ବିଲାଇସର୍ଡା ପଞ୍ଚାୟତ ଘୋଟାଲା ପାର୍ଟ-୨: ବିନା କାମରେ ବିଲ୍, ଲକ୍ଷ ଲକ୍ଷ ଟଙ୍କା ହଡ଼ପ! ପଢନ୍ତୁ ଏହି ଖବର।

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ବିଲାଇସର୍ଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଜଳ ଯୋଗାଣ ପ୍ରକଳ୍ପ ମରାମତି ଓ ଗାଁ ସଫେଇରେ ପ୍ରାୟ ୬ ଲକ୍ଷ ଘୋଟାଲା ପରେ ଧରା ପଡିଛି ଆଉ ଏକ ମହାଦୁର୍ନୀତି। ମରାମତି କାର୍ଯ୍ୟ ନକରି ପାଖାପାଖି ୪ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଠିକାଦାର, ସରପଞ୍ଚ ଓ ଇଓ ସଲାସୁତୁରାରେ ବିଲ ଉଠା ଯାଇଛି।


ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବିଲାଇସର୍ଡା ଯୁକ୍ତ ୩ ମହାବିଦ୍ୟାଳୟର ମରାମତି କାର୍ଯ୍ୟ କରାଯାଇଥିବା ଦଲିଲରେ ଉଲ୍ଲେଖ ରହିଛି। ମରାମତି କାର୍ଯ୍ୟ ପାଇଁ ୨ ଲକ୍ଷ ୩୨ ହଜାର ୧୨୮ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ବାସ୍ତବରେ ମହାବିଦ୍ୟାଳୟରେ କୌଣସି ମରାମତି କାର୍ଯ୍ୟ କରାଯାଇ ନାହିଁ। ଏପରିକି ଏନେଇ ମହାବିଦ୍ୟାଳୟର ପ୍ରିନସିପାଲ ଶରନ୍ ପ୍ରଧାନଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ କଲେଜରେ କିଛି ବି ମରାମତି କାର୍ଯ୍ୟ ହୋଇନଥିବା ସେ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ପଞ୍ଚାୟତରେ କେଉଁ ରକମର ଦୁର୍ନୀତି ଚାଲିଛି। କଲେଜ୍ ମରାମତି କାର୍ଯ୍ୟ ନକରି ପୁରା ୨ ଲକ୍ଷ ୩୨ ହଜାର ଟଙ୍କା ହଡ଼ପ କରି ନେଇଛନ୍ତି ଠିକାଦାର, ସରପଞ୍ଚ ଓ ଇଓ। ଯଦି ବି ମରାମତି କାର୍ଯ୍ୟ ହୋଇଛି ତେବେ ଯୁକ୍ତ ୩ କଲେଜ୍ ମରାମତି କଲେ କେମିତି? ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କାର୍ଯ୍ୟ କରିବା କ୍ଷମତା ଥିବା ବେଳେ ବେଆଇନ୍ ଭାବେ କଲେଜ୍ ମରାମତି କାର୍ଯ୍ୟ କଲେ କେମିତି? ଏଇ ବେଆଇନ୍ କାମ ହିଁ ପଞ୍ଚାୟତ ମହାଦୁର୍ନୀତିର ମୁଖା ଖୋଲି ଦେଇଛି।


ସେହିପରି ଗ୍ରାମ ପଞ୍ଚାୟତର ପାଚେରୀ ନିର୍ମାଣ କାର୍ଯ୍ୟରେ ବି ବ୍ୟାପକ ହେରାଫେରି ହୋଇଛି। ପୁରୁଣା ପାଚେରୀରେ ଅଳ୍ପ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏହା ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷର କାମ। ପଞ୍ଚାୟତ ପାଚେରୀ ନିର୍ମାଣ କାର୍ଯ୍ୟରେ ୨ ଲକ୍ଷ ୩୬ ହଜାର ୮୯୧ ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ ରହିଛି। ତେବେ ଏହି କାର୍ଯ୍ୟରେ ବହୁତ କମ୍ ଟଙ୍କା ଖର୍ଚ୍ଚ କରି ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ୍ ହୋଇଛି।


ଏନେଇ ପଞ୍ଚାୟତର ଇଓ ଫକୀର ମିଶ୍ରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍ ରିସିଭ୍ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହାପରେ ସରପଞ୍ଚ ରୀତା ବରିହାଙ୍କୁ ମଧ୍ୟ ଫୋନ କରି ଥିଲେ ବି ସେ ରିସିଭ୍ କରିନଥିଲେ।
ତେବେ ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ସେହି ଚିରାଚରିତ ଉତ୍ତର, ଏନେଇ କୌଣସି ଅଭିଯୋଗ ଆସିନାହିଁ। ଗତ ୩ ମାସ ହେଲା ଦାୟିତ୍ଵ ଗ୍ରହଣ କରିଥିବାରୁ ଏନେଇ କିଛି ଜାଣି ନଥିବା ସେ କହିଛନ୍ତି।
ପୂର୍ବରୁ ବିଲାଇସର୍ଡାର ଜଳ ଯୋଗାଣ ପ୍ରକଳ୍ପ ମରାମତି ଓ ଗାଁ ସଫେଇ କାର୍ଯ୍ୟରେ ଘୋଟାଲା ନେଇ ଖବର ପ୍ରକାଶ କରାଯାଇଥିଲା। ପଞ୍ଚାୟତ ଘୋଟାଲା-୧ ରେ ପ୍ରାୟ ୬ ଲକ୍ଷ ଟଙ୍କାର ଦୁର୍ନୀତିର ଖୁଲାସା ହୋଇଥିଲା। ଏବେ ପୁଣି ପ୍ରାୟ ୪ ଲକ୍ଷ ଟଙ୍କାର ଦୁର୍ନୀତି ସାମନାକୁ ଆସିଛି। ଏବେ ସୁଦ୍ଧା ପାଖାପାଖି ୧୦ ଲକ୍ଷ ଟଙ୍କାର ଦୁର୍ନୀତିର ଫର୍ଦାଫାଶ୍ ହୋଇଛି। ଆଗକୁ ଆହୁରି ବହୁ ଦୁର୍ନୀତିର ଫର୍ଦାଫାଶ ହେବ। ଏବଂ ଏହି ମହା ଘୋଟାଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତବିଶେଷଙ୍କ ଅସଲ୍ ମୁଖା ଖୋଲିବ।

Leave a Reply