‘ବ୍ୟସ୍ତତା ଭିତରେ ସର୍ଜନା’

ଫିଚର୍ସାହିତ୍ୟ ଓ ସଂସ୍କୃତି
ଜୀବନ ବ୍ୟସ୍ତବହୁଳ, କର୍ମମୟ ଓ ଜଂଜାଳମୟ । କାର୍ଯ୍ୟବ୍ୟସ୍ତତା ଯୋଗୁଁ କାହାରି ପାଖରେ ସମୟ ନାହିଁ । ସମସ୍ତେ ସମସ୍ତଙ୍କ କାମରେ ନିମଗ୍ନ । କିନ୍ତୁ ଚାକିରି ଓ ଜଂଜାଳମୟ ଜୀବନ ମଧ୍ୟରେ ସାମଞ୍ଜସ୍ୟ ରଖି, ତା’ରି ଭିତରେ ସାହିତ୍ୟ ସାଧନା କରିବା କେତେ ଯେ କଷ୍ଟକର ଜଣେ ଅନୁଭବୀ ହିଁ କହିି ପାରିବ । ସାଧନା ଅର୍ଥ ଏ ନୁହେଁ ଯେ, ସବୁ କାମ ଧନ୍ଦା ଛାଡ଼ି ଜଣେ କେବଳ ସାହିତ୍ୟ ରଚନାରେ ମଜ୍ଜି ଯିବା । ଜଣେ ଦୃଢ଼ ମନସ୍କ ଓ ସାହିତ୍ୟରେ ରୁଚି ରଖୁଥିବା ବ୍ୟକ୍ତି ମଧ୍ୟ ସୃଜନଶୀଳତା ସୃଷ୍ଟି କରି ପାରିବ । ଖାଇଲାବେଳେ, ଗାଧୋଇଲାବେଳେ, ଗାଡିରେ ଗଲାବେଳେ ଏପରିକି ଯେକୌଣସି କାର୍ଯ୍ୟ କରିବା ସମୟରେ ଉଙ୍କି ମାରୁଥିବା ଉପାଦାନଟି ହିଁ ସାହିତ୍ୟ ସର୍ଜନାରେ ଖୋରାକ ଯୋଗାଇଥାଏ । ପରେ ସେ ଉପାଦାନଟି ଲେଖନୀରେ ରୂପାନ୍ତରିତ ହୋଇଥାଏ । ସାହିତ୍ୟ ସାଧନା କରିବା ସମସ୍ତଙ୍କ ପକ୍ଷରେ କାଠିକର ପାଠ । ହେଲେ ସାହିତ୍ୟକୃତି ସୃଷ୍ଟି କରି ପାରିବା ଊଣାଅଧିକେ ସମସ୍ତଙ୍କ ପକ୍ଷରେ ସମ୍ଭବ । ଏଥିପାଇଁ କିନ୍ତୁ ସମୟ କାହା ପାଇଁ ୨୪ ଘଂଟାରୁ ଅଧିକ ହୋଇ ପାରିବ ନାହିଁ । ସେ ଭିଡ଼ ଭିତରେ ଥାଇ ସାହିତ୍ୟକୁୁ ଉଜ୍ଜୀବିତ କରି ଲୋକଲୋଚନକୁ ଆଣିବାର ପ୍ରୟାସ ଏବଂ ବାସ୍ତବିକ ଜୀବନରେ ଘଟୁଥିବା ଘଟଣାବଳୀକୁ ଲେଖନୀ ହେଉ କି ବକ୍ତବ୍ୟ ମାଧ୍ୟମରେ ତାହା ଲୋକଙ୍କ ପାଖରେ ପହଂଚି ପାରିଛି ନିଶ୍ଚିତ । ଏମିତି କାର୍ଯ୍ୟ ବ୍ୟସ୍ତତା ଭିତରେ ଜୀବନ ଜିଇଁ ସୃଜନଶୀଳତା ପ୍ରତି ରୁଚି ରଖିଥିବା 8 ଜଣ ବ୍ୟକ୍ତିଙ୍କୁ ନେଇ ଏଥରର ବିଶେଷ ଫିଚର ‘ବ୍ୟସ୍ତତା ଭିତରେ ସର୍ଜନା’
ରଂଜନ କୁମାର ଦାସ
ଜିଲ୍ଲାପାଳ, ଯାଜପୁର
୧) ବଂଚିବା ପାଇଁ, ପ୍ରେମ କରିବା ପାଇଁ, ନିଃଶ୍ୱାସ ପ୍ରଶ୍ୱାସ ନେବା ପାଇଁ, ନିତ୍ୟକର୍ମ ପାଇଁ କଣ ଆମେ ନିତିଦିନ ସ୍ୱତନ୍ତ୍ର ସମୟ ବ୍ୟବସ୍ଥା କରୁ ଆମ ରୁଟିନରେ? ଯେମିତି ସେମାନେ ନିଜ ନିଜ ସମୟ ନିଜେ କାଢ଼ି ନିଅନ୍ତି ସାରସ୍ୱତ ସାଧନା ସେଇଭଳି ତାର ନିଜ ସମୟ ସ୍ଥିର କରେ । ସାରସ୍ୱତ ପ୍ରକ୍ରିୟାରେ ଗର୍ଭଧାରଣ କରିବା ଓ ପ୍ରସବ କରିବା ଦୁଇଟି ପର୍ଯ୍ୟାୟ । ପ୍ରଥମଟି ପାଇଁ ସ୍ୱତନ୍ତ୍ର ସମୟ ଲୋଡ଼ା ପଡ଼େନି । ବସିଲାବେଳେ,ଶୋଇଲାବେଳେ, ଗାଡିରେ ଗଲାବେଲେ ଏପରିକି ଗାଧୁଆଘରେ, ପାଇଖାନାରେ ମଧ୍ୟ ଚମକ୍ରାର ଚିନ୍ତାଧାରା ସବୁର ଗର୍ଭାଧାନ ହୁଏ । ଦ୍ୱିତୀୟଟି ପାଇଁ ଅବଶ୍ୟ ସମୟ ବାହାର କରିବାକୁ ପଡ଼େ । କେବେକେବେ ପାହାନ୍ତାରୁ ଉଠି, କେବେକେବେ ଅଫିସରୁ ଫେରି ଢ଼େର ରାତିଯାଏ ବସିବାକୁ ପଡ଼େ । ଦିନେ ଦିନେ ଅଫିସରେ କାମରୁ ଟିକେ ଫୁରସତ୍ ମିଳିଲେ, ସେ ସମୟକୁ କାମରେ ଲଗେଇ ଦିଏ । ଅବଶ୍ୟ ଛୁଟିଦିନମାନଙ୍କରେ ଏ ବିଷୟରେ ଅଧିକ ସମୟ ଦେଇହୁଏ ।
୨) ଏ ଦୁଇଜଣ ସଉତୁଣୀ ଭଳି । କେହି କାହାକୁ ଦେଖି ସହି ପାରନ୍ତି ନି । ତଥାପି ଚେଷ୍ଟା କରିବାକୁ ପଡ଼େ ଯେମିତି କେହି କାହାରି ବ୍ୟାପାରରେ ହସ୍ତକ୍ଷେପ ନକରିବେ । ସାହିତ୍ୟ ଯୋଗୁ ସରକାରୀ କାର୍ଯ୍ୟରେ ଅବହେଳା କରି ଲାଂଛିତ ହେବାକୁ କେବେ ଚାହିଁନାହିଁ । ସରକାରୀ କାର୍ଯ୍ୟ ଯୋଗୁ ସାହିତ୍ୟ କେବେ ହତାଦର  ହେଉ ବୋଲି ମଧ୍ୟ ସୁଯୋଗ ଦେଇ ନାହିଁ । ସକାଳ ସଂଧ୍ୟା ଓ ସରକାରୀ ଛୁଟି ଦିନମାନଙ୍କରେ ଏକାନ୍ତ ବ୍ୟକ୍ତିଗତ ଓ ସାରସ୍ୱତ କାର୍ଯ୍ୟ ସବୁ କରେ । ଅନେକ ସମୟରେ ଅନୁଭବ କରିଚି ସରକାରି ଚାକିରୀରେ ସାହିତ୍ୟିକ ବା କଳାକାରମାନଙ୍କୁ ଉପରିସ୍ଥ ଅଧିକାରୀମାନେ ବରଦାସ୍ତ କରି ପାରନ୍ତିନି । ଅଧିକାଂଶ ବସ୍ ଚାହାନ୍ତି ନାହିଁ ତାଙ୍କ ଅଧସ୍ତନ କର୍ମଚାରୀ ତାଙ୍କଠାରୁ ଅଧିକ ସ୍ମାର୍ଟ, ଅଧିକ ଜ୍ଞାନୀ, ଅଧିକ ଚର୍ଚ୍ଚିତ ବା ଆଦୃତ ହେଉ । ତେଣୁ ଏ ବିଷୟରେ ମଧ୍ୟ ସଚେତନ ରହିବାକୁ ପଡ଼େ ।
୩) ସାହିତ୍ୟ ଅନେକ ସମୟରେ ସ୍ୱତଃସ୍ପୁର୍ତ ଭାବେ ବିନା ଉଦ୍ଦେଶ୍ୟରେ ବିନା ମତଲବରେ ହୁଏ । ମନ ଭିତରେ କେବଳ ଉଦ୍ଦେଶ୍ୟ ରଖି ସାରସ୍ୱତ ସୃଷ୍ଟି କଲେ ତାହା ରଚନା ହୋଇପାରେ ମାତ୍ର ସାହିତ୍ୟ ହେଇନପାରେ । ସାହିତ୍ୟ ସାଧନା କହିଲେ ପଢ଼ା ଓ ଲେଖା ଉଭୟକୁ ବୁଝାଏ । ପଢ଼ିବା ପଛରେ କଣ ବା ଉଦ୍ଦେଶ୍ୟ ଥାଏ? ହୁଏତ ଗୋଟିଏ ବିଶ୍ୱଦୃଷ୍ଟିର ଆହରଣ ଓ କିଛି ଉପଲବ୍ଧି । ସେଇଭଳି ଲେଖିବାର ଉଦ୍ଦେଶ୍ୟ ହେଇପାରେ ଆପଣଙ୍କ ଭିତରର ଭାବର ପରିପ୍ରକାଶ । ମତେ ଯେତେବେଳେ ଯାହା ଭଲଲାଗେ ବା ମନକୁ ଛୁଏଁ ମୁଁ ଭାବେ ଏକଥା ଅନ୍ୟମାନେ ଜାଣିଲେ ହୁଏତ ତାଙ୍କୁ ମଧ୍ୟ ଭଲ ଲାଗିପାରେ । ତେଣୁ ତାକୁ ମୁଁ ଲେଖିଦିଏ । ମାତ୍ର ଶଠାଚାର କରି ମୁଁ କେବେ କହିବି ନାହିଁ ଯେ ସମାଜରେ ଗୋଟେ ପରିବର୍ତ୍ତନ ଓ ପ୍ରସାରଣ ଯୋଗୁଁ ମୋ ହୃଦୟର କଥା ଆପଣଙ୍କ. . . କଥା ସାରା ବିଶ୍ୱ ଜାଣିବ । ଏମିତି ହଉହଉ ସମଭାବାପନ୍ନ ଲୋକମାନେ ଏକାଠି ହେବେ ଓ ବଂଧୁତାର ଡ଼ୋରରେ ବଂଧା ହୋଇ ରହିବେ ।
୪) ଏକଥା ହୁଏତ ପାଠକମାନେ ଲକ୍ଷ୍ୟ କରିଥିବେ । ସମାଲୋଚକ ସଂପାଦକମାନେ ହୁଏତ ସେସବୁ ବିଶ୍ଲେଷଣ କରିଥିବେ । ମୁଁ କେମିତି ଦିଶେ ସେକଥା ମୁଁ କେମିତି କହିବି? କାହାକୁ ହୁଏତ ଭଲ ଲାଗୁଥିବ, କାହାକୁ ଖରାପ? ଦେଖିବା ଲୋକର ଦୃଷ୍ଟିର ଯେମିତି ନିହିତ ଥାଏ ସୌନ୍ଦର୍ଯ୍ୟର ଅବବୋଧ ସେଇଭଳି ଲୋକଙ୍କ ଚେତନାରେ ଥିବ ମୋର ସ୍ୱର କଣ । ସେମାନଙ୍କଠାରୁ ଶୁଣିବା ବରଂ ଭଲ ହେବ । ତଥାପି କେହି କେହି କୁହନ୍ତି ମୋର ସ୍ୱର ରେମାଂଟିକ । ହୁଏତ ହେଇପାରେ । ମାତ୍ର ମୁଁ କହିବି ବାସ୍ତବ ଜୀବନଠୁ ରେମାଂଟିସିଜମ୍ କେବେ ଅଲଗା ନୁହେଁ । ମୁଁ ଯେମିତି ଭଲପାଏ, ମୁଁ ଯେମିତି ଦୁଃଖ ପାଏ, ଯେମିତି ମୁଁ ସ୍ୱପ୍ନ ଦେଖେ, ଯେମିତି ମୁଁ ଚାହେଁ ମୋ ଚାରିପଟର ସଂସାର ହେଇ ବୋଲି ସେସବୁକୁ ମୋ ବ୍ୟତୀତ ଅନେକେ ମଧ୍ୟ ସମାନଭାବେ ଚାହାନ୍ତି । ମୁଁ ସେଇମାନଙ୍କ କଥା କହେ… ସବୁ ମଣିଷର କଥା । ତାକୁ କେବଳ ରୋମାଂଟିକ କୁହାଯାଇ ପାରିବ ନି ବରଂ ରିଅଲିଜ୍ମ କୁହାଯାଇପାରେ ।
(୫) ସମକାଳୀନ ଓଡ଼ିଆ ସାହିତ୍ୟ ସଂଭାବନାମୟ । ଆମର ଗଳ୍ପ ଉପନ୍ୟାସ ସାହିତ୍ୟିରେ ଗୋପୀନାଥ ମହାନ୍ତି, କାହ୍ନୁଚରଣ, ମନୋଜ ଦାସ, ପ୍ରତିଭା ରାୟ, ଶାନ୍ତନୁ ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ ଆଦି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନିଜକୁ ପ୍ରତିପାଦିତ କରିଛନ୍ତି ।  କବିତା କ୍ଷେତ୍ରରେ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଜୟନ୍ତ ମହାପାତ୍ର, ହରପ୍ରସାଦ ଦାସ ଆଦି ମଧ୍ୟ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସ୍ୱୀକୃତ । ଅବଶ୍ୟ ବର୍ତ୍ତମାନ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ଲେଖୁଥିବା ଲୋକଙ୍କ ସଂଖ୍ୟା ସୀମିତ ମାତ୍ର ତାଙ୍କ ଭିତରୁ ଅନେକ ପ୍ରତିଶୃତିବାନ । ମାତ୍ର କବିତା କ୍ଷେତ୍ରରେ ଅନେକ କବିଙ୍କ ଉପସ୍ଥିତି ଓ ଆବିର୍ଭାବ ଏ କ୍ଷେତ୍ରକୁ ଅଧିକ ସଂଭାବନାମୟ କରିଚି । ଆଧୁନିକ ଓଡ଼ିଆ କବିତା ନିଜକୁ ଦୁର୍ବୋଧ୍ୟତାର ଅଭିଯୋଗରୁ ମୁକ୍ତ କରୁଚି । ଯାହା କୁହାଯିବା କଥା ଏବେ ସିଧାସଳଖ, ସ୍ପଷ୍ଟ ଓ ଶାଣିତ ଭାବେ କୁହାଯାଉଛି । ଆଉ ବକ୍ରୋକ୍ତି, ବୌଦ୍ଧିକତା ଓ ଟେକନିକ ଭିତରେ କବିତା ସୀମିତ ରହି ନାହିଁ । ଏହା ଏକ ଶୁଭଲକ୍ଷଣ । ଏତଦ୍ବ୍ୟତୀତ ଓଡ଼ିଶାର ଭାଷା ଓ ସାହିତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ହକଦାର ବୋଲି ଜାତୀୟସ୍ତରରେ ମତୈକ୍ୟ ସୃଷ୍ଟି ହୋଇଚି । ଏହା ଆମ ସାହିତ୍ୟର ଉଜ୍ଜ୍ୱଳତର ଭବିଷ୍ୟତକୁ ଇଂଗିତ କରୁଚି ।
ରକ୍ଷକ ନାୟକ
ଲୋକସଂପର୍କ ଅଧିକାରୀ
୧) କର୍ମମୟ ଜୀବନରେ ସାହିତ୍ୟକୁ କେବେ କର୍ମ ଭାବିନି । କର୍ମ ଭାବିିଥିଲେ କାହା ଦ୍ୱାରା କରେଇ ନିଆନ୍ତି । ଏହା ମୋ ପାଇଁ ବ୍ୟକ୍ତିଗତ ଆନନ୍ଦ । ତେବେ ଅନ୍ୟ କର୍ମଗୁଡିକ ସମୟ ନେଲାପରେ ଯାହା ବଳେ ସେଥିରୁ ସାରସ୍ୱତ ସାଧନା ପାଇଁ ଦିଏ । ଅବଶ୍ୟ ସାଧନା କହିଲେ ଯେଉଁ ଏକାଗ୍ରତା କଥା ଆସେ ତାହା ମୋର ନାହିଁ । ସାଂସାରିକ କାମ ପରେ, ଯେଉଁ ସମୟ ମିଳେ, ଲେଖେ ଓ ପଢ଼େ । ସାଂସାରିକ କାର୍ଯ୍ୟ ପ୍ରକିୟାରେ ଅନେକ ଚିତ୍ର, ଚରିତ୍ର, ଘଟଣା, ଦୁର୍ଘଟଣା, ଅନୁଭବ, ଅନୁଭୂତି, ଅଭିଜ୍ଞତା ମୋ ଲେଖାକୁ ପରିପୁଷ୍ଟ କରେ । ତେଣୁ ସେ ସମୟ ମଧ୍ୟ ସାଧନାର ସମୟ ନୁହେଁ ବୋଲି କହିବେନି । ଏବେ ପ୍ରାୟତଃ ଭୋରରୁ ଲେଖୁଛି ଓ ରାତିରେ ପଢୁଛି ।
୨) ଚାକିରି ଅବହେଳା କଥା, ତାକୁ ଅବହେଳା କରି ହେବନି । ଚାକିରି ଯାହା ସମୟ,ଶକ୍ତି ଓ ସାମର୍ଥ୍ୟ ଲୋଡ଼େ; ତାକୁ ଦେଇଦିଏ । ସେଠୁ ସମୟ ଚୋରି କରେନି, ସେଠୁ ଯାହା ବଳିଲା; ସାହିତ୍ୟକୁ ଦିଏ । ପରିବାର ପାଇଁ ସମୟରୁ କିଛି କାଟିବାକୁ ହୁଏ । ମୋ ଚାକିରୀର, ସାହିିତ୍ୟ ସହିତ ଟିକେ ସଂପର୍କ ଥିବାରୁ ଟିକେ ସହଜ ହୁଏ ।
୩) ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପୂର୍ବରୁ ମୁଁ ସାହିତ୍ୟରେ । ତେବେ ଏବେ ସମୀକ୍ଷା କରି ଜାଣୁଛି; ମୁଁ ପିଲାଟିବେଳୁ ଅନ୍ତର୍ମୁଖୀ । ତେଣୁ ସାହିତ୍ୟ ମୋ ପ୍ରକାଶର, ମାଧ୍ୟମ ହୋଇଛି । ମୋ ଭାବ, ଅନୁଭବ, ଆବେଗ, ଦୃଷ୍ଟିକୋଣକୁ ଅନ୍ୟମାନଙ୍କ ସହ ବାଂଟିବା ମୋର ଉଦ୍ଦେଶ୍ୟ । ବ୍ୟକ୍ତିଗତ ଅନୁଭବଟି ଗ୍ରହଣୀୟ ହେଲେ ଆନନ୍ଦ ଲାଗେ ।
୪) ମୁଁ ମୁଖ୍ୟତଃ କବିତା ଲେଖେ । ମୋ କବିତାର ସ୍ୱର, ପ୍ରତିକ୍ରିୟା । ମୋ ସମୟ ମୋ ଆଖପାଖର ପୃଥିବୀର ବିଶ୍ଲେଷଣ,ଅନୁଶୀଳନ ଓ ମୋର ମତାମତ । ମତେ ଯାହା ଯେମିତି ଦିଶେ ମୁଁ ତାକୁ ଲେଖେ । ମୋର ମୁଖ୍ୟ ସ୍ୱର ହେଉଛି ଅନ୍ୱେଷଣ । ପ୍ରଶ୍ନ ପଚାରିବାର ପ୍ରକ୍ରିୟା ।
୫) ସାଂପ୍ରକିତ ଓଡ଼ିଆ ସାହିତ୍ୟ ଠିକଣା ବାଟରେ ଯାଉଛି । ଏହା ଯେ କୌଣସି ଜାତୀୟ, ଅନ୍ତର୍ଜାତୀୟ ଭାଷା ସାହିତ୍ୟର ସମସ୍ପର୍ଧୀ । ମତେ ବହୁ ସମସାମୟିକ ଲେଖକ ଆଲୋକିତ କରୁଛନ୍ତି । ଏହା ମୋର ବ୍ୟକ୍ତିଗତ ମତ । ତେବେ ମୁଁ ସାହିତ୍ୟର ଛାତ୍ର ନୁହେଁ କି ପଢ଼ାପଢ଼ି ମଧ୍ୟ ବ୍ୟାପକ ନୁହେଁ । ତେଣୁ ସାମଗ୍ରିକ ଆକଳନ ପାଇଁ ମୁଁ ଅସମର୍ଥ । ଲେଖକ ଭଲ ଅଛନ୍ତି, ଆହୁରି ପାଠକ ଦରକାର ବୋଲି ମୋର ଧାରଣା ।
ଗୋକୁଳାନନ୍ଦ ସାହୁ
ପୋଲିସ ଅଧିକାରୀ
୧) ସମଗ୍ର ଜୀବନ ହିଁ ତ କର୍ମମୟ, ଜଂଜାଳମୟ । ଜୀବନର ଗତାନୁଗତିକ ଗତି ଭିତରେ ହିଁ ସମୟ ବାହାର କରିବାକୁ ପଡ଼ିଥାଏ । ଆଉ ସାରସ୍ୱତ ସାଧନା ପାଇଁ ବିଶେଷ ସମୟର ଜରୁରୀ ମୁଁ ମନେ କରେନି । ଖାଇଲାବେଳେ, ଗାଧୋଇଲା ବେଳେ କିମ୍ବା ଗାଡ଼ିରେ ଗଲାବେଳେ ମନ ହାଇଁ ପାଇଁ ହେଉଥାଏ ସାହିତ୍ୟ ସର୍ଜନା ପାଇଁ । ତେଣୁ ଦିନର ୨୪ ଘଂଟା ଭିତରୁ ଶୋଇବା ସମୟକୁ ବାଦ ଦେଲେ,ବାକି ସମୟ ତକ ଅନ୍ୟ କାମମାନଙ୍କ ସହ ସମାନ୍ତରାଳ ଭାବରେ ସାହିତ୍ୟ ସାଧନାରେ ଦେଇ ହୋଇଥାଏ ।
୨) ହୁଏତ ଯାହାର ବୃତି ଓ ପ୍ରବୃତି ସମାନ,ତା’ ପାଇଁ କୌଣସି ସାମଂଜସ୍ୟତାର କାରଣ ନଥାଏ । ତଥାପି ମଧ୍ୟ ଅନ୍ୟ ବୃତିରେ ସାହିତ୍ୟ ସାଧନା ପାଇଁ କୌଣସି ବାଧା ବିଘ୍ନ ନଥାଏ । ଦୃଢ଼ ମନୋବଳ ହିଁ କେବଳ ସାହିତ୍ୟ ସାଧନା କାହିଁକି ଅନ୍ୟ କୌଣସି କାର୍ଯ୍ୟର ମାପକାଠି ହୋଇଥାଏ । ତେଣୁ ଚାକିରୀ ତା ବାଟରେ ଥାଏ ଏବଂ ସାହିତ୍ୟ ତା’ବାଟରେ; କେହି କା’ ପାଇଁ ବାଧକ ହୋଇନଥାନ୍ତି । ସାହିତ୍ୟ ସାଧନା ଏକ ବାଧ୍ୟ ବାଧକତାର ପ୍ରବୃତି ନୁହଁ ବରଂ ଏହା ଏକ ସୁସ୍ଥ ମାନସିକତାର ପ୍ରତିଫଳନ । ତେଣୁ ଚାକିରୀରେ ମଧ୍ୟ ମୁଁ କର୍ମାନୁଧ୍ୟାୟୀ ଏବଂ ସାହିତ୍ୟ ସାଧନାରେ ମଧ୍ୟ ଜଣେ ଅନୁସନ୍ଧିତ୍ସୁ ।
୩) କୌଣସି ଉଦ୍ଦେଶ୍ୟ ରଖି ମୁଁ ସାହିତ୍ୟ ସାଧନା କରେ ନାହିଁ । କାହାକୁ ଚିତ୍ର ଆଙ୍କିବାକୁ ଭଲ ଲାଗୁଥିବା ବେଳେ କାହାକୁ ମୂର୍ତ୍ତି ଗଢ଼ିବାକୁ ଭଲ ଲାଗେ ତ ଆଉ କାହାକୁ କ୍ରିକେଟ ଖେଳିବାକୁ । ମୋର ରୁଚି ଭିତରେ ଏହା ହେଉଛି ପ୍ରମୁଖ ରୁଚି । ତେଣୁ ସାହିତ୍ୟରେ ମୁଁ ମନୋନିବେଶ କରିଥାଏ ।
୪) ମୋ ସୃଷ୍ଟିରେ ମୁଁ ସମାଜକୁ କିଛି ବାର୍ତ୍ତା ଦେବାକୁ ଚାହିଁଥାଏ । ବେଳେବେଳେ ଏହା କିଛି ମାତ୍ରାରେ ବାଟ ହୁଡ଼ି ପ୍ରେମର ଝରଣା ହୋଇ ବହି ଯାଇଥାଏ । ତଥାପି ମୁଁ ଭାବେ,ଯେଉଁ ଲେଖା ସମାଜକୁ କିଛି ବାର୍ତ୍ତା ଦିଏ ନାହିଁ, ପ୍ରଭାବିତ କରିପାରେ ନାହିଁ,ତାହା ସାହିତ୍ୟର ସଜ୍ଞାର ଅବମୂଲ୍ୟାୟନ କରିଥାଏ । ତେଣୁ ସମାଜକୁ ଦୋହଲାଇ ଦେଲା ଭଳି ନହେଲେ ମଧ୍ୟ, ଯଦି କିଛି ମାତ୍ରାରେ ସାମାଜିକ ସଂସ୍କାର ଆଣିଥାଏ, ତା’ହେଲେ ସାହିିତ୍ୟ ସର୍ଜନାର ସାର୍ଥକତା ରହିଥାଏ ।
୫) ସାଂପ୍ରତିକ ଓଡ଼ିଆ ସାହିତ୍ୟ ବହୁତ ଉଚ୍ଚକୋଟୀର । ସାହିତ୍ୟର ମହାରଥୀମାନଙ୍କର କଲମ ଓ ଏବେ ଚଳଚଂଚଳ; ତଥାପି ଆମର ସମସାମୟିକ ଲେଖକ ଓ ପ୍ରବୀଣମାନଙ୍କର ଲେଖା ସବୁ ଚମକ୍ରାର ଲାଗୁଛି । ଓଡ଼ିଆ ସାହିତ୍ୟର ବିକାଶ ଧାରା ଆଗକୁ ମାଡ଼ି ଚାଲିଛି । କିଛି ମୁଷ୍ଟିମେୟ ଲେଖକଙ୍କର ଲେଖନୀ ଭିିତରେ ଓଡ଼ିଆ ସାହିତ୍ୟ ଆଉ ବନ୍ଦୀ ହୋଇ ରହି ନାହିଁ,ଏହା ସାର୍ବଜନୀନ ହୋଇ ସାରିଛି ଏବଂ ଲେଖକମାନଙ୍କର ମାନସିକତାରେ ମଧ୍ୟ ବିରାଟ ପରିବର୍ତ୍ତନ ଦେଖା ଦେଇଛି । ବର୍ତ୍ତମାନର ସାହିତ୍ୟ ଅର୍ଥୋଡକ୍ସ ସାହିତ୍ୟଠାରୁ ବହୁ ଦୂରରେ । ଓଡ଼ିଆ ସାହିତ୍ୟର ଔଜ୍ଜ୍ୱଲ୍ୟ ବହୁ ଦୂରରୁ ବହୁ ଦୂରକୁ ଦେଖା ଯାଉଛି । ଏଥିରେ ଦ୍ୱିରୁକ୍ତି ହେବାର ନାହିଁ ।

ଶାନ୍ତନୁ କୁମାର ପୃଷ୍ଟି
ପୂର୍ବତନ ପ୍ରମୁଖ ବିପଣନ ଅଧିକାରୀ,
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

୧) କର୍ମମୟ ଜୀବନ ଭିତରେ ସାରସ୍ୱତ ସାଧନା କରିବା ପାଇଁ ସମୟ ନାହିଁ…ସେ ବହୁତ ବଡ଼ କଥା । ସାହିତ୍ୟ, ସଂସ୍କୃତି,କଳା ପ୍ରତି କେବଳ ଆଦର ଓ ସମ୍ମାନ ଛଡ଼ା ବେଳେବେଳେ ମୁଁ ଅନୁଭବ କରେ ସେ ଯେମିତି ମୋର ଦୁର୍ବଳତା । କର୍ମ ବହୁଳ ଜୀବନ ଯାତ୍ରାର ମୁଁ ଏକ ଅନୁରାଗୀ ସାହିତ୍ୟ ପ୍ରେମୀ କେବଳ । କର୍ମ ହିଁ ମୋର ସାଧନା, କର୍ମ ହିଁ ମୋର ଧର୍ମ । ତା’ରି ଭିତରେ ସାହିତ୍ୟ ପଢ଼ା କୁହନ୍ତୁ ବା ରଚନା କୁହନ୍ତୁ । ସାଧନା ଏକ ଉଚ୍ଚ ସୋପାନର କଥା । ପ୍ରଥମେ ରୁଚିର ଆବଶ୍ୟକତା ଅଛି । ତା’ପରେ ରୁଚିର ନିରନ୍ତର ନିବିଡ଼ ଲାଳନପାଳନର ଆବଶ୍ୟକତା । ତା’ପରେ ପାଠକ ଓ ପଠନ । ଏହା ପରବର୍ତ୍ତୀ ସୋପାନ ବୋଧେ ଆବଶ୍ୟକ କରେ ଦୀକ୍ଷିତ ପାଠକ ହେବାର । ଏକ ଦୀକ୍ଷିତ ପାଠକ ହିଁ, ସାହିତ୍ୟ ସର୍ଜନାକୁ ଉଚିତ ମୂଲ୍ୟାଙ୍କନ କରିପାରିବ । ଏହା ପରବର୍ତ୍ତୀ ଅବସ୍ଥାରେ ଜଣେ ସାହିତ୍ୟିକ ସାହିତ୍ୟ ସାଧନାରେ ବ୍ରତୀ ହୋଇପାରେ । ଏହି ଅବସ୍ଥା କ୍ରମବର୍ଦ୍ଧିଷ୍ଣୁ ହେଲେ ଆଉ ଏକ ବୌଦ୍ଧିକ ଆବେଗର ବଶବର୍ତ୍ତୀ ହେବାକୁ ପଡ଼େ । ଏବଂ ସେହି ଅବସ୍ଥାର ଅଦ୍ଭ୍ୟୁଦୟ ହିଁ ସାହିତ୍ୟ ସାଧନା । ତେଣୁ ସତରେ ସମୟ କାହିଁ ଏ ଅବସ୍ଥାରେ ପହଂଚିବା ପାଇଁ ଇଚ୍ଛାଥିଲେ ବି…କେବଳ ରୁଚିକୁ ବଂଚାଇ ରଖିଛି ।
୨) ଏ ଦୁଇଟା ଯାକ ପରସ୍ପର ବିରୋଧୀ ନୁହଁ । ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ଆଦର୍ଶ ଓ ମୂଲ୍ୟବୋଧ ସାଥରେ ବିଶେଷ ସାଲିସ ନ କରି ନିଜର କର୍ତ୍ତବ୍ୟ, ଦାୟ ଓ ଦାୟିତ୍ୱକୁ ସୂତାରୁରୂପେ ସଂପାଦନା କରିବା ଏବ ବଡ଼ ଆହ୍ୱାନ । ଏହା ବେକଳ ଅନୁଭବ ନୁହେଁ, ମୋର ଉପଲବ୍ଧି । ଏଭଳି ଏକ ଯାନ୍ତ୍ରିକ ଜୀବନଯାତ୍ରାରେ ମୋର ଯଦି କିଛି ଅଭାବବୋଧର ଅନୁଭବ ଅଛି, ତାହେଲେ ସେ ହେଲା ସମୟ । ମୋତେ ଏମିତି ଲାଗେ ଯେମିତି ସମୟ ଚାଲି ଯାଉଛି ଆଉ ମୁଁ ହୁଏତ ସମୟ ଥିଲେ ଆଉ କିଛି ସୃଜନଶୀଳ କାମ କରିପାରିଥାନ୍ତି । ଏହି ମାନସିକତା ଭିତରେ ମୋତେ ମୋଟାମୋଟି ସମୟକୁ ସାଉଁଟିବାକୁ ପଡ଼େ । ଦରକାର ପଡିଲେ ଚୋରାଇବାକୁ ପଡ଼େ… ଠିକ ସେତିକି ସମୟ ଯାହାକି ମୋତେ ସୃଜନ ମନସ୍କ କରିବାକୁ ସକ୍ଷମ ହେବ । ଆପଣ ଯେଉଁ ସାମଞ୍ଜସ୍ୟ କଥା ପଚାରୁଛନ୍ତି ସେଭଳିଆ ଅବସ୍ଥା ମୁଁ କେବେ ଅନୁଭବ କରିନି । ଯଦି ଚାକିରି ଓ ସାହିତ୍ୟ ସାଧନା ପାଖାପାଖି ଥାଆନ୍ତା ତାହେଲେ ହୁଏ ତ ସାମଞ୍ଜସ୍ୟ ରକ୍ଷା କରିବାର ପ୍ରଶ୍ନଟା ପ୍ରାସଂଗିକ ହୋଇଥାନ୍ତା ।
୩) ମୁଁ ତ ଆଗରୁ କହି ସାରିଛି ଯେ, ମୁଁ ସାହିତ୍ୟର ସାଧକ ନୁହେଁ । ମୁଁ ଜଣେ ସାହିତ୍ୟରେ ରୁଚି ରଖୁଥିବା, ସାହିତ୍ୟକୁ ସମ୍ମାନ କରୁଥିବା ଓ ସାହିତ୍ୟକୁ ଭଲ ପାଉଥିବା ମଣିଷଟିଏ । ଏହାରି ଭିତରେ ଖୁବ ଅଳ୍ପ ଲେଖେ । କିନ୍ତୁ ମୋର କର୍ମକ୍ଷେତ୍ରରେ ମୋର ସମସ୍ତ ସୃଜନଶୀଳତା ବିନିଯୋଗ ହୋଇ ଆସୁଛି । ଏହି ଉତ୍ସର୍ଗର ସ୍ୱୀକୃତି ବି ମିଳିଛି ଅନେକାଂଶରେ । ମୋ ମତରେ କେବଳ ସାହିତ୍ୟ ରଚନା, ସର୍ଜନା ହିଁ ଯେ କେବଳ ସାହିତ୍ୟ ସାଧନା ତା’ ନୁହେଁ ବରଂ ସାହିତ୍ୟ ପଠନ ଓ ରୁଚିକୁ ଉଜ୍ଜୀବିତ କରି ରଖିବା ବି ଏକ ପ୍ରକାର ସାଧନା । ମୁଁ ଯଦି ଏହି ସାଧନାକୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଜାୟ ରଖିବି ତାହେଲେ ନିଜକୁ କୃତାର୍ଥ ମନେ କରିବି ।
୪) ପ୍ରେମ । ପ୍ରେମ ହିଁ ଜୀବନ । ପ୍ରେମ ବିନା ଜୀବନ ଅପୂର୍ଣ୍ଣ । ଏକ ପ୍ରେମ ମନସ୍କ ନିରୋଳା ଭଲ ପାଇବା ମଣିଷଟିଏ ଦେଖିବାକୁ ମିଳେନା । ମୁଁ ଯେତେବେଳେ ପ୍ରେମ କଥା କୁହେ,‘କ୍ଷକ୍ଟଙ୍ଖର ଲସକ୍ଷକ୍ଷରୟ ଗ୍ଦଗ୍ଧବଗ୍ଧର’ର କଥା କହେ । ସେତେବେଳେ ମଣିଷ ଯେମିତି ସମସ୍ତଙ୍କୁ ଭଲପାଏ, ସୃଷ୍ଟିକୁ, ସର୍ଜନାକୁ । ଏକ ପ୍ରେମସିକ୍ତ ଆବେଗକୁ ମୁଁ ଯେମିତି ଜୀବନର ଅତି ମୂଲ୍ୟବାନ ସଂପଦ ଭଳି ଅନୁଭବ କରିଛି । ଜୀବନରେ ସେଇ କିଛି ସ୍ମୃତିକୁ ମୁଁ ଖୁବ୍ ଯତ୍ନ ସହ ସାଇତି ରଖିଛି । ଏବଂ ସେଇ ଉତ୍ସରୁ କେବେକେବେ ଉଙ୍କିମାରେ ଏକ ଆବେଗାପ୍ଲୁତ ମାନସିକତା ଏବଂ ସେଥିରୁ ସୃଷ୍ଟି ହୁଏ କିଛି ସଂଯୋଜିତ ଶଦ୍ଦ ବା ଧାଡ଼ି । ଯାହା ବି କିଛି ମୁଁ ଚାହିଁଛି ବା ଲେଖିଛି ତାହା ପ୍ରେମ ପ୍ରେରିତ ସୃଜନଶୀଳତା ।
୫) ସାଂପ୍ରତିକ ଓଡ଼ିଆ ସାହିତ୍ୟର ବହୁତ ପ୍ରାସଂଗିକତା ଅଛି । ବର୍ତ୍ତମାନ ସମୟ ଆସିଛି ସାହିତ୍ୟକୁ ପ୍ରାସଂଗିକ ଓ ଲୋକାଭିମୁଖୀ କରିବାରେ । ସାହିତ୍ୟ ସମକାଳୀନ ଓ ପ୍ରାସଂଗିକ ହେବା ଉଚିତ । ଆଜିର ଜୀବନଚର୍ଯ୍ୟା ଆବେଗାଭିମୁଖୀ ବା ଆବେଗ ଦ୍ୱାରା ପ୍ରେରିତ ନୁହେଁ । ‘ ଡର କ୍ଷସଙ୍ଖର ସଦ୍ଭ ବ ଳଦ୍ଭକ୍ଟଙ୍ଗକ୍ଷରୟଶର ୟକ୍ସସଙ୍ଖରଦ୍ଭ ବଦ୍ଭୟ ସଦ୍ଭଲକ୍ଟକ୍ସଜ୍ଞରୟ ଗ୍ଦକ୍ଟମସରଗ୍ଧଚ୍ଚ, ଙ୍ଗଷରକ୍ସର ରଜ୍ଞକ୍ଟଗ୍ଧସକ୍ଟଦ୍ଭ ସଗ୍ଦ ଦ୍ଭକ୍ଟଗ୍ଧ ଗ୍ଧଷର ଗ୍ଦକ୍ଟକ୍ଷର ୟରଗ୍ଧରକ୍ସଜ୍ଞସଦ୍ଭବଦ୍ଭଗ୍ଧ’. ତେଣୁ ସାହିତ୍ୟକୁ ସମୁଚିତ ସମ୍ମାନ ସହ ବଂଚାଇ ରଖିବା ଏବଂ ତାକୁ ସମକାଳୀନ ଓ ପ୍ରାସଂଗିକ କରିବା, ଆଜିର ସାହିତ୍ୟିକମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ।

କୁଳମଣି ବିଶ୍ୱାଳ
ଫିନାନ୍ସ ଡିରେକ୍ଟର, ଏନଟିପିସି

୧) ସତ କହିବାକୁ ଗଲେ ମୁଁ ଏତେବଡ଼ କବି ବା ସାହିତ୍ୟିକ ନୁହେଁ । ମୁଁ ସମସ୍ତ ସମୟ ମୋର କର୍ମ ପାଇଁ ଦେଇଥାଏ । ସେଇ ବ୍ୟସ୍ତ ବହୁଳ ଜୀବନ ଭିତରେ ରାସ୍ତାରେ ଗଲାବେଳେ ବା ଫ୍ଲେନ୍ ବସିଥିବା ବେଳେ ମୁଁ ଯଦି ଏକୁଟିଆ ବସିଥାଏ ତେବେ ମୋ ଡାଏରୀଟିକୁ ବାହାର କରି କିଛି ଲେଖି ବସେ । ଗନ୍ତବ୍ୟସ୍ଥଳରେ ପହଂଚିଗଲା ପରେ ମୋର ଲେଖା ବନ୍ଦ ହୋଇଯାଏ । ପୁଣି ମୁଁ ହଜିଯାଏ ମୋର କର୍ମମୟ ଜୀବନରେ ।
୨) ମୋର ଚାକିରି ସହିତ ସାହିତ୍ୟର କୌଣସି ସାମଞ୍ଜସ୍ୟ ନାହିଁ । ମୁଁ ଜଣେ ବାଣିଜ୍ୟର ଛାତ୍ର ଏବଂ ବିତ୍ତ ନିର୍ଦ୍ଦେଶକ । କଂପାନୀର ବିତ୍ତିୟ ଦରକାରିତାକୁ ନିଷ୍ଠାର ସହିତ ପୂରଣ କରିବା, ବଳକା ଅର୍ଥକୁ ବିଭିନ୍ନ ଲାଭଜନକ ଉପକ୍ରମରେ ଲଗାଣ କରିବା ଏବଂ କଂପାନୀର ଏକାଉଂଟକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରିବା ମୋର କାମ । ଏଇସବୁ କାମ ଭିତରେ ମୁଁ ଯେବେ ବି ସମୟ ପାଏ ସାହିତ୍ୟ ସାଧନରେ ଉପଯୋଗ କରେ ।
୩) ମୁଁ ମୋ ଭାଷାକୁ ଅତ୍ୟନ୍ତ ଭଲ ପାଏ । ଋଦ୍ଧିମନ୍ତ ଓଡ଼ିଆ ସାହିତ୍ୟକୁ ଲୋକ ଲୋଚନକୁ ଆଣିବା ମୋର ଲକ୍ଷ୍ୟ । ଏଣୁ ଯେଉଁ ସ୍ଥାନରେ ସାହିତ୍ୟ ଆଲୋଚନା ହେଉଥାଏ, ନିମନ୍ତ୍ରଣ ପାଇବା ମାତ୍ରେ ହିଁ ଯୋଗ ଦେବା ପାଇଁ ପ୍ରୟାସ କରେ । ବିଶେଷ କରି ମହା କବିମାନଙ୍କର କୃତି ଗୁଡିକ( କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ଅଭିମନ୍ୟୁ ସାମନ୍ତ ସିଂହାର, ପ୍ରକୃତି କବି ଗଂଗାଧର ମେହେର) ଲୋକ ଲୋଚନକୁ ଆଣିବା ଏବଂ ଓଡ଼ିଆ ସାହିତ୍ୟର ମୌଳିକତା ବଜାୟ ରଖିବା ମୋର ସାହିତ୍ୟ ସାଧନାର ମୁଖ୍ୟ ଉଦ୍ଦେଶ୍ୟ ।
୪) ପ୍ରେମ, ପକୃତି, ପ୍ରତାରଣା ଏବଂ ପରିବେଶକୁ ନେଇ ମୋର କବିତା ଗୁଡିକ ସୃଷ୍ଟି ହୋଇଥାଏ ।
୫) ସାଂପ୍ରତିକ ଓଡ଼ିଆ ସାହିତ୍ୟ ଉପରେ ମତ ଦେବାକୁ ମୁଁ ନିଜକୁ ଉପଯୁକ୍ତ ମନେ କରୁ ନାହିଁ କାରଣ କର୍ମମୟ ଜୀବନ ମଧ୍ୟରେ ମୁଁ ସାଂପ୍ରତିକ ଓଡ଼ିଆ ସାହିତ୍ୟକୁ ଭଲ ଭାବରେ ଦେଖି ପାରିନାହିଁ । ତେବେ ଏତିକି କହି ପାରିବି, ଆମେ ଆମ ସାହିତ୍ୟର ମୌଳିକତା ରକ୍ଷା କରି ପାରିଲେ ବିଶ୍ୱ ଦରବାରରେ ଓଡ଼ିଆ ସାହିତ୍ୟ ଆଦୃତ ହେବ ।

ଡମ୍ବରୁଧର ପଟ୍ଟନାୟକ
ବାଣିଜ୍ୟକର ବିଭାଗ, ରାୟଗଡ

୧) ସରକାରୀ ଚାକରର ଆଉ ଛୁଟି କେତେବେଳେ, ସେଇ ରାତି ଘଡିକ ହିଁ । ଘଡିକରେ ତ ସାହିତ୍ୟ ସାଧନା ହେଇପାରେନା । ମନ ଭିତରେ ଥିବା ଅବଶିଷ୍ଟ ଆବେଗ(ଅଫିସ୍ରୁ ଫେରିବା ପରେ ଯଦି କିଛି ବଳକା ଥାଏ)କୁ ଶବ୍ଦରୂପ ଦେଉ ଦେଉ ସେତକ ସରିଯାଏ । କାରଣ ବହୁ ଚିନ୍ତା-ଚେତନା ଅଫିସ୍ ସମୟ ଭିତରେ ମନକୁ ଆସେ ଓ ଚାଲିଯାଏ । ସବୁକୁ ଧରି ରଖି ହୁଏନା, ସମୟାଭାବରୁ । ତେଣୁ ସାଧନା ନାମକ ବିଷୟ ପାଇଁ ଏ ଲେଖକର ଜମା ସମୟ ନାହିଁ । ଏଣୁ ଯାହାକିଛି ଲେଖାହୁଏ ତାହା ରାତିରେ ହିଁ ହୁଏ ।
୨) ବିବାହିତ ଲୋକ ଲୁଚିଛପି ପ୍ରେମ କଲାପରି । ଏପଟେ ଚାକିରି ପରି ବନ୍ଧନ ସେପଟେ ବୈବାହିକ ବନ୍ଧନ । ଚାକିରିକୁ ତ ପେଟପାଟଣା ପାଇଁ ଜଗିବାକୁ ପଡେ, ଜଗିବାକୁ ପଡେ ବି ଅଧିକାରୀଙ୍କୁ-ତାଙ୍କ ମିଞ୍ଜାସକୁ-ତାଙ୍କ ତାଗିଦାକୁ । ସବୁ କାମରେ ସମୟ ବାଡ, ବାଡ ଡେଇଁଲେ ବେଡିର ଭୟ । ସେପଟେ ସଂସାରକୁ ବି ଜଗିବାକୁ ହେବ । ସାହିତ୍ୟ ପ୍ରେମରେ ମାତି ସହଧର୍ମିଣୀକୁ ତ ଅଣଦେଖା କରିହେବ ନାହିଁ । ତାରି ଭିତରେ ସାହିତ୍ୟ ଚାଷ ହୁଏ । ତେବେ ସେ ଚାଷରେ ପ୍ରତ୍ୟାଶିତ ସୁଖ ଅଳପ ତ ଅବଶୋଷ ଅନେକ । କିଛି ସାହିତ୍ୟିକ ପ୍ରାପ୍ତି, ବେଶ୍ କିଛି ଅପ୍ରାପ୍ତି ଭିତରେ ଜୀବନ ବଂଚିବାକୁ ହୁଏ, ବିଶେଷ କରି କିରାଣୀ ଚାକିରିରେ ।
୩) ମୋତେ ସବୁବେଳେ ସାମାଜିକ ବିଷମତା ଦେଖି ଦୁଃଖ ଲାଗେ । ରାଜନୀତିକ ସ୍ୱାର୍ଥସାଧନ ପାଇଁ ସୃଷ୍ଟ ଜାତିଭେଦ, ତୁଷ୍ଟୀକରଣ, ପ୍ରତିଭା ଓ ଯୋଗ୍ୟତାର ଅନାଦର ଦେଖିଲେ ଦୁଃଖ ଲାଗେ । ଛଳନା, ପ୍ରବଂଛନା, ଅମାନବିକତା ଓ ବିଶ୍ୱାସଘାତକତା ଭଳି ସାଂଘାତିକ କାର୍ଯ୍ୟକଳାପରେ ମୁଁ ବେଶୀ ଦୁଃଖିତ ହୁଏ । ନିଜ ଭାଷା ସାହିତ୍ୟର ଅବମୂଲ୍ୟନ ଦେଖିଲେ ଦୁଃଖ ଲାଗେ । ଦୁଃଖଲାଗେ ବି ଏ ଜାତିର ବା ପ୍ରଦେଶର ସାଂସ୍କୃତିକ ଅବକ୍ଷୟ ଦେଖିଲେ । ଏଭଳି ଅନେକ ବିସଙ୍ଗତି ମୋ ସୃଜନ ଭୂମିକୁ ଆକ୍ରାନ୍ତ କଲାବେଳେ ମୁଁ ସେସବୁର ପ୍ରତିବାଦ କଥା ଚିନ୍ତା କରି କଲମ ଚଳାଏ । ଏଣୁ ମୋ ଲେଖାଗୁଡିକରେ ପ୍ରତିବାଦର ସ୍ୱର ତୀବ୍ର ଓ ତୀକ୍ଷ୍ଣ । ଠିକ୍ ଏହି କାରଣରୁ ମୋ ଲେଖାର ଶୈଳୀରେ ବ୍ୟଙ୍ଗର ଛାପ ବେଶୀ ଦେଖିବାକୁ ମିଳେ । ବ୍ୟଙ୍ଗ, ହାସ୍ୟ, କଟାକ୍ଷ ଆଧାରରେ ମୁଁ ମୋ ପ୍ରତିବାଦର ସ୍ୱରକୁ ଉଚ୍ଚାଟିତ କରେ । ଜାଣେନା ଏହା କାହାକୁ କେତେ ପ୍ରଭାବିତ କରିଛି । ତେବେ ମୋ ଲେଖାର ପ୍ରିୟ ପାଠକ ଯେ ଅଛନ୍ତି ଏଥିରେ ମୁଁ ନିଃସନ୍ଦେହ । ମୋ ଲେଖାଲେଖିର ଆଙ୍ଗିକ ବିବିଧତା ସତ୍ୱେ ମୋର ସବୁ ଶ୍ରେଣୀର ପାଠକ ଅଛନ୍ତି । ସେମାନଙ୍କ ଶ୍ରଦ୍ଧା ଓ ପ୍ରେରଣା ହିଁ ମୋ ସୃଜନର ଅସଲ ପୁଞ୍ଜି । ତେବେ ବିମଳ ବ୍ୟଙ୍ଗରେ ରାଗ କଲ୍ୟାଣର ସ୍ୱର ତୋଳିବା ହିଁ ମୋ ଲେଖାର ପରମ ଓ ଚରମ ଆଭିମୂଖ୍ୟ ।
୪)ଏହାର ଊଣାଅଧିକ ଉତ୍ତର ମୁଁ ପ୍ରଶ୍ନ-୩ରେ ଦେଇସାରିଛି ।
୫) ସାଂପ୍ରତିକ ଓଡିଆ ସାହିତ୍ୟ ବହୁମୁଖୀ ଓ ଉଦ୍ଧ୍ୱର୍ମୁଖୀ ଯାହା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଗୌରବମୟ ସ୍ଥିତିରେ ରହିଛି । ଏବେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସେଥିର ଅନ୍ୟତମ ନିଦର୍ଶନ । ଓଡିଆରେ ପତ୍ରିକା ପ୍ରକାଶନ ସଂଖ୍ୟା ଓ ପୁସ୍ତକ ପ୍ରକାଶନ ସଂଖ୍ୟା ଦେଖିଲେ ଏ ଭାଷାର ବଡତିକୁ ଅସ୍ୱୀକାର କରିହେବ ନାହିଁ । ଓଡିଆ ଲେଖକଙ୍କର ତ ଅଭାବ ନାହିଁ । କେବଳ ଗୋଟିଏ ଅଭାବ, ଏ ଭାଷାର ପାଠକ ସଂଖ୍ୟା କମ୍ । ଏହା ବଢିବା ନିହାତି ଆବଶ୍ୟକ ।

ଅରବିନ୍ଦ ଦାସ
କଷ୍ଟମ ସୁପରିଟେଂଡେଂଟ, ବିଶାଖାପାଟଣା

୧) ସାହିତ୍ୟ ସାଧନା ପାଇଁ ସମୟ ମିଳେ ନାହିଁ; ବରଂ ସମୟ ବାହାର କରିବାକୁ ପଡେ । ଏଥିପାଇଁ ଦରକାର କେବଳ ଇଚ୍ଛାଶକ୍ତି, ଅଫିସ, ପରିବାର ଓ ସାହିତ୍ୟ ଭିତରେ ସମୟ ବାଂଟିବାକୁ ପଡ଼େ । ସମୟ, ଅସମୟ ଭିତରେ ଫରକ ନବାରି, ଯେକୌଣସି ସମୟରେ ଲେଖିବାକୁ କୁଣ୍ଠାବୋଧ କରେନା ।
୨) ସାହିତ୍ୟରେ ରୁଚି ରଖୁଥିବା ସରକାରୀ କର୍ମଚାରୀର ଜୀବନ, ସର୍କସରେ ଦଉଡି ଉପରେ ଭାରସାମ୍ୟ ରଖି ଖେଳ ଦେଖାଉଥିବା ଜିମନାଷ୍ଟ ଭଳି । ବୃତି ଓ ନିଶା ଉଭୟଙ୍କୁ ପ୍ରାଥମିକତା ଦେବାକୁ ହେଲେ ସତର୍କତା ସହିତ କରିବାକୁ ପଡିଥାଏ ।
୩) ସାହିତ୍ୟ ସାଧନା ମୋତେ ଦିଏ ଆତ୍ମସନ୍ତୋଷ । ମୋ ସାହିତ୍ୟ ଗୁରୁ ସ୍ୱନାମଧନ୍ୟ ଲେଖିକା ପୁଣ୍ୟପ୍ରଠାଦେବୀଙ୍କୁ ଏବେ ସୁଦ୍ଧା ନିରନ୍ତର ଲେଖୁଥିବାର ଦେଖି ମୁଁ ପ୍ରେରଣା ପାଏ ଆହୁରି ଲେଖିବା ପାଇଁ । ପାଠକୀୟ ସ୍ୱୀକୃତି ହେଉଛି ମୋ ପାଇଁ ଅସଲ ପୁରସ୍କାର । ଓଡିଶା ବାହାରେ ରହି ବି ଓଡ଼ିଆ ଭାଷାର ଉନ୍ନତି ପାଇଁ ମୁଁ କିଛି କରି ପାରୁଛି ଜାଣି ଖୁସି ଲାଗେ । ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଲେଖକ ହିସାବରେ ପାଇଲେ ସାଧନା ଫଳପ୍ରଦ ହେବ ବୋଲି ମୁଁ ଭାବେ ।
୪) ସାଂପ୍ରତିକ ପରିସ୍ଥିତି ଓ ଚାରିପାଖରେ ଘଟୁଥିବା ଘଟଣାବଳୀ ସବୁକୁ ମୁଁ ନିଜର ସହଜ ସାଧାରଣ ଭାଷାରେ ଗଳ୍ପର ରୂପ ଦିଏ । ଅନାବଶ୍ୟକିୟ ଆଳଙ୍କରିକ ବର୍ଣ୍ଣନା ଅପେକ୍ଷା ଏକ ଛେଟା କାହାଣୀ ଯେଉଁଥିରେ ଇମୋସନ ଓ ଶେଷରେ କିଛି ଟ୍ୱିଷ୍ଟ ଥାଏ ତାହା ମୋ ଗଳ୍ପର ସ୍ୱର । ପାଠକଟିଏ ମୋ ଗପ ପଢ଼ି ଖୁସି ହେଉ ତାହା ମୋର ପ୍ରାଥମିକତା ।
୫) ମୁଁ ସକାରତ୍ମକ କଥାରେ ବିଶ୍ୱାସ ରଖେ । ଏବେ ପତ୍ରିକା ଲେଖକ,ଲେଖିକାଙ୍କ ସଂଖ୍ୟା ବଢ଼ି ଚାଲିଛି ଏବଂ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି । ସାହିତ୍ୟର ପୁନଃଉଦ୍ଧାର ପାଇଁ ବିଲଡର ଓ ଚିଟଫଣ୍ଡ ସଂସ୍ଥା ଅପେକ୍ଷା ସରକାରୀ ଓ କର୍ପୋରେଟ୍ ସାହାଯ୍ୟ ଅନିବାର୍ଯ୍ୟ, ‘ଇଂଟରନେଟ’ ଭବିଷ୍ୟତର ଓଡ଼ିଆ ସାହିତ୍ୟ ପ୍ରଚାରର ଏକ ବଳିଷ୍ଠ ମାଧ୍ୟମ । ଯଦି ପ୍ରତି ଓଡ଼ିଆ ମାସକୁ ୧୦୦ କିମ୍ବା ୨୦୦ ଟଙ୍କା ଓଡ଼ିଆ ପତ୍ରପତ୍ରିକା କିଣିବା ପାଇଁ ଖର୍ଚ୍ଚ କରିବେ, ତେବେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ ।

ଦିଲିପ କୁମାର ଦାସ
ପୋଲିସ ଅଧିକାରୀ

୧) ବ୍ୟସ୍ତ ଓ କର୍ମମୟ ଜୀବନରେ, ସାରସ୍ୱତ ସାଧନ ପାଇଁ, ସମୟ ନ ଥାଏ, ସମୟ ବାହାର କରିବାକୁ ପଡେ । ଯେତେବେଳେ କାମ ଭିତରୁ ସାମୟିକ ଅବସର ମିଳେ, ସେତେବେଳେ ଆଉ କିଛି ଚିନ୍ତା ନ କରି, ସାହିତ୍ୟ ଓ ସୃଜନ ବିଷୟରେ ମନୋନିବେଶ କରେ । ଶଦ୍ଦ ସବୁ ମନ ଭିତରେ ସଜେଇ ହୋଇ, ଲେଖି ହୋଇଯାଏ, ରାତିରେ ବିଛଣାକୁ ଯିବା ପୂର୍ବରୁୁ, ସେ ସବୁକୁ କାଗଜ ଓ କଲମରେ ଉତାରି ପକାଏ । ଯେତେବେଳେ ପୁଣି, ଅବସର ମିଳେ, ସେ ପାଣ୍ଡୁଲିପିକୁ ସଂଶୋଧନ କରେ । ଏହା ଗୋଟିଏ ପ୍ରକିୟା, ଦିନ ଦିନ, ମାସ ମାସ ଧରି ଏହା ·ଲିଥାଏ । ପ୍ରକାଶ ପାଉ କି ନ ପାଉ, ସେ ପାଇଁ ଚିନ୍ତା ନ ଥାଏ । ଆଜି ନ ହେଲେ କାଲି ତ ସେ ପ୍ରକାଶ ପାଇବ ।
୨) ସାହିତ୍ୟ ସାଧନା ଓ ଚାକିରି ଜୀବନ ମଧ୍ୟରେ, ସାମଞ୍ଜସ୍ୟ ଆପେ ଆପେ ହୋଇଯାଏ । ·କିରି ହେଉଛି ପତ୍ନୀ, ସେ ସବୁବେଳେ ସାଙ୍ଗରେ ଥାଏ । ସେ ଆଗ ଆଉ ସବୁ ପଛ । ସୁଖ, ଦୁଃଖ, ପେଟ ପାଟଣା, ପରିବାର, ବନ୍ଧୁ ବାନ୍ଧବ ଏ ସବୁ ·ଲିଛି ପତ୍ନୀଙ୍କ ପାଇଁ, ସେ ହିଁ ସେମାନଙ୍କୁ ବଂଚାଇ ରଖିଛନ୍ତି । ସାହିତ୍ୟ ହେଉଛି ପ୍ରେମିକା, ସେ ଏ ସବୁ ·ହେଁ ନାହିଁ । ସେ ପାଖରେ ଥିଲେ, ଅନ୍ୟ ମାନଙ୍କୁ, ପାଖରେ ପୁରାଇ ଦିଏ ନାହିଁ, ତା ସହିତ କେବଳ, ଏକାନ୍ତରେ ଲଙ୍ଗ ଡ୍ରାଇଭ୍ରେ ଯାଇ ହୁଏ, ଫେରିଆସିଲେ, ସେ ତା ଜାଗାକୁ ଫେରିଯାଏ ଏବଂ ମୁଁ ମୋ ପତ୍ନୀଙ୍କ ପାଖକୁ ଫେରି ଆସେ ।
୩) ମୋର ସାହିତ୍ୟ ସାଧନାର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ । ସାହିତ୍ୟ ବା ସୃଜନ ଏକ କଳା । ଈଶ୍ୱର ଏ କଳା ସମସ୍ତଙ୍କୁ ଅଳ୍ପେ ବହୁତ ଦେଇଛନ୍ତି । ଜୀବନକୁ ସରସ ଓ ସୁନ୍ଦର କରିବାକୁ ଭଗବାନଙ୍କ ଏହା ଏକ ବରଦାନ । ଏ କଳା କେବଳ ସାହିତ୍ୟ ସୃଷ୍ଟିରେ ସୀମିତ ନାହିଁ । ଏ କଳା ବା ସୃଜନ କବିତା, ଗଳ୍ପ, ପ୍ରବନ୍ଧ, ରଙ୍ଗ ତୂଳୀ, ନାଟ୍ୟକଳା, ମୂର୍ତ୍ତିି ଶିଳ୍ପ, ବାଦ୍ୟ ଯନ୍ତ୍ର, ରୋଷେଇ କଳା, ବାକ୍ ·ତୁରି, ବ୍ୟବହାରିକ କଳା, ଅନ୍ୟକୁ ଆପଣାଇବାର କଳା, ଘର ଓ ପରିବେଶକୁ ସୁନ୍ଦରଭାବେ ସଜାଇ ପାରୁଥିବା କଳା ମଧ୍ୟ ହୋଇପାରେ, ଏ ମାନେ ସମସ୍ତେ ସୃଜନଶୀଳ ଓ ନମସ୍ୟ ବ୍ୟକ୍ତି । ମୁଁ ସମସ୍ତଙ୍କ ଭିତରେ ଥିବା ସୃଜନର ପ୍ରତିଭାକୁ ସମ୍ମାନ କରେ । ସମାଜର ଆଗ ଧାଡିରେ ବସୁଥିବା ଲୋକ ମୁଁ ନୁହେଁ, ଭିଡ ଭିତରର ମଣିଷ, ସବୁଦିନେ ସେହି ଭିଡ ଭିତରେ ରହିବାକୁ ·ହେଁ ।
୪) ସମାଜକୁ ରାସ୍ତା ଦେଖାଇଲା ଭଳି କିମ୍ବା ନୂତନ ଦିଗ ଦର୍ଶନ ଦେଲାଭଳି ବ୍ୟକ୍ତିତ୍ୱ ମୋର ନାହିଁ । ମୃଣାଳଙ୍କ – ନବଘନ, ଅରବିନ୍ଦ କେଜିରିୱାଲଙ୍କର – କମନ ମ୍ୟାନ ଓ ଆର.କେ.ଲକ୍ଷ୍ମଣଙ୍କ ନୁଖୁରା ବାଳ, ଧୋତି ପିନ୍ଧା ଭଦ୍ରବ୍ୟକ୍ତି ମୁଁ, ଭିଡ ଭିତରର ମଣିଷ । ସମାଜର ପ୍ରଚଳିତ ବ୍ୟବସ୍ଥା ଭିତରେ ସନ୍ତୁଳି ହେଉଥିବା ଲୋକଟିଏ ଯାହାରକି, ଉଚ୍ଚ ପଦ ପଦବୀ, ଧନର ପ୍ରାର୍ଚୁଯ୍ୟ, ରାଜନୈତିକ ଆଶିର୍ବାଦ କିମ୍ବା ମାଫିଆ ମାନଙ୍କ ସାହଚର୍ଯ୍ୟ ନାହିଁ, ସେହି ମାନେ ହିଁ ମୋର ଆଦର୍ଶ । ଶାଳ ଓ ଶାଗୁଆନ ଗଛର ଜଙ୍ଗଲ ଭିତରେ, ଛୋଟିଆ ଦୁବଘାସ ମୁଁ, ପ୍ରବଳ ବାତ୍ୟା ହେଉ, ଝଡ ହେଉ, ଭୂମିକମ୍ପ ହେଉ, କିମ୍ବା ପ୍ରଳୟ ମଧ୍ୟ ହେଉ, ସବୁ ବିତିଗଲା ପରେ, ପୁଣିଥରେ ମୁଣ୍ଡ ଟେକିବା ଓ ·ରିଆଡେ ସବୁଜିମା ଭରିଦେବା, ଏହାହିଁ ମୋର ସ୍ୱର ଓ ଚରିତ୍ର ।
୫) ସାଂପ୍ରତିକି ଓଡ଼ିଆ ସାହିତ୍ୟ ସଂପର୍କରେ ମୋର ମତ, ଆମେ ସଂପ୍ରତି ଏକ ବିବର୍ତ୍ତନ ବା ପରିବର୍ତ୍ତନ ମଧ୍ୟ ଦେଇ ଆଗେଇ ·ଲିଛୁ । ଅନେକ ଆଶଙ୍କା ବ୍ୟକ୍ତ କରନ୍ତି, ଓଡିଆ ଭାଷା ଓ ସାହିତ୍ୟର ଭବିଷ୍ୟତ ନକାରାତ୍ମକ, ମୁଁ ସେମାନଙ୍କ ସହିତ ଏକମତ ନୁହେଁ । ଓଡିଆ ସାହିତ୍ୟର ସମୃଦ୍ଧ ଭଣ୍ଡାରରେ ଅନେକ ରତ୍ନ ରହିଛନ୍ତି, ଏବଂ ବହୁ ପ୍ରତିଭା ଓ ସମ୍ଭାବନା ବିସ୍ପୋରଣର ଅପେକ୍ଷାରେ ଅଛନ୍ତି । ସମୟ ଓ ସୁଯୋଗ ପାଇଲେ, ସେମାନେ ଆମ ମାନଙ୍କୁ ଏଭଳି ଆଲୋକିତ ଏବଂ ଉଦଭାସିତ କରିବେ, ଯାହା ଆମର ମ୍ରିୟମାଣତା ଏବଂ ସାମୟିକ ସ୍ଥାଣତାକୁ ଧୂଳିସାତ କରିଦେବ । ଯେଉଁମାନେ ଭାବୁଛନ୍ତି, ଇଂରାଜୀ ଭାଷା, ଇଂରାଜୀ ·ଲିଚଳନ, ଆଇଟି ସେକ୍ଟର, ସଫଟ୍ୱାର ଟେକନୋଲୋଜି, ଜିନ୍ ପ୍ୟାଂଟ ଓ ଟି ସାର୍ଟ, ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଚଳୁ କରିଦେବେ, ସେମାନେ କୁହୁଡି ପହଁରୁଛନ୍ତି । ଆମର ଭାଷା ଓ ସାହିତ୍ୟ ମହାନଦୀ ଭଳି ବିଶାଳ ଓ ସ୍ରୋତସ୍ୱିନୀ । ନଦୀର ସାମୟିକ କ୍ଷୀଣ ଧାରାକୁ ଦେଖି ଯେଉଁମାନେ ଶଂକିତ ହୁଅନ୍ତି, ସେମାନେ ମହାନଦୀର ଭୀଷଣ ଓ ବିପୁଳ ଜଳ ପ୍ରବାହ ଦେଖି ନାହାଁନ୍ତି । ଜିନ୍ ପ୍ୟାଂଟ, ଟି ସାର୍ଟ ପିନ୍ଧିଦେଲେ ଓ ପବ୍କୁ ଗଲେ, ଯେ ଜଣେ ଓଡିଆ ଅସ୍ମିତାକୁ ଭୁଲିଗଲା, ଭୁଲ ଧାରଣା । ଏବେ ମଧ୍ୟ ହଜାର ହଜାର ଜିନ୍ ପ୍ୟାଂଟଣ୍ଟଓ ଟି ସାର୍ଟ ପିନ୍ଧା ଆଧୁନିକ ଓଡିଆମାନେ, ଜୟଦେବଙ୍କର ଗୀତ ଗୋବିନ୍ଦ ଶୁଣିବାକୁ ବ୍ୟାକୁଳ ହେଉଛନ୍ତି, ଓଡିଶୀ ନାଚ, ଗୀତ ଓ ଶାସ୍ତ୍ରୀୟ ସଂଙ୍ଗୀତ ଶୁଣିବାକୁ ଭିଡ କରୁଛନ୍ତି, କାକରା ଓ ଆରିଶା ପିଠା ଖାଇବାକୁ ଦୋକାନ ଦୋକାନ ବୁଲୁଛନ୍ତି, ନିଜର ମୂଳ ଏବଂ ମୂଳଦୁଆକୁ ଆଉଥରେ ଖୋଜିବାକୁ ବ୍ୟସ୍ତ ଓ ବ୍ୟାକୁଳ ହେଉଛନ୍ତି । ଏ ଅନ୍ତ ସ୍ରୋତକୁ ଯେଉଁମାନେ ଦେଖିପାରୁ ନାହାଁନ୍ତି ସେମାନଙ୍କୁ ଚକ୍ଷୁ ଖୋଲିବାକୁ ହେବ । ଆପଣମାନଙ୍କୁ ସମସ୍ତଙ୍କୁ ଏକ ନୂତନ ସମ୍ଭାବନାମୟ ସକାଳର ସୂର୍ଯ୍ୟୋଦୟକୁ ସ୍ୱାଗତ ଓ ଅଭିନନ୍ଦନ ।

Leave a Reply