ନୂଆ ପିଢ଼ିର ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ମନଛୁଆଁ ଗପ ମୋ ପାପା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ପାପା ବା ବାପା ଶବ୍ଦଟି ଅତି ଛୋଟ ଦୁଇ ଅକ୍ଷର ବିଶିଷ୍ଟ କିନ୍ତୁ ତା ମହତ୍ୱ ବହୁତ ବଡ। ସନ୍ଦୀପ ପିଲାଟି ଦିନରୁ ଦେଖୁଚି ତା ବାପାଙ୍କୁ ସବୁବେଳେ କର୍ମ ତତ୍ପର,ଚଳଚଞ୍ଚଳ ଥାଇ ମଧ୍ୟ ସିଏ ତା ପାଇଁ ସମୟ ବାହାର କରି ପାରୁଥିଲେ, ଆଉ ସିଏ ତା ପୁଅ ମାନଙ୍କ ପାଇଁ ପାଞ୍ଚ ମିନିଟ୍ ବି ବାହାର କରି ପାରୁନି।
ପୁଅ ମାନଙ୍କ ସହ ତାର ଦେଖା ହୁଏ ସକାଳୁ ସେମାନେ ସ୍କୁଲ ଯିବା ସମୟରେ ଆଉ ରାତିରେ। ଶକ୍ତି ଫେରିବା ବେଳକୁ ସେମାନେ ଶୋଇ ପଡିଥାନ୍ତି। ଭାରି ଖରାପ୍ ଲାଗେ ତାକୁ ସେ ନିଜ ପୁଅଙ୍କୁ ସମୟ ଦେଇ ପାରୁ ନାହିଁ। ହେଲେ ତା ମନ କଥାକୁ କିଏ ବୁଝିବ, ତାର କଣ ମନ ହେଉନି ଅନ୍ୟ ମାନଙ୍କ ଭଳି ପୁଅ ମାନଙ୍କ ସହ ଖେଳିବା ପାଇଁ, ତାଙ୍କୁ ବୁଲେଇ ନେବାକୁ, ହେଲେ ଏଇ ଯଞ୍ଜାଳ ଭିତରୁ ମୁକ୍ତି ମିଳିଲେ ତ।
ଆଜି ଅଫିସରୁ ଶୀଘ୍ର ଫେରିଛି ସନ୍ଦୀପ କେବଳ ନିଜ ପୁଅଙ୍କ ସହ କିଛି ସମୟ କଟେଇବା ପାଇଁ, ଆସିଲା ବେଳକୁ ଶୋଇ ନ ଥାନ୍ତି, ଖାଇବା ପାଇଁ ବସି ଥାନ୍ତି ଅପେକ୍ଷା କରି, ଘରେ ପଶି ଗଲା ବେଳକୁ ଦୌଡ଼ି ଆସି ମୋ ଗୋଡ଼ ଦୁଇଟିକୁ ଧରି ଟିକେ ଗେଲ ହେଇ ଗଲେ, ମୁଁ ଜାଣି ଗଲି କିଛି ଗୋଟେ ମାଗିବେ ବୋଲି, ତାଙ୍କୁ ଟିକେ ଗେଲ କରି ମୁଁ ଫ୍ରେସ୍ ହବାକୁ ଚାଲି ଗଲି ଭିତରକୁ। ଆସିଲା ବେଳକୁ ସେମାନେ ସେମିତି ବସି ଥାଆନ୍ତି ମତେ ଜଗିକି, ଧାଇଁ ଆସି ମୋ ପାଖକୁ ହାତ ଧରି କହିଲେ ପାପା ଆମକୁ ୧୦୦ ଟଙ୍କା ଦିଅ।
ମୁଁ ପଚାରିଲି ତମେ ଏ ପଇସା ନେଇ କଣ କରିବ, ସାନ ପୁଅ କିଛି କହିବା ଆଗରୁ ବଡ ତାକୁ ଠାରି ଦେଇ ଚୁପ୍ ରହିବା ପାଇଁ କହିଲା। ସନ୍ଦୀପ ପଚାରିବାରୁ କହିଲା ମୁଁ ଏଇ ପଇସା ନେଇ କଣ କରିବି ତୁମକୁ କହିବି ନାହିଁ। ତାର ଏହି ବ୍ୟବହାର ଦେଖି ମତେ ଟିକେ ବିରକ୍ତ ଲାଗିଲା ଓ ମୁଁ ତାକୁ ରାଗିକି କହିଲି ଯା ଟଙ୍କା ମିଳିବ ନାହିଁ, ଖାଇକି ଶୋଇବୁ ଯା।
ବଡ଼ ପୁଅକୁ ଏପରିି କହି ସନ୍ଦୀପ ସାନ ପୁଅ ସହ ଆସି ବସିଲା, ଖାଇବା ସମୟ ହେବାରୁ ସନ୍ଦୀପ ସ୍ତ୍ରୀ ଅନୁକୁ ଡାକି ପଚାରିଲା ବଡ଼ ପୁଅ ଖାଇଛି ନା ନାହିଁ। କଥା ଶୁଣି ଅନୁ କହିଲା କି ତନ୍ମୟ(ବଡ଼ ପୁଅ) ଯେ ନ ଖାଇ ମୁଁହ ଶୁଖେଇ ଯାଇ ଶୋଇଚି, ଯେତେ ଡାକିଲେ ବି ଶୁଣୁ ନାହିଁ, ଏବେ ତମେ ଯାଇ ତାକୁ ବୁଝ।
ପୁଅ ସାଙ୍ଗରେ ଏପରିି ବ୍ୟବହାର କରିଥିବାରୁ ସନ୍ଦୀପକୁ ବହୁତ ଖରାପ ଲାଗୁ ଥାଏ, ତାର ମନେ ପଡେ ପିଲା ବେଳେ ତା ବାପା ତାର ପ୍ରତ୍ୟେକଟି ଅଳି କିପରି ପୂରଣ କରୁଥିଲେ, ତା ମନ ଜାଣି ସବୁ ଇଚ୍ଛା ପୂରଣ କରନ୍ତି ଅଥଚ ସେ ତା ପୁଅର ଏଇ ଛୋଟ କଥା ବି ରଖି ପାରିଲା ନାହିଁ।
ଚୌକିରୁ ସନ୍ଦୀପ ଉଠି ପଡ଼ି ପୁଅ ରୁମକୁ ଚାଲିଲା,ସାଙ୍ଗରେ ସାନ ପୁଅ ତରୁଣ ମଧ୍ୟ ଥାଏ। ତନ୍ମୟ ରୁମକୁ ଗଲା ବେଳକୁ ସେ ଶୋଇ ନଥାଏ, ସନ୍ଦୀପକୁ ଦେଖି ଅଭିମାନରେ ଶୋଇବାର ଛଳନା କରେ, ସନ୍ଦୀପ ପୁଅ ପାଖରେ ଯାଇ ବସିଲା ତା ମୁଣ୍ଡକୁ ଆଉଁସି ସନ୍ଦୀପ କହିଲା ତନ୍ମୟ ମୋ ସୁନା ପୁଅଟି ପରା ତତେ କେତେ ଟଙ୍କା ଦରକାର ଥିଲା, ନେ ଏଇ ୨୦୦ ଟଙ୍କା ନେ ମୋ ସୁନା ପୁଅଟି ଏବେ ତ ମତେ କହି ଦେ କି ତୁ ଏଇ ପଇସା ନେଇ କଣ କରିବୁ, ସନ୍ଦୀପ ଠୁ ଏତିକି ଶୁଣି ତନ୍ମୟ ତାକୁ ଜାବୁଡ଼ି ଧରି ଜୋରରେ କାନ୍ଦିବାକୁ ଲାଗିଲା ଓ କାନ୍ଦି କାନ୍ଦି କହିଲା ପାପା ମୋତେ ତମେ ଯୋଉ ଟଙ୍କା ପକେଟ୍ ମନି ପାଇଁ ଦିଅ ମୁଁ ତାକୁ ସବୁ ଖର୍ଚ ନ କରି ରଖି ଥାଏ,ତମେ ଆମ ସବୁ ଇଚ୍ଛା ଓ ଆବଶ୍ୟକତା ପୂରଣ କରିବାରେ ନିଜକୁ ଭୁଲି ଯାଇଛି। ସେଥିପାଇଁ ତ ସେଇ ଛିଣ୍ଡା ଜୋତାରେ ଅଫିସ୍ ଯାଉଛ, ମୁଁ ତମ ପାଇଁ ଜୋତା ଆଣିବା ପାଇଁ ଟଙ୍କା ରଖିଛି ହେଲେ ସେଥିରେ ୧୦୦ ଟଙ୍କା କମ୍ ପଡୁ ଥିଲା, ସେଥିପାଇଁ ମୁଁ ତୁମକୁ ମୋ ଏଇ ମାସର ପକେଟ୍ ମନି ମାଗୁଥିଲି
ତନ୍ମୟ କଥା ଶୁଣି ପାଖରେ ବସି ଥିବା ତରୁଣ କହିଲା ହଁ ପାପା ଭାଇ ଓ ମୁଁ ତମ ପାଇଁ ଜୋତା ଦେଖି କି ଆସିଛୁ,୧୦୦ ଟଙ୍କା କମ୍ ଥିବାରୁ ଭାଇ ଦୋକାନୀକୁ କହି ଆସିଛି କି ସେ କାଲି ସବୁ ପଇସା ଦେଇ ଜୋତା ନେଇ ଆସିବ,ପୁଅ ମୁଁହରୁ ଏତିକି ଶୁଣି ସନ୍ଦୀପ ନିଜ କୋହକୁ ଆଉ ସମ୍ଭାଳି ପାରିଲା ନାହିଁ ଓ ତା ଅଜାଣତରେ ତା ଆଖିରୁ ଅଶ୍ରୁ ଧାର ବହି ଯାଏ।
ମନେ ପଡେ ପିଲା ଦିନ କଥା, ତା ବାପା କେମିତି ତା ସବୁ ଇଚ୍ଛା ଓ ଆବଶ୍ୟକତା ପୂରଣ କରିବାକୁ ଯାଇ ସେଇ ହଳେ ଛିଣ୍ଡା ଚପଲରେ ନିଜ ଜୀବନ କାଟି ଦେଲେ,ଆଜି ସେ ଯେବେ ନିଜେ ବାପା ହେଇଛି ତ ସେ ନିଜ ବାପାଙ୍କ ତ୍ୟାଗକୁ ବୁଝି ପାରିଛି।
ଜାମସେଦପୁର, ଝାଡ଼ଖଣ୍ଡ

Leave a Reply