ..!!
ଏକ ବିଚିତ୍ର ଧରଣର କରୁଣ ଶବ୍ଦ ସହ ପାଞ୍ଚଫୁଟ ଲମ୍ବ ଓ ଦୁଇ ଫୁଟ ଓସାରର ସେହି ଫଳକଟି ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା । ତାହା ଯେତେ ଯେତେ ଉପରକୁ ଉଠୁଥାଏ ଏକ ଅଜଣା ଭୟଯୁକ୍ତ ଉତ୍କଣ୍ଠା ମୋତେ ସେତେ ସେତେ ଗ୍ରାସ କରୁଥାଏ ।
ଫଳରେ ଠିକ୍ ପଛପଟେ ଥିଲା ଏକ ବିରାଟ ଦର୍ପଣ, ଯେଉଁଥିରେ ମୁଁ କେବଳ ମୋର ପ୍ରତିବିମ୍ବକୁ ଦେଖି ଦେଖି ଚକିତ ହୋଇଥିଲି । ପ୍ରତିବିମ୍ବ ଆଡ଼କୁ ଏକ ରଂଗୀନ ତୀରଚିହ୍ନ ଦ୍ୱାରା ସୂଚିତ କରାଯାଇଥିଲା- “ଜନ୍ତୁ ନଂ ୪୨୦, ବିଚିତ୍ରତମ ଜନ୍ତୁ ।’
ଦର୍ପଣର ସବା ଶେଷ ତଳ ଅଂଶରେ ଲେଖା ଥିଲା- “ମୁଁ ଈଶ୍ୱରଙ୍କ ନାମରେ, ମୋର ଧର୍ମ ନାମରେ ଶପଥ କରି କହୁଛି ଏକଥା ଆଉ କାହାକୁ କହିବି ନାହିଁ ।
ଜିଏ-୫୪୪(ପ୍ରଥମ ମହଲା)
ଶୈଳଶ୍ରୀବିହାର,ଭୁବନେଶ୍ୱର-୨୧
ମୋ: ୯୪୩୭୨୬୭୧୨୫

Leave a Reply