ଓଡିଆ ସାହିତ୍ୟ ପୋଡ଼କାଷ୍ଟ୍ “କଥା ଓ କବିତା” ଉନ୍ମୋଚିତ

ମନୋରଞ୍ଜନସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ସାହିତ୍ୟ ସର୍ଜନାର ନୂତନ ଚିନ୍ତାଧାରା। ଗାଁରୁ ଗ୍ଲୋବ ଯାଏ ସମସ୍ତଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବ। ଏଭଳି ଏକ ମହତ୍ ଉର୍ଦ୍ଧେଶ ନେଇ ଶୁଭାରମ୍ଭ ହୋଇଛି ପୋଡକାଷ୍ଟ। ଶୁଭଦୃଷ୍ଟି ଇ- ପତ୍ରିକା ଦ୍ଵାରା କାହାଣୀ ଓ କବିତା ସଂକଳନକୁ ନେଇ ଆରମ୍ଭ କରାଯାଇଛି ପୋଡ଼କାଷ୍ଟ୍ “କଥା ଓ କବିତା”। ଏହା ଓଡ଼ିଶା ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ସାହିତ୍ୟ ପ୍ରେମୀଙ୍କ ନିକଟର ହେବା ପାଇଁ ଏକ ଅଭିନବ ପ୍ରୟାସ।

ଶୁଭଦୃଷ୍ଟିର ସମ୍ପାଦକ ଏ ପି ଶୁଭକାନ୍ତ ଓ ପ୍ରଭାତ କୁମାର ବଳଙ୍କ ବହୁଦିନର ପ୍ରୟାସ ତଥା ପରିଶ୍ରମର ରୂପ ହେଉଛି “କଥା ଓ କବିତା”। ନୂତନ ପିଢ଼ିର ତରୁଣ ତଥା ଯୁବ ପ୍ରତିଭା ମାନଙ୍କର ସାହିତ୍ୟକୁ ମନୋରଞ୍ଜନର ଏକ ମାଧ୍ୟମ ରୂପେ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଇଣ୍ଟରନେଟ ରେଡ଼ିଓ ଷ୍ଟେସନ “ରେଡ଼ିଓ ଯାଯାବର”କୁ ରେଡ଼ିଓ ପାର୍ଟନର ଭାବେ ଚୟନ କରାଯାଇଛି।

“ରେଡ଼ିଓ ଯାଯାବର”ର ପ୍ରତିଷ୍ଠାତା ନରସିଂହ ସାହୁ ଏବଂ ଜ୍ୟୋତିରଞ୍ଜନ ପଣ୍ଡା ଶୁଭଦୃଷ୍ଟି ସହ ଏହି ସହଭାଗିତାକୁ ନେଇ ବହୁତ୍ ଆଶାବାଦୀ ଅଛନ୍ତି। ବର୍ତ୍ତମାନ ଇଣ୍ଟରନେଟରେ ବିଭିନ୍ନ ବୈଦେଶିକ ତଥା ଭାରତୀୟ ଭାଷାରେ ଏକାଧିକ ପୋଡ଼କାଷ୍ଟ୍ ଉପଲବ୍ଧ ଥିବାବେଳେ ଓଡ଼ିଆ ଭାଷାରେ ଥିବା ଶୂନ୍ୟସ୍ଥାନକୁ “କଥା ଓ କବିତା” ପୂରଣ କରିବ ବୋଲି ନରସିଂହ ମତବ୍ୟକ୍ତ କରିଛନ୍ତି।
“କଥା ଓ କବିତା” ଓଡ଼ିଶା ତଥା ଓଡ଼ିଆ ସାହିତ୍ୟକୁ ଭଲ ପାଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ଉତ୍ସର୍ଗୀକୃତ। ନିଜ ଭାଷା ତଥା ସାହିତ୍ୟକୁ ନେଇ କିଛି କରିବା ଦ୍ଵାରା କେବଳ ଭାଷା ସଶକ୍ତ ହୋଇନଥାଏ ବରଂ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏକ ମାଧ୍ୟମ ସୃଷ୍ଟି ହୋଇଥାଏ ଏବଂ “ଶୁଭଦୃଷ୍ଟି” ସେଥିପାଇଁ କାମ କରିଚାଲିଛି ବୋଲି ଏ ପି ଶୁଭକାନ୍ତ କହିଛନ୍ତି।
ଏହି ପୋଡ଼କାଷ୍ଟ ପାଇଁ ପ୍ରଭାତ କୁମାର ବଳ, ସଂଘମିତ୍ରା ପଟ୍ଟନାୟକ, ଅଭିଲିପ୍ସା ପାଢୀ ସ୍ୱର ଦେଇଥିବାବେଳେ ନୂତନ ପିଢ଼ିର ସାହିତ୍ୟିକ ନାରାୟଣ ସାହୁ, ସଂଗ୍ରାମ ମହାରଣା,ବିରେନ୍ଦ୍ର ନାୟକ, ଉତ୍କଳିକା ରାଉତ ଏବଂ ପ୍ରଶାନ୍ତ କୁମାର ସାହୁ ତାଙ୍କ ରଚନା ଦେଇ ସମୃଦ୍ଧ କରିଛନ୍ତି। ଏହା ଜିଓ ସାବନ୍, ସ୍ପଟିଫାଇ, ଆପଲ୍ ପୋଡ଼କାଷ୍ଟ୍ ଏବଂ ଗୁଗୁଲ୍ ପୋଡ଼କାଷ୍ଟ୍ ଆଦି ରେ ଉପଲବ୍ଧ ଅଟେ।

Leave a Reply