ନବନୀତା ବ୍ୟୁରୋ। ମହାମାରୀ କରୋନା ଭାରତରେ ଦିନକୁ ଦିନ ବଢିବାକୁ ଲାଗିଛି। ଏହି କରୋନା ଯୋଗୁଁ ବଡ ବଡ ମେଳା ସବୁ ପ୍ରଦର୍ଶନ କରେଇବାରେ ବଂଚିତ ହେଲେ। ମେଳାରେ ପ୍ରଦର୍ଶନ କରୁଥିବା ଏନଏନ ସର୍କସର ମାଲିକ ହାତୀମାନଙ୍କୁ କୁହେ – “ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଅନ୍ତ ନାହିଁ। ଆଉ ଆଗପରି ଲୋକମାନଙ୍କୁ ସର୍କସ ପ୍ରଦର୍ଶନ କରିହବ ନାହିଁ। ତେଣୁ ତୁମେମାନେ ତୁମ ଜଙ୍ଗଲକୁ ଚାଲିଯାଅ ।” ହାତୀମାନେ ଦଳହେଇ ଜଙ୍ଗଲ ଆଡକୁ ଯାନ୍ତି। ସେମାନଙ୍କୁ ଭିତରୁ ଗୋଟେ ମା ହାତୀ ଆଉ ତା ଛୁଆ ସହର ଭିତରକୁ ପଶି ଆସନ୍ତି। ସେମାନେ ଦେଖନ୍ତି ସହରଟି ପୁରା ଶୂନଶାନ। ଦୋକାନ ବଜାର ସବୁ ବନ୍ଦ। ରାସ୍ତା ଉପରେ ଚାଲୁ ଚାଲୁ କିଛି ଘର ପଡେ। ମା ହାତୀ ଦେଖେ କିଛି ପିଲା ଛାତ ଉପରେ ସ୍ମାର୍ଟ ଫୋନ ବ୍ୟବହାର କରି ଭିନ୍ନ ଭିନ୍ନ ଅଭିନୟର ପ୍ରଦର୍ଶନ କରୁଥାନ୍ତି। କିଛି ବାଟ ଗଲା ପରେ ସେମାନେ ଏକ ଘରର ବାଲକୋନୀ ପାଖରେ ପହଂଚି ଦେଖନ୍ତି ଗୋଟେ ଶିଶୁ ଭୋକରେ କାନ୍ଦୁଥାଏ ଏବଂ ତାର ମା ଘର ଭିତରେ ନିଜର ଚୁଟି ଖୋଲି “ବଡ ଘରର ବେଟି ଲୋ, ଲମ୍ବା ଲମ୍ବା ଚୁଳ” ଗୀତରେ ନିଜର ନାଚ ପ୍ରଦର୍ଶନ କରୁଥାଏ। ମା ହାତୀ କିଛି ବୁଝି ପାରୁନଥାଏ ଯେ ବିନା ଦର୍ଶକରେ ଏ ଶିଶୁର ମା କାହିଁ କି ନାଚୁଛି। ମା ହାତୀ ଟିକେ ଗଭୀରତାର ସହ ଦେଖିଲା ପରେ ଜାଣିପାରେ ଯେ ସ୍ମାର୍ଟ ଫୋନରେ ଟିକଟକ ଆପ ବ୍ୟବହାର କରି ନିଜର କଳା ପ୍ରଦର୍ଶନ କରୁଛି। ଶିଶୁଟିର କାନ୍ଦ ସହି ନ ପାରି ମା ହାତୀ ସେ ଶିଶୁକୁ ନେଇ ଜଙ୍ଗଲକୁ ଚାଲିଯାଏ।
ଜଙ୍ଗଲରେ ପହଂଚିବା ପରେ ମା ହାତୀ ସେହି ଶିଶୁଟିକୁ ତାର କ୍ଷୀର ଦିଏ ପିଇବା ପାଇଁ। ଛୁଆ ହାତୀ ଏହା ଦେଖି ତା ମାକୁ ପଚାରେ – “ମା ତୁ ଏ କଣ କରୁଚୁ? ମଣିଷ ଜାତିର ଛୁଆକୁ କ୍ଷୀର ଦଉଚୁ! ସେମାନେ ଆମର ଏକ ଗର୍ଭବତୀ ମା ହାତୀକୁ କିପରି ଖାଦ୍ୟରେ ବୋମା ଭର୍ତି କରି ମାରିଥିଲେ, ତୁ କଣ ଜାଣିନୁ! ଏହା ଜାଣିବା ସତ୍ୱେ ଭି ତୁ ସେ ମଣିଷ ଛୁଆକୁ କ୍ଷୀର ଦଉଚୁ ।” ମା ହାତୀ କହେ – “ଏଥିରେ ଏ ଶିଶୁଟିର ଦୋଷ କଣ। ସମସ୍ତ ମଣିଷ ରାକ୍ଷସ ନୁହନ୍ତି। ଯେଉଁମାନେ ଏ କୁକର୍ମ କରିଛନ୍ତି ଭଗବାନ ତାଙ୍କୁ ନିଶ୍ଚୟ ଶାସ୍ତି ଦେବେ।” “ତେବେ ଏ ଶିଶୁକୁ କ୍ଷୀର କାହିଁକି ଦଉଚୁ?” ଛୁଆ ହାତୀ ପଚାରେ। ମା ହାତୀ କହେ – “ଶିଶୁଟି କାନ୍ଦୁଥିବା ବେଳେ ତାର ମା ମୋବାଇଲ ଫୋନରେ ଏତେ ପରିମାଣରେ ବ୍ୟସ୍ତ ଥିଲା ଯେ, ସେ ଭୁଲି ଯାଇଥିଲା ତାର ଛୁଆ ଭୋକରେ କାନ୍ଦୁଚି। ସେଥିପାଇଁ ମୁଁ ତାକୁ ନେଇଆସିଚି। କ୍ଷୀର ଦେଇ ସାରିଲା ପରେ ତା ଘରେ ମୁଁ ଛାଡି ଆସିବି l”
ମା ହାତୀ ତା ଛୁଆକୁ ଏକବିଂଶ ଶତାବ୍ଦୀରେ ମଣିଷର ଆଚରଣ ଆଉ ବ୍ୟବହାରରେ କି ପରିବର୍ତନ ଆସିଛି ତାହା ସବୁ କହେ। ଆଗ କାଳର ମଣିଷ ଆଉ ଏବେକାର ମଣିଷ ଭିତରେ ବହୁତ ତଫାତ। ଏମିତି କି ଆକାଶ ପାତାଳ ତଫାତ। ଅତୀତରେ ମଣିଷର ପରିବାର ଗୋଟେ ବନ୍ଧନରେ ବାନ୍ଧି ହୋଇ ରହୁଥିଲା କିନ୍ତୁ ଏବେ ସମସ୍ତେ ନିଜେ ନିଜେ ବ୍ୟସ୍ତ। ଆଗ କାଳରେ ଗୋଟେ ମା ତାର ଛୁଆକୁ ସବୁବେଳେ ପାଖରେ ରଖୁଥିଲା କିନ୍ତୁ ଏବେ ଏ ସ୍ମାର୍ଟ ଫୋନ ଯୁଗରେ ପିଲା ହାତରେ ସ୍ମାର୍ଟ ଫୋନ ଧରେଇ ଦେଇ ସେମାନେ ନିଜ ସ୍ମାର୍ଟ ଫୋନରେ ବ୍ୟସ୍ତ। ଅତୀତରେ ସ୍ତ୍ରୀ ତାର ସ୍ୱାମୀ, ପିଲାମାନେ ତାଙ୍କର ବାପାଙ୍କୁ ଅଫିସରୁ ଫେରିବା ସମୟରେ ଘରେ ଚାହିଁ ବସୁଥିଲେ। ବାପା ଆସିଲେ ତାଙ୍କ ସହ ସମୟ କାଟିବେ କିନ୍ତୁ ଏବେ ବାପା ଅଫିସରୁ ଫେରିଲେ ପିଲା ସ୍ମାର୍ଟ ଫୋନରେ ଥିବା ଗେମ କିମ୍ବା କାର୍ଟୁନ ଭିଡ଼ିଓରେ ବ୍ୟସ୍ତ, ସ୍ତ୍ରୀ ଫେସବୁକରେ କିମ୍ବା ଆଉ କୋଉ ଆପ ରେ ବ୍ୟସ୍ତ। ସ୍ୱାମୀ ମଧ୍ୟ ଫେରିଲା ପରେ ସ୍ମାର୍ଟ ଫୋନରେ ବ୍ୟସ୍ତ। ପିଲାମାନେ ଆଗ କାଳରେ ଯେଉଁ ସଂସ୍କାର, ସମ୍ମାନ ଦଉଥିଲେ ତାଙ୍କ ପିତାମାତା ଆଉ ଗୁରୁଜନମାନଙ୍କୁ ତାହା ଏ ଯୁଗରେ ଦେଖିବାକୁ ମିଳୁ ନାହିଁ। ଆସନ୍ତା ପିଢ଼ିରେ ଏ ସବୁ ପରମ୍ପରା ହଜିଯିବ।
ଏ ଯୁଗରେ ପ୍ରାୟ ଯୁବପିଢ଼ିମାନେ ଟିକଟକ ଆପରେ ନିଜକୁ ନିୟୋଜିତ କରୁଛନ୍ତି। ଟିକଟକ ଆପ ବ୍ୟବହାର କରି ସେମାନେ ସେମାନଙ୍କର କଳା ପ୍ରଦର୍ଶନ କରୁଛନ୍ତି। କିନ୍ତୁ ସେମାନେ ଜାଣିପାରୁ ନାହାନ୍ତି ଟିକଟକ ଆପ ଚାଇନା ଦ୍ୱାରା ତିଆରି ହୋଇଥିବା ଏକ ଆପ ଯେଉଁଥିରେ ଆଡ଼ଭାନ୍ସ ଫିଚର ଥାଏ ଆଉ ସେଥିରେ ଯେମିତି ଭି ଆକ୍ଟିଙ୍ଗ କଲେ ତାହା ଅଟୋମେଟିକ ଏଡିଟ ହେଇଥାଏ। ଯୁବପିଢ଼ିମାନେ ଭାବନ୍ତି ଆମେ ଭଲ ଆକ୍ଟିଙ୍ଗ କରୁଚୁ ଏବଂ ତାର ପୂବ୍ଲିସିଟି ପାଇଁ ଫେସବୁକରେ ସେୟାର କରନ୍ତି। ପ୍ରକୁତ ଅଭିନୟ କରୁଥିବା କଳାକାର କେବେ ଭି ଏଭଳି ଆପକୁ ବ୍ୟବହାର କରନ୍ତି ନାହିଁ। ସେମାନେ ସବୁବେଳେ ମଂଚ ଉପରେ କିମ୍ବା କ୍ୟାମେରା ଆଗରେ ନିଜର ଅଭିନୟ ଦେଖାଇଥାନ୍ତି ଯାହାଦ୍ୱାରା ଦର୍ଶକ ମାନେ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥାନ୍ତି। ଆମେ ହାତୀମାନେ ଯେମିତି ସର୍କସରେ ପ୍ରଦର୍ଶନ କରୁଥୁଲୁ ଦର୍ଶକମାନେ ଆମକୁ ତାଳି ମାରି ବହୁତ ପ୍ରଶଂସା କରୁଥିଲେ। ନିଜ ଅଭିନୟର ଦକ୍ଷତା ଓ ପ୍ରତିଭାକୁ ଦର୍ଶକମାନଙ୍କ ଆଗରେ ଦେଖେଇବା ହଉଚି ପ୍ରକୁତ ଅଭିନୟ। ଟିକଟକରେ ଅଭିନୟ କରିବା ପ୍ରକୃତ ଅଭିନୟ ହେଇ ନଥାଏ। ଟିକଟକ ଆପ ଗୋଟେ ଟାଇମ ପାସ ଆପ ଅଟେ।
ଏ ସବୁ ଶୁଣିବା ପରେ ଛୁଆ ହାତୀ ମାକୁ ପଚାରେ – “ତା ମାନେ ମଣିଷ ଜାତି ଆଉ କଣ ପୂର୍ବ ପରି ତା ଆଚରଣ ଆଉ ବ୍ୟବହାର ରେ ପରିବର୍ତନ ଆଣିପାରିବନି?” “ନିଶ୍ଚୟ” ମା ହାତୀ କହେ। ସେ ମଣିଷ ହିଁ ସ୍ମାର୍ଟ ଫୋନ ବାହାର କରିଛି ଆଉ ସେ ମଣିଷ ଚାହିଁଲେ ତାର ସଠିକ ବ୍ୟବହାର କରିପାରିବ। ସମୟ ଅନୁସାରେ ଯେତିକି ବ୍ୟବହାର କରି ବାକି ସମୟ ଅନ୍ୟରେ ନିୟୋଜିତ କଲେ ହୁଏତ ତାର ସଂସ୍କାର ଆଉ ପରମ୍ପରା ବଞ୍ଚିରହିବ।
ଶିଶୁଟି କ୍ଷୀର ଖାଇ ସାରିବା ପରେ ମା ହାତୀକୁ ଅନେଇ କି ହସେ। ମା ହାତୀ କହେ – “ଆଃ କି ସୁନ୍ଦର ଦିଶୁଚି ଏ ଶିଶୁଟି। ଲାଗୁଚି ଯେମିତି ସ୍ୱର୍ଗରୁ ପରୀଟେ ଆସିଛି ।” ତା ହସ ଦେଖିକି ଛୁଆ ହାତୀ ଭି ତା ସଂଗେ ଖେଳେ। ମା ହାତୀ ସେ ଶିଶୁକୁ ନେଇ ତା ଘରେ ଛାଡିଦିଏ କିନ୍ତୁ ସେ ଶିଶୁ ତା ଘରେ ନ ରହି ହାତୀର ପଛେ ପଛେ ଆସେ। ଛୁଆ ହାତୀ କୁହେ – “ମା ସେ ଶିଶୁଟି ତା ପରିବେଶରେ ରହିବାକୁ ଚାହୁଁ ନାହିଁ। ସେ ଆମ ପରିବେଶରେ ରହିବାକୁ ଚାହେଁ। ତାକୁ ସାଙ୍ଗରେ ନେଇଚାଲ। ଜଙ୍ଗଲରେ ଆମ ସହ ଫଳ ମୂଳ ଖାଇ ରହିବ। ଆଉ ମୋ ସହ ସାଙ୍ଗ ହୋଇ ଖେଳିବ ।” ତା ପରେ ମା ହାତୀ ସେ ଶିଶୁକୁ ନେଇ ଜଙ୍ଗଲ ଭିତରକୁ ଯାଏ।
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ: ୯୪୩୯୫୦୪୫୮୫
