ନବନୀତା ବ୍ୟୁରୋ। ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ତେବେ ଲକ୍ ଡାଉନ୍ ରେ ଟିକେ କୋହଳ କରାଯାଇଥିବାରୁ ବାହାରେ ଫସି ରହିଥିବା ଲୋକେ ଘରକୁ ଫେରୁଛନ୍ତି। ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ହଜାଇ ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରିଛନ୍ତି। ଏମାନଙ୍କ ଘର ବାହୁଡ଼ା ପରେ ପଶ୍ଚିମ ଓଡ଼ିଶାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।

ଆଜି କଳାହାଣ୍ଡି ଜିଲ୍ଲାକୁ ପୁଣି ଫେରିଛି କରୋନା। ଅନେକ ଦିନ ଧରି କରୋନା ମୁକ୍ତ ହୋଇଥିବା କଳାହାଣ୍ଡି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିକି ଗୋଟିଏ ଦିନରେ ୧୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧୧ ଜଣ ରୋଗୀ ସକ୍ରିୟ ରହିଛନ୍ତି। ସେପଟେ ସମ୍ବଲପୁରରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପୁଣି ଜଣେ ରୋଗୀ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବଂ ସମସ୍ତ ସକ୍ରିୟ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଗତକାଲି ବୌଦ୍ଧ ଜିଲ୍ଲାରେ ୨୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଏଥିସହ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡରେ ୨୭, ବଲାଙ୍ଗିର ୬, ଦେବଗଡ ୨, ଝାରସୁଗୁଡାରେ ୨ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ୧୨ ରୋଗୀ ଚିହ୍ନଟ ପରେ ପଶ୍ଚିମ ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୭ କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୬୭ ଜଣ ରୋଗୀ ସକ୍ରିୟ ରହିଛନ୍ତି।
ତେବେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଯୋଗୁଁ ପଶ୍ଚିମ ଓଡ଼ିଶାର ଚିନ୍ତା ବଢୁଛି। ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବାସୀ ଶ୍ରମିକମାନେ ଟ୍ରେନ୍ ଯୋଗେ ଘରକୁ ଫେରୁଛନ୍ତି। ସଂପୃକ୍ତ ଶ୍ରମିକମାନେ ସଂକ୍ରମିତ ରାଜ୍ୟରୁ ନିଜ ଜିଲ୍ଲାକୁ ଫେରୁଥିବାରୁ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କାରଣ ଘର ବାହୁଡ଼ା ଶ୍ରମିକ ମାନେ ଖୁଲମ୍ ଖୁଲା ବାହାରେ ବୁଲୁଥିବା ନଜିର ରହିଛି। ସଙ୍ଗରୋଧ କେନ୍ଦ୍ରକୁ ସିଧା ନଯାଇ ରାସ୍ତା ଘାଟରେ ବୁଲାବୁଲି କରୁଥିବାରୁ ଅଧିକ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ବାହାରୁ ଆସୁଥିବା ଶ୍ରମିକମାନେ ବାହାରେ ବୁଲାବୁଲି ନକରି ସିଧାସଳଖ ସଂଗରୋଧ କେନ୍ଦ୍ରକୁ ଯିବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ। ଫଳରେ ଏହି ମହା ବିପତ୍ତିରୁ ସମସ୍ତେ ରକ୍ଷା ପାଇବା ସହ ସୁରକ୍ଷିତ ରହିବା।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୧୦୩ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
