ଲେଖିକା ଅନସୂୟା ପଣ୍ଡାଙ୍କ ମନଛୁଆଁ ଗପ, ସେ ବାରମ୍ବାର ଆସୁଥାଏ, ପଢନ୍ତୁ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ବାହାଘର ପରେ ଅଭୟଙ୍କ ଘରେ ଏଇଟା ତାର ଦ୍ଵିତୀୟ ଦିନ। ଗତକାଲି ରିସେପସନ ଭୋଜିର କୋଳାହଳ ଭାଙ୍ଗିଲା ପରେ ତା ଶାଶୁ କହିଥିଲେ, “ମା ଅନିତା ! କାଲି ଟିକେ ସକାଳୁ ଶୀଘ୍ର ଗାଧୋଇ କି ଆସିବୁ। କୂଳ ଦେବତା ପୂଜା ପରେ, ପ୍ରଥମ ଥର ନିଜ ହାତରେ ରୋଷେଇ କରି ସମସ୍ତଙ୍କୁ ଖୁଆଇବାର ଵିଧି ଆମର ଅଛି। ହଁ ! ଶାଢ଼ୀ ପିନ୍ଧି ଆସିବୁ ! “

ବାହାଘର, ତା ପରଦିନ ରିସେପସନ। ଦିନ ଯାକ ଶାଢ଼ୀ, ଗହଣା, ବହଳ ମେକଅପ ସାଙ୍ଗକୁ ଷ୍ଟେଜରେ କଷ୍ଟ ହେଲେବି ଠିଆ ହୋଇ, ଇଛା ନଥିଲେବି ଅତିଥି ମାନଙ୍କୁ ସ୍ୱାଗତ ପାଇଁ ହସିବାର ଅଭିନୟ କରିବାର ବିରାଟ ପରୀକ୍ଷା ସରୁ ସରୁ ଆଜି ପୁଣି ଆଉ ଏକ କଠିନ ପରୀକ୍ଷା।

ହେଲେ ସକାଳୁ ସେ ଏତେ ଶୀଘ୍ର ଉଠି ପାରିଲାନି। ଉଠିବାର ଅଭ୍ୟାସ ବି ତାର ନାହିଁ। ବୋଉ ବି ବାହାଘର ପୂର୍ବରୁ କହିଥିଲା, ଏମିତି ବି ଶାଶୁ କାଲି ମନେ ପକାଇ ଦେଇଥିବାରୁ ସେ ଅପେକ୍ଷାକୃତ ଶୀଘ୍ର ଉଠିଥିଲା। ଗାଧୋଇ ସାରି, ୟୁଟ୍ୟୁବରୁ ଦେଖି ଶାଢ଼ୀ ପିନ୍ଧୁ ପିନ୍ଧୁ ବହୁତ ସମୟ ହୋଇଯାଇଥିଲା। ଶାଢ଼ୀ ବୋଧେ ଥରେ ଦିଥର ସେ ତା କଲେଜ ଫଙ୍କସନରେ ପିନ୍ଧିଥିଲା। ତା ରୁମମେଟ ମିତାଲି ପିନ୍ଧାଇ ଦେଇଥିଲା। ମାତ୍ର ଅଭୟଙ୍କ ଘରେ, ଏ ମେ’ ମାସ ଖରାରେ ଶାଢ଼ୀ ପିନ୍ଧି, ମୁଣ୍ଡରେ ଓଢଣା ଦେଇ ଦିନ ସାରା ମ୍ୟାନେଜ କରିବା କଥା ଭାବିଲା ବେଳକୁ ତା ଅନ୍କଜାଇଟି ବଢ଼ିଯାଉଥାଏ। ତା ରୁମରୁ ବାହାରି, ପିନ୍ଧା ଲୁଗାଟାକୁ ଏକରକମ ଟେକି ଧରି, ରୋଷେଇ ଘର ଆଡକୁ ଦ୍ରୁତ ପାଦ ପକାଇଲା ଅନିତା। ମନରେ ଗୁଡ଼ାଏ ଅଜଣା ଭୟ।

ଡାଇନିଂ ଜାଗାରେ ତା ପାଦ ଅଟକି ଗଲା। ଶାଶୁ ବସିଛନ୍ତି। ବୋଧେ ତାକୁ ହିଁ ଅପେକ୍ଷା କରିଛନ୍ତି।
ଅନିତା ପ୍ରଣାମ କଲା। ତା ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ କରି ଶାଶୁ, କହିଲେ, ଏତେ ଡେରି କଲୁ ଯେ ମା ! ଆ’ ପୂଜା ଘରୁ ଆଳତୀ ଓ ପ୍ରସାଦ ନେଇ ଆସିବୁ।” ଚୁପଚାପ ସେ ଶାଶୁ ଙ୍କ ପଛେ ପଛେ ଚାଲିଲା। ଠାକୁର ଘରୁ ଆସିଲା ପରେ ଶାଶୁ ତାକୁ ରୋଷେଇ ଘରେ ଜିନିଷ ସବୁ ଦେଖାଇ ଦେଇ, ପରଟା, ପନିର ତରକାରୀ ଓ ଦହି ରାଇତା, ସୁଜି କ୍ଷୀରି କରିବାକୁ ବରାଦ କରି ଦାଣ୍ଡ ଘର ଆଡେ ଚାଲିଗଲେ।

ତା ପାଇଁ ସେ ଥିଲା ପ୍ରକୃତ ପରୀକ୍ଷାର ସମୟ। ଆଉ ତା ଜୀବନରେ ସବୁଠୁ କଠିନ ମୁହୂର୍ତ୍ତ। ରୋଷେଇ ଘରେ ବୋଧେ ଜୀବନରେ ପ୍ରଥମ ଥର ପାଇଁ ରୋଷେଇ କରିବାକୁ ପଶୁଥିଲା ଅନିତା। ହଷ୍ଟେଲରେ କେବେ ମ୍ୟାଗି କି ଅଣ୍ଡା ଆମଲେଟ କରି ଖାଇଥିଲା। ହେଲେ ପରଟା, ପନିର, ଦହି ରାଇତା, କ୍ଷୀରି ଏତେ ସବୁ ଶିଖି ତିଆରି କରିବାକୁ ତାକୁ ବୋଧେ ବର୍ଷେ ଲାଗିଯିବ। ଏମାନେ କଣ ବ୍ରେକଫାଷ୍ଟ କରିବେ ବୋଲି ବସିଛନ୍ତି !

ଭାବିଲା ଆଗ ପରଟାଟା କରିଦେଲେ ପଛରେ ପନିର କରିବ। ଶାଶୁ କହିଥିଲେ ପ୍ରାୟ ପନ୍ଦର ଜଣଙ୍କ ପାଇଁ ରୋଷେଇ ହେବ, ହେଲେ କେତେ ଅଟା, କେତେ ପାଣି ସେ କେମିତି ଜାଣିବ? ମନେ ମନେ ଅଭୟଙ୍କ ଉପରେ ବିରକ୍ତ ହେଲା। ଏଯାଏ ବୋଧେ ଶୋଇଛନ୍ତି। ଟିକେ ଆସି ସାହାଯ୍ୟ କରିବା କଥା ନୁହେଁ? ଖାଲି ଯାହା ସବୁ ବଡ଼ ବଡ଼ କଥା। କିଛି ବ୍ୟସ୍ତ ନାହିଁ, ମୁଁ ଥିବି ନା ଚଳେଇ ନେବି। ଚେଲେଇ ନେବି ନା ଆଉ କିଛି !” ଏଵେ ସେ କଥା ଭାବି ଲାଭ ନାହିଁ। ଭାବିଲା ଇଣ୍ଟରନେଟରେ କେଉଁ ସାଇଟରୁ ଦେଖି ନହେଲେ କରିନେବ। ହେଲେ ସେଥିପାଇଁ ସମୟ କାହିଁ। ଏକେତ’ ଏତେ ଗରମ, ତା ସାଙ୍ଗକୁ ଶାଢ଼ୀ, ସେ ଅସ୍ତ ବ୍ୟସ୍ତ ହୋଇ ଯାଉଥିଲା। “ଏତେ ବଡ଼ଲୋକ ଏମାନେ ରୋଷେଇ ଘରେ ଗୋଟେ ଏସି ଲଗେଇବା କଥା ନୁହେଁ।” ଛାଡ଼ ସେ କେଉଁ ଏଠି ରହୁଛି ଯେ, ଦଶଦିନ ପରେ ସେ ଏଠୁ ଚାଲି ଯିବ, ସେଥିରେ ତାର କଣ ଅଛି।

କେତେ ଅଟାରେ କେତେ ପାଣି ପଡିବ, ସେ ଭାଗ ମାପକୁ ନେଇ ପୁଣି ଗୋଲକ ଧନ୍ଦାରେ ପଡିଲା। ଏଥର ତାର ସବୁ ତକ ଆକ୍ରୋଶ ତା ବାବାଙ୍କ ଉପରେ ଯାଇ କେନ୍ଦ୍ରିତ ହେଲା। ଛୁଟିରେ ଘରକୁ ଗଲେ ମାମା ଯେତେବେଳେ କୋଉ କାମ ବତାଏ, ବାବା ତାକୁ ଆକଟ କରିନ୍ତି, “ଖବରଦାର! ମୋ ଝିଅକୁ ଏଇ ଚୁଲି ଜାଳ କାମ ବତାଇଲେ।”
ମାମା ଗର ଗର ହୁଏ ବାବାଙ୍କ ଉପରେ, “ଝିଅକୁ ମୁହଁ ଦେଉଥାଅ ଯେ, ପରେ ଅସୁବିଧା ହେଲେ ବୁଝିବନି?” ବାବା ଜୋର ଦେଇ ତାଙ୍କ କଥାକୁ ପ୍ରମାଣ କରନ୍ତି, “ଆରେ ନା ! ନା ! ମୋ ଅନି ତ ମୋ ପୁଅ ! ସେ ଖାଲି ପାଠ ପଢିବ, ବଡ଼ ଚାକିରୀ କରିବ। ତାର କାମ କରିବା କିଛି ଦରକାର ନାହିଁ। ସେ ରୋଷେଇଆ ରଖିଦେବନି? ବାବା ମାମା କୁ ଆହୁରି ଚିଡ଼ାନ୍ତି। ମାମା ରୋଷେଇ ଘରେ କାମ କରୁ କରୁ ବିଡ ବିଡ ହୁଏ। ଦୁହିଁଙ୍କ କଳିରୁ କିନ୍ତୁ ଅନିତା କାମ ଝିନଝଟରୁ ରକ୍ଷା ପାଇଯାଏ। ସେତେବେଳେ ସେ ବହୁତ ଖୁସି ହୋଇଯାଏ। ହେଲେ ଆଜି ଭାବୁଛି ମାମା କଥା ଶୁଣିଥିଲେ ଭଲ ହୋଇଥାନ୍ତା।

ଆଇଆଇଏମର ମ୍ୟାନେଜମେଣ୍ଟ ପାଠଠାରୁ, ସେ କାମ କରୁଥିବା ମଲ୍ଟିନାସନାଲ କମ୍ପାନୀର ବଡ଼ ବଡ଼ କ୍ଲାଇଣ୍ଟକୁ ପ୍ରପୋଜାଲ ଦେଇ କମ୍ପାନୀ ପାଇଁ ପ୍ରୋଜେକଟ ଆଣିବା କାମ, ଏସବୁ କାମଠୁ ଖୁଵ ସହଜ ତା’ ପାଇଁ।

ଅଭୟଙ୍କ ସହ ତାର ବନ୍ଧୁତା ଦିଲ୍ଲୀ ଆଇଆଇଏମ ରେ ପଢିଲା ବେଳଠୁ। ଦୁହେଁ କ୍ୟାମ୍ପସ ପାଇ ଏକା କମ୍ପାନୀରେ କାମ କଲେ। ବନ୍ଧୁତା ପ୍ରେମ ତ ଠିକ ଥିଲା ହେଲେ ବିବାହ ଏତେ ଦାୟିତ୍ୱ ଆଣିଦେବ ସେ ଜାଣି ନଥିଲା। ଜାଣିଥିଲେ କେବେ ଏ ଅଡୁଆରେ ପଶି ନଥାନ୍ତା। ଅଭୟ କହୁ ଥିଲେ ତାଙ୍କ ମା ଭାରି କଡା ଲୋକ। ହେଲେ କହିଥିଲେ ଡ଼ରନି, “ମୁଁ ପାଖେ ପାଖେ ଥିବି।” ହୁଁ ପାଖେ ପାଖେ ଥିବି !

ସକାଳ ସାଢେ ଦଶ ଟା ହେଲାଣି, କଣ ଏଵେ କରିବ ଅନିତା? ଭାବିଲା ଦୋକାନ ରୁ ଅଡର କରି ଦେବକି? ହେଲେ ନୂଆ ବୋହୁ କେମିତି ସମସ୍ତ ଙ୍କ ଆଗରେ ଦାଣ୍ଡକୁ ଯାଇ ପାର୍ସଲ ଆଣିବ?
ଏକେତ ଭୀଷଣ ଗରମ, ଶାଢ଼ୀ ପିନ୍ଧା ସାଙ୍ଗକୁ ରୋଷେଇ ଚିନ୍ତା ଅନିତାକୁ ଆହୁରି ବ୍ୟତି ବ୍ୟସ୍ତ କରୁ ଥିଲା। ଅଟାରେ ପାଣି ଢାଳି ଚକଟି ବାକୁ ଆରମ୍ଭ କଲା। ହେଲେ ହଡ଼ ବଡ଼ରେ ଅଧିକା ପାଣି ଢାଳି ହୋଇଯିବା ଯୋଗୁଁ ଅଟା ପଣିଆ ହୋଇ ଯାଇଥିଲା। ଅନିତା ଅଟା ପକେଇ ଚାଲିଥିଲା, ହେଲେ କିଛି ଫଳ ମିଳିଲାନି। ଚକଟା ଅଟା ତାର ସବୁ ମୁଦି, କାଚରେ ଲାଗି ଯାଇଥିଲା। ଏମିତି କି କିଛି ଅଟା ଚୁନା ତା ମୁହଁରେ ଓ ଶାଢ଼ୀରେ ବି। ଝାଳରେ ସେ ପୁରା ଗାଧୋଇ ସାରି ଥିଲା। ଏଣେ ଖାଲି ପେଟରେ ତା ମୁଣ୍ଡକୁ ବି କିଛି ଯୁଟୁ ନଥିଲା।

ଏଇ ସମୟରେ ତା ଶାଶୁ ଆସି ପହଞ୍ଚିଲେ। ଅନିତାର ଅବସ୍ଥା ଦେଖି ସେ ନ ହସି ରହି ପାରିଲେନି। ତାକୁ ସ୍ନହରେ କହିଲେ ଥାଉ, ତୁ ବ୍ୟସ୍ତ ହେନା। ମୁଁ ଅଭି’ ଠାରୁ ଜାଣେ ତୁ କିଛି ଜାଣିନୁ। ରାମ ଭାଇନା ରୋଷେଇ କରି ଦେଇଛନ୍ତି। ଚାଲ ଖାଇବା ହେଲେ ତୋତେ ରୋଷେଇ ଶିଖିବାକୁ ହେବ। କାଲିକି ପିଲା ହେବେ ! ବେଳ ଅବେଳରେ କେମିତି ଚଲେଇବୁ।
ପିଲାଙ୍କୁ ବି ଶିଖେଇବା ଦାୟିତ୍ୱ ତୋର।

ହଁ, କାଲିଠୁ ତୁ ତୋ ଇଛା ଅନୁସାରେ ଜିନ୍ସ, ଟି ସାର୍ଟ ପିନ୍ଧିପାରୁ ମୋର କିଛି ଆପତ୍ତି ନାହିଁ ହେଲେ ମୁଁ ଚାହେଁ ମୋ ବୋହୁ ଅଫିସରେ ବିଦେଶୀ କ୍ଳାଇଣ୍ଟଙ୍କୁ ଖୁଵ ସହଜରେ ଆୟତ କରି ପାରୁଛି, ତା ଘରକୁ ସେମିତି ହାତ ମୁଠାରେ ରଖୁ। ଅନିତା ସେଦିନୁ ନିଜକୁ ସଜାଡିବାର ପ୍ରୟାସ କରିଥିଲା।

ନୂଆ କରି ପ୍ରିସ୍କୁଲ ଯାଉଥିବା ତା ଝିଅର ସ୍କୁଲରେ ହୋଇଥିବା ମମ୍ମି, ଟମ୍ମି, ୟମ୍ମି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଆଣିଲା ବେଳେ ଅନିତା ସେ ଦିନ ଭାବୁଥିଲା, “ବୋଧ ହୁଏ କେତୋଟି ପରିସ୍ଥିତି ଜୀବନରେ ବଡ଼ ପରିବର୍ତ୍ତନ ଆଣିଦିଏ। ଆଉ ଯେଉଁ ଜିନିଷକୁ ମଣିଷ ଡରେ ତାହାହିଁ ଜୀବନର ଗତି ପଥରେ ଶିଖେଇବା ଯାଏ ବାରମ୍ବାର ଆସୁଥାଏ।”

କାର୍ଡଗୁଡି ବାଙ୍ଗାଲୋର,
9840706140

One thought on “ଲେଖିକା ଅନସୂୟା ପଣ୍ଡାଙ୍କ ମନଛୁଆଁ ଗପ, ସେ ବାରମ୍ବାର ଆସୁଥାଏ, ପଢନ୍ତୁ

  • sathish kumar

    Keep writing 👏👏👏

    Reply

Leave a Reply