ଲକ୍ ଡାଉନ୍ ୩.୦: ପୁଣି ବଢିଲା ଦୁଇ ସପ୍ତାହ, ରେଳ, ମେଟ୍ରୋ ଓ ବିମାନ ସେବା ବନ୍ଦ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ।  ପୁଣି ଦୁଇ ସପ୍ତାହ ବଢିଲା ଲକ୍ ଡାଉନ୍। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ ଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏବେ ୧୭ ମଇ ଯାଏ ଲକ୍ ଡାଉନ୍ ଜାରି ରହିବ। ତେବେ ରେଳ, ମେଟ୍ରୋ ଓ ବିମାନ ସେବା ବନ୍ଦ ରହିବ। ଗ୍ରୀନ ଜୋନରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା କୋହଳ ଜାରି ରହିବ।

ଲକ୍ ଡାଉନ୍ ୨.୦ ର ଅବଧି ୩ ମଇରେ ଶେଷ ହେବାର ଥିଲା। ଏହା ପୂର୍ବରୁ ମୋଦୀ ସରକାର ଲକ୍ ଡାଉନ୍ କୁ ପୁଣି ଦୁଇ ସପ୍ତାହ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି। ଏବେ ୪ରୁ ୧୭ ମଇ ତକ୍ ଲକ୍ ଡାଉନ୍ ୩.୦ ଜାରି ରହିବ। ତେବେ ଏ ସମୟରେ  କଣ ବନ୍ଦ ରହିବ ଓ କଣ ଚାଲିବ ସେନେଇ ଗୃହ ମନ୍ତ୍ରାଳୟ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି।

ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଥିଲେ। ତେବେ ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଥିଲେ। ଏଥିପାଇଁ ମୋଦୀ ରେଡ୍ ଜୋନ୍ ଅଞ୍ଚଳରେ ନିର୍ଦ୍ଧେଶ କଡାକଡି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ମୋଦୀ କହିଥିଲେ, ରେଡ୍ ଜୋନକୁ ନାରଙ୍ଗୀ ଓ ତାପରେ ସବୁଜ ଜୋନରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶିତ କରିବା ଆବଶ୍ୟକ।

ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶର ରେଡ୍ ଜୋନ  ୧୩୦ ଜିଲ୍ଲା, ଆରେଞ୍ଜ ଜୋନ ୨୮୪ ଓ ଗ୍ରୀନ ଜୋନ ୩୧୯ ଜିଲ୍ଲାକୁ ରଖା ଯାଇଛି। ପ୍ରତି ସପ୍ତାହ ଏହାର ଆକଳନ କରାଯିବ ଓ ସଂକ୍ରମିତ ମାମଲା ଅନୁସାରେ ଜୋନ ବଦଳିବ ।

ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୯୩ ପଜିଟିଭ ମାମଲା ସାମନାକୁ ଆସିଛି। ମୋଟ ୩୫୦୪୩ ମଧ୍ୟରୁ ୨୫୦୦୭ ମାମଲା ସକ୍ରିୟ ରହିଛନ୍ତି। ତେବେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୬୦୦ ଲୋକ ସୁସ୍ଥ ହୋଇଛନ୍ତି।