ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା। କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ ପରେ ଆଜି ବଲାଙ୍ଗିର ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାର ଲେଖରିଆ ଗାଁରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦୁଇ ଜଣ ଯୁବକର ବୟସ ୨୨ ଓ ୧୮ ବର୍ଷ ହୋଇଥିବା ବେଳେ ଉଭୟେ ତାମିଲନାଡୁରୁ ଫେରିଛନ୍ତି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉଭୟ ଯୁବକ କାହା କାହା ସହିତ ମିଳାମିଶା କରିଛନ୍ତି ସେନେଇ କଂଟାକ୍ଟ ଟ୍ରେସିଂ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବଲାଙ୍ଗିର ଜିଲ୍ଲାରେ ତାମିଲ ଲିଙ୍କରେ ଦୁଇ ଜଣ ଯୁବକ କରୋନା ଚିହ୍ନଟ ହୋଇଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ କରୋନା ବ୍ୟାପିବା ସହ ମୋଟ ରୋଗୀ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସକ୍ରିୟ ଥିବା ୯ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ରୋଗୀ ଚିହ୍ନଟ ହୋଇଛନ୍ତି ଓ କେତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁନ୍ଦରଗଡରେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଯାଏ ମୋଟ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୫ ଜଣ ରୋଗୀ ସକ୍ରିୟ ରହିଛନ୍ତି। ଆଜି ବଲାଙ୍ଗିରରେ ଚିହ୍ନଟ ହୋଇଥିବା ଦୁଇଟି ଯାକ ରୋଗୀ ସକ୍ରିୟ ରହିଥିବା ବେଳେ ଝାରସୁଗୁଡ଼ା ଓ ଦେବଗଡରେ ଗୋଟିଏ ଲେଖାଏଁ ରୋଗୀ ସକ୍ରିୟ ରହିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଗରୁ ବେଙ୍ଗଲ ଲିଙ୍କ ନେଇ ଆକ୍ରାନ୍ତ ହେଉଥିବା ବେଳେ ଏବେ ତାମିଲ ଲିଙ୍କରେ ବଲାଙ୍ଗିର ଜିଲ୍ଲାରେ ଦୁଇ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚିନ୍ତା ଆଉ ଟିକେ ବଢ଼ି ଯାଇଛି।
