ମନ୍ତ୍ରୀଙ୍କ ବିଚିତ୍ର କାର୍ଯ୍ୟ: ନିଜ ଅଞ୍ଚଳକୁ ଗୁରୁତ୍ବ, ଅନ୍ୟ ଜିଲ୍ଲାକୁ ଅଣଦେଖା!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଓ ଦକ୍ଷତା ଉପରେ ସବାଲ୍। ନିଜ ଅଞ୍ଚଳର ବିକାଶ ପାଇଁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟ ଅଞ୍ଚଳର ବିକାଶ ଦିଗରେ ମୋଟେ ଧ୍ୟାନ ଦେଉ ନାହାନ୍ତି। ମନ୍ତ୍ରୀଙ୍କୁ ଜଣ ପାଇଁ ଗୁରୁ ଦାୟିତ୍ବ ଦେଇଛନ୍ତି ମୁଖିଆ। ସ୍ବାର୍ଥ ସାଧନ ପାଇଁ କେବଳ ନିଜ ଅଞ୍ଚଳର ବିକାଶ ନା ସାଢ଼େ ୪ କୋଟି ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା। ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ବୋଲାଉଥିବା ସୁଶାନ୍ତ ସିଂଙ୍କ କାର୍ଯ୍ୟ ଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ମହାମାରୀ କରୋନା ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଚାଲିଛି। ଏଭଳି ବିପତ୍ତି ସମୟରେ ବି ମନ୍ତ୍ରୀ ବିଜୁ ସେତୁ କାମର ନିରୀକ୍ଷଣ ଚଳାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ଼ ଜିଲ୍ଲାରେ ନିର୍ମାଣାଧୀନ ସେତୁ କାମର ଅଗ୍ରଗତି ସ୍ଥିତିର ନିରୀକ୍ଷଣ କରିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଦୁଇଟି ସେତୁ କାମ ନିରୀକ୍ଷଣ କରି ସାରିଲେଣି ମନ୍ତ୍ରୀ ସୁଶାନ୍ତ ସିଂ। ତେବେ ଉକ୍ତ ଦୁଇଟି ସେତୁ ହେଉଛି ନିଜ ନିର୍ବାଚନ ମଣ୍ଡଳୀର। ହେଲେ ବଲାଙ୍ଗିର ବିଲାଇସର୍ଡା ସୁକତେଲ ନଦୀ ଉପରେ ନିର୍ମାଣାଧୀନ ସେତୁ ଉପରେ କେବେ ମନ୍ତ୍ରୀଙ୍କ ପାଦ ପଡ଼ିବ। ଧାର୍ଯ୍ୟ ସମୟ ଠାରୁ ୬ ମାସ ବିତି ଯାଇଥିଲେ ବି ସେତୁ ନିର୍ମାଣ ଶେଷ ହୋଇନି। ଏବେ ବର୍ଷା ମାସ ଆସି ଯାଇଥିବାରୁ ଆଉ ୪/୫ ମାସ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସମ୍ଭାବନା ନାହିଁ। କିନ୍ତୁ ମନ୍ତ୍ରୀ କେବଳ ନିଜ ଅଞ୍ଚଳର ସେତୁ ନିର୍ମାଣ ଉପରେ ଅଧିକ ଧ୍ୟାନ ଦେଉଥିବା ଜଣା ପଡିଛି।


ମିଳିଥିବା ସୂଚନା ଅନୁସାରେ, ରବିବାର ବରଗଡ ଜିଲ୍ଲା ଭଟଲି ବ୍ଲକ ଗିରସୁଲ ନଦୀରେ ବିଜୁ ସେତୁ ନିର୍ମାଣ କାମ ଶେଷ ହୋଇଛି। ଦେଉଳତୁଣ୍ଡାରୁ ହଳଦୀପାଲି ଚଡେଇଗାଁକୁ ସଂଯୋଗ କରୁଥିବା ରାସ୍ତା ଗିରସୁଲ ନଦୀ ଉପରେ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଏହି ସେତୁ। ଏହାଦ୍ବାରା ୭ଟି ପଂଚାୟତର ୪୦ ଖଣ୍ଡ ଗାଁର ଲୋକେ ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ସୋସାଲ ମିଡିଆରେ ପୋଷ୍ଟ କରିଛନ୍ତି।
ସେହିପରି ଅନ୍ୟ ସେତୁଟି ହେଉଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକର।ବୈଦେଶପାଲି ଗାଁରୁ ସିଧିରାକୁ ସଂଯୋଗ କରୁଥିବା ରାସ୍ତାର ଘେଁସାଲି ନଦୀ ଉପରେ ବ୍ରିଜ ନିର୍ମାଣ ଚାଲିଛି। ସାଢ଼େ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ବ୍ରିଜର ପରିଦର୍ଶନ କରିଛନ୍ତି ସୁଶାନ୍ତ ସିଂ। ଆଜି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରକଳ୍ପ ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ନିରୀକ୍ଷଣ କରିଛନ୍ତି। ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସେ ଅଞ୍ଚଳର ଲୋକେ ଫାଇଦା ପାଇବେ।


ଏପଟେ ବଲାଙ୍ଗିର ଜିଲ୍ଲା ବିଲାଇସର୍ଡା ସୁକତେଲ ନଦୀରେ ନିର୍ମାଣାଧୀନ ବିଜୁ ସେତୁ ଅଧାପନ୍ତରିଆ ହୋଇ ପଡ଼ିଛି। ପୁଲିଆ କାମ ସରିଥିବା ବେଳେ ବ୍ରିଜକୁ ସଂଯୋଗ ରାସ୍ତା ଏଯାଏ ହୋଇ ପାରିନି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଳମ୍ବ ହେଉଛି। କେବଳ ଠିକାଦାର କି ନିର୍ବାହୀ ଯନ୍ତ୍ରୀ ନୁହଁ, ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏପରିକି କିଛି ଦିନ ତଳେ ବଲାଙ୍ଗିର ଗସ୍ତରେ ଆସିଥିଲେ ବି ବିଲାଇସର୍ଡା ବିଜୁ ସେତୁ ପ୍ରକଳ୍ପ ନିରୀକ୍ଷଣ ପାଇଁ ମନ୍ତ୍ରୀଙ୍କୁ ସମୟ ମିଳି ନଥିଲା। ଜିଲ୍ଲା ଠାରୁ ମାତ୍ର ୨୦ କିମି ଦୂରରେ ଥିଲେ ବି ସୁଶାନ୍ତ ସିଂ ସେଠାକୁ ନ ଯାଇ ଫେରି ଯାଇଥିଲେ। ଏଥିରୁ ଜଣା ପଡୁଛି ବିକାଶ ପାଇଁ ମନ୍ତ୍ରୀଙ୍କ ଦରଦ କେତେ?


ଏବେ ଆସିବା ବିଜୁ ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରକୁ।
ଗତ ୨୦୧୭, ଅଗଷ୍ଟ ମାସରୁ ବିଲାଇସର୍ଡା ସୁକତେଲ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ୩୩୬ ମିଟର ଦୈର୍ଘ୍ୟର ସେତୁ ନିର୍ମାଣ ପାଇଁ ଅଟକଳ ପରିମାଣ ରହିଛି ୧୧୯୭.୫୧ ଲକ୍ଷ ଟଙ୍କା। ବିକେଡି ଇନଫ୍ରାଷ୍ଟ୍ରୁକ୍ଚର୍ ପ୍ରା.ଲି ସମ୍ବଲପୁର ଏହି ନିର୍ମାଣ କାର୍ଯ୍ୟ କରୁଛି। ପ୍ରକଳ୍ପ କାର୍ଯ୍ୟ ନିର୍ମାଣର ଧାର୍ଯ୍ୟ ତାରିଖ ୨୭ ଡିସେମ୍ବର ୨୦୧୯ ରହିଛି। ତେବେ ଧାର୍ଯ୍ୟ ତାରିଖରେ ୬ ମାସ ପରେ ବି ସେତୁ ନିର୍ମାଣ ସଂପୂର୍ଣ୍ଣ ହୋଇ ପାରିନି। ଏହି ପ୍ରକଳ୍ପ ନିର୍ମାଣ ଶେଷ ହେଲେ ରାଣୀସର୍ଡା, ବିଲାଇସର୍ଡା, କୁମୁଣ୍ଡେ ସହ ଅଗଲାପାଲି, ଭାଲିଆମୁଣ୍ଡା, ରାକ୍ସିମୁଣ୍ଡା, ପିପିର୍ଡା, କଶ୍ରୁପାଲି, ବନ୍ଦନାକଟା, ଲୁକାପଡ଼ା, କୁଲଥିପାଲି ସହ ଆହୁରି ଅନେକ ଗାଁର ହଜାର ହଜାର ଲୋକ ଉପକୃତ ହେବେ। ହେଲେ ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ଓ ସୋନପୁର ଜିଲ୍ଲା ତରଭା ଅଧୀନରେ ଆସୁଥିବା ଏହି ବ୍ରିଜ ପ୍ରତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟ ଦୃଷ୍ଟି ପଡୁନି। ଏ ଅଞ୍ଚଳର ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ଵେ କାର୍ଯ୍ୟ ଶେଷ ହୋଇ ପାରୁନି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ରାଜ୍ୟର ଅନ୍ୟ ଜିଲ୍ଲାରେ ବିଜୁ ସେତୁ ଯୋଜନା କେମିତି ଚାଲିଛି।
ଏନେଇ ଠିକାଦାର ପବନ କୁମାର୍ ଅଗ୍ରୱାଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା। ସେତୁ ନିର୍ମାଣ ବିଳମ୍ବ ଅଭିଯୋଗକୁ ସ୍ବୀକାର କରିବା ସହ ବର୍ଷା ଓ କରୋନାର ବାହାନା ନେଇ ଖାମଖିଆଲି ଭାବେ ପ୍ରତିକ୍ରିୟା ରଖିଥିଲେ। ପ୍ରଶ୍ନ ଉଠୁଛି ଯେ, ବ୍ରିଜ ନିର୍ମାଣ ଦାୟିତ୍ଵ କାହାର, ମନ୍ତ୍ରୀ, ଯନ୍ତ୍ରୀ ନା ଠିକାଦାର। ତେବେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏକ ଜରୁରୀ ବୈଠକରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ ରିସିଭ୍ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରତିକ୍ରିୟା ଆସିଲେ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ। ତେବେ ଦେଖାଯାଉ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ କେବଳ ନିଜ ଅଞ୍ଚଳର ବ୍ରିଜ କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି ନା ଅନ୍ୟ ଅଞ୍ଚଳର ବିଜୁ ସେତୁ ଯୋଜନା ଉପରେ ମଧ୍ୟ ଦୃଷ୍ଟି ଦେଉଛନ୍ତି।

Leave a Reply