ଏନ୍ଏନ୍ ବ୍ୟୁରୋ। ପତିଆରାର ପ୍ରତିଶୋଧ। ମନ ଭିତରେ କୁହୁଲୁଥିବା ଆକ୍ରୋଶର ନିଆଁ ନେଲା ଭୟଙ୍କର ରୂପ। ପୂର୍ବ ଶତ୍ରୁତାର ପ୍ରତିଶୋଧ ପାଇଁ ଗୋଟିଏ ପରିବାରର ୬ ଜଣକୁ ନିଶ୍ଚିହ୍ନ କଲେ ଜଲ୍ଲାଦ। ୧୦ ବର୍ଷର ପୂର୍ବ ଶତ୍ରୁତାର ରାଗ ଶୁଝାଇବାକୁ ଯାଇ ୪ ନାବାଳକ ସହ ୬ ଜଣକୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ। ଚର୍ଚ୍ଚିତ ପାଟଣାଗଡ଼ ଗଣହତ୍ୟା ମର୍ଡର ଘଟଣାରେ ୭ ଜଣକୁ ଗିରଫ କରିବା ସହ ୨ ଜଣକୁ ଅଟକ ରଖିଛି ଏବଂ ଏବେବି ୨ ଅଭିଯୁକ୍ତ ଫେରାର ଥିବା ଏସପି ସୂଚନା ଦେଇଛନ୍ତି। ଏଥିସହ ମର୍ଡର ପ୍ଲଟର ଛାତିଥରା କାହାଣୀ ବଖାଣିଛନ୍ତି ଏସ୍ପି ସନ୍ଦୀପ ସଂପଦ। ବୁଲୁ ଜାନିର ପରିବାରକୁ ଛାରଖାର କରିବା ପାଇଁ ୩ଟି ପରିବାର ମିଶି ଜଘନ୍ୟ ଗଣହତ୍ୟା କରିଥିବା ଏସପି ସନ୍ଦୀପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସପିଙ୍କ କହିବା ଅନୁସାରେ ଗଣ୍ଡ, ଜାନି ଓ ମାଝି ପରିବାର ସହ ବୁଲୁ ଜାନିର ଘୋର ଶତ୍ରୁତା ଥିଲା। ଏପରିକି ଗତ ୧୦ ବର୍ଷ ହେଲା ୩ ପରିବାରକୁ ବୁଲୁ ଜାନି ଅକଥନୀୟ ହଇରାଣ ହରକତ କରୁଥିଲା। ଫଳରେ ନିର୍ଯାତନା ସହି ନପାରି ଘର ଛାଡ଼ି ଗଙ୍ଗୱା ମାଝି ନୂଆପଡ଼ା ଜିଲ୍ଲା ନିଲଜି ଗାଁକୁ ଚାଲି ଯାଇଥିବା ବେଳେ ଗଣ୍ଡ ପରିବାର ନବରଙ୍ଗପୁର ଝରିଗାଁକୁ ଚାଲିଯାଇ ରହୁଥିଲେ। ହେଲେ ବାବୁଲା ଜାନି ମୃତ ବୁଲୁ ଜାନିର ପଡୋଶୀ ଭାବେ ରହୁଥିଲା। କିନ୍ତୁ ସବୁବେଳେ ତା ଦେହରେ ଆକ୍ରୋଶର ନିଆଁ କୁହୁଲୁଥିଲା। ବୁଲୁ ଜାନିର ପରିବାରକୁ ବିଧ୍ୱସ୍ତ କରିବା ପାଇଁ ସୁଯୋଗ ଖୋଜୁ ଖୋଜୁଥିଲା। ଯେତେବେଳେ ବୁଲୁର ପୁଅମାନେ ଭୁବନେଶ୍ୱର ଯାଇଥିଲେ, ଠିକ୍ ସେତିକିବେଳେ ଷଡ଼ଯନ୍ତ୍ର ରଚିଥିଲା ବାବୁଲା। ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି
ବୁଲୁଙ୍କ ପୂରା ପରିବାରକୁ ନିପାତ କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା। ବାବୁଲା ଜାନି, ଗଙ୍ଗୱା ମାଝି ଓ ଝରିଗାଁର ଗଣ୍ଡ ପରିବାର ସଦସ୍ୟକୁ ନିଲିଜି ଗାଁକୁ ଡାକି ମର୍ଡର ପ୍ଲଟ ତିଆରି କରିଥିଲେ। ଏବଂ ନଭେମ୍ବର ୧୦ ତାରିଖ ରାତିରେ ୮ ଜଣ ମାରଣାସ୍ତ୍ର ଧରି ପାଟଣାଗଡ଼ ସଅଁରାପଡ଼ାକୁ ଆସିଥିଲେ। ହେଲେ ରାତିରେ ବୁଲୁ ପରିସ୍ରା ପାଇଁ ଉଠିଥିବା ବେଳେ ଅଭିଯୁକ୍ତମାନେ ତାକୁ ଗୁଳି କରିଥିଲେ। ସୌଭାଗ୍ୟବଶତଃ ଗୁଳି ଦେହରେ ନ ବାଜିବାରୁ ବୁଲୁ ଘର ଭିତରକୁ ଦୌଡ଼ି ପଳାଇଥିଲା। ଏହା ପରେ ନର ପିଶାଚ ମାନେ ଘର ଭିତରେ ପଶି ଜଣ ଜଣ କରି ହାଣିଥିଲେ। କିନ୍ତୁ ପିଲା ବଡ଼ ହେଲେ ପ୍ରତିଶୋଧ ନେବା ଆଶଙ୍କାରେ ସ୍ବାମୀସ୍ତ୍ରୀ ଓ ୪ ନାବାଳକକୁ ହତ୍ୟା କରିଥିଲେ।
୧୧ ତାରିଖ ସକାଳେ ଘଟଣା ଜଣା ପଡ଼ିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେଦିନ ଏକା ବାବୁଲା ଜାନିର ଦୁଇ ପୁଅ ଭୋଳା ଓ ଶିବାକୁ ଉଠାଇ ଆଣି ପୋଲିସ ହେପାଜତରେ ରଖିଥିଲା। ତା ଦିନକ ପରେ ବାବୁଲା ଜାନି, ଶିବାର ଭିଣୋଇ ସୁରେଶ ଜାନି ଓ ବଜରଙ୍ଗ ଜାନିକୁ ଥାନାରେ ଅଟକ ରଖିଥିଲା ପୋଲିସ। ସମସ୍ତଙ୍କୁ ଜେରା କରିବା ପରେ ଏଥିରେ ଆହୁରି ଅନେକ ଲୋକ ସଂପୃକ୍ତି ଥିବା ଜଣା ପଡିଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ ନବରଙ୍ଗପୁର ଯାଇ ମନୀଷ ଗଣ୍ଡ, ବଳଦେବ ଗଣ୍ଡ, ଛାୟା ଗଣ୍ଡ ସହ ୪ ଜଣକୁ ଉଠାଇ ଆଣି ବଲାଙ୍ଗିରରେ ରଖି ପଚରା ଉଚରା କରିଥିଲା ପୋଲିସ୍। ଦୁଇ ତିନ ଦିନର ମାରାଥନ ଜେରା ପରେ ପୋଲିସ ହତ୍ୟାର କାରଣ ଖୋଜି ପାଇବା ସହ ଘଟଣାର ପର୍ଦ୍ଦାଫାଶ କରିଥିଲା।

ବୁଧବାର ପାଟଣାଗଡ଼ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଗଣହତ୍ୟା ଘଟଣାର ଖୁଲାସା କରିଥିଲେ ଏସପି ସନ୍ଦୀପ ସମ୍ପଦ। ମର୍ଡର ଘଟଣାରେ ୭ ଅଭିଯୁକ୍ତ ବାବୁଲା ଜାନୀ, ଶିବା ଜାନି, ଭୋଳା ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନୀଷ ଗଣ୍ଡ ଓ ବିକାଳ କଇରିକୁ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗଙ୍ଗୱା ମାଝି ଓ ଦେବରାଜ ମାଝି ଫେରାର ଥିବାରୁ ତାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଥିବା କହିଛନ୍ତି ଏସ୍ପି। ହତ୍ୟାକାଣ୍ଡରେ ବ୍ୟବହୃତ ହତିଆର ଗୋଟିଏ ଟାଙ୍ଗିଆ, ଲୁହା ରଡ଼, ଗୋଟିଏ ହାତୁଡି, ଟାଙ୍ଗୀ ଓ ୪ ଟି ଗାଡି ଜବତ କରାଯାଇଛି।
ହତ୍ୟାକାଣ୍ଡର ପୃଷ୍ଠଭୂମି
ଦୀର୍ଘ ୧୨ ବର୍ଷ ଆଗରୁ ମୃତ ବୁଲୁ ଜାନି ପରିବାର ସହ ଝାରଖଣ୍ଡ ଟାଟାରୁ ପାଟଣାଗଡ଼କୁ ଆସିଥିଲା। ଏଠି ଯାଯାବର ଜୀବନ ଯାପନ କରିବା ଭିତରେ ସେ ବ୍ରହ୍ମପୁରା ସଅଁରାପଡାରେ ସ୍ଥାୟୀ ଘର ତିଆରି କରି ବସବାସ କରୁଥିଲା। ଧିରେ ଧିରେ ସେ ସମ୍ପ୍ରଦାୟର କିଛି ପରିବାର ଏଠାକୁ ଆସି ବୁଲୁ ଜାନିର ଘର ପାଖରେ ଜମି କିଣି ରହିଲେ। ତେବେ ନିଜ ଗୋଷ୍ଠୀ ମଧ୍ୟରେ ମୂରବୀ ଚୟନ ତଥା ପତିଆରା ବୃଦ୍ଧି ପାଇଁ ବୁଲୁ ଜାନି ସମସ୍ତଙ୍କୁ ନିୟନ୍ତ୍ରଣରେ ରଖିଥିଲା। ସମସ୍ତଙ୍କୁ ଡରାଇ ଧମକାଇ ନିଜ ପତିଆରା ବୃଦ୍ଧି କରିଥିଲା ବୁଲୁ ଜାନି। ଏପରିକି କେହି ତାଙ୍କ କଥା ନ ମାନିଲେ ତାଙ୍କୁ ମାରପିଟ କରୁଥିବା କୁହା ଯାଉଛି। ଏପରିକି ତାଙ୍କ ବୋଲ ନ ମାନିବାରୁ ଗଣ୍ଡ ପରିବାର ଓ ମାଝି ପରିବାରକୁ ଏଠାରୁ ବାହାର କରି ଦେଇଥିଲା। ଗଙ୍ଗୱାର ପରିବାର ନୂଆପଡ଼ା ନିଳିଜି ଚାଲିଯାଇଥିବା ବେଳେ ଗଣ୍ଡ ପରିବାର ନବରଙ୍ଗପୁର ଯାଇ ରହୁଥିଲେ। ହେଲେ ବାବୁଲା ଜାନି ପ୍ରତିଶୋଧ ନେବା ପାଇଁ ବୁଲୁ ଜାନିର ପଡୋଶୀ ଭାବରେ ରହୁଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡର ସୂତ୍ରପାତ ନେଲା। ଶେଷରେ ଗଣ୍ଡ, ମାଝି ଓ ଜାନି ପରିବାର ମିଶି ବୁଲୁ ଜାନିର ପରିବାରକୁ ନିପାତ କରିବା ପାଇଁ ମର୍ଡର ପ୍ଲଟ ତିଆରି କଲେ। ଏବଂ ନଭେମ୍ବର ୧୦ ତାରିଖ ରାତିରେ ଆସି ବୁଲୁ ଜାନି ପରିବାରର ୬ ଜଣକୁ ମରଣ ଶଯ୍ୟାରେ ଶୁଆଇ ଫେରାର ହୋଇଥିଲେ ହତ୍ୟାକାରୀ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ ପାଟଣାଗଡ ସଅଁରାପଡାରେ ସଂଘଟିତ ଗଣହତ୍ୟାକାଣ୍ଡ ନେଇ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ମୃତକ ମାନେ ହେଲେ ୫୦ ବର୍ଷୀୟ ବୁଲୁ ଜାନୀ, ୪୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୬ ବର୍ଷୀୟା ଝିଅ ସରିତା, ୫ ବର୍ଷୀୟ ପୁଅ ଭୀଷ୍ମ, ୨ ବର୍ଷୀୟ ପୁଅ ସଂଜୀବ ଓ ବୁଲୁର ୪ ବର୍ଷର ନାତୁଣୀ ଶ୍ରୀୟାକୁ ହତ୍ୟା କରି କମ୍ୱଳ ଘୋଡାଇ ଫେରାର ଫେରାର ମାରିଥିଲେ ଅଭିଯୁକ୍ତ। ଏ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୭ ଜଣକୁ ଗିରଫ କରିଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବାପପୁଅ ଗଙ୍ଗୱା ମାଝି ଓ ଦେବରାଜ ଉଭୟେ ଫେରାର ଅଛନ୍ତି। ତେଣୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। କିନ୍ତୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀର ଟେର ପାଇ ପାରୁନି। ଦେଖାଯାଉ ଉଭୟ ଅଭିଯୁକ୍ତକୁ ପୋଲିସ୍ କେବେ ଗିରଫ କରୁଛି।
