ନାଟ୍ୟକାର, ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସାହୁଙ୍କ ଲଘୁ ଉପନ୍ୟାସ ତାଲାବନ୍ଦର ଦେବକୀ (୨), ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସାମାଜିକ ଜୀବନରେ ଚିତ୍ରକୁ ଅନେକ ସମୟରେ ଇତିହାସ ବଦଳେଇ ଦେଇଛି। ପ୍ରାକୃତିକ ବିପର୍ଯୟ ବଦଳାଇ ଦେଇଛି କିନ୍ତୁ ଏବେ ସାରା ପୃଥିବୀର ଜନ ଜୀବନକୁ ଏକ ମାନବକୃତ ମହା ବିପର୍ଯ୍ୟୟ ବଦଳାଇ ଦେଇଛି। ଯଦି ପୃଥିବୀ ପରି ଗୋଟିଏ ଗ୍ରହରୁ ଅନନ୍ତ ମହାକାଶରୁ କୋଟି କୋଟି ମହାକାଶୀୟ ପିଣ୍ଡରୁ ଜୀବନସତ୍ତା ଥିଲା ପରି ଗ୍ରହ ଥାନ୍ତା, ବିଜ୍ଞାନ ସେହି ଚରମ ସୀମାରେ ପହଂଚି ପାରିଥାନ୍ତା ଯେଉଁଠି ମାତ୍ର କେତେ ଘଣ୍ଟାରେ ମଣିଷ ସେହି ଗ୍ରହକୁ ଯାଇପରୁଥାନ୍ତା। ତାହାଲେ ହୁଏତ ଆଜିର ଏ ପରିସ୍ଥିତିରେ ପୃଥିବୀକୁ ଅନେକ ମଣିଷ ଅନ୍ୟ ଗ୍ରହକୁ ପଳାୟନ କରି ସାରିଲେଣି।
ବଞ୍ଚି ରହିବାର ମୋହ, ଘର ପରିବାରର ମାୟା ସମ୍ପର୍କ ମଣିଷକୁ ଅନେକ ସମୟରେ ଭୟର ଶିକାର କରାଏ। ସେ ଭାବେ ମରିଯିବା ପୂର୍ବରୁ ନିଜ ପରିବାରର ବାପା, ମା, ଭାଇ, ଭଉଣୀ, ପତ୍ନୀ କିମ୍ବା ପତିକୁ ଦେଖିପାରିବ। ବେଳେ ବେଳେ ଏହି ଭୟ ମଣିଷକୁ ଭ୍ରାନ୍ତ ଧାରଣା ନେଇଥାଏ ଯେ ପଳାୟନ ହିଁ ବଂଚିବାର ଏକମାତ୍ର ବାଟ। କିନ୍ତୁ ଅଣ୍ଟିରେ ଆଞ୍ଜୁଳାଏ ନିଆଁ ନେଇ ଘରେ ପଶିଲେ ଯେ ଘର ଜଳିଯିବ ସେ କଥା ସେ ଜାଣିପାରେନା। ମାରାତ୍ମକ କରୋନାର ଶକ୍ତି ଏତେ ବ୍ୟାପକ ଯେ ଯଦି ଜଣକୁ ଏ ବ୍ୟାଧି ନେଇ ଥାଏ ତେବେ ସେ ତାର ପୁରା ପରିବାରକୁ ସଂକ୍ରମିତ କରିନେଇଥାଏ। ସେଥିପାଇଁ ସରାକର ଏ ପଦକ୍ଷେପ ନେଇଛନ୍ତି।
ବିଦେଶରେ କର୍ମରତ ପ୍ରତ୍ୟେକଟି ମଣିଷ ଆଜି ଘରକୁ ଫେରିବାକୁ ବ୍ୟାକୁଳ। ଅଭାବରେ ପଡି ବିଦେଶ ଯାଇଥିବା ଗରୀବ ଶ୍ରମିକଟିଏ ହେଉ ବା ଉଚ୍ଚ ଡିଗ୍ରିଧାରୀ ଶିକ୍ଷିତ ପ୍ରବାସୀ ହେଉ, ଯେଉଁମାନେ ଗାଁର ମାଟି ପାଣି ପବନକୁ ନିଜ ନିଜ କର୍ମ କ୍ଷେତ୍ରରେ ପରିବେଶ ସହିତ ତୁଳନା କରି ଗାଁକୁ ଲୀନ ମଣୁଥିଲେ ସେମାନେ ସମସ୍ତେ ଆଜି ଗାଁ କୁ ଫେରିବାକୁ ବ୍ୟାକୁଳ । ସେ ଆମେରିକାର IT ଇଞ୍ଜିନିଅର ହଉ କି ମୁମ୍ବାଇର ଜଣେ ନିର୍ମାଣ ଶ୍ରମିକ ହେଉ। ଏଇ ପରିବହନକରି ଚକ୍ରଭ୍ୟୁହରେ ପେଷି ହେଉଥିବା ହଜାର ହଜାର ଅଭିମନ୍ୟୁଙ୍କ ଭିତରୁ କାହ୍ଣୁଆ ଭି ଜଣେ। ଗାଁର ମମତା ନୁହେଁ ମା’ର ମମତା ତାକୁ ବ୍ୟାକୁଳ କରିଥିଲା। ସାଙ୍ଗମାନଙ୍କ ଠାରୁ ଫୋନ ପାଇଥିଲା ବୋଉ ବାଧିକି ପଡ଼ିଚି। କୋଉ ମୁହୂର୍ତରେ ଆଖି ବୁଜିନେବ କିଛି କହିହେଉ ନାହିଁ। ସବୁବେଳେ ସେ କୁଆଡେ ତାକୁ ଖୋଜୁଛି। ମା ଏମିତି ପରିସ୍ଥିତିରେ ସେ ବା କେମିତି ଏତେ ଦୂରରେ ରହିପାରିବ? ସେ ଦୃଢ ନିଷ୍ପତି ନେଇଚି, କୌଣସି ମତେ ଘରକୁ ଆସିବ।
ବିଳାସପୁର ସହର। ସେହି ସହରରେ ଜଣେ ବିଲଡର ପାଖରେ କାମ କରୁଥିଲା କାହ୍ଣୁଆ। ଠିକାଦାର କାମ ବନ୍ଦ ହେଲା କହି ଚାଲିଗଲା। ଦରମା ଦେଲାନି। ଅଧା ତିଆରି ଆପାର୍ଟମେଣ୍ଟ କୋଠାରେ ରହୁଥିବା ଶ୍ରମିକ ମାନେ ଅଂଟା ଭିଡ଼ିଲେ। ଚାଲି ଚାଲି ଗାଁକୁ ପଳେଇବା। କାହ୍ଣୁଆ ବି ସେମାଙ୍କ ସାଙ୍ଗରେ ଆସିଚି। ରେଳ ଲାଇନ କଡେ କଡେ ଗଲେ କିଛି ଅସୁବିଧା ହେବନି। ପୋଲିସ ଅଟକାଇ ପାରିବନି। ମଝିରେ ମଝିରେ କୋଉ ଷ୍ଟେସନ ପ୍ଲାଟଫର୍ମରେ ବିଶ୍ରାମ କରିହେବ। ରେଳ ଲାଇନ ଉପରେ ଆଉ ରେଳଗାଡି ଗଡ଼ୁନି। ମଣିଷମାନଙ୍କର ପାଦ ଯାତ୍ରା ଚାଲିଛି। ଭାରତ ପାକିସ୍ତାନ ବିଭାଜନ ବେଳେ ଲାହୋରରୁ ଅମୃତସର ଆସୁଥିବା ଭୟର୍ତ୍ତ ମଣିଷମାନଙ୍କର ପଟୁଆର ପରି ଏ ପଟୁଆର। କିଏ ବାଟରେ ରହିଯାଉଛି। କିଏ କୋଉ ଆଶ୍ରୟସ୍ଥଳୀ ପଳାଉଛି। କାହ୍ଣୁଆ କିନ୍ତୁ ଚାଲିଛି। ସାଥିରେ ଅଛନ୍ତି ପନ୍ଦର କୋଡିଏ ଜଣ। ସମସ୍ତେ ଓଡିଶାର।
ଆଉ କେତେବାଟ ଓଡିଶା? ଜଣେ କିଏ କହିଲା – ଏଇତ ଛତିଶଗଡର ରାୟଗଡ ଗଲା। ଆଗକୁ ବେଲପାହାଡ। ବାସ! ଆମେ ସବୁ ଓଡିଶାରେ ପହଂଚି ଯିବା। ପଦଯାତ୍ରା ଚାଲିଛି। ଏ ପଦଯାତ୍ରା ମହାତ୍ମା ଗାନ୍ଧୀର ଦାଣ୍ଡି ଯାତ୍ରା ନୁହେଁ। ଏ ପଦଯାତ୍ରା ଶ୍ରୀ ଚୈତ୍ୟନ ମହାପ୍ରଭୁଙ୍କର ମହାମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ଯାତ୍ରା ନୁହେଁ। ଏ ପଦଯାତ୍ରା ଭୟ, ଆଶଙ୍କାର ବଂଚି ରହିବାର ମୋହର। ଏକ ଅଦୃଶ୍ୟ ନରଭକ୍ଷୀ ଦାନଵ କଳରୁ ନିଜକୁ ବଂଚାଇବାର ଯାତ୍ରା। ବାଟରେ ଗୋଟିଏ ଜଙ୍କ୍ସନ ପଡିଲା। ଆଉ କେତେ ଲୋକ ଅନ୍ୟ ଏକ ରେଳ ଲାଇନରେ ଆସି ଏମାନଙ୍କ ସହ ଯୋଗ ଦେଲେ। ସେମାନଙ୍କ ଭିତରୁ ଅଧିକାଂଶ ଥିଲେ ଅନ୍ୟ ଏକ ସମ୍ପ୍ରଦାୟର। କାହିଁକି କେଜାଣି କାହ୍ଣୁଆ ଦଳରେ ଥିବା ଲୋକମାନେ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଲେ। ସେମାନଙ୍କ ଭିତରେ ଥିଲେ ଜଣେ ବୃଦ୍ଧ ମୁସଲିମ। ସାଙ୍ଗରେ ତାଙ୍କର ସୁନ୍ଦରୀ ତରୁଣୀ ଝିଅ। ବୋଧ ହୁଏ ତାଙ୍କର ଝିଅ ହେବ। ସେ ବାପ ଝିଅ ବୋଧେ ଓଡିଶାକୁ ଫେରୁଛନ୍ତି। ଚାଲୁ ଚାଲୁ ବୃଦ୍ଧ ମୁସଲିମ ଜଣକ ତଳେ ପଡିଗଲେ। “ପରୱାଏ ନାହିଁ। ସେ ପଡିଥାଉ . . . ଆଗକୁ ମାଡିଚାଲ!” ସମସ୍ତେ ଆଗେଇ ଗଲେ କାହ୍ଣୁଆ ମନଟା କିନ୍ତୁ ବୁଝିଲାନି ନିଜେ ଧାଇଁଯାଇ ସେ ବୃଦ୍ଧ ଜଣକୁ ଉଠେଇଲା। ପାଖରେ ଥିବା ପାଣି ବୋତଲରୁ ତାଙ୍କୁ ପାଣି ପିଇବାକୁ ଦେଲା। ବୃଦ୍ଧ ଟିକେ ସୁସ୍ଥ ହେଲେ।
କାହ୍ଣୁଆ ପଚାରିଲା – “ଚାଚା, କୋଉଯାଏଁ ଯିବ?” ଝିଅଟି କହିଲା – “ଯାଜପୁରରୋଡ ପର୍ଯ୍ୟନ୍ତ। ଆମ ଘର ସେଇଠୁ ପଚିଶି/ତିରିଶ କିଲୋମିଟର। ମାଛ ଗାଡ଼ିରେ କି କ୍ଷୀର ଗାଡ଼ିରେ ପଳେଇବୁ ଭାବିଚୁ। ତମେ କେଉଁଠିକୁ ଯିବ?” ଝିଅଟି ଯେମିତି ସେଇ ଗୋଟାଏ ମୁହୂର୍ତ୍ତରେ କାହ୍ଣୁଆର ଅତି ଆପଣାର ହେଇଯାଇଥିଲା। ସେ କହିଲା – “ଭୁବନେଶ୍ୱର। ସେଇଠୁ ବି ମୋତେ କୋଡିଏ ପଚିଶି କିଲୋମିଟର ଯିବାକୁ ହେବ। ମୋ ବୋଉ ଦେହ ଭାରି ଖରାପ। ଗାଁର ଲୋକମାନେ ଫୋନ କରିଥିଲେ ବୋଉର ଶେଷ ସମୟ। ସେ ମୋତେ ଖୋଜୁଚି। ତାରି ପାଇଁ ତ ଆସିଲି।”
ସେମାନଙ୍କ ସାଙ୍ଗରେ ଆସୁଥିବା ଲୋକମାନେ ଆଗକୁ ଚାଲିଗଲେଣି। କଥାବାର୍ତ୍ତାରୁ କାହ୍ଣୁଆ ଜାଣିଲା ଝିଅଟିର ନାଁ ସବନମ। ବାପା ଜବଲପୁରରେ ବିଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଫ୍ୟାକ୍ଟ୍ରି ବନ୍ଦ ହେଇଗଲା। ଦରମା ବନ୍ଦ ହେଇଗଲା। ସବନମ ଆଉ କାହ୍ଣୁଆ ବୃଦ୍ଧ ଜଣକୁ ସାହାରା ଦେଇ ଆଗକୁ ଆଗକୁ ଚାଲିଛନ୍ତି। ଆଗକୁ ଗୋଟିଏ ନଈ ବ୍ରିଜ ଉପରେ ଯିବାକୁ ପଡିବ। ରେଳଗାଡିର ଯା ଆସ ନାହିଁ। କେତେବେଳେ କେମିତି ମାଲଗାଡି ଯା ଆସ କରୁଛି। ବ୍ରିଜ ପୂର୍ବରୁ ଗୋଟେ ଗଛ ମୂଳେ ତିନିଜଣ ଯାକ ବସି ପଡିଲେ। “ୟା ଆଲ୍ଲା !” ବାସ, ଏତିକି କହି ବୃଦ୍ଧ ଜଣକ ଟଳି ପଡିଲେ। ନଈ ବନ୍ଧ ଉପରେ ଆଉ କିଛି ଲୋକ ଆସୁଥିଲେ। “ଆବାଜନ ଆବାଜନ କହି କାନ୍ଦୁଚି ସବନମ।” ଆସୁଥିବା ଲୋକମାନେ ଦୂରରେ ଥାଇ ଏ ସବୁ ଦେଖୁଥିଲେ। ମୁହଁରେ ଗାମୁଛା ଦେଇ କହିଲେ – “ବୋଧ ହୁଏ କରୋନାରେ ମରିଯାଇଛି। ଏ ! ଏ ! କେହି ଛୁଅଁନା ତାକୁ।” ସେମାନେ ଦୁରେଇ ଗଲେ।
ସବନମ ସେମିତି କାନ୍ଦୁଥାଏ। କାହ୍ଣୁଆ କହିଲା – “କାନ୍ଦନି ସବନମ। ଯାହା ତମ ଭାଗ୍ୟରେ ଥିଲା। ତମ ଧର୍ମରେ ପରା ଅନ୍ତିମ ସଂସ୍କାର ବେଳେ ଶବକୁ କବର ଦିଆଯାଏ। ମୁଁ ଏ କାମ କରିବି ।” ସବନମର ମଲା ବାପାକୁ କାନ୍ଧେଇ କାନ୍ଧେଇ କାହ୍ଣୁଆ ନଈକୁ ଗଡ଼ିଲା। ବାଲି ଖୋଳି ତାକୁ କବର ଦେଲା। ସବନମର ହାତ ଧରି କହିଲା – “ବୁଝିଲ ସବନମ! ଏ କରୋନା ରୋଗଟା ମଣିଷକୁ ଯେତିକି ମାରୁନି ତାଠୁ ବେଶୀ ମାରୁଚି ତାର ମଣିଷ ପଣିଆକୁ। ଚାଲ – ମୁଁ ତମକୁ ନେଇ ତମ ଘରେ ପହଞ୍ଚେଇ ଦେବି।” ସବନମ କହିଲା – “ଆମ ଘରେ ଆଉ କେହି ନାହାନ୍ତି। ମୋ ନିକାହ ଠିକ ହେଇଯାଇଥିଲା। ଆବାଜନ ମୋତେ ସେଥିପାଇଁ ଗାଁ କୁ ନେଇ ଆସୁଥିଲେ ।” କାହ୍ଣୁଆ କହିଲା – “ହଉ ତମେ ମୋ ସାଙ୍ଗରେ ଚାଲ ।” କାହ୍ଣୁଆ ଆଉ ସବନମ ଆଗକୁ ଚାଲିଲେ।

ଲକ୍ଷ୍ମୀସାଗର, ଭୁବନେଶ୍ୱର

Leave a Reply