ନବମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଜ୍ଞାପୁରୁଷ ନାରାୟଣ ପୃଷେଠଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବଡ଼ ଖବରସାହିତ୍ୟ ଓ ସଂସ୍କୃତିସ୍ପେଶାଲ

ଏନ୍‌ଏନ୍‌ବ୍ୟୁରୋ । ପ୍ରଫେସର୍ ନାରାୟଣ ପୃଷେଠ୍ । ଓଡ଼ିଶାର କଳା, ସାହିତ୍ୟ, ଶିକ୍ଷା, ସାମ୍ବାଦିକତା, ସାଂସ୍କୃତିକ ଜଗତରେ ଏକ ପରିଚିତ ନାମ । ଏକାଧାରରେ ସେ ଥିଲେ ଜଣେ ଶିକ୍ଷାବିତ୍‌, ସାହିତ୍ୟ ସାଧକ, ସ୍ତମ୍ଭକାର, ସାମ୍ବାଦିକ ଓ ସଂପାଦକ । ବୃତ୍ତିରେ ସେ ଥିଲେ ଅର୍ଥନୀତିର ଅଧ୍ୟାପକ । କିନ୍ତୁ ଜୀବନ ଥିଲା କଳା, ସାହିତ୍ୟ, ସଂସ୍କୃତି ପ୍ରତି ସମର୍ପିତ । ତାଙ୍କର ସରଳ, ନମ୍ର, ନିରଭିମାନ ବ୍ୟକ୍ତିତ୍ୱ ଥିଲା ଆକର୍ଷଣୀୟ ଓ ପ୍ରେରଣାପ୍ରଦ । ଯୁବକଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ତାଙ୍କର ସଂପର୍କ ଥିଲା ଅନ୍ତରଙ୍ଗ ଓ ନିଃସ୍ୱାର୍ଥପର । ସମସ୍ତଙ୍କ ସେ ପ୍ରତି ଅଜାଡ଼ି ଦେଉଥିଲେ ହୃଦୟ ବିପୁଳ ଆବେଗ ଓ ଭଲ ପାଇବା ।

୧୯୪୩ ମସିହା ଜୁନ୍ ୨୦ ତାରିଖରେ ବଲାଙ୍ଗୀରର ଭବାନୀଶଙ୍କର ପୃଷେଠ୍ ଓ ସରୋଜିନୀ ଦେବୀଙ୍କ କୋଳମଣ୍ଡଳନ କରିଥିଲେ ନାରାୟଣ । ଛାତ୍ର ଜୀବନରୁ ନାରାୟଣଙ୍କ ଭିତରେ ଥିବା ପ୍ରତିଭା ପ୍ରସ୍ଫୁଟିତ ହେବାରେ ଲାଗିିଥିଲା । ପ୍ରଫେସର୍ ନାରାୟଣ ପୃଷେଠ୍ ଥିଲେ ଜଣେ ଆଦର୍ଶ ଅଧ୍ୟାପକ । ପଦ୍ମପୁର ଅଞ୍ଚଳ କଲେଜରେ ଅର୍ଥନୀତିର ଅଧ୍ୟାପକ ଭାବେ ସେ ନିଜର ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବରପାଲି କଲେଜ, ପାଟଣାଗଡ଼ ଜବାହର କଲେଜ, ବରଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ନିଷ୍ଠାର ସହିତ ଦାୟିତ୍ୱ ତୁଳାଇଛନ୍ତି । ଯେଉଁଠି ଯେତେବେଳେ ସେ କାର୍ଯ୍ୟ କରିଛନ୍ତି ସେଠାକାର କଲେଜର ବିକାଶ ସହିତ ସେଇ ସହରର ସାହିତ୍ୟିକ ଓ ସାଂସ୍କୃତିକ ବାତାବରଣକୁ ଅଧିକ ଚଳଚଞ୍ଚଳ କରିଦେଉଥିଲେ । ସବୁଠି ଏକ ସାଂସ୍କୃତିକ ପରିମଣ୍ଡଳ ସୃଷ୍ଟି କରିବାକୁ ପ୍ରଚେଷ୍ଟା କରୁଥିଲେ ପ୍ରଫେସର୍ ପୃଷେଠ୍ । ପଶ୍ଚିମ ଓଡ଼ିଶାରେ ଶିକ୍ଷାର ବିକାଶରେ ତାଙ୍କ ଅବଦାନ ଅତୁଳନୀୟ । ସୋହେଲା, ଘେଁସ, ଝାରବନ୍ଧ, ଗାଇସିଲେଟ୍‌, ବିଜେପୁର, ମାଣ୍ଡୋସିଲ୍ ଓ ଲୋଇସିଂହା କଲେଜର ସେ ଥିଲେ ପ୍ରତିଷ୍ଠାତା ସଭ୍ୟ ।


ପ୍ରଫେସର୍ ନାରାୟଣ ପୃଷେଠ୍ ଥିଲେ ଜଣେ ବାଗ୍ମୀ । ସୁବକ୍ତା ଭାବେ ସେ ପ୍ରସିିଦ୍ଧି ଅର୍ଜନ କରିଥିଲେ ସାରା ଓଡ଼ିଶାରେ । କଲେଜ କ୍ଲାସ୍ ରୁମ୍‌ରେ ହେଉ କି ସଭା ମଞ୍ଚ । ସାହିତ୍ୟ ହେଉ କି ଅର୍ଥନୀତି ଅବା ଇତିହାସ କିମ୍ବା ସାଂପ୍ରତିକ ଘଟଣାବଳୀ ସଂପର୍କରେ ସେ ଘଣ୍ଟାଘଣ୍ଟା ଧରି ଅନର୍ଗ ଭାଷଣ ଦେଇପାରୁଥିଲେ ।


ପ୍ରଫେସର୍ ନାରାୟଣ ପୃଷେଠ୍ ଥିଲେ ଜଣେ ନମ୍ର ସାହିତ୍ୟ ସ୍ରଷ୍ଟା । ବୃତ୍ତିରେ ସେଥିଲେ ଅର୍ଥନୀତିର ଅଧ୍ୟାପକ, କିନ୍ତୁ ସାହିତ୍ୟ ସାଧନା ଥିଲା ତାଙ୍କ ଜୀବନର ଅନ୍ୟତମ ମହତ୍ ଲକ୍ଷ୍ୟ । ଓଡ଼ିଶାର ବହୁ ପତ୍ରପତ୍ରିକାରେ ପ୍ରଫେସର୍ ପୃଷେଠ୍‌ଙ୍କ ଗପ, ଆଲୋଚନା, ଶିଶୁ ଗପ ପ୍ରକାଶ ପାଇ ପାଠକୀୟ ସ୍ୱୀକୃତି ପାଇପାରିଥିଲା । ପରବର୍ତ୍ତୀ ସମୟରେ ସେ ସବୁ ପୁସ୍ତକାରରେ ପ୍ରକାଶିତ ହୋଇଛି । ପ୍ରଫେସର୍ ପୃଷେଠ୍‌ଙ୍କ ରଚିତ ‘ପ୍ରାରମ୍ଭିକ ଅର୍ଥଶାସ୍ତ୍ର’ (୧୯୭୧) , ‘ପିଲାଙ୍କ ଗଳ୍ପ’(୧୯୭୫), ‘ପରିଚିତି’ (୧୯୭୬), ‘ମଜାମଜା ଗପ’(୧୯୭୮), ‘ହଳଦୀ ବସନ୍ତ’ (୧୯୭୯), ‘ସୀମା’ (୧୯୮୦), ‘ଚେତନାର ଦିଗ୍‌ବଳୟ’ (ପ୍ରଥମ ଭାଗ, ୨୦୧୮), ‘ଚେତନାର ଦିଗ୍‌ବଳୟ’ (ଦ୍ୱିତୀୟ ଭାଗ, ୨୦୧୯) ପ୍ରଭୃତି ପୁସ୍ତକ ପାଠକମାନଙ୍କୁ ସୁଦୃୃଷ୍ଟି ଆକର୍ଷଣ କରିପାରିଛି । ସେହିପରି ଅନେକ ଉପାଦେୟ ପୁସ୍ତକର ସଂପାଦନା ମଧ୍ୟ ସେ କରିଛନ୍ତି । ତାଙ୍କ ସଂପାଦନାରେ ‘ନୃସିଂହ ଚରିତ’, ‘ଆଗାମୀ କାହାଣୀ’, ‘ନୃସିଂହନାଥ’, ‘ଏକାଙ୍କିକା ଆମ ସମୟର’ ଆଦି ପୁସ୍ତକ ପ୍ରକାଶିତ । ସେ ଜଣେ ଉଚ୍ଚକୋଟୀର ଅନୁବାଦକ ମଧ୍ୟ । ‘ଜୟକାନ୍ତନ୍‌ଙ୍କ କଥା ଓ କାହାଣୀ’ ପୁସ୍ତକର ଅନୁବାଦ କରି ସେ ନିଜକୁ ଜଣେ ଦକ୍ଷ ଅନୁବାଦକ ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି । ‘ଜୟକାନ୍ତନ୍‌ଙ୍କ କଥା ଓ କାହାଣୀ’ ଅନୁବାଦ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଶିକ୍ଷା, ସାହିତ୍ୟ ଓ ସାଂସ୍କୃତିକ ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର୍ ପୃଷେଠ୍ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।


ଉଚ୍ଚକୋଟୀର ସାହିତ୍ୟ ସ୍ରଷ୍ଟା ସହ ପ୍ରଫେସର୍ ନାରାୟଣ ପୃଷେଠ୍ ଥିଲେ ଜଣେ ଦକ୍ଷ ସଂପାଦକ । ସଂପାଦନା କ୍ଷେତ୍ରରେ ତାଙ୍କ ମୌଳିକ ପ୍ରତିଭାର ପରିସ୍ଫୁଟନ ଦେଖିବା ମିଳେ । ଅଶୀ ଦଶକରେ ପ୍ରଫେସର୍ ପୃଷେଠ୍‌ଙ୍କ ସଂପାଦନାରେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ପ୍ରକାଶ ପାଉଥିଲା ‘ଆଗାମୀ’ ନାମକ ଏକ ତୈମାସିକ ଗଳ୍ପ ପତ୍ରିକା । ପରବର୍ତ୍ତୀ ସମୟରେ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ସାପ୍ତାହିକ ‘ରୁଦ୍ର ଆହ୍ୱାନ’ର ମୁଖ୍ୟ ସଂପାଦକ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଲେହେଡ଼ିରୁ ପ୍ରକାଶ ପାଉଥିବା ‘ଚେତନାବାର୍ତ୍ତା’ର ସଂପାଦକଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ‘ଆଗାମୀ’, ‘ରୁଦ୍ର ଆହ୍ୱାନ’, ‘ଚେତନାବାର୍ତ୍ତା’ର ଜଣେ ଦକ୍ଷ ସଂପାଦକଭାବେ ସେ ପାଠକମାନଙ୍କ ହୃଦୟରେ ଛାଡ଼ି ଯାଇଛନ୍ତି ଗଭୀର ଛାପ । ଜଣେ ସ୍ତମ୍ଭକାର ଭାବେ ମଧ୍ୟ ପ୍ରଫେସର୍ ନାରାୟଣ ପୃଷେଠ୍ ବେଶ୍ ପରିଚିତ । ଦୈନିକ ‘ସମ୍ବାଦ’, ‘ସମାଜ’ ଆଦି ସମ୍ବାଦପତ୍ରରେ ସେ ନିୟମିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖୁଥିଲେ । ଯାହା ବହୁ ପାଠକୀୟ ଆଦୃତି ଲାଭ କରିଥିଲା ।


ସମ୍ବଲପୁର ବିଶ୍ୱବିଦ୍ୟାଳୟ ସିନେଟ୍ ଓ ସିଣ୍ଡିକେଟ୍ ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟିର ସଦସ୍ୟ, ଆକାଶବାଣୀ ସମ୍ବଲପୁରର ପରାମର୍ଶଦାତା କମିଟି ସଭ୍ୟ ସମେତ ଓଡ଼ିଶାର ବହୁ କଳା, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ ।


କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି, ସାମ୍ବାଦିକତା ଜଗତରେ ନିଜର ସ୍ୱର ଓ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ପ୍ରଫେସର୍ ନାରାୟଣ ପୃଷେଠ୍ । ତାଙ୍କ ଉଚ୍ଚ ଚିନ୍ତାଧାରା, ମହାନ୍ ଆଦର୍ଶ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଅନେକଙ୍କୁ ଗଭୀର ଭାବେ ପ୍ରଭାବିତ କରୁଥିଲା । ସାହିତ୍ୟ ସାଧନା ହେଉ କି ସାହିତ୍ୟ ସଂଗଠନ ଅବା ଅଧ୍ୟାପନା ପ୍ରତିଟି କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ଆନ୍ତରିକତା ଫୁଟି ଉଠୁଥିଲା ଅତି ଜୀବନ୍ତ ଭାବେ । ଜୀବନର ପ୍ରତିଟି କାର୍ଯ୍ୟକୁ ସେ ଗୁରୁତ୍ୱ ସହ ସଂପାଦନ କରୁଥିଲେ । ପ୍ରତିଟି କାର୍ଯ୍ୟରେ ତାଙ୍କ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ଉକୁଟି ଉଠୁଥିଲା ଅତି ମାର୍ମିକ ଭାବେ । ଜଣେ ଦରଦୀ ଓ ସମ୍ବେଦନଶୀଳ ମଣିଷ ଭାବେ ମଧ୍ୟ ସେ ସମସ୍ତଙ୍କ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଛାତ୍ରଛାତ୍ରୀ ହୁଅନ୍ତୁ ଅବା ବୟୋଜ୍ୟେଷ୍ଠ ବ୍ୟକ୍ତି ସମସ୍ତଙ୍କୁ ସେ ଅନାବିଳ ସ୍ନେହ ଓ ଭଲ ପାଇବା ଦେଇ ନିଜ ହୃଦୟ ଭିତରେ ବାନ୍ଧି ରଖିଥିଲେ । ୨୪ ନଭେମ୍ବର ୨୦୧୧ ମସିହା । ମହାନ୍ ସାହିତ୍ୟ ସାଧକ, ଶିକ୍ଷାବିତ୍ ପ୍ରଫେସର୍ ନାରାୟଣ ପୃଷେଠ୍‌ଙ୍କ ଦୁଇ ଉଜ୍ଜ୍ୱଳ ଆଖି ଚିରଦିନ ପାଇଁ ନିମୀଳିତ ହୋଇଯାଏ । ପରିବାରର ସଦସ୍ୟ, ଆତ୍ମୀୟସ୍ୱଜନଙ୍କୁ ଶୋକର ସାଗରରେ ଭସାଇ ଆରପାରିକୁ ଚାଲି ଯାଆନ୍ତି ସେ । ସବୁଦିନ ପାଇଁ ନିରବି ଯାଏ ତାଙ୍କ ଲେଖନୀ । ମଞ୍ଚରୁ ଆଉ ଶୁଭେନି ତାଙ୍କ ଓଜସ୍ୱିନୀ ଭାଷଣ । ଆଜି ପ୍ରଫେସର୍ ନାରାୟଣ ପୃଷେଠ୍ ସଶରୀରରେ ନାହାନ୍ତି ସତ, ହେଲେ ତାଙ୍କ ସାରସ୍ୱତ କୃତି ଓ ମହାନ୍ ବ୍ୟକ୍ତତ୍ୱ ଯୋଗୁଁ ସେ ଓଡ଼ିଶାର ଅଗଣିତ ଜନତାଙ୍କ ହୃଦୟରେ ଜୀବିତ ହୋଇରହିଛନ୍ତି । ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଫେସର୍ ପୃଷେଠ୍‌ଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ଗ୍ରା:/ପୋ: ଲେଣ୍ଡା, ଭାୟା: ବରପାଲି
ଜି: ବରଗଡ, ପିନ୍‌:୭୬୮୦୨୯
ମୋବାଇଲ: ୯୪୩୭୨-୬୩୮୨୬

Leave a Reply