ବାପାଙ୍କ ଅଧୁରା ସ୍ବପ୍ନ ସାକାର ପାଇଁ ଅଣ୍ଟା ଭିଡ଼ିଛି ପୁଅ

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ ବ୍ୟୁରୋ। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଲାଗି ପଡିଛନ୍ତି ପୁଅ। ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଆଜି ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର ହେବାକୁ ଯାଉଛି। ଟିଟିଲାଗଡରେ ଏକ ଜୋତା କାରଖାନା ପ୍ରତିଷ୍ଠା କରିବା ପାଇଁ ସ୍ୱପ୍ନ ଦେଖିଥିଲେ ଗଙ୍ଗାଧର ମେହେର। ତାଙ୍କ ଦେହାନ୍ତ ପରେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ପୁଅ ବିଜୟ ମେହେର। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଟିଟିଲାଗଡ ସର୍ଗିଗୁଡାଠାରେ ଏକ ଜୋତା କାରଖାନା ସ୍ଥାପନ କରି ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ବିଜୟ। ପଛୁଆ ଅଂଚଳ ଭାବରେ ଜଣାଶୁଣା ପଶ୍ଚିମ ଓଡିଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏକ ଅନୁନ୍ନତ ଓ ଦାଦନ ପ୍ରବଣ ଅଞ୍ଚଳ। ଶିଳ୍ପ ବିହୀନ ଜିଲ୍ଲାରେ କାମ ଧନ୍ଦା ଅଭାବରୁ ଲକ୍ଷ ଲକ୍ଷ ଲୋକ ବାହାର ଜିଲ୍ଲାକୁ କାମ ଅନ୍ୱେଷଣରେ ଯାଇଥାନ୍ତି। ଏଭଳି ସ୍ଥିତିରେ ବିନା ସରକାରୀ ସହାୟତା ତଥା ସୀମିତ ସମ୍ବଲରେ ଜୋତା କାରଖାନା ତିଆରି କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବିଜୟ।

କେବଳ ଏତିକି ନୁହେଁ ଉତ୍ପାଦନ ହେଉଥିବା ଜୋତାର ପେକିଂ ଡବାରେ ସମ୍ବଲପୁରୀ ଛାପ ଦେଖିବାକୁ ମିଳୁଛି। ଜୋତା ସହ ସମ୍ବଲପୁରୀ କଳା ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ ଚଳାଇଛନ୍ତି ବିଜୟ। ବଜାରରେ ମିଳୁଥିବା ଜୋତା ଅପେକ୍ଷା ମେହେର ଜୋତା କାରଖାନାରେ ବେଶ ସୁଲଭ ମୂଲ୍ୟରେ ମିଳୁଛି। ଲୋକଙ୍କ ଚାହିଦା ଅନୁସାରେ ଜୋତା ସୁଲଭ ମୂଲ୍ୟରେ ମିଳୁଥିବାରୁ ଆଖପାଖ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଛି ଏହି କାରଖାନା। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର୍ ଦିଆଯାଇଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁରୁଣା ଜୋତା ଦେଇ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା ସହ ଆହୁରି ୨୦ ଟଙ୍କା ଛାଡ଼ ଅଫର୍ ଦିଆଯାଇଛି। ଏଥିସହ ପ୍ରଥମ ୨୦୦୦ ଗ୍ରାହକ ପାଇଁ ହଲେ ମୋଜା ମାଗଣା ଦିଆଯିବ। ତେବେ ଆଗାମୀ ଦିନରେ କାରଖାନାରେ ଅନେକ ଲୋକଙ୍କୁ ରୋଜଗାର ଦେବାର ଆଶା ରଖିଛନ୍ତି ବିଜୟ ମେହେର।

Leave a Reply