୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଘାରିଲା ଦାଦନ ଚିନ୍ତା!

ଓଡ଼ିଶାଫିଚର୍ବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଦାଦନ ଖଟି ଯାଇଥାନ୍ତି। ହେଲେ ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡା ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ଏଠାରୁ ଅଧିକ ସଂଖ୍ୟାରେ ଲୋକେ କାମଧନ୍ଦା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥାନ୍ତି। ଦଲାଲ୍, ସର୍ଦାରଙ୍କ ସହାୟତାରେ ଶ୍ରମିକମାନେ ଭାଟି ମାଲିକ ପାଖକୁ ଯାଇ କାମ କରିଥାନ୍ତି। ଦଲାଲ୍, ସର୍ଦାର ମୋଟା ଅଙ୍କର ଟଙ୍କା ଆଣି ମାଳାମାଳ ହେଉଥିବା ବେଳେ ଶ୍ରମିକ ମାନେ ବଇନା ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼େ। ତେଣୁ ବାଧ୍ୟ ହୋଇ ଶ୍ରମିକ ମାନେ ଭାଟିରେ କାମ କରି ନିର୍ଯାତନାର ଶିକାର ହୋଇଥାନ୍ତି। ଭାଟି ମାଲିକର ଅସହ୍ୟ ନିର୍ଯାତନା, ନିସ୍ତୁକ ମାଡ ସହ ବନ୍ଧକ ରହିବାକୁ ପଡ଼େ ଶ୍ରମିକଙ୍କୁ। ଏପରିକି ଏନେଇ ଥାନାରେ ଅଭିଯୋଗ କଲେ ବି କିଛି ଲାଭ ମିଳେନି। କାରଣ ଦଲାଲ୍, ସର୍ଦାରଙ୍କ ସହ ଥାନା ଅଧିକାରୀଙ୍କ ସଲାସୁତୁରା ଥିବା ବେଳେ ଏଥିରେ ଏନେଇ ନେତା ମନ୍ତ୍ରୀଙ୍କ ମଧ୍ୟ ସଂପୃକ୍ତି ରହିଛି।

ଭାଟି ମାଲିକର ଅସହ୍ୟ ନିର୍ଯାତନା!

ନିକଟରେ କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ ବାହାର ରାଜ୍ୟରେ ମୃତ୍ୟୁ ବରଣ କରିଥିବା ନଜିର ରହିଛି। ତେବେ ଏହା ଦାଦନ ନିର୍ଯାତନାର କେବଳ ଏକ ନମୂନା ମାତ୍ର। ଏମିତି ପ୍ରତିବର୍ଷ ଅନେକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ମୃତ୍ୟୁବରଣ କରିବା ସହ ଗୋଡ଼ ହାତ ହରାଇ ବିକଳାଙ୍ଗ ହୋଇ ଘରକୁ ଫେରୁଛନ୍ତି। ଏହାରି ସତ୍ତ୍ଵେ କାହାରି ନିଘା କି ସରକାରର ଚେତା ପଶୁନଥିଲା। କେବଳ ନାମକୁ ମାତ୍ର ଦାଦନ ସଚେତନତା କାର୍ଯ୍ୟକ୍ରମ କରି ଚୁପ ରହୁଥିଲା ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ।

ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲାରେ ବି ଦାଦନ ଦୁଃଖ!

ଅଲଗା ଜିଲ୍ଲା କଥା ନ କହିବା ଭଲ। କାରଣ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଜିଲ୍ଲା ବରଗଡ଼ରେ ବି ସରୁନି ଦାଦନ ଦୁଃଖ। ଗତ ୮ ବର୍ଷ ମଧ୍ୟରେ କେବଳ ଗାଏସିଲଟ ବ୍ଲକରେ ୨୫ ଜଣ ଦାଦନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଶ୍ରମିକ କାରଖାନା, ଇଟାଭାଟିରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଏପରିକି ଗତ ୧୧ ତାରିଖରେ ତାମିଲନାଡୁକୁ ଦାଦନ ଯାଇଥିବା ସାନଡୁଙ୍ଗୁରିପାଲି ଗାଁର ଗୋକୁଳ ବାରିହାଙ୍କ ମୃତ୍ୟୁ ହୋଇଛି। ଝାଡାବାନ୍ତିରେ ସେଠାରେ ଜୀବନ ଯାଇଥିବା ଜଣା ପଡ଼ିଛି। ଏଥି ସହ ଦାଦନ ଯାଇଥିବା ୧୫ ଶ୍ରମିକ ମଧ୍ୟ ଝାଡା ବାନ୍ତିରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ବରଗଡ଼ ଜିଲ୍ଲା ପ୍ରଶାସନ କି ଶ୍ରମ ବିଭାଗ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇନି। ତେବେ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଏଭଳି ସ୍ଥିତି ତାହେଲେ ଅନ୍ୟ ଜିଲ୍ଲାରେ ସ୍ଥିତି କେମିତି ଥିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ଶ୍ରମିକଙ୍କୁ ଶହେ ଦିନର କାମ ଫେଲ!

କିଛି ବର୍ଷ ଆଗରୁ ଦାଦନ ଚାଲାଣ ରୋକିବା ପାଇଁ କେବିକେ ଅଞ୍ଚଳର ଶ୍ରମିକଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ ସରକାର। କିନ୍ତୁ ତାହା ମଧ୍ୟ ସଫଳ ହୋଇନଥିଲା। ମନରେଗା ଯୋଜନାରେ ଶହେ ଦିନ କାମ କରିବା ପରେ ଆଉ ୨୬୫ ଦିନ କରିବେ କଣ? ନିଜ ଅଞ୍ଚଳରେ କାମ ଧନ୍ଦା ଅଭାବ ଲାଗି ପୁଣି ଦାଦନ ଖଟି ଗଲେ ଶ୍ରମିକ। ଦାଦନ ଶ୍ରମିକଙ୍କୁ ଶହେ ଦିନର କାମ ଯୋଜନା ସମ୍ପୂର୍ଣ ଫେଲ୍ ମାରିଲା।

ନବୀନଙ୍କ ଦାଦନ ପ୍ୟାକେଜ!

ମନରେଗା ଯୋଜନାରେ ଶ୍ରମିକଙ୍କୁ ଶହେ ଦିନର ନିଯୁକ୍ତି ଫେଲ ମାରିବା ପରେ ଏବେ ଦୁଇ ଶହ ଦିନର ନିଯୁକ୍ତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାଦନ ପ୍ରବଣ ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ୨୦ ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏ ଅଞ୍ଚଳର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ନ ଯିବା ପାଇଁ ସେମାନଙ୍କୁ ମନରେଗା ଯୋଜନାରେ ଦୁଇ ଶହ ଦିନର କାମ ଯୋଗାଇବେ ସରକାର। ଏଥିସହ ପାରିଶ୍ରମିକରେ ଯେମିତି ଅସୁବିଧା ନ ହେବ ସେଥିପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରାଯାଇଛି। ପୂର୍ବରୁ ୧୮୮ ଟଙ୍କା ପାଉଣା ଦିଆଯାଉଥିବା ବେଳେ ଏବେ ଶ୍ରମିକ ମାନେ ୨୮୮.୩୦ ମଜୁରୀ ପାଇବେ। କାମ ଧନ୍ଦା ଅଭାବରୁ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ୧୧ ଜିଲ୍ଲା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ହେଲେ ସେ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ବରଗଡ ୪ ଜିଲ୍ଲାକୁ ନିଆ ଯାଇଛି। ତେବେ ଚର୍ଚ୍ଚା ହେଉଛି ଦୁଇ ଶହ ଦିନ କାର୍ଯ୍ୟ ପରେ ବାକି ୧୬୫ ଦିନ ଶ୍ରମିକ କରିବେ କଣ? ମନରେଗା ବ୍ୟତୀତ ଯଦି ସ୍ଥାନୀୟ ଅଞ୍ଚଳରେ କିଛି କାମ ନ ମିଳିଲେ ପୁଣି ସେ ସମାନ ସମସ୍ୟା ସୃଷ୍ଟି ହେବ ଏଥିରେ କୌଣସି ସନ୍ଦେହ ନାହିଁ।

Leave a Reply