ନବନୀତା ବ୍ୟୁରୋ। ପ୍ରତିବର୍ଷ ୧ ମଇରେ ଦୁନିଆ ସାରା ଆନ୍ତର୍ଜାତିକ ଶ୍ରମିକ ଦିବସ ତଥା ମଇ ଦିବସ ପାଳନ କରାଯାଏ। ପ୍ରଥମ କରି ଏହି ଦିବସକୁ ୧ ମଇ ୧୮୮୬ ମସିହାରେ ପାଳନ କରାଯାଇଥିଲା। ତେବେ ଭାରତରେ ସର୍ବ ପ୍ରଥମେ ୧ ମଇ ୧୯୨୩ ମସିହାରେ ପାଳନ କରାଯାଇଥିଲା। ଯେତେବେଳେ ଲେବର କିସାନ ପାର୍ଟି ଅଫ୍ ହିନ୍ଦୁସ୍ଥାନ ଚେନ୍ନାଇରେ ଏହାର ଶୁଭାରମ୍ଭ କରିଥିଲା। ଏହାର ମୁଖ୍ୟ ଉଦ୍ଧେଶ୍ୟ ଶ୍ରମିକଙ୍କୁ ସମ୍ମାନ ଓ ଅଧିକାର ଦେବା।
ଶ୍ରମିକ ଦିବସର ଇତିହାସ
୧ ମଇ ୧୮୮୬ ମସିହାରେ ଆମେରିକାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସର ପ୍ରାରମ୍ଭ ଏକ କ୍ରାନ୍ତି ସ୍ୱରୂପ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଓହ୍ଲାଇ ଆସିଲେ। ୧୦-୧୫ ଘଣ୍ଟା କାମ କରାଇ ତାଙ୍କୁ ଶୋଷଣ କରାଯାଉଥିବା ବିରୁଦ୍ଧରେ ରାସ୍ତାକୁ ଆସିଥିଲେ। ତେବେ ଏହି ଭିଡ଼କୁ ଦେଖି ସେତେବେଳର ସରକାର ଗୁଳି ଚଳାଇ ଥିଲେ। ଫଳରେ ହଜାର ହଜାର ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଲୋମହର୍ଷଣ ଘଟଣାରେ ସାରା ଦୁନିଆ ସ୍ତବ୍ଧ ହୋଇଥିଲା। ଏହା ପରେ ୧୮୮୯ରେ ଆନ୍ତର୍ଜାତିକ ସମାଜବାଦୀ ସମ୍ମେଳନର ଦ୍ବିତୀୟ ବୈଠକ ବସିଥିଲା। ପ୍ରତିବର୍ଷ ୧ ମଇକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରିବା ସହ ଏହି ଦିନ ଶ୍ରମିକଙ୍କୁ ଛୁଟି ଦେବାକୁ ବୈଠକରେ ଘୋଷଣା କରାଯାଇଥିଲା। ଏଥିସହ କେବଳ ୮ ଘଣ୍ଟା କାମ କରିବେ ଶ୍ରମିକ। ଏହାପରେ ପ୍ରତିବର୍ଷ ୧ ମଇକୁ ଶ୍ରମିକ ଦିବସ ପାଳନ କରାଯାଉଛି।
ଭାରତରେ ଶ୍ରମିକ ଦିବସ
ଭାରତରେ ପ୍ରଥମ କରି ୧ ମଇ ୧୯୨୩ ମସିହାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଲେବର କିସାନ ପାର୍ଟି ଅଫ୍ ହିନ୍ଦୁସ୍ଥାନର ନେତା କମ୍ରେଡ୍ ସୀଙ୍ଗରାବେଲୁ ଚେଟ୍ୟାର ଏହାର ଶୁଭାରମ୍ଭ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ସେ ସମୟରୁ ସାରା ଦେଶରେ ଶ୍ରମିକ ଦିବସ ପାଳନ ହୋଇ ଆସୁଛି।
