ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ

ବଡ଼ ଖବରମନୋରଞ୍ଜନସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସଵର ପାନରମାରେ ଅନ୍ତର୍ଜାତିକ ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ଓଡିଶାର ଜନଜୀବନରେ ପ୍ରକୃତି ସହିତ ସଂଘର୍ଷ ଏକ ନିତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡ଼ିଆ ଜାତି ନିଜର ଅସ୍ତିତ୍ବ ବଜାୟ ରଖିଛି। ପ୍ରକୃତି ସହ ଆମ ସଂଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର ‘ମାଳିକା ସାହିତ୍ୟ’ରେ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ‘ମାଳିକା’ ଆମକୁ ଏହି ସଂଘର୍ଷର କାହାଣୀ କହିବା ସହିତ ଆମକୁ ସତର୍କ କରାଇ ଦିଏ ଯେ ଯଦି ପ୍ରକୃତି ସାଥିରେ ଆମର ସମ୍ପର୍କ ବିଗିଡିଯାଏ ତାହେଲେ ପ୍ରଳୟ ଆସିବା ସ୍ୱାଭାବିକ। ‘ବାଇଶି ପାହାଚେ ଖେଳିବ ମୀନ’ – ମାଳିକାର ଏକ କଳ୍ପନା ନୁହେଁ, ଏହା ଆମ ପାଇଁ ଏକ ସତର୍କବାଣୀ। ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶ ବିପର୍ଯ୍ୟୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି। ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ, ଏହା ଆଜିର ସବୁଠୁ ବଡ ସଙ୍କଟ। ଏହି ପୃଷ୍ଠଭୂମିରେ ତିଆରି ହୋଇଛି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’। ଏହି ସିନେମାରେ ଓଡ଼ିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡି ଏକ ଚମତ୍କାର କାହାଣୀ କହିଛନ୍ତି ନୀଳମାଧଵ। ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନେକ ଉଚ୍ଚ ପ୍ରଶଂସିତ ସିନେମା କରିଥିବା ନୀଳମାଧଵ ପ୍ରଥମ ଥର ଲାଗି ଓଡ଼ିଆରେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦ ଓ ଶୈଳୀର ଏହି ସିନେମା ତିଆରି କରିଛନ୍ତି। ସମୁଦ୍ର ଗର୍ଭରେ କ୍ରମେ କ୍ରମେ ହଜି ଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ। 2005 ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ଏହି ଚଳଚ୍ଚିତ୍ର ଶୁଟିଂ ହୋଇଛି।

ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ଗୁନୁ ନିଜର ପୁରୁଣା ଜୀବନକୁ ଫେରୁଛି। ତା’ର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ 1999 ମହାବାତ୍ୟାରେ ଉଜୁଡି ଯାଇଥିବା ପରିବାର। ଗୋଟିଏ ବାତ୍ୟାରୁ ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀ ଏହି ସିନେମାରେ ରହିଛି। ଗୁନୁ ସହିତ ସମୁଦ୍ର, ସ୍ମୃତି ଓ ମୃତ୍ୟୁର ଏକ ବିସ୍ତୃତ କୋଲାଜ ପ୍ରସ୍ତୁତ କରିଛନ୍ତି ନୀଳମାଧଵ ପଣ୍ଡା। ନିଜ ସିନେମା ବିଷୟରେ ଶ୍ରୀ ପଣ୍ଡା କହନ୍ତି, ‘କାଲିର ଅତୀତ’ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ।

ଭାରତୀୟ ଚଳଚ୍ଚିତ୍ର ଜଗତରେ ନୀଳମାଧଵ ପଣ୍ଡା ଏକ ସଫଳ ଓ ସମ୍ମାନସ୍ପଦ ନାମ। ପୂର୍ବରୁ ‘ଆଇ ଆମ କଲାମ’, ‘ଜଲପରୀ’, ‘କୌନ କିତନେ ପାନି ମେଁ’, ‘ବବଲୁ ହାପି ହୈ’, ‘କଡ଼ବୀ ହୱା’ ଓ ‘ହଲକା’ ପରି ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ବାର ପୁରସ୍କୃତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତଥା ପଦ୍ମଶ୍ରୀ ଭଳି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା ନୀଳମାଧଵ ନିଜକୁ ଜଣେ ନିଛକ ଓଡ଼ିଆ ଭାବରେ ପରିଚିତ କରାଇଥାନ୍ତି। କାହାଣୀରେ ନୂଆ ସମୟର ଆହ୍ୱାନକୁ ଗ୍ରହଣ କରି ଚଳଚ୍ଚିତ୍ରରେ ବାସ୍ତବତାର ନୂଆ ଛବି ସେ ତିଆରି କରନ୍ତି। ତାଙ୍କ ସିନେମାରେ ସାଧାରଣ ମଣିଷର ସଂଘର୍ଷ ସାଥିରେ ସ୍ମୃତି ଓ ଅନୁଭୂତିର ଚିତ୍ର ରହିଥାଏ। ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରି ନୀଳମାଧଵ ଓଡିଶା ପାଇଁ ଗୌରବ ଆଣିଛନ୍ତି।

Leave a Reply