ନବନୀତା ବ୍ୟୁରୋ। ଆଜି ରବିବାର, ସାଧାରଣତଃ ସବୁ ଘରର ଗୃହିଣୀ ମାନଙ୍କର ଜୋରରେ କାମ l ତା ମଧ୍ୟରେ ଚାକିରିଆ ଗୃହିଣୀ ମାନଙ୍କର ସମୟ ଅଭାବରୁ ଅଧିକ କାମ l ତାଙ୍କ ଭିତରେ ଅନ୍ୟତମ ହେଲେ ଆମ ସୁମିତ୍ରା ଦେବୀ ହରିପୁର ଗ୍ରାମର ମୁନିସିପାଲିଟି କଲେଜରେ ଅର୍ଥନୀତି ବିଭାଗର ଅଧ୍ୟାପକ ଭାବରେ ପରିଚିତା l ଭାରି ମେଳାପୀ ଏବଂ ସୁନ୍ଦର, ସାମାଜିକ ବ୍ୟକ୍ତିତ୍ୱ ତାଙ୍କର l ପରିବାର କହିଲେ ସୁମିତ୍ରା ଦେବୀ ଏବଂ ତାଙ୍କ ଝିଅ ନିବେଦିତା l
ଦିନ ବାରଟା ହେଲାଣି ଘଣ୍ଟା କଣ୍ଟାକୁ ଦେଖି ଖାଲି ମନେ ମନେ ଗୁଣୁଗୁଣୁ ହେଉଥାନ୍ତି l ଆଜି ନିବୁ ଆସୁ ତା କଥା ବୁଝୁଛି, ଏତେ ବେଳ ହେଲାଣି କୁଆଡେ ଯାଇଛି କେଜାଣି କହି ମନେ ମନେ ରାଗୁଥାନ୍ତି ସୁମିତ୍ରା ଦେବୀ l କାର୍ଯ୍ୟ ବ୍ୟସ୍ତତାରୁ ଉଭୟେ ବହୁ କମ ସମୟ ପାନ୍ତି ପରସ୍ପର ସହ, କିନ୍ତୁ ଯେତିକି ସମୟ ମିଳେ ମା, ଝିଅ ଏମିତି ସମୟ କାଟନ୍ତି ଯେପରି ଦୁଇ ସଙ୍ଗାତ l
ଏହି ସମୟ ମଧ୍ୟ୍ୟରେ ନିବେଦିତା ଘରେ ପହଂଚି ଯାଇ କିଛି ନ କହି ନିଜ ରୁମକୁ ଚାଲି ଗଲା l ତାକୁ ଦେଖି ଲାଗୁ ଥିଲା ଯେମିତି ସେ ବହୁ ଚିନ୍ତାରେ ଅଛି l ସୁମିତ୍ରା ଦେବୀଙ୍କୁ ନିବେଦିତାକୁ ଦେଖୀ ତୁରନ୍ତ ଡାକ ପକାଇଲେ l
ଆରେ ନିବୁ ତୁ ଆଜିକାଲି ଭାରି ଦାୟିତ୍ୱହୀନ ହେଲୁଣି l ଜାଣିନୁ ରବିବାରଟା,ଦିନ ବାରଟା ହେଲାଣି, ମାକୁ ଭୋକ ହବଣି, କିନ୍ତୁ ତୋର କଣ ଅଛି, ସାଙ୍ଗ ସାଥୀ ବଡ ହୋଇ ଗଲେଣି, ଏ ବୁଢ଼ୀ ଲୋକଟା କଥା କି ମନେ ପଡୁଛି l ଯା ଶୀଘ୍ର ହାତ, ଗୋଡ଼ ଧୋଇ ଖାଇବାକୁ ବlଢେ l ଭୋକରେ ମୋ ପେଟରେ ଜଳିଲାଣି, ଆଜି ମୁଁ ରୋଷେଇ କରିଛି ମାନେ ତୋର ଖାଇବା ବାଢିବା ପାଳି l
ଏତେ ସବୁ କଥା କହିଲା ପରେ ମଧ୍ୟ୍ୟ ନିବେଦିତା କିଛି ଉତ୍ତର ଦେଇ ନ ଥିଲା l ନିବୁ କିଛି ଚିନ୍ତାରେ ଅଛି ଏ ବୁଝିବାରେ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା l
ନିବେଦିତା ରୁମକୁ ଯାଇ ଦେଖିଲେ ନିବେଦିତା ଖଟ ଉପରେ ସୋଇଛି l ସୁମିତ୍ରା ଦେବୀ ଯାଇ ନିବେଦିତା ପାଖରେ ବସିପଡି ପଚାରିଲେ ଆରେ ମା ନିବୁ ତୋ ଦେହ ଭଲ ନାହିଁ କି?
ନା ମା ମୋ ଦେହ ଭଲ ଅଛି l ଏବେ ଖାଇବାକୁ ବାଢ଼ୀ ଦେଉଛି, ହେଲେ ମୋତେ ଭୋକ ନାହିଁ ତୁମେ ଖାଇ ନିଅ l କଣ କହିଲୁ ତୋ ବିନା ଖାଇନେବି, ଆଜି ପର୍ଯ୍ୟନ୍ତ କେବେ ଏମିତି ହୋଇଛି ତୋ ବିନା ଖାଇଛି l ଚାଲ ଉଠ ଖାଇବା, କଣ ଟିକେ ରାଗିକି କହିଦେଲି ଯେ ତୁ ରାଗିଗଲୁ l ସବୁବେଳେ ନାକ ଉପରେ ରାଗ l
ଏତିକି କହୁ କହୁ ନିବେଦିତା କୁନି ପିଲାଙ୍କ ପରି ସୁମିତ୍ରା ଦେବୀଙ୍କୁ ଧରି କାନ୍ଦିବା ଆରମ୍ଭ କରିଦେଲା l ସୁମିତ୍ରା ଦେବୀ ଡରିଗଲେ ଆଉ ନିବେଦିତାକୁ କୋଳକୁ ନେଇ ପାଚିଲେ ମା ତୋର କଣ ହେଇଛି ଆଜି?କିଏ କଣ କହିଲା? ନା କଣ ହେଲା?
‘ମା’ ମୋ ଦ୍ୱାରା ଗୋଟେ ଭୁଲ ହୋଇ ଯାଇଛି l ମୁଁ ଆନନ୍ଦ ବୋଲି ଆମ ଅଫିସର ଜଣେ ବ୍ୟକ୍ତିଙ୍କୁ ଭଲ ପାଇଁ ବସିଛି l ପ୍ରଥମେତଃ ମୁଁ ମନା କରିଥିଲି କିନ୍ତୁ ଆନନ୍ଦଙ୍କର ବାରମ୍ବାର ପ୍ରସ୍ତାବ ଏବଂ ଏକ ସହୃଦୟ ବ୍ୟକ୍ତିତ୍ୱ ମୋତେ ତାଙ୍କ ପ୍ରତି ମନୋଭାବ ବଢାଇ ଥିଲା l କିନ୍ତୁ ଏବେ ମୁଁ ଜାଣି ପାରୁନି ଆପଣ ଆଉ ସମାଜ ମୋତେ କୋଉ ଦୃଷ୍ଟିକୋଣରେ ଦେଖିବେ l ସେଥି ଲାଗି ଆଜି ମୁଁ ଆନନ୍ଦଙ୍କୁ ଆମ ବିଭାଘର ହୋଇ ପାରିବନି ବୋଲି ମନା କରିବାକୁ ଯାଇ ଥିଲି. ଆଉ ସେମିତି ବି ‘ମା’ ମୁଁ ତୁମ ବିନା ରହି ପାରିବି ନାହିଁ।
ଏତିକି କହୁ କହୁ ନିବେଦିତା ଆଖିରେ ଲୁହ ଦେଖୀ ସୁମିତ୍ରା ଦେବୀଙ୍କ ଛାତିତଳେ ଯେମିତି କଣ ହୋଇ ଯାଇ ଥିଲା।
ଆରେ ମା ତୋତେ ମୋର କିମ୍ବା ସମାଜ ବିଷୟରେ ଚିନ୍ତା କରିବା ଦରକାର ନାହିଁ। ତୁ ତୋ ସୁଖର ସଂସାର ଆରମ୍ଭ କର, ଏ ମା ତୋ ସହିତ ସଦା ସର୍ବଦା ଛିଡା ହୋଇଛି l କିନ୍ତୁ ‘ମା’ ତୁମେ କିପରି ଏ କଥା କହି ପାରୁଛ? କଣ ସମାଜ ଏ ବିଭାଘରକୁ ଗ୍ରହଣ କରିବ? କଣ କହିବେ ଏ ସମାଜରେ ଲୋକେ ସ୍ୱାମୀ ମରିବାର ଆଠ ମାସ ହୋଇନି ଦ୍ୱିତୀୟ ଥର ବିବାହ ଲାଗି ପ୍ରସ୍ତୁତ ଥିବା ଏକ ଚରିତ୍ରହୀନ ନାରୀ,ଏକ ସ୍ୱାର୍ଥପର ଝିଅ, ଯିଏ ତା ମାକୁ ନିଜ ସ୍ୱାର୍ଥ ଲାଗି ଏକଲା ଛାଡି ଚାଲିଗଲା l
ଆରେ ମା ସମାଜର କାମ କହିବା, କିଏ କଣ କହିବ ସେଥି ଲାଗି ମୋ ଝିଅଟି ତା ସାଧାରଣ ଜୀବନ ବଞ୍ଚି ପାରିବ ନାହିଁ କୋଉ ଶାସ୍ତ୍ରରେ ଲେଖା ହୋଇଛି.ମୁଁ ମାନୁଛି ସମାଜକୁ ନେଇ ଆମେ କିନ୍ତୁ କିଛି କ୍ଷେତ୍ରରେ ସମାଜକୁ ନୁହେଁ ସମ୍ପର୍କ କୁ ଗୁରୁତ୍ୱ ଦିଆଯାଏ,ଦୁଇଟି ଜୀବନ ଗୋଟେ ନୂଆ ସଂସାର ଗଢିବେ ୟା ଠୁ ବଳି କି କଣ ଅଛି ଯେ, ଆଉ ଆଜି ତୁ କଣ ଏତେ ଦ୍ଵନ୍ଦମୟ ବିଚାରରେ ଥାନ୍ତୁ ଯଦି ମୁଁ ତୋ ଶାଶୁ ନୁହେଁ ମା ହୋଇଥାନ୍ତି?
ଏତିକି କହୁ କହୁ ନିବେଦିତା ତା ମାଙ୍କୁ ଧରି ଜୋରେ କାନ୍ଦିବା ଆରମ୍ଭ କରି ଦେଇଥିଲା, ଏବଂ ସୁମିତ୍ରା ଦେବୀ ତାଙ୍କ ସ୍ନେହ ଭରା ପଣତକାନିରେ ତା ଲୁହ ପୋଛି ଦେଇ ନିବୁକୁ କୋଳେଇ ନେଇଥିଲେ, ତା ମସ୍ତକ ଉପରେ ଥିଲା ଏକ ସ୍ନେହମୟୀ “ମା” ର ହାତ l
