ନବନୀତା ବ୍ୟୁରୋ। କରୋନା ଲକ୍ ଡାଉନର ଫାଇଦା ଉଠାଉଛନ୍ତି ମଦ ମାଫିଆ। ମହାମାରୀ କରୋନା ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ଶୁନଶାନ୍ ଜଙ୍ଗଲରେ ବେଧଡକ ଚାଲିଛି ବେଆଇନ୍ ମଦ କାରବାର। ଏପରିକି ଅବକାରୀ ବିଭାଗର ନାକ ତଳେ ଏହି ବେଆଇନ୍ କାରବାର ଚାଲିଥିଲେ ବି ସବୁ ଜାଣି ଚୁପ୍ ରହିଛି ବିଭାଗ। ଏଭଳି ସଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଅଞ୍ଚଳରୁ। ଦୀର୍ଘ ଦିନ ଧରି ଜଙ୍ଗଲରେ ବେଆଇନ୍ ମଦ କାରବାର ଚାଲିଥିଲେ ବି ଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ମଦ କାରବାରରେ ଅତିଷ୍ଠ ହୋଇ ଲୋକେ ଶେଷରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ଏହାପରେ ଏସପି ଏମ୍. ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇଥିଲା। ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥିଙ୍କ ତତ୍ତ୍ଵାବଧାନରେ ସଇଁତଲା ଥାନା ଅଧିକାରୀ ବାରିଣୀ ଦାଶ ଏକ ଟିମ ଗଠନ କରିଥିଲେ। ଏବଂ ସଇଁତଳା ଅଂଚଳର ତାଳବାହାଲ ଜଙ୍ଗଲକୁ ଯିବା ପରେ ସେଠାରେ ଖୁଲମଖୁଲା ମଦ କରବାର ଚାଲିଥିବା ଦେଖିବାକୁ ପାଇଥିଲେ। ହେଲେ ପୋଲିସକୁ ଦେଖି ଘଟଣାସ୍ଥଳରୁ କେତେ ଜଣ ମଦ ବେପାରୀ ଫେରାର ମାରିଥିବା ବେଳେ ୩ ଜଣ ଧରାପଡିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବରଗାଁ ଅଂଚଳର ଦୁଇ ଜଣ ଯୁବକ ନିରଞ୍ଜନ ଭୋଇ (୩୨) ଓ ରୂପରାଜ ଯାନୀ (୩୦) ଏବଂ ତଳବାହାଲର ଦୀପକ କୁମ୍ଭାର (୨୨)। ଏଥିସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ୪୫ ଲିଟର ମଦ ଓ ମଦରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ୍। ଏଥିସହ ୨୪ ବସ୍ତା ମହୁଲ ପୋଚକୁ ନଷ୍ଟ କରିଛି ପୋଲିସ।
ଚଡାଉ ସମୟରେ ବଡ଼ମାଳ ଫାଣ୍ଡି ଅଧିକାରୀ ଆଦିତ୍ୟ ସାହୁ, ସଂଗୀତା ବେକ, ଦୃବଦଳ ମେହେର, କମଳା ବିଶ୍ୱାଳ, ମାନଭୟ ନନ୍ଦ, ହିମାଂଶୁ ରଣା, ଶତ୍ରୁଘନ ଭୋଇ, ପ୍ରେମ ନନ୍ଦ ସହ ସଇଁତଳା ଥାନାର ସମସ୍ତେ କର୍ମଚାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସଇଁତଳା ପୋଲିସ ଟିକ୍ରାପଡ଼ା ଓ କାଳୀଖେତ ଅଂଚଳରୁ ମଧ୍ୟ ବହୁ ପରିମାଣର ମଦ ସାମଗ୍ରୀ ନଷ୍ଟ କରିଥିଲେ।
ତେବେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗର ନାକ ତଳେ ଏହି ବେଆଇନ୍ ମଦ କାରବାର ଚାଲିଥିଲେ ମଧ୍ୟ କାହିଁକି ପଦକ୍ଷେପ ଗ୍ରହଣ କରାଯାଇନଥିଲା! ମଦ ମାଫିଆ ଓ ଅବକାରୀ ବିଭାଗର ଭିତିରି ସୁତରା ନେଇ ସନ୍ଦେହ ସୃଷ୍ଟି ହୋଇଛି! ଏନେଇ ଯଦି ଅବକାରୀ ବିଭାଗ ପାଖରେ ସୂଚନା ଥିଲା, ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା କାହିଁକି? ଏଭଳି ଅନେକ ପ୍ରଶ୍ନ ଅବକାରୀ ବିଭାଗ ଉପରକୁ ଅଙ୍ଗୁଳି ଉଠୁଛି। ଦେଖାଯାଉ ଆଗାମୀ ଦିନରେ ମଦ ବେପାରୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ମାଫିଆ ସହ ସଲାସୁତରା କରି ନିଷ୍କ୍ରିୟ ରହୁଛି!
ଜଙ୍ଗଲରେ ବେଧଡକ ଚାଲିଛି ବେଆଇନ୍ ମଦ କାରବାର: ଅବକାରୀ ବିଭାଗ ନିଷ୍କ୍ରିୟ!
