ଲେଖିକା ଅନସୂୟା ପଣ୍ଡାଙ୍କ ମନଛୁଆଁ ଗଳ୍ପ ଫିରଙ୍ଗୀ ପୋଲିସ ସହ ସେଦିନ ଖରାବେଳେ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ସେ ଦିନ ଶନିବାର ଥିଲା। ଅଫିସ ନଥିଲା। ଚେନାଇରେ ଥିଲେ କଥା ଅଲଗା, କାମ ଥିଲେ ଅଫିସ ଯାଇହେବ ହେଲେ ଏଠି ନୁହେଁ। କାମର ବୋଝ ଅନେକ ହେଲେ ଚାରା ନାହିଁ। ସବୁଦିନର ଧାଁ ଦୌଡ଼ରୁ ବିରତି ନେଇ, କ୍ଷିପ୍ର ଗାମୀ ଘୋଡା ପରି ଦଉଡୁ ଥିବା ମନକୁ କିଛି ସମୟ ଧିମେଇ ଦେଇ, ମୁଁ ରହୁଥିବା ହୋଟେଲ ହ୍ୱାଇଟ ହାଉସର ଡାଇନିଂ ହଲରେ ସକାଳ ଜଳଖିଆ ଖାଇଲା ବେଳେ ଡାଇନିଂ ହଲର ଗ୍ଲାସ ସେପଟେ ଥିବା ଲମ୍ବା ଲମ୍ବା ଅଟମନ ଗଛରୁ ପତ୍ର ଝଡ଼ିବାକୁ ନିରେଖିକି ଦେଖେ। ହୋଟେଲ ପାଖକୁ ଲାଗି ଥିବା ଛୋଟିଆ ପୋଖରୀରେ ଫୁଟିଥିବା ଧଳା କଇଁ , ପହଁରି ପହଁରି ପୋକ ଖାଉଥିବା ଦୁଇ ମାଟିଆ ବତକଙ୍କୁ ଦେଖେ। ହୋଟେଲ ଓ ରୁମ ସଫା କରିବାକୁ ଆସୁଥିବା ଝିଅ ମାନେ ଯେଉଁ ମାନେ ଡାକ୍ତରୀ, ଇଞ୍ଜିନିରିଙ୍ଗ କି ଫୋଟୋଗ୍ରାଫି କରୁଛନ୍ତି, ସେମାନଙ୍କ ପିତା ମାତା ମଧ୍ୟ ବଡ ଚାକିରୀ କରିଥିଲେବି, ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ସେମାନେ ଶନିବାର, ରବିବାର ଛୁଟି ଦିନରେ କାମ କରନ୍ତି, ତାଙ୍କ ଜୀବନ ଶୈଳୀ ଜାଣିବାକୁ ମୁଁ ତାଙ୍କ ସହ କଥା ହୁଏ। ଲହୁଣୀ ପିତୁଳା ପରି ନେଦରଲାଣ୍ଡର ଝିଅମାନେ ଖୁବ ସୁନ୍ଦର, ଖୁବ ନରମ, ଡେଙ୍ଗା, ଗୋରା, କହରା ସିଧା ଚୁଟି। ସତେ ଯେମିତି ମଦର ମେରୀ। ମୁଗ୍ଧ ହୋଇ ସେମାନଙ୍କୁ ଦେଖେ। ସେମାନଙ୍କ ସହ ଫଟୋ ନିଏ।

ପବନ କଳ, ଟ୍ୟୁଲିପର ଦେଶ ନେଦରଲାଣ୍ଡ ଯେଉଁଠି ମନୁଷ୍ୟ କୃତ ଜଙ୍ଗଲ, ଠାଏ ଠାଏ ଛୋଟ ଛୋଟ ପୁଷ୍କରିଣୀରେ ଖେଳୁଥିବା ବତକ, ପବନରେ ମୁଣ୍ଡ ହଲାଉଥିବା କଇଁ ଫୁଲ, ଜଙ୍ଗଲ ରାସ୍ତାରେ ଚାଲି ଥକା ମଣ୍ଟାଇବାପାଇଁ ସିମେଣ୍ଟ ଚେୟାର ଆହୁରି ଆମୋଦ ଦିଏ। ଲୋକ ସଂଖ୍ୟାର ଦୁଇ ଗୁଣ ସାଇକେଲ ସଂଖ୍ୟା। ସାଇକେଲ ଚଳାଇବା ଏମାନଙ୍କର ଗୋଟେ ନିଶା। ପ୍ରତିକାର ପଛ କଡେ ଦୁଇଟି ସାଇକେଲ ବନ୍ଧା ହୋଇଥିବା ନିଶ୍ଚିତ !
ସାଇକେଲିଙ୍ଗରେ ଯିବା, ଜଙ୍ଗଲ ରାସ୍ତାରେ ଚାଲିବା ଅଫିସ ପରେ ପରିବାର ସହିତ ଖୁସିରେ ସମୟ ବିତାଇବାକୁ ଏମାନେ ଭଲ ପାଆନ୍ତି। ମୁଁ ସେମାନଙ୍କୁ ଚର୍ଚ୍ଚ ଯିବାର ବିଶେଷ ଦେଖିନି। କାରଣ ଏମାନେ ଦୁଃଖ ଠାରୁ ବହୁତ ଦୂରରେ। ତେଣୁ କଣ ମାଗିବାକୁ ଚର୍ଚ୍ଚକୁ ଯିବେ?
ସମସ୍ତେ ଖୁବ ସମୟ ସଚେତନ ଏଠି। ସେମାନଙ୍କ ଅଫିସ ଜୀବନ ନିଜର ବ୍ୟକ୍ତିଗତ ଜୀବନଠାରୁ ଖୁବ ପୃଥକ। ସକାଳ ନଅରୁ ସନ୍ଧ୍ୟା ପାଞ୍ଚ କେବଳ ଅଫିସ ସେଠି ବ୍ୟକ୍ତିଗତ ଜୀବନ ପାଇଁ ଫୁରସତ ନାହିଁ କି, ଚାହିଁଲେ ବି ପ୍ରବେଶ ନାହିଁ। ଆଞ୍ଜୁଳା ଭର୍ତ୍ତି କାମ ସମସ୍ତଙ୍କର। ଠିକ ପଞ୍ଚଟା ବାଜିଲେ ଅଫିସ ପୁରା ଶୂନଶାନ । ମୋର କିନ୍ତୁ କାମ ସରି ନଥାଏ। ବଳିଷ୍ଠ ବାହୁରେ ଚିତ କୁଟେଇ ପହିଲିମାନ ପରି ଦିଶୁଥିବା ସିକୁରିଟି ଗାର୍ଡ ଅଫିସ ତାଲା ପକାଇବାକୁ ଆସି ମୋତେ ଅପେକ୍ଷା କରେ। ଏଠି କୁଆଡେ ଖରାଦିନେ ଜ୍ୟାକେଟ ନପିନ୍ଧି ଅଳ୍ପ ପୋଷାକ ପିନ୍ଧୁ ଥିବାରୁ ସାମୟିକ ଚିତା କୁଟାଇବାକୁ କେତେଜଣ ଭଲ ପାଆନ୍ତି। ଏତେବଡ଼ ଅଫିସରେ କେହି କୁଆଡେ ନଥାନ୍ତି, କାଳେ ଲୋକଟା କଣ କରିଦେବ! ଭୟ କୁ ମନରେ ଚାପି ମୁଁ ହସି ହସି ତାକୁ କଥା କୁହେ। ଏପଟେ ଚେନାଇରେ ଅବସ୍ଥିତ ମୋ କମ୍ପାନୀର ଲେଡି ମ୍ୟାନେଜର ଓ ଡେପୁଟି ମ୍ୟାନେଜରଙ୍କ ଫାର୍ମାଇସ ପୂରଣ କରୁଥାଏ। ଗାର୍ଡଟି ବୁଝେ ବୋଧେ, ମୋତେ କହିଦେଇ ଅନ୍ୟ ସବୁ ରୁମ ତାଲା ଦେବାକୁ ବାହାରିଯାଏ। ଫେରିବା ପରେବି ମୋର କାମ ସରି ନଥାଏ ତଥାପି ସେ ଅପେକ୍ଷା କରେ। ମୁଁ ମନେ ମନେ ଆଭାରି ହୁଏ ଲୋକଟି ପ୍ରତି। ଜଣେ ଅଜଣା ଵେଦେଶୀ ବୋଧେ ଅଧିକ ବୁଝି ପାରୁଛି ଯେତିକି ଚେନାଇ ସ୍ଥିତ ମୋ ଲେଡି ମ୍ୟାନେଜର ମାନେ ବୁଝି ପାରନ୍ତିନି।
ଏବେବି ସେ କଥା ମନେ ପଡିଲେ ସେ ଗାର୍ଡ ଜଣଙ୍କୁ ମୁଁ ମନେ ମନେ ନିଜର କୃତଜ୍ଞତା ଜଣାଇବାକୁ ଭୁଲେନି। ନହେଲେ ତ ପ୍ରତିଟି ମିନିଟ ବିଳମ୍ବ ପାଇଁ ଏକ ୟୁରୋ ନିଅନ୍ତି ସେଠାରେ। ଯେମିତି ଆମଷ୍ଟରଡାମ ଗଲା ବେଳକୁ ଟ୍ୟାକ୍ସି ଵାଲା ପାଞ୍ଚ ମିନିଟ ଡେରି ପାଇଁ ପାଞ୍ଚ ୟୁରୋ ଦାବି କରିଥିଲା!
ସବୁଦିନ ଭାବେ ସେ ୱେଟିଙ୍ଗ ଟାଇମ ପାଇଁ ୟୁରୋ ଦାବି କରିବନିତ!
ନା ସେ ଖୁବ ଭଲ ଥିଲା, ସେଥିପାଇଁ ତ ଆଜିଯାଏ ମୋ ମନ ଭିତରେ ଅଛି।

ଗ୍ରୀଷ୍ମ ସରି ଆସୁଥାଏ। ଦିନ ଛୋଟ ହେବା ଆରମ୍ଭ କରୁଥାଏ। ଆଉ ରାତି ଲମ୍ବା। ଗ୍ରୀଷ୍ମରେ ଦିନ ସବୁ ଥିଲା ଖୁବ ଲମ୍ବା। ପ୍ରାୟ ରାତି ନଅଟା ପନ୍ଦର, ସାଢେ ନ ବେଳକୁ ରାତିହୁଏ। ଦିନରେ ସତର ଅଠର ଡ଼ିଗ୍ରୀ ରହୁଥିବା ତାପମାତ୍ରା ଏଵେ ଶୀତୁଆ ପବନ ଯୋଗୁଁ ବାର ତେର ରହୁଥିଲା। ଜଳଖିଆ ଖାଇବାକୁ , ହୋଟେଲ ଭିତରକୁ ଯିବା ପୂର୍ବରୁ ଡାଇନିଂ ବାହାରେ ଜ୍ୟାକେଟ ହ୍ୟାଙ୍ଗରରେ ଟଙ୍ଗାଇ ଯାଇଥାଏ। ଜଳଖିଆ ପରେ ହ୍ୟାଙ୍ଗରରୁ ଜ୍ୟାକେଟ ନେଇ ମୁଁ ସାଇକେଲିଙ୍ଗରେ ବାହାରିଯାଏ। ଏଠିକାର ନିୟମ ସେଇଆ, ଜ୍ୟାକେଟ ବାହାରେ ରଖିବାକୁ ହୁଏ। ମୋ ରୁମ ଉପରେ ଥିଲା ତେଣୁ, ମୁଁ ଜ୍ୟାକେଟ, ସାଇକେଲ ଚାବି ସାଙ୍ଗରେ ଆଣି ଆସିଥାଏ।

ସେଦିନ ମୋ ସହ ଆମ ଅଫିସରୁ ଅନ୍ୟ ଏକ ପ୍ରୋଜେକଟରେ ଆସିଥିବା ତାମିଲ ପିଲା ‘ପରନ ‘ବି ଯିବାକୁ ବାହାରିଲା। ପ୍ରଥମ ଥର ସେ ମୋ ସହ ଯିବାକୁ ବାହାରିଥିଲା। ପ୍ରାୟତଃ ସେ ବାହାରକୁ ନଯାଇ ସ୍କାଇପରେ ଭିଡ଼ିଓ କଲ କରି ତା ସ୍ତ୍ରୀ ସହ କଥା ହୁଏ ନହେଲେ ତାମିଲ ସିନେମା ଦେଖେ। ହେଲେ ସେଦିନର ତାର ସେ ବ୍ୟତିକ୍ରମରେ ମୁଁ ମଧ୍ୟ ଚକିତ ଥିଲି!

ଆମ ଅଫିସ ଆମେ ରହୁଥିବା ହୋଟେଲ ପାଖରୁ ଦେଢ଼ କିଲୋମିଟର ହେବ। ସାଇକେଲ ନେଇ ବାହାରକୁ ବାହାରିଲା ବେଳେ ଗତ ଦୁଇବର୍ଷ ତଳେ ମିସ ନେଦରଲାଣ୍ଡ ହୋଇଥିବା ଝିଅର ମା’ ଯେ ସେ ହୋଟେଲ ସଫା ପୋଛା କରିବାକୁ ଆସନ୍ତି ସେ ସବୁଦିନ ପରି ତାଗିଦ କଲେ ,”ଦେଖିକି ସାଇକେଲ ଚଳାଇବାକୁ। ”
ଏତେ କମ ଦିନରେ ନିଜର ହୋଇ ଯାଇଥିଲେ ସମସ୍ତେ। ବୋଧେ ସରଳତା ଦ୍ୱାରା ସଭିଙ୍କ ମନ ସହଜରେ ଜିଣି ହୁଏ, ନିମିଷକେ ପର ବି ଆପଣାର ହୋଇଯାନ୍ତି।

ଆମେ ସାଇକେଲିଙ୍ଗ କରି ଅଫିସ ଆଡକୁ ଗଲୁ। ଉଚ୍ଚ ଝିଅ ମାନେ ଡେଙ୍ଗା ତେଣୁ ଲେଡ଼ିଜ ସାଇକେଲ ସବୁ ଖୁବ ଉଚ୍ଚ, ମଝିରେ ରଡ଼ ଥାଏ। ସବୁଠୁ ବଡ଼ କଥା ହେଲା ସାଇକେଲ ସବୁ ରିଭରସ ପେଡାଲିଂ। ମୋତେ ପ୍ରଥମେ ବହୁତ ଅସୁବିଧା ହୋଇଥିଲା ଚଳେଇବାକୁ, ଏମିତିକି ପଡି ଖଣ୍ଡିଆ ଖବରା ମଧ୍ୟ ହୋଇଥିଲି। ପରେ ମୁଁ ନିଜେ ସହଜ ହୋଇଯାଇଥିଲି। ଜୀବନ ତ ସେମିତି, ସବୁଜିନିଷ ପ୍ରଥମେ ପ୍ରଥମେ ଅସହଜ ଲାଗେ। ଯେମିତି ଝରଣା ପ୍ରଥମେ ପାହାଡର ବନ୍ଧୁର କୋଳ ଛାଡି ଆସିଲେ ବି ପଥର ସନ୍ଧିରେ ରହିଯାଏ।ପରେ ନିଜର ସୁବିଧା ଦେଖିପଥ ବାଛିନିଏ।

ଆମେ ଅଫିସ ପାଖରେ ବୁଲିଲା ବେଳେ ଜଣଙ୍କ ବାଡ଼ିରେ କାରାଭେନ(ଛୁଟି କଟାଇବାକୁ ବିଦେଶୀ ମାନେ ବ୍ୟବହାର କରୁଥିବା ଗାଡି ଯେଉଁଥିରେ ରାତିରେ ରହିବା ଖାଇବା, ରୋଷେଇ, ବାଥରୁମ ସବୁକିଛି ଘର ପରି ସୁବିଧା ଥାଏ ) ଦେଖି ତାର ଫଟୋ ନେଲୁ। ତାପରେ ଆଖପାଖ ଲୋକଙ୍କ ବଗିଚାରେ ନାନା ଜାତିର ସୁନ୍ଦର ଗୋଲାପ ଫୁଲ ଦେଖି ନିଜକୁ ରୋକି ନପାରି ଫଟୋ ନେଲୁ। ପାଖରେ ଥିବା ପାର୍କରେ ଦୋଳି ଖେଳିବାର ମଜା ନେଇ ପିଲାଦିନକୁ ସାଉଁଟି ଖୁସି ହେଲୁ। ମଧ୍ୟାହ୍ନ ଭୋଜନର ସମୟ ହୋଇଆସୁଥିଲା। ହୋଟେଲ ସକାଳ ଜଳଖିଆ ମାଗଣା ଦିଏ। ମାତ୍ର ଅନ୍ୟ ମିଲକିଣିବାକୁ ପଡେ। କିଣିଲେବି କଣ କିଣିବ? ଫ୍ରେଞ୍ଚ ବ୍ରେଡରେ ଭାରତୀୟର ପେଟ ପୂରେନି। ଆଉ ମିଳୁଥିବା ଜାଉ ପରି ଭାତ ଓ ସାଲାଡ଼କୁ ଅଧିକ ୟୁରୋ ଦେଇ ଖାଇବା ପ୍ରଯୁଜ୍ୟ ମନେ କରେନି ମୁଁ। ନେଇଥିବା ଇଲେକଟ୍ରିକ କୁକରରେ ଖରାବେଳ ଖାଇବା ତିଆରି କରେ। ବୁଲାବୁଲି ପରେ ଭୋକ ତୀବ୍ରତର ହେବାରେ ଲାଗିଥିଲା। ଆମେ ଶୀଘ୍ର ହୋଟେଲ ଆଡକୁ ଆସୁଛୁ ତ ଆମ ରାସ୍ତା ରୋଧ କଲେ ନେଦରଲାଣ୍ଡ ର ପୋଲିସ, “ଷ୍ଟପ! ଷ୍ଟପ!” ଦୁଇ ଜଣ ପୋଲିସଙ୍କ ବାଇକ ଆମ ସାଇକେଲ ଆଗରେ। ଭାବିଲି ଏତ ଦିନ ସମୟ। ରାତିରେ ସାଇକେଲର ଆଗପଛ ଲାଇଟ ନଲଗାଇଲେ ପୋଲିସ ଧରେ ବୋଲି ଅଫିସର ଟେକନିକାଲ ରାଇଟର ଆମେରିକାରୁ ଆସିଥିବା ‘ଏଲିନ’ ଚେତାଇ ଦେଇଥିଲା। ମୁଁ ହତବାକ ହୋଇ ଭାବୁଥାଏ, ” ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଭିନିତ ହିନ୍ଦୀ ଚଳଚିତ୍ର “ଗୁମରାହ” ଯେଉଁଥିରେ ବିନା ଦୋଷରେ ନାୟିକା ହଙ୍ଗ କଙ୍ଗ ଜେଲରେ ନିଶା କାରବାର ପାଇଁ ଦଣ୍ଡିତ ହୋଇଥିଲେ।” ଭାବିଲି ସେ ସିନା ଚଳଚିତ୍ର, ଆମକୁ କିଏ ନେଦରଲାଣ୍ଡ ଜେଲରୁ ମୁକୁଳେଇବ! ସାରା ଜୀବନ ଏଠି ଜେଲରେ ହିଁ ଯିବ। “ହେଲେ ଆମ ଦୋଷ କଣ! ” ପଚାରିବାରୁ ଜାଣିଲି ଆମେ ଫଟୋ ନେବା ବେଳେ ଗୃହ କର୍ତ୍ତା ଆମକୁ ଆତଙ୍କବାଦୀ ଭାବି ପୋଲିସକୁ ଫୋନ କରିଛନ୍ତି। ଆମେ କଳା ଲୋକ ତେଣୁ ଏ ସନ୍ଦେହ ସ୍ୱାଭାବିକ। କହିଲେ ସ୍ଥାନୀୟ ପୋଲିସ। ସାଙ୍ଗରେ ଥିବା ତାମିଲ ପିଲାଟି ଚୁପ ଥାଏ। ମୁଁ ନିଜକୁ ପ୍ରସ୍ତୁତ କଲି ପରିସ୍ଥିତିକୁ ସାମ୍ନା କରିବାକୁ। ଜୀବନ ଥିବା ଯାଏ ନିଜକୁ ବଞ୍ଚାଇବାକୁ ଚେଷ୍ଟା ତ’ ନିହାତି କରିବାକୁ ପଡେ। ଚେନ୍ନାଇ ସ୍ଥିତ କମ୍ପାନୀର ମ୍ୟାନେଜର କହିଥିଲେ ବାହାରକୁ ଗଲା ବେଳେ ପାସପୋର୍ଟ ଓ ୱାର୍କ ପରମିଟର ଜେରକ୍ସ ନେଇ ଯିବାକୁ। ମୁଁ ଜ୍ୟାକେଟରୁ ସେ ଦୁଇଟି କାଢି ଦେଖାଇ କହିଲି,”କରାଭେନର ପ୍ରତ୍ୟକ୍ଷ ଦର୍ଶନ ଆମ ପାଇଁ ଆଜି ନୂଆ ଥିଲା। ଏସବୁର ଫଟୋ ଆମେ ଦେଶକୁ ଫେରିଗଲେ ନିଜ ଲୋକଙ୍କୁ ଦେଖାଇବୁ ବୋଲି ନେଉଛୁ ।” କେଜାଣି କେମିତି ସହଜରେ ବୁଝି ଯାଇଥିଲେ ଫିରଙ୍ଗୀ ପୋଲିସ ଓ ତତକ୍ଷଣାତ ଫେରି ଯାଇଥିଲେ ଯେଉଁ ଗୃହ କର୍ତ୍ତା ଫୋନ କରି ଡାକିଥିଲେ ତାଙ୍କୁ ବୁଝାଇବାକୁ। ଆମେ ଆଉଦିନେ କାହା ଘର କି ବଗିଚା ଫଟୋ ନ ନେବାକୁ ମନରେ ଶପଥ ନେଇ ରୁମକୁ ଫେରିଥିଲୁ। ଏସବୁ ଘଟଣା ପରେ ଭୋକ ମରିଯାଇଥିଲା ହେଲେ ଏକ ନୂଆ ଜୀବନ ପାଇବା ପରି ଲାଗୁଥାଏ।

କାର୍ଡଗୁଡି, ବାଙ୍ଗାଲୋର,
9840706140

One thought on “ଲେଖିକା ଅନସୂୟା ପଣ୍ଡାଙ୍କ ମନଛୁଆଁ ଗଳ୍ପ ଫିରଙ୍ଗୀ ପୋଲିସ ସହ ସେଦିନ ଖରାବେଳେ

Leave a Reply