ଅର୍ଥମନ୍ତ୍ରୀଙ୍କ ଗାଁ ରାସ୍ତାର ଅବସ୍ଥା: ୨୦ ବର୍ଷ ପରେ ବି ସମ୍ପୁର୍ଣ୍ଣ ହୋଇ ପାରୁନି ଦେଢ଼ କିମି ରାସ୍ତା!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଲୋକେ ସୁବିଧାରେ ଯିବା ଆସିବା ପାଇଁ ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ ଚାଲିଛି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି। ତେବେ ଅନେକ ଜାଗାରେ ରାସ୍ତା ନିର୍ମାଣ ହୋଇ ସାରିଥିବା ବେଳେ ମନ୍ତ୍ରୀ ଭୁଲିଗଲେ ନିଜ ଗାଁ ରାସ୍ତା କଥା। ଏପରିକି ବିଧାୟକ ହେବାର ୨୦ ବର୍ଷ ପରେ ବି ମାତ୍ର ଦେଢ଼ କିଲୋମିଟର ରାସ୍ତା ତିଆରି କରି ପାରିନାହାଁନ୍ତି ମନ୍ତ୍ରୀ। ନିର୍ବାଚନ ମଣ୍ଡଳୀର ବିକାଶ କିଭଳି ହୋଇଥିବ ଏଥିରୁ ସ୍ପଷ୍ଟ ଜଣା ପଡୁଛି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାବୁପାଲି ପଞ୍ଚାୟତର ଅଇଁଲାମୁଣ୍ଡା ଗାଁ। ଖୋଦ୍ ଅର୍ଥମନ୍ତ୍ରୀ ତଥା ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଁ। ଏହି ଅଂଚଳରୁ ସ୍ଥାନୀୟ ଲୋକେ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି। ସେ ମଧ୍ୟରୁ ଦୁଇଟି ଟର୍ମରେ ପ୍ରଭାବଶାଳୀ ମନ୍ତ୍ରୀ ପଦବୀ ପାଇଛନ୍ତି ନିରଞ୍ଜନ। ହେଲେ ଲୋକେ ଯେଉଁ ଭରସାରେ ନିରଞ୍ଜନଙ୍କୁ ବିଧାନସଭାକୁ ନିର୍ବାଚିତ କଲେ, ସେ ଲୋକଙ୍କ ଭରସା ରଖି ପାରି ନାହାନ୍ତି। ତାହା ପୁଣି ଏକ ସାମାନ୍ୟ ସମସ୍ୟା। ବିଧାୟକ ହେବାର ୨୦ ବର୍ଷ ପରେ ବି ନିଜ ଗାଁ ରାସ୍ତା ସମସ୍ୟା ସୁଧୁରି ପାରିନି।


ଅଭିଯୋଗ ହେଲା, ଦୀର୍ଘ ୨୦ ବର୍ଷ ହେଲା ଅଇଁଲାମୁଣ୍ଡାରୁ ପ୍ରଧାନପାଲି ରାସ୍ତାର ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଅବସ୍ଥା ବେହାଲ। ଗାଁ ମୁଣ୍ଡରୁ ଯୋର୍ ଯାଏ ଏହି ଦେଢ଼ କିଲୋମିଟର ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଟିକେ ବର୍ଷା ହେଲେ ରାସ୍ତାରେ ଯିବା ଆସିବା ଗୋଟେ ପ୍ରକାର ମୁସ୍କିଲ ହୋଇ ପଡ଼େ। ରାସ୍ତା ସମସ୍ୟାର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ପହଞ୍ଚି ଥିଲୁ ଅଇଁଲାମୁଣ୍ଡା ଗାଁରେ। ଗାଁଠାରୁ ଯୋର୍ ଯାଏ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ। ପାଖାପାଖି ଦେଢ଼ କିଲୋମିଟର ରାସ୍ତା। ରାସ୍ତାରେ ଖାଲ ଖମାରେ ଭର୍ତି। ଅବଡାଖାବଡା ରାସ୍ତାରେ ଯିବା ଆସିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଦୀର୍ଘ ୨୦ ବର୍ଷ ପରେ ମନ୍ତ୍ରୀ ଏହି ମାଟି ରାସ୍ତାକୁ ପକ୍କା କରି ପାରିଲେ ନାହିଁ। ତାହା ପୁଣି ଅଲଗା କୌଣସି ଜାଗାର ନୁହଁ, ଖୋଦ୍ ନିଜ ନିର୍ବାଚନ ମଣ୍ଡଳୀର ନିଜ ଗାଁ ଅଇଁଲାମୁଣ୍ଡା।
ଗତ ୨୦୦୦ ମସିହାରୁ ଏଯାଏ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ କରିଛନ୍ତି ସ୍ଥାନୀୟ ଲୋକେ। ୨୦୦୦, ୨୦୦୪ ବିନିକା ଓ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଏ ସମୟରେ ଅନେକ ପଦ ପଦବୀରେ ରହିବା ସହ ନବୀନ ସରକାରର ଚତୁର୍ଥ ଓ ପଞ୍ଚମ ପାଳିରେ କ୍ଷମତାଶାଳୀ ମନ୍ତ୍ରୀ ପଦ ମଧ୍ୟ ହାତେଇଛନ୍ତି। ଜଳ ସେଚନ, ଶକ୍ତି, ଅର୍ଥ ଓ ଅବକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଛନ୍ତି ନିରଞ୍ଜନ। ହେଲେ ଏତେ ପ୍ରଭାବଶାଳୀ ମନ୍ତ୍ରୀ ପଦ ପରେ ବି ଗୋଟିଏ ସାମାନ୍ୟ ସମସ୍ୟାର ସମାଧାନ କରି ପାରି ନାହାଁନ୍ତି। ଏନେଇ ସେ ଅବଗତ ନା ଜାଣିଶୁଣି ଏହା କରୁ ନାହାନ୍ତି। ଯଦି ଜାଣିଛନ୍ତି, ତେବେ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ନେଉ ନାହାନ୍ତି କାହିଁକି? ଯଦି ଅବଗତ ନାହାନ୍ତି, ତାହେଲେ ମାଟି ପ୍ରତି ମମତା କେତେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଦେଖାଯାଉ ଏହି ଦୃଷ୍ଟି ଆକର୍ଷଣ ପରେ ମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି ନା ଆହୁରି ଗାଢ଼ ନିଦ୍ରାରେ ଶୋଉଛନ୍ତି।

Leave a Reply