ଠିକାଦାରର ମନମାନି, ହେକ୍ଟର ହେକ୍ଟର ଚାଷ ଜମି ପ୍ରଭାବିତ ଆଶଙ୍କା, ଚିନ୍ତାରେ ଚାଷୀ

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଚାଷୀ ମୁଣ୍ଡରେ ଚଡ଼କ। ଏବେ ଟିକିଏ ବର୍ଷାରେ ଚାଷ ଜମିରେ ପାଣି ଜମି ରହିଛି। ଆଗକୁ ବର୍ଷା ଦିନ ଆସୁଛି। ଏବେଠୁ ଏତିକି ଆଗାମୀ ଦିନରେ ପରିସ୍ଥିତି ସଂଗୀନ ହେବ। ଏହାଦ୍ବାରା ପ୍ରାୟ ୧୫/୨୦ ଜଣ ଚାଷୀର ୬୦ରୁ ଅଧିକ ଏକର ଚାଷ ଜମି ଜଳମଗ୍ନ ହେବା ସମ୍ଭାବନା ରହିଛି। ଚାଷ କ୍ଷତି ହେବା ଆଶଙ୍କାରେ ଘାରି ହେଉଛି ଚାଷୀ। କାରଣ ଜଳ ନିଷ୍କାସନ ପାଇଁ ପୋଖରୀରେ ଅଧିକ ଉଚ୍ଚରେ ହୋମ୍ ପାଇପ୍ ବସାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଠିକାଦାରର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀର ଚିନ୍ତା ବଢ଼ି ଯାଇଛି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲାଇସର୍ଡା ଗାଁରୁ।


ଗତ ୨୦୧୭, ଅଗଷ୍ଟ ମାସରୁ ବିଲାଇସର୍ଡା ସୁକତେଲ ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ୩୩୬ ମିଟର ଦୈର୍ଘ୍ୟର ସେତୁ ନିର୍ମାଣ ପାଇଁ ଅଟକଳ ପରିମାଣ ରହିଛି ୧୧୯୭.୫୧ ଲକ୍ଷ ଟଙ୍କା। ବିକେଡି ଇନଫ୍ରାଷ୍ଟ୍ରୁକ୍ଚର୍ ପ୍ରା.ଲି ସମ୍ବଲପୁର ଏହି ନିର୍ମାଣ କାର୍ଯ୍ୟ କରୁଛି। ତେବେ ନିର୍ମାଣ କାମ ଏଯାଏ ସରିନଥିବା ବେଳେ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଏପରିକି ବର୍ଷା ଜଳ ନିଷ୍କାସନ ପାଇଁ ପୋଖରୀରେ ଥିବା କଲଭର୍ଟକୁ ହଟାଇ ହୋମ୍ ପାଇପ୍ ବସା ଯାଇଥିବାରୁ ଉପର ମୁଣ୍ଡ ଚାଷ ଜମିରେ ପାଣି ଜମି ରହୁଛି। ଏବେ ଟିକିଏ ବର୍ଷାରେ ଜମିରେ ପାଣି ଜମି ରହୁଛି। ତେବେ ଆଗକୁ ବର୍ଷା ଆସୁଥିବାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପାରେ।


ଅଭିଯୋଗ ଅନୁସାରେ, ସେତୁ ନିର୍ମାଣ କରୁଥିବା ଠିକାଦାର ପବନ କୁମାର୍ ଅଗ୍ରୱାଲ ପୋଖରୀ ଜଳ ନିଷ୍କାସନ ପାଇଁ ଥିବା କଳଭଟକୁ ଭାଙ୍ଗି ଦେଇଛନ୍ତି। ହେଲେ ସେ ଜାଗାରେ ନୂଆ କଲଭର୍ଟ ତିଆରି କରିବା ପରିବର୍ତ୍ତେ ୩ଟି ହୋମ ପାଇପ୍ ବସାଇଛନ୍ତି ସଂପୃକ୍ତ ଠିକାଦାର। ତାହା ପୁଣି ବହୁତ୍ ଉଚ୍ଚତାରେ। ଫଳରେ ପାଣି ଠିକ ଭାବେ ନିଷ୍କାସନ ହୋଇ ପାରୁନ ଥିବାରୁ ବନ୍ଧର ଉପରମୁଣ୍ଡରେ ଥିବା ଚାଷ ଜମିରେ ପାଣି ଜମି ରହୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଆହୁରି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ୧୫/୨୦ ଚାଷୀଙ୍କ ପାଖାପାଖି ୬୦ ଏକରରୁ ଅଧିକ ଚାଷ ଜମି ପ୍ରଭାବିତ ହେବା ଆଶଙ୍କା ରହିଛି । ଏନେଇ ଠିକାଦାରକୁ ଜଣାଇବା ପରେ ମଧ୍ୟ ସେ କିଛି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିବ ନାହିଁ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି।

ତେବେ ହୋମ ପାଇପ୍ ପରିବର୍ତ୍ତେ ବକ୍ସ ପେଟେନ୍ କଲଭର୍ଟ୍ ହୋଇ ଥିଲେ ଅଧିକ ସୁବିଧା ହୋଇଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଚାଷୀ ତଥା ଯୁବ ନେତା ଭରତ ଭୂଷଣ ପ୍ରଧାନ। ହୋମ ପାଇପ୍ ଅଧିକ ଉଚ୍ଚରେ ବସା ଯାଇଥିବାରୁ ଠିକସେ ପାଣି ଯାଇ ପାରୁନି। ଫଳରେ ପୋଖରୀ ଉପର ପଟରେ ଥିବା ପ୍ରାୟ ୬୦ ଏକର ଜମି ଉପରେ ପ୍ରଭାବ ପକାଇବ। କେବଳ ଏତିକି ନୁହେଁ, ଆଗରୁ ବନ୍ଧ ଉପରେ ଜଳ ନିଷ୍କାସନ ପାଇଁ ନଦୀ ପଟକୁ ଏକ ନାଲା ଥିଲା। ସେଥିରେ ନଦୀକୁ ଅଧିକ ପାଣି ଯାଇ ପାରୁ ଥିଲା। କିନ୍ତୁ ଇରିଗେସନ୍ ବିଭାଗ ଆଡ଼ି ବନ୍ଧ କରିବା ସମୟରେ ସେ ନାଳାକୁ ବନ୍ଦ କରି ଦେଇଛି। ଯେଉଁଥିପାଇଁ ନଦୀକୁ ଆଉ ପାଣି ଯାଇ ପାରୁ ନାହିଁ। ଅନ୍ୟପଟେ ଠିକାଦାରର ମନମାନି ଯୋଗୁ ସମସ୍ତ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ନଦୀକୁ ପୁରୁଣା ନାଲା ଖୋଲି ଦେଲେ ସବୁ ଚାଷୀ ବିଶେଷ ଉପକୃତ ହୋଇ ପାରିବେ।ସେହିପରି ଅନ୍ୟଜଣେ ଚାଷୀ ଅଇଁଠୁ ପ୍ରଧାନ ମଧ୍ୟ ସେ ସମାନ ଅଭିଯୋଗ ଆଣିଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ସେ ଦାବି କରିଛନ୍ତି। ନଚେତ୍ ଚାଷୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

ଏନେଇ ତରଭା ଗ୍ରାମ୍ୟ ଉନ୍ନୟନ ବିଭାଜନର ଜେଇ ମୁଦୁଲି ବାବୁଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଏନେଇ ଅବଗତ ଥିବା ସହ ଦିନେ ଦୁଇ ଦିନ ଭିତରେ ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷପ ନେବାକୁ କହିଥିଲେ। ତେବେ ଠିକାଦାର ପବନ କୁମାର୍ ଅଗ୍ରୱାଲ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ମୁଁ ନାମକୁ ମାତ୍ର ଜେଇ ଓ ଏସଡିଓ ସର୍ବେସର୍ବା। ସେମାନେ ଚାହିଁଲେ ଏହାର ତୁରନ୍ତ ସମାଧାନ ହୋଇ ପାଇବ ବୋଲି ସେ କହିଛନ୍ତି। ସେପଟେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ।
ଏହାପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ ରିସିଭ୍ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରତିକ୍ରିୟା ଆସିଲେ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ। ତେବେ ଦେଖାଯାଉ ଏ ଉପରେ ବିଭାଗୀୟ ମନ୍ତ୍ରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀ ପ୍ରସଙ୍ଗକୁ ନେଇ ରାଜନୀତିରେ ପ୍ରବେଶ କରି ନିଜ ଦବଦବା ଜାହିର ରଖିଥିବା ମନ୍ତ୍ରୀ ଏବେ ପୁଣି ଚାଷୀ ସମସ୍ୟା ନେଇ କି ଅଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣା ପଡ଼ିବ।

Leave a Reply