ମାଷ୍ଟର ନା ଠିକାଦାର !

ବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଆଜିର ଶିଶୁ କାଲିର ଭବିଷ୍ୟତ। ତାଙ୍କ ଭବିଷ୍ୟତ ଗଢ଼ି ତୋଳିବା ଶିକ୍ଷକଙ୍କ ହାତରେ। କିନ୍ତୁ ଯେତେବେଳେ ଏହି ଶିକ୍ଷକ ତା ଆଦର୍ଶରୁ ବିପଥଗାମୀ ହୁଏ, ସେତେବେଳେ କୋମଳମତି ଶିଶୁ ବା କରିବେ ଜଣ ? ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଦେଉଳଗୁଡ଼ି ଗାଁରେ। ଗାଁର ସ୍କୁଲ ଏବେ ଛୁଟି ଅଛି, କିନ୍ତୁ ଛାତ୍ରଛାତ୍ରୀଙ୍କୁ ଇଟା ବୋହାଇବା କାମରେ ଲାଗିଛନ୍ତି ପ୍ରଧାନ ଶିକ୍ଷକ। ଛୋଟ ଛୋଟ ଶିଶୁଙ୍କୁ ବିପଦପୂର୍ଣ୍ଣ କାମରେ ନିୟୋଜିତ କରିଛନ୍ତି ସ୍କୁଲର ଖୋଦ୍ ହେଡ଼ ମାଷ୍ଟର ଭକ୍ତ ରଞ୍ଜନ ଭୋଇ। ପ୍ରଧାନ ଶିକ୍ଷକଙ୍କ ଇଏ କି ପ୍ରକାର ମାନସିକତା। ମାଷ୍ଟର ନା ଠିକାଦାର! ଛୋଟ ଛୋଟ ଛୁଆଙ୍କୁ ଇଟା ଵୋହାଇବା ଭଳି ଜଟିଳ କାମରେ ନିୟୋଜିତ କରିବା ଶିଶୁ ନିର୍ଯାତନା ନୁହେଁ କି?

ଘଟଣା ଅନୁସାରେ, ଗତ ଶନିବାର ଦେଉଳଗୁଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍କୁଲର ଇଟା ବୋହା କାମରେ ଲାଗିଥିଲେ। କୁନି କୁନି ପିଲାଏ ସ୍କୁଲ ବାହାରୁ ଭିତରକୁ ବିପଦପୂର୍ଣ୍ଣ ଭାବରେ ଇଟା ବୋହିବା କାମ ସମସ୍ତଙ୍କୁ ଚକିତ କରିଛି। କରୋନା ବିପତ୍ତି ଯୋଗୁଁ ସ୍କୁଲ ବନ୍ଦ ଥିବା ସତ୍ତ୍ବେ ପାଖାପାଖି ୨୦ ପିଲାଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି ଖୋଦ୍ ହେଡ ମାଷ୍ଟର ଭକ୍ତ ରଞ୍ଜନ ଭୋଇ। ଦୀର୍ଘ ୧୦ ମାସ ହେଲା ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠ ପଢାରେ ଦାଉ ସାଜିଛି କରୋନା। ହେଲେ ଏଭଳି ବିପତ୍ତି ସମୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଅନଲାଇନ୍ ପାଠ ପଢ଼ାଇବା ବଦଳରେ ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନ ଭୋଇ ପିଲାଙ୍କୁ ଇଟା ବୋହିବା କାମରେ ନିୟୋଜିତ କରାଇବା କେତେ ଯୁକ୍ତିଯୁକ୍ତ। ଏପରିକି ହେଡ ମାଷ୍ଟରଙ୍କ ଏଭଳି କାର୍ଯ୍ୟକୁ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ଇଟା ବୋହିବା ସମୟରେ ଯଦି କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ସେପଟେ ସ୍କୁଲ ପିଲାଙ୍କୁ ଇଟା ବୋହିବା କାମରେ ନିୟୋଜିତ କରିଥିବା ହେଡ ମାଷ୍ଟର ଭକ୍ତ ରଞ୍ଜନ ଭୋଇଙ୍କୁ ପଚରା ଯିବାରୁ ସେ ଘଟଣା ନେଇ କିଛି କହିବାକୁ ମନା କରିବା ସହ ସ୍କୁଲ କମିଟି ଚେୟାରମ୍ୟାନ ଉପରେ ଦୋଷ ଲଦି ଦେଇଥିଲେ। ହେଲେ ଏନେଇ ସ୍କୁଲ୍ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀ ସୁରେଶ ରାଉତରାୟ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲେ। ଦୁଇ ତିନ ଦିନ ହେଲା ନୂଆ ଭାବେ ଯୋଗ ଦେଇଥିବାରୁ କିଛି ଜାଣିନଥିବା କହିବା ସହ ସ୍କୁଲ କେଉଁଠି ଅଛି ତାହା ମଧ୍ୟ ସେ ଜାଣି ନଥିବା କହିଛନ୍ତି। ଅଲଗା କାମର ବ୍ୟସ୍ତତା ଦେଖାଇ ଏଭଳି ସଙ୍ଗୀନ ଘଟଣାକୁ ଗୁରୁତ୍ଵ ନ ଦେବା ଭଳି ମନେ ହୋଇଥିଲା। ଏବଂ ଏନେଇ ଶିକ୍ଷକଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ ନେବେ ବୋଲି ପ୍ରଶ୍ନ କରିବା ପରେ ଦୁଇ ତିନି ଦିନ ମଧ୍ୟରେ ଏବିଇଓଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିବା ପାଇଁ କହିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ସୁରେଶ ରାଉତରାୟ। ତେବେ ପ୍ରଶ୍ନ ଉଠୁଛି, ନୂଆ ଭାବେ ଯୋଗ ଦେଇଥିବା ବିଇଓ ସୁରେଶ ରାଉତରାୟ ଏହି ଅଞ୍ଚଳ ଉପରେ ଅବଗତ ନ ଥିବାରୁ ଶିକ୍ଷକଙ୍କ ଉପରେ ନଜର ରଖିବେ କେମିତି? କେବଳ ଏତିକି ନୁହେଁ, ନିଜେ ଘଟଣାସ୍ଥଳକୁ ନ ଯାଇ ଏବିଇଓକୁ ପଠାଇ ତଦନ୍ତ କରାଇବା ତାଙ୍କର ପାରିବା ପଣିଆକୁ ପଦାରେ ପକାଇ ଦେଇଛି। ଦେଖାଯାଉ ଏ ଘଟଣା ଉପରେ ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଉଛନ୍ତି।