ସୃଜନର କାଠ ଗଡ଼ାରେ ତିନି ସ୍ରଷ୍ଟା!

ବ୍ୟକ୍ତି ଓ ବ୍ୟକ୍ତିତ୍ୱସାହିତ୍ୟ ଓ ସଂସ୍କୃତି

ଓଡ଼ିଆ ସାହିତ୍ୟକୁ ପଶ୍ଚିମ ଓଡ଼ିଶାର ଅବଦାନ ଏକାନ୍ତ ସ୍ମରଣୀୟ । ପଶ୍ଚିମ ଓଡ଼ିଶାର ବହୁ ବରେଣ୍ୟ ସ୍ରଷ୍ଟାଙ୍କ ଲେଖନୀରେ ଋଦ୍ଧିମନ୍ତ ହୋଇଛି ଓଡ଼ିଆ ଭାଷା ଓ ସାହିତ୍ୟ । ଏବେ ମଧ୍ୟ ପଶ୍ଚିମ ଓଡ଼ିଶାର ଶହଶହ ସାହିତ୍ୟ ସ୍ରଷ୍ଟା ଓଡ଼ିଆ ଭାଷାସାହିତ୍ୟରେ ସାଧନାରତ । ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ/କୋଶଲି ଭାଷା ପ୍ରଚଳିତ । ତଥାପି ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ପଶ୍ଚିମ ଓଡ଼ିଶାର ଅନେକ କବି, ଲେଖକ ଅଙ୍ଗୀକାରବଦ୍ଧ । ସେଇ ମହାନ୍ ସ୍ରଷ୍ଟାମାନଙ୍କ ଲେଖନୀ ମୁନରୁ ନିଃସୃତ ହୋଇଛି ବହୁ କାଳଜୟୀ କୃତି । ଯାହା ଓଡ଼ିଆ ସାହିତ୍ୟର ପରମ ସଂପଦ । ତେବେ ପଶ୍ଚିମ ଓଡ଼ିଶାର ବହୁ ସାହିତ୍ୟିକ ଏବେ ବି ଅବହେଳିତ ଓ ଅନାଲୋଚିତ ହୋଇରହିଛନ୍ତି । ଯେଉଁମାନଙ୍କ କୃତି ସଂପର୍କରେ ବିଶେଷ ଆଲୋଚନା ହୋଇପାରିନାହିଁ । ସେମାନଙ୍କ ସାରସ୍ୱତ ସାଧନା ଓ ସୃଜନଶୀଳ ଜୀବନ ସଂପର୍କରେ ଠିକ୍ ଭାବେ ତର୍ଜମା କରାଯାଇନାହିଁ । ତେଣୁ କୈଶୋର କାଳରୁ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରିଆସୁଥିବା ପଶ୍ଚିମ ଓଡ଼ିଶାର ତିନି ଜଣ ବରିଷ୍ଠ ସାହିତ୍ୟ ସାଧକଙ୍କ ଜୀବନ ଓ ସୃଜନକୁ ନେଇ ‘ନବନୀତା’ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ସ୍ୱତନ୍ତ୍ର ସାକ୍ଷାତକାର । – ସମ୍ପାଦକ

ଉପସ୍ଥାପନା: ଅଧ୍ୟାପକ ସତ୍ୟଜିତ ଦାସ

୧. ଆପଣ ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରିଛନ୍ତି । କେଉଁ ବିଭାଗଟି ଆପଣଙ୍କର ଅଧିକ ପ୍ରିୟ?

ମଂଗଳୁ ବିଶ୍ୱାଳ: ମୁଁ ମୋର ଗଦ୍ୟ ପାଇଁ ଗର୍ବ କରେ ନାହିଁ । କବିତା ହେଉଛି ଗୋଟିଏ ‘ଲୁସିଡ୍‌ଥିଙ୍କ’ । ମୋର ପ୍ରିୟ ବିଭାଗ ହେଉଛି ‘କବିତା’ ।

୨. ଶିକ୍ଷକତା ଓ ସାହିତ୍ୟିକ ଜୀବନ ମଧ୍ୟରେ କେଉଁଥିରେ ଅଧିକ ଆତ୍ମସନ୍ତୋଷ ପାଇଥାନ୍ତି ଓ କାହିଁକି?
ମଂଗଳୁ ବିଶ୍ୱାଳ: ସାହିତ୍ୟରେ ଅଧିକ ଆତ୍ମସନ୍ତୋଷ । କାରଣ ପ୍ରଥମେ ସାହିତ୍ୟିକ ତା’ପରେ ଶିକ୍ଷକ । ଶିକ୍ଷକ ଜୀଇଁବାକୁ ଶିଖାଏ । ଲେଖକ ଜୀବନକୁ ନୁହେଁ ।

୩. ଆପଣଙ୍କ ସାହିତ୍ୟ ରଚନାର ମୁଖ୍ୟ ଆଭିମୁଖ୍ୟ କଣ?

ମଂଗଳୁ ବିଶ୍ୱାଳ: ସମାଜର ତଳ ଥାକର ଜନ ଜୀବନକୁ ଛୁଇଁବା ।

୪. ଆପଣଙ୍କ ସୃଷ୍ଟିରେ ଯେଉଁ ସମସାମୟିକ ସମାଜର ବାସ୍ତବଚିତ୍ର ଦେଖିବାକୁ ମିଳିଥାଏ ତାହା କେତେଦୂର ପାଠକମାନଙ୍କୁ ପ୍ରଭାବିତ କରିପାରିଛି?
ମଂଗଳୁ ବିଶ୍ୱାଳ : ଚମତ୍କାର ପ୍ରଶ୍ନ! ପାଠକେ କହନ୍ତେ ଯଦି ଭୁଲ ହୁଅନ୍ତା । ସାହିତ୍ୟ ତା’ ନିଜ ସମୟର କଥା କୁହେ ବୋଲି ସମସାମୟିକ । ସବୁକାଳର କଥା କହିବାର ସାମର୍ଥ୍ୟ ରଖିଲେ ଚିରନ୍ତନ ।
୫. ଆପଣଙ୍କ ନିଜ ସୃଷ୍ଟି ମାଧ୍ୟମରେ ସମାଜକୁ କି ବାର୍ତ୍ତା ଦେବାକୁ ଚାହାନ୍ତି?
ମଂଗଳୁ ବିଶ୍ୱାଳ: ଦଶ ଜଣଙ୍କ ମଧ୍ୟରୁ ନଅ ଜଣଙ୍କ କ୍ରମ ନ ବୁ୍‌ଝିଲେ ଦଶମ ଜଣଟି ବେଂଗଳା ବାନ୍ଧି ପାରେ ନାହିଁ । ଜଣେ ଆଉ ଜଣଙ୍କଠୁ ବଡ଼ ନୁହେଁ କି ସାନ ନୁହେଁ । ଏତକ ହିଁ ମୋ, ସାହିତ୍ୟ ସୃଷ୍ଟିର ବାର୍ତ୍ତା ।
୬. ବର୍ତ୍ତମାନ ସାହିତ୍ୟ ଓ ସମାଜ ମଧ୍ୟରେ କେତେଦୂର ସମନ୍ୱୟ ରହିଛି ବୋଲି ଭାବନ୍ତି?
ମଂଗଳୁ ବିଶ୍ୱାଳ: ସହିତରେ ଥାଏ ବୋଲି ସାହିତ୍ୟ । ଏଣୁ ସମନ୍ୱୟ ରଖିବାକୁ ବାଧ୍ୟ । ମୁଁ ସେ ସମନ୍ୱୟ ରଖିଛି । ସାହିତ୍ୟ ତା’ବାଟରେ ଓ ସମାଜ ନିଜ ବାଟରେ ଗଲେ ସାହିତ୍ୟକୁ ବାଟ ମିଳିବ ତ?
୭. ସାହିତ୍ୟ ଆପଣଙ୍କୁ କ’ଣ ଦେଇଛି?
ମଂଗଳୁ ବିଶ୍ୱାଳ: ଏ ତ ଏକ ଭଲ ପ୍ରଶ୍ନ । ମୋର ପାଲଟା ପ୍ରଶ୍ନ ସତ୍ୟଜିତ ବାବୁ, ସାହିତ୍ୟ ମୋତେ କ’ଣ ନ ଦେଇଛି! ଗାଏମୋଟରେ ସବୁ ଦେଇଛି ।
୮. ଅତୀତର କେଉଁ ଘଟଣାଟି ଆପଣଙ୍କୁ ଅଧିକ ରୋମନ୍ଥନ କରିଥାଏ?
ମଂଗଳୁ ବିଶ୍ୱାଳ: ମୁଁ ଯେତେବେଳେ ୧୯୫୫ରେ ସଦ୍ୟ ବିବାହିତ ହୋଇ ମୋ ଜନମ ଜାଗା ଛାଡ଼ିଲି ଆଃ! ‘ପିତାପାଲି’ ଗାଁଟି ମୋର ମାଆ ପରି ହୀରାକୁଦ ଠେଲା ପାଣିରେ ବୁଡ଼ିଗଲା ।
୯. ସାହିତ୍ୟ ପ୍ରତି ଆପଣଙ୍କର ରୁଚି କିପରି ସୃଷ୍ଟି ହୋଇଥିଲା? ଏହାର ପଛରେ କାହାର ଉତ୍ସାହ ଓ ପ୍ରେରଣାକୁ ଶ୍ରେୟ ଦେବେ?
ମଂଗଳୁ ବିଶ୍ୱାଳ: ମୋ ଜନମ ଜାଗା ପିତାପାଲିରେ ପରମାତ୍ମା ପ୍ରକୃତି ହେବାକୁ ଲୋଭ ରଖୁଥିଲେ ଓ ପ୍ରକୃତି ପରାମାତ୍ମାଙ୍କ ପାଣି ହିଁ ମୋତେ ବାଣୀ ରାଇଜକୁ ଟାଣିଲା । ପ୍ରକୃତିର ପ୍ରେରଣା ଓ ଉତ୍ସାହକୁ ଶ୍ରେୟ ଦେବି ।
୧୦. ଆପଣଙ୍କର ପ୍ରଥମ ପ୍ରକାଶିତ ଲେଖା ପ୍ରକାଶ ପାଇବା ଦିନର ଅନୁଭୂତି?
ମଂଗଳୁ ବିଶ୍ୱାଳ: କଲିକତାରୁ ପ୍ରକାଶିତ ‘ଯୁଗଭାରତୀ’ ପତ୍ରିକାରେ ମୋର ସର୍ବପ୍ରଥମ କବିତା ‘ଧୂମାଳ’ ପ୍ରକାଶିତ ହୋଇଥିଲା । ସେ ଲେଖାଟିକୁ ଅତିକମ୍‌ରେ ଶହେ ଜଣଙ୍କୁ ଦେଖାଇଥିବି । ସେଦିନର ଆନନ୍ଦ ପାଇଁ ଭାଷା ନାହିଁ ।
୧୧. ସମ୍ବଲପୁରୀ ଭାଷା ସାହିତ୍ୟର ଭବିଷ୍ୟତକୁ କିପରି ଦେଖନ୍ତି? ଏଥିରେ ସାଧନା କରୁଥିବା ନୂତନ ପିଢ଼ିଙ୍କୁ ଆପଣ କଣ କହିବାକୁ ଚାହିଁବେ?
ମଂଗଳୁ ବିଶ୍ୱାଳ: ସମ୍ବଲପୁରୀ ଭାଷା ସାହିତ୍ୟର ଭବିଷ୍ୟତ ସମ୍ଭାବନାମୟ ନୂତନ ପିଢ଼ିଙ୍କୁ ମୋର ନିବେଦନ ଧୁମ୍ ପଢ଼ନ୍ତୁ ନିର୍ଧୁମ ଲେଖନ୍ତୁ ।
୧୨. ‘ଉଲ୍‌ଗୁଲାନ୍‌’ ନାଟକଟି ଏକ ଭିନ୍ନସ୍ୱାଦର ନାଟକ, ଏ ନାଟକ ଲେଖିବାର ପରିକଳ୍ପନା କିପରି କଲେ?
ମଂଗଳୁ ବିଶ୍ୱାଳ: ‘ଉଲ୍‌ଗୁଲାନ୍‌’ର ମୂଳ କଳ୍ପନାଟି ଡ. ଦ୍ୱାରିକାନାଥ ନାୟକଙ୍କ ମୁଁ ଭାଷା ଗ୍ରନ୍ଥିଛି ।
୧୩. ‘ଭୁଖା’ ଆପଣଙ୍କ ଗୋଟେ ବହୁଚର୍ଚ୍ଚିତ ନାଟକ । ଏ ନାଟକ ଲେଖିବାର ପୃଷ୍ଠଭୂମି ବିଷୟରେ କିଛି କୁହନ୍ତୁ?
ମଂଗଳୁ ବିଶ୍ୱାଳ: ‘ଭୁଖା’ ବଜନିଆମାନଙ୍କର ପାରଂପାରିକ ଦୁଲଦୁଲି ବାଜାର ଏକ କରୁଣତମ କାହାଣୀ । ନିଜ ଗାଁ ପିତାପାଲି ଏହାର ପୃଷ୍ଠଭୂମି ଏହିଠାରୁ ମୁଁ ଲେଖିବାର ପ୍ରେରଣା ପାଇଥିଲି ।
୧୪. ଆପଣ ଜଣେ ବିସ୍ଥାପିତ, ବିସ୍ଥାପିତଙ୍କର ଦୁଃଖ ବା ଯନ୍ତ୍ରଣାକୁ ନେଇ ଲେଖିଥିବା କୃତି ସଂପର୍କରେ…?
ମଂଗଳୁ ବିଶ୍ୱାଳ: ‘ପଚା ପାଣିର ଫେଣ’ ନାଟକ ଲେଖା ଧାରାବାହିକ ଭାବେ ଗଣଇସ୍ତାହାରରେ ପ୍ରକାଶିତ । ଏହା ବିସ୍ଥାପିତଙ୍କର ସମସ୍ୟାଙ୍କୁ ନେଇ ରଚିତ ।
୧୫. ଆଧୁନିକ କବି/ଲେଖକମାନେ ବାଦର ପ୍ରୟୋଗ ବ୍ୟାପକ ଭାବରେ କରିଛନ୍ତି । ଆପଣଙ୍କ ସାହିତ୍ୟରେ ସେମିତି କିଛି ପ୍ରଭାବ ପଡ଼ିଛି କି?
ମଂଗଳୁ ବିଶ୍ୱାଳ: ‘ବାଦ’ ଭିତରକୁ ଯିବାମାନେ ‘ବିବାଦ’ । ‘ବାଦ’ କଣ କି? ଅନୁଭବ ତ! ସାମାଜିକ ବାସ୍ତବତା ବୋଇଲେ ଲୋକଙ୍କ ଅବସ୍ଥା ତ?
୧୬. ଆପଣ ଜଣେ ଗୀତିକାର । ଆପଣଙ୍କ ହୃଦୟକୁ ଛୁଇଁଥିବା ଗୀତଟିଏ…?
ମଂଗଳୁ ବିଶ୍ୱାଳ: ଚାରିଶହରୁ ଉର୍ଦ୍ଧ୍ୱ ଗୀତ ଲେଖିଛି ଯାହା ଆକାଶବାଣୀରେ ପ୍ରସାରିତ ହୋଇଛି । ମୋର ପ୍ରିୟ ଗୀତ ‘ବଣୁଆ ପକ୍ଷୀ କିପରି ବୁଝିବି ସୁନା ପଂଜୁରୀର ମୂଲ… ।’
୧୭. ଆପଣଙ୍କ ଜୀବନକୁ କେଉଁ ବ୍ୟକ୍ତିତ୍ୱ ଅଧିକ ପ୍ରଭାବିତ କରିଛନ୍ତି?
ମଂଗଳୁ ବିଶ୍ୱାଳ: ସେ ହେଉଛନ୍ତି ରାମକୃଷ୍ଣ ମିଶ୍ର । ଗୁଣ ଚିହ୍ନେ ଗୁଣିଆ ପରି ସେ ମୋତେ ଚିହ୍ନିଥିଲେ । ତାଙ୍କ ବ୍ୟକ୍ତିତ୍ୱ ଦ୍ୱାରା ମୁଁ ଅଧିକ ପ୍ରଭାବିତ ।
୧୮. ଆପଣଙ୍କ ପ୍ରିୟ ପୁସ୍ତକ?
ମଂଗଳୁ ବିଶ୍ୱାଳ: ଯାହା ମୋ ହାତକୁ ଆସେ ତାକୁ ପଢ଼େ । ରାଜେନ୍ଦ୍ରଙ୍କ ‘ଅନ୍ୟା’, ରମାକାନ୍ତଙ୍କ ‘ଶ୍ରୀରାଧା’ ପାଖରେ ସବୁବେଳେ ଥାଏ ।
୧୯. ଭଲ ସାହିତ୍ୟର ସଜ୍ଞା କଣ ଦେବେ?
ମଂଗଳୁ ବିଶ୍ୱାଳ: ଯାହା ଭିତରକୁ ଭେଦେ ଓ କାଳ କାଳକୁ ବଂଚିବାର ଦମ୍ଭରଖେ… ।
୨୦. ମେଞ୍ଚାଏ ପୁରସ୍କାର ପାଇଥିବା ଲେଖକ ଓ କିଛି ପୁରସ୍କାର ପାଇନଥିବା ଭଲ ଲେଖକମାନଙ୍କୁ ଆପଣ କେଉଁ ଦୃଷ୍ଟିଭଂଗୀରେ ଦେଖିବେ?
ମଂଗଳୁ ବିଶ୍ୱାଳ: ଧାଡ଼ିରେ ଠିଆ ଅନେକଙ୍କ ଭିତରୁ ଜଣେ ପାଇଛି, ଆଉ ଜଣେ ପାଇ ନାହିଁ । ଏ ଦୁହିଙ୍କ ମଧ୍ୟରେ ଯେଉଁ ତଫାତ୍ ପୁରସ୍କାର ପାଇବା ନ ପାଇବା ପ୍ରସଂଗରେ, ସେତକ କଣ କହି ହେବନି? ହାତ ତଳେ କଲେ ପରା ମାନ ସହ ଅପ ହୋଇଯାଏ ।
ସଂକ୍ଷେପରେ ମଂଗଳୁ
ଜନ୍ମ: ୦୪ ମଇ ୧୯୩୫
ଗାଁ: ପିତାପାଲି, ସମ୍ବଲପୁର

ବାପା: ୰ ଶ୍ରୀବତ୍ସ ବିଶ୍ୱାଳ

ମାଆ: ୰ ଭଗବତୀ ବିଶ୍ୱାଳ

ବୃତ୍ତି: ଅବସରପ୍ରାପ୍ତ ଶିକ୍ଷକ
ଠିକଣା: ବାରଡୁମୁରି, ପରମାନପୁର, ସମ୍ବଲପୁର
…………………………….
ପ୍ରକାଶିତ ବହି: ଦରିଆ ପାରିର କବିତା,
ଅନନ୍ୟା,ପାଉଁଶ ତଳର ନିଆଁ,ମାଳଞ୍ଚ, ମନଲୀନା, ସୀମା, ଋତୁପର୍ଣ୍ଣା (କବିତା) ଅସ୍ତରାଗର କବି, ଅଗ୍ନିସମ୍ଭବା,ଅନ୍ୟଦିଗନ୍ତ, କଷ୍ଟ କଲେ କୃଷ୍ଣ ମିଳେ (ଗଳ୍ପ) ଚିନ୍ତାଚୈତନ୍ୟ ଗଦ୍ୟଗୌରବ, ପୃଥକ୍ ପରିଚୟ, ଚୟନିକା, ଭିନ୍ନ ବର୍ଣ୍ଣମାଳା (ପ୍ରବନ୍ଧ) ହଜିଲା ଦିନ, ବିରଳ ବିଷ୍ଣୁଶର୍ମା (ଜୀବନୀ) ରୋମ ରୂପସୀ (ଅନୁବାଦ) ଆଲୋ ନିଦ ମାଉସୀ ଆ, ଦେଖ କଇଁଛ କାଢ଼ିଛି ବେକ, ତୁମରି ପରି ପିଲାଟିଏ (ଶିଶୁ ସାହିତ୍ୟ) ଉପନାୟିକା, ପାହାଡ଼ର ସ୍ୱରଲିପି, ଗଛକୁ ହେଲା ଫଳ ଭାରୀ (ନାଟକ) ଭୁଖା, ଦଦରା ଦରପନ୍‌, ମାଁ ସମଲେଇ, ଉଲଗୁଲାନ, ସୁନ୍ଦରସାଏ, ଲୁରା, ବିର୍ସା ଭଗବାନ, ଗୁରି ଗାଆଁ, ଉଡ୍‌ଲା ପତର୍ ବୁଡ୍‌ଲା ଡଂଗା (ସମ୍ବଲପୁରୀ ନାଟକ)
…………………………..
ପୁରସ୍କାର:ସଂଗୀତ ସମ୍ନାନ, ଫତେହ ସେକ୍ରେଟାରି ସ୍କୁଲ ଉଦୟପୁର, ରାଜସ୍ଥାନ । ରାଷ୍ଟ୍ରପତି ପୁରସ୍କାର, ନୂଆଦିଲ୍ଲୀ । ଚଲାପଥ ସମ୍ନାନ, ଭୁବନେଶ୍ୱର । ନାଟକ ସମ୍ମାନ, ଦେବଗଡ ନାଟ୍ୟକଳା ସଂସଦ । ସମ୍ବଲପୁରୀ ସାହିତ୍ୟ ସମ୍ମାନ, ସମ୍ବଲପୁରୀ ଲେଖକ ସମାରୋହ, ବରଗଡ । ସାମଗ୍ରିକ ସାହିତ୍ୟ ସାଧନା- ଓଡିଶା ସାହିତ୍ୟ ଏକାଡେମୀ, ଫକୀର ମୋହନ ସାହିତ୍ୟଶ୍ରୀ ସମ୍ମାନ, ବାଲେଶ୍ୱର, ଗଂଗାଧର ପ୍ରତିଭା ସମ୍ମାନ, ବରପାଲି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମର୍ଯ୍ୟାଦାଜନକ ଡି.ଲିଟ୍ ଉପାଧି ।