ଝାରସୁଗୁଡାରେ ବିଗୁଡୁଛି ପରିସ୍ଥିତି: ଗୋଟିଏ ଦିନରେ ୨୩ ଚିହ୍ନଟ,ପଶ୍ଚିମ ଓଡ଼ିଶାରେ ୭୭୧କୁ ବୃଦ୍ଧି

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ବେକାବୁ। ଗୋଟିଏ ଦିନରେ ୩୮ ରୋଗୀ ଚିହ୍ନଟ ହେବା ସହ ପଶ୍ଚିମରେ ମୋଟ ରୋଗୀ ସଂଖ୍ୟା ୭୭୧କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୫୭୪ ସୁସ୍ଥ ହୋଇଥିବା ବେଳେ ୧୯୬ ସକ୍ରିୟ ରହିଛନ୍ତି। ହେଲେ ଏଯାଏ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଆଜି ସାରା ଓଡ଼ିଶାରେ ୨୮୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୫୬ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୬ ସ୍ଥାନୀୟ ସଂକ୍ରମଣ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ୨୮୨ ମଧ୍ୟରେ ପଶ୍ଚିମ ଓଡ଼ିଶାରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଝାରସୁଗୁଡ଼ା ଜିଲ୍ଲାରେ ସବୁଠାରୁ ଅଧିକ ୨୩ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୨୩ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇପଡିଛି। ତେବେ କଣ ପାଇଁ ବିଗୁଡୁଛି ଜିଲ୍ଲାର ସ୍ଥିତି। କୁହାଯାଉଛି ଯେ, ସଂଗରୋଧ କେନ୍ଦ୍ରରେ ଜନ୍ମଦିନ ପାଳନ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।

ଏବେ ନଜର ପକାଇବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୧୬୪ରୁ ୧୩୦ ସୁସ୍ଥ, ୩୪ ସକ୍ରିୟ, ବଲାଙ୍ଗିରରେ ୧୫୪ରୁ ୧୪୩ ସୁସ୍ଥ, ୧୧ ସକ୍ରିୟ, ନୂଆପଡାରେ ୭୯ରୁ ୭୭ ସୁସ୍ଥ, ୨ ସକ୍ରିୟ, ଝାରସୁଗୁଡାରେ ୭୬ରୁ ୧୮ ସୁସ୍ଥ, ୫୮ ସକ୍ରିୟ, କଳାହାଣ୍ଡିରେ ୭୦ରୁ ୪୧ ସୁସ୍ଥ, ୨୯ ସକ୍ରିୟ, ବରଗଡ଼ରେ ୬୮ରୁ ୩୩ ସୁସ୍ଥ, ୩୪ ସକ୍ରିୟ ଏବଂ ଜଣେ ମୃତ, ସମ୍ବଲପୁରରେ ୪୪ରୁ ୨୩ ସୁସ୍ଥ, ୨୧ ସକ୍ରିୟ, ଦେବଗଡରେ ୪୧ରୁ ୪୦ ସୁସ୍ଥ, ୧ ସକ୍ରିୟ, ବୌଦ୍ଧରେ ୪୦ରୁ ୩୮ ସୁସ୍ଥ, ୨ ସକ୍ରିୟ ଏବଂ ସୋନପୁରରେ ୩୫ରୁ ୩୧ ସୁସ୍ଥ ଓ ୪ ସକ୍ରିୟ ରୋଗୀ ରହିଛନ୍ତି।

ସୂଚନା ଅନୁସାରେ, ସାରା ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୩୯୮୮ ସୁସ୍ଥ ହୋଇଥିବା ବେଳେ ୧୭୪୦ ସକ୍ରିୟ ରହିଛନ୍ତି। ତେବେ ଏଯାଏ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ କରୋନା ବ୍ୟତୀତ ଅନ୍ୟ କାରଣରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।