ପ୍ରବାସୀ ଓଡ଼ିଆ ଲେଖିକା ଅନସୂୟା ପଣ୍ଡାଙ୍କ ଚମତ୍କାର ଗପ ବଳାତ୍କାର, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବବୀତା ବ୍ୟୁରୋ। ଆଜି ପାଇଁ ମଣିଷ ଯେତିକି ଚିନ୍ତା ନକରେ, ବେଶୀ କରେ ଆସନ୍ତାକାଲି ପାଇଁ। ଯଦିଓ ସେ ଠିକ ଭାବରେ ଜାଣିଥାଏ ଯେ, ଆଜି ହିଁ ଆସନ୍ତାକାଲିର ଜନ୍ମଦାତ୍ରୀ। ଧରିତ୍ରୀ ଜୀବନରେ ଏକ ପରିବର୍ତ୍ତିତ, ଏକ ସଜଡା ଆସନ୍ତାକାଲି ଏକ ସ୍ବପ୍ନ ହୋଇ ରହିଗଲା। ଗୋଟେ ଲକ୍ଷ୍ୟ ହୀନ ଯାତ୍ରା ତାର। ନା ସେ ଆଗକୁ ଚାହିଁ ପାରୁଛି ନା ପଛକୁ। ଭାବି ଭାବି ବହୁତ ଅସ୍ଥିର ହେଉଛି ମନ। ସତରେ ମନ ବୋଲି ଯେଉଁ ଜିନିଷ ଟା କେଉଁଠି ଥାଏ କେଜାଣି। ହୃଦୟରେ ନା ମସ୍ତିଷ୍କରେ। ଦୁଃଖ କଥା ଭାବିଲେ ମନ ଦୁଃଖ ହୁଏ। ପୁଣି ମନ ଦୁଃଖ ହେଲେ ଛାତି କୋହରେ ଫାଟି ଯାଏ। ଡାକ୍ତରୀ ଭାଷାରେ ବେଶୀ ଚିନ୍ତା କଲେ ହାର୍ଟ ଆଟାକ ହୁଏ। ପୁଣି ହଠାତ ଦୁଃଖ ଆସିଲେ ବ୍ରେନ ଷ୍ଟ୍ରୋକ ହୋଇଯାଏ। ତେବେ ସତରେ ମନଟା ଥାଏ କେଉଁଠି? ବୋଧହୁଏ ଏ ମନ ବଡ ଗହନ ଜିନିଷ ଯାହାକୁ ଭେଦ କରିବା ଏତେ ସହଜ ନୁହେଁ।

ଆସନ୍ତାକାଲି ତା କଲମ ମୁନରେ ସୁମିତଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ଖାଲି ସୁମିତ ନୁହେଁ ପୁଅ ଦୀପକର କ୍ୟାରିଅର, ଧରିତ୍ରୀର ସାମାଜିକ ପ୍ରତିଷ୍ଠା, ସବୁକିଛି। ଏକ ଜଜ ହିସାବରେ ସେ ଯେତିକି ନିରପେକ୍ଷ ବିଚାର କରିପାରିବ, ଏକ ପତ୍ନୀ ହିସାବରେ ତାକୁ ତା ଠାରୁ ଅଧିକା ଅନ୍ତର୍ଦାହ ଭିତରେ ଗତି କରିବାକୁ ହେବ।

ନାମୀ ବିଜିନେସ ମ୍ୟାନ ସୁମିତ ପଟ୍ଟନାୟକଙ୍କ ନାଁରେ ବଳାତ୍କାରର ଅଭିଯୋଗ। ଅଫିସର ଜଣେ ତରୁଣୀ ଆକାଉଣ୍ଟାଣ୍ଟକୁ ଚାକିରୀରୁ ବରଖାସ୍ତ କରିବା ଭୟ ଦେଖାଇ ଧାରାବାହିକ ଭାବେ ସୁମିତ ଏ ଦୁଷ୍କର୍ମ କରୁଥିଲେ ତରୁଣୀଟି ଏଵେ ଅନ୍ତସତ୍ତ୍ୱl।
ଛି ! କେମିତି ବାପ ବୟସର ଲୋକ, ଚବିଶ, ପଚିଶ ବର୍ଷର ଝିଅ ସହ ଏମିତି କରି ପାରିଲା? ଧର୍ମ ବୋଲି କିଛି ଅଛି ନା ନାହିଁ? କୋର୍ଟର ବାତାବରଣକୁ ଏ ବିଚାର ସରଗରମ କରୁଥିଲା।

ସବୁ ପ୍ରମାଣ ସୁମିତଙ୍କ ବିପକ୍ଷରେ ଥିଲା। ଫଟୋ, ମେଡିକାଲ ରିପୋର୍ଟ ସବୁକିଛି। ଏଇ କେତେ ଦିନ ହେବ, କହିବାକୁ ଗଲେ କେତେ ମାସ ହେବ, ଘରେ ସୁମିତ, ଧରିତ୍ରୀକୁ ମୁଣ୍ଡ ଟେକି ଅନାଇ ନାହାଁନ୍ତି, କି ନିଜର ନିର୍ଦୋଷ ପଣିଆର କୈଫତ ଦେଇ ନାହାଁନ୍ତି।
ସୁମିତ ଭିତରେ ଭାଙ୍ଗି ପଡୁଥିଲେ କି ଆହୁରି ଦୃଢ଼ ହୋଇ ଯାଉଥିଲେ ଧରିତ୍ରୀ ବୁଝି ପାରୁନଥିଲା ହେଲେ ସୁମିତଙ୍କ ଅସହାୟତା ତାଙ୍କ ଡାଏବେଟିକ, ବିପି ବଢ଼ିବାରୁ ଜଣା ପଡି ଯାଉଥିଲା କିନ୍ତୁ ଧରିତ୍ରୀ, ଧରିତ୍ରୀ ପରି ଅବିଚଳିତଥିଲା l ସୁମିତଙ୍କ ଚରିତ୍ରରେ ଏତେବଡ କଳଙ୍କ, ଏକ ଅନ୍ତରଙ୍ଗ ବନ୍ଧୁ ହିସାବରେ, ପ୍ରାଣପ୍ରିୟା ପତ୍ନୀ ହିସାବରେ ସେ କେବେ ବିଶ୍ୱାସ କରିବନି। ସ୍ୱାର୍ଥ, କାମ, ମୋହରୁ ଉର୍ଦ୍ଧ୍ୱର ମଣିଷ, ବର୍ତ୍ତମାନ ସମୟରେ ଲଣ୍ଠନ ଧରି ତନ୍ନ ତନ୍ନ କରି ଖୋଜିଲେ କାଁ ଭାଁ ମିଳିବା ବଡ କଷ୍ଟ। ହେଲେ ସୁମିତ! ନିଜର ହକ ଥାଇ ବି ଯେ କୌଣସି ଜିନିଷ କେବେ ଦାବି କରି ନାହାଁନ୍ତି, ନିଜ କାମନାକୁ ଚରିଚରାର୍ଥ ପାଇଁ, ନିଜ ହୀନ ସ୍ୱାର୍ଥକୁ ଆଗ କରି ସେ ଯେ ଲୁଣ୍ଠନ କରି ଥିବେ ଏକଥା ଅନ୍ୟ କିଏ ବିଶ୍ୱାସ କରୁ ନକରୁ ଧରିତ୍ରୀ କେବେ କରିବନି।

କଟକର ଏକ ତଳ କୋର୍ଟରେ ପ୍ରାକ୍ଟିସ ସହ ଓଜେଏସ ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ଅଫିସର ସହ କର୍ମୀ ସୌମ୍ୟଙ୍କ ସହାୟତା ଓ ଭଲ ପାଇବା ତାକୁ ଆଗକୁ ବଢ଼ିବାର ସ୍ବପ୍ନର ସରଣୀ ନୁହେଁ, ସାକାରର ପଥ ଦେଖାଉ ଥିଲା। ଜୀବନ ଏତେ ଭରପୁର ହୋଇପାରେ ସେ କେବଳ ଅନୁଭବ କରୁ ନଥିଲା, ନିତି ସେ ସୁଖରେ ଭିଜୁଥିଲା ଧରିତ୍ରୀ। ଧୂଷର ରଙ୍ଗର ଧରିତ୍ରୀ, ସୌମ୍ୟଦର୍ଶୀ ସୌମ୍ୟଙ୍କ ଭଲ ପାଇବା ଆଗରେ ନଇଁ ଯାଏ। ନିଜ ହୃଦୟର ସବୁ ଭଲ ପାଇବା ଅଜାଡି ସୌମ୍ୟ ଙ୍କ ଖୁସିରେ ଖୁସି ହେଉଥିଲା।

ଲିଖିତ ପରୀକ୍ଷା ସରି ଯାଇଥାଏ। ସୌମ୍ୟଙ୍କ ମାଜିଷ୍ଟ୍ରେଟ ପିତା ମୌଖିକ ପରୀକ୍ଷାରେ ଆଗକୁ ସାହାଯ୍ୟ କରିବେ ଏକଥା ସୌମ୍ୟ ବାରମ୍ବାର ଦମ୍ଭ ଦେବାପାଇଁ କହୁଥାନ୍ତି।

ସେଦିନ ସୌମ୍ୟ ଅଫିସ ଆସିନଥିଲେ। ଫୋନ ରିଂଙ୍ଗ ହୋଇ କଟୁଥାଏ। ତିନି ଥର ଫୋନ କଲା ପରେ ଜାଣିଲା ସୌମ୍ୟଙ୍କ ଦେହ ଖରାପ। ରୁମମେଟମାନେ ବି କେହି ନାହାନ୍ତି ସାହାଯ୍ୟ କରିବାକୁ।
ସାଙ୍ଗରେ ଔଷଧ, ଫଳ, କ୍ଷୀର, ପାଉଁରୁଟି ଇତ୍ୟାଦି ଧରି ସବୁ ଛାଡି ଧରିତ୍ରୀ ପହଞ୍ଚି ଯାଇଥିଲା ସୌମ୍ୟଙ୍କ ରୁମରେ। ଦେହରେ ଖୁବ ତାତି l ନା ସୌମ୍ୟ ବିଛଣାରୁ ଉଠି ଥିଲେ ନା ଦାନ୍ତ ଘସି ଥିଲେ। ମା ଟିଏ ପରି ସେବାରେ ଲାଗିଗଲା ଧରିତ୍ରୀ। ଔଷଧ ଖାଇ ପୁଣି ଶୋଇ ପଡ଼ିଥିଲେ ସୌମ୍ୟ।

ସୌମ୍ୟଙ୍କ ଜିଦିରେ ଅଟକି ଯାଇଥିଲା ଧରିତ୍ରୀ ତାଙ୍କ ରୁମରେ। ନିଜ ପ୍ରିୟ ମଣିଷକୁ ତାର ଦରକାର ସମୟରେ ସହଚର୍ଯ୍ୟ ଦେବା, ନା ଲୋକଙ୍କ ନାହିଁ ନଥିବା କଟୁ ଆକ୍ଷେପକୁ ସମ୍ମାନ ଦେବ, ଏମିତି ହିସାବ ନିକାସରେ ତା କୋମଳ ହୃଦୟ ହାରି ଯାଇ ଥିଲା, ସେ ସୌମ୍ୟଙ୍କୁ ଏକା ଛାଡି ଆସି ପାରି ନଥିଲା।

ସେ ରାତିଯେ ତା ଜୀବନରେ ଅନେକ ମୋଡ ଆଣି ଦେବ ଏକଥା ଧରିତ୍ରୀ ସେ ଦିନ ଜାଣି ନଥିଲା।
ମନ ଓ ବିବେକର ଲଢେଇ ଭିତରେ ଆବେଗ, ଉଦବେଳନ, ମିଳନର ସେ ମଧୁର କବିତା ଚାରି କାନ୍ଥର ସେ ନିରବ ପୃଷ୍ଠାରେ ଲିପି ବଦ୍ଧ ହୋଇଗଲା। ଧରିତ୍ରୀ, ସୌମ୍ୟଙ୍କୁ ସହଯୋଗ କରି ଖୁସି ଥିଲା କି ଦୁଃଖୀ ଥିଲା ସେ ଜାଣି ପାରୁ ନଥିଲା। ସକାଳୁ ସୌମ୍ୟ ଟିକେ ସୁସ୍ଥ ଅନୁଭବ କରୁଥିଲେ, ରୁମରେ ବିଶ୍ରାମ କରୁଥିଲେ।
ସେ ନିଜ ରୁମକୁ ଫେରି ଆସିଥିଲା। ପ୍ରସ୍ତୁତ ହୋଇ ଅଫିସ ଯାଇଥିଲା। ହେଲେ ଦିନସାରା ଗୁମ ସୁମ ହୋଇ ବସି ଭାବୁଥିଲା, ସେ ଠିକ କଲା ନା ଭୁଲ? ତା ମନଟା କଣ ଏତେ ଦୁର୍ବଳ? ଟିକେ ବି ନିଜ ଉପରେ ନିଜର ଜୋର ନାହିଁ? ହେଲେ ତା ପର ଦିନ ସୌମ୍ୟ ଅଫିସ ଆସିବା ପରେ ପୁଣି ଚଳ ଚଞ୍ଚଳ ହୋଇଯାଇଥିଲା ଜୀବନ। ଭୁଲ ଠିକ ଏସବୁ ଭାବି ବାକୁ ସମୟ ନଥିଲା।

ଯେଉଁ ଦିନ ତାଙ୍କ ଅନୁରାଗର ସନ୍ତକ କଳି ହୋଇ ଖେଳିବାର ସନ୍ଦେଶ ସୌମ୍ୟଙ୍କୁ ଦେଇଥିଲା, ସୌମ୍ୟ ଏକଥା ଗୋପନ ରଖିବାକୁ କହିଥିଲେ।ସେ ଘରକୁ ଯାଉଛନ୍ତି, ଏ କଥା ଘରେ ବିଚାର ବିମର୍ଷ କରି ବାହାଘରର ତାରିଖ ଏଇ ମାସେ ଭିତରେ ଧାର୍ଯ୍ୟ କରି ଫେରିବେ। ବାହାଘର ଋତୁ ଚାଲିଥିଲା। ପ୍ରିୟତମର ପ୍ରାଣ ପ୍ରିୟା ପତ୍ନୀ, ବଡ଼ ଘରର ବୋହୁ ହେବାର ସ୍ବପ୍ନ ଦେଖି ବାକୁ ମନ ବି ବାଧା ମାନୁ ନଥିଲା। ହେଲେ ସୌମ୍ୟ ଗଲେ ଯେ ଗଲେ, କେବଳ ସେ ଜାଗା ଛାଡି ନୁହେଁ, ଧରିତ୍ରୀର ଜୀବନ ରୁ ବି’। ନା କେବେ ଫୋନ କଲେ ଉଠାଇଲେ ନା କେବେ ଧରିତ୍ରୀର ଭଲ ମନ୍ଦ ପଚାରିଥିଲେ।

ନିଜ ଭିତରୁ ଆସୁଥିବା ଇଛା ଅନୁସାରେ କାମ କଲେ ଜୀବନରେ କବେ ପସ୍ତେଇବାକୁ ପଡ଼େନି। ତୁମକୁ ଅସ୍ତ୍ର ଭଳି ବ୍ୟବହାର କରି କାମ ସରିଗଲେ ତୁମ ମୁହଁକୁ ଚାହୁଁ ନଥିବା ଲୋକ କେବଳ ନିଜଠାରୁ ନୁହେଁ ସମାଜ ଠାରୁ ବି ତୁମକୁ ଦୁରକୁ ଠେଲିଦିଏ।ଅପେକ୍ଷାରୁ ଅବିଶ୍ୱାସ, ଅବିଶ୍ୱାସରୁ ଅସହାୟତା।
ଅନେକ ବିଳମ୍ବ ହୋଇ ଯାଇଥିଲା ବିକଳ୍ପ ପଦକ୍ଷେପ ନେବା ପାଇଁ। ଖୁଵ ଅସହାୟ ହୋଇଯାଇଥିଲା ଧରିତ୍ରୀ।

ପ୍ରଥମେ ପ୍ରଥମେ ମଣିଷ ଦୁଃଖ ପାଇଲା ବେଳେ ଆଶ୍ୱାସନା ଲୋଡ଼େ। ଆଉ ଯେତେବେଳେ ଦୁଃଖ ଦେହ ସୁହା ହୋଇଯାଏ ସେ ଦୃଢ ହୋଇଯାଏ। କେଜାଣି ସେ କେମିତି ଦୃଢ଼ ହୋଇଗଲା। ତା ସ୍କୁଲ ସାଙ୍ଗ ସୁମିତ ସେତେବେଳେ କଟକରେ ନୂଆ ନୂଆ ଟେକଷ୍ଟାଇଲ ଫ୍ୟାକଟ୍ରି ଆରମ୍ଭ କରୁଥିଲେ। ଧରିତ୍ରୀ ଠାରୁ ସବୁ ଶୁଣି ସାରି ସୁମିତ ତାକୁ ତୋଳି ଧରି ଥିଲେ। ଦୟା ନୁହେଁ, ଖୋଲା ହୃଦୟରେ ଗ୍ରହଣ କରି ନେଇଥିଲେ। ଘରେ ସମସ୍ତଙ୍କୁ ରାଜି କରାଇବା ଏତେ ସହଜ ନଥିଲା। ସୁମିତ ସବୁ ମାନସିକ ଚାପ ନିଜେ ଚଳୁ କରି ପିଇ ସେଇ ମାସ ଶେଷରେ ସେମାନଙ୍କ ବିବାହ ତିଥି ବାହାର କରିଥିଲେ। ଏତେ ଶୀଘ୍ର ସବୁକିଛି ସହଜରେ ଗୋଟେ ଚଳଚିତ୍ରର ଦୃଶ୍ୟ ପରି ଆଗକୁ ଗଡି ଚାଲିଲା। ଜାଣି ଜାଣି ଗୋଟେ ଅସମାହିତ ଝଡ଼ରେ ପସି ଯାଇ ଦୋହଲି ଯାଇଥିବା ଧରିତ୍ରୀର ଜୀବନ ମଙ୍ଗ ସୁମିତ ସୁଧାରି ନେଇଥିଲେ। ବହୁତ ବଡ ଅନର୍ଥ ଟଳି ଯାଇଥିଲା ଧରିତ୍ରୀ ଜୀବନରୁ।

ବାହାଘର ପରେ ମଧ୍ୟ ସୁମିତ କେବେ ନିଜ ସ୍ୱାମୀତ୍ବର ଅଧିକାର ଜାହିର କରି ନାହାନ୍ତି, ଧରିତ୍ରୀ ନିଜେ ନିଜ ଆଡୁ ତାଙ୍କ ପାଖରେ ସମର୍ପଣ କଲାଯାଏ।
ଦୀପକର ଜନ୍ମ ପରେ ସେ ପିତାର ସମସ୍ତେ କର୍ତ୍ତବ୍ୟ କରିଛନ୍ତି। ତାକୁ ପିତାର ସ୍ନେହ ଦେଇଛନ୍ତି। କେବେ ଦିନେ ସ୍ୱାମୀ ସ୍ତ୍ରୀର ରାଗ ଅଭିମାନରେ ଧରିତ୍ରୀର ପୁରୁଣା ଭୁଲର ଦ୍ୱାହି ଦେଇ ତାକୁ ଆଘାତ କରିନାହାନ୍ତି। ବେଳେ ବେଳେ ଭାବେ ସୁମିତ କଣ ମଣିଷ ଶରୀର ଧାରି ଜଣେ ଦେବ ପୁରୁଷ ! ସୁମିତଙ୍କ ମହାନତା ଆଗରେ ନଇଁ ଯାଏ ଧରିତ୍ରୀ।

ସେଦିନ କୋର୍ଟରେ ବିଚାରପତି ଭାବେ ଧରିତ୍ରୀ ଦୁଇ ପକ୍ଷ ଓକିଲଙ୍କ କଥା କେବଳ ଶୁଣି ଚାଲିଥିଲା ହେଲେ ମନ ଭିତରେ ଭାବୁଥିଲା ବଳାତ୍କାର କଣ କେବଳ ଝିଅ ମାନଙ୍କ ସହ ହୁଏ ! ପୁଅ ମାନଙ୍କର ସହ କଣ ବଳାତ୍କାର ହୁଏନି ! ନିଜେ ନମାନିଲେ କଣ ଅନ୍ୟ ଜଣେ କେବଳ ଦେହର ଅସ୍ତିତ୍ବ କାଢି ନିଏ?

ଧରିତ୍ରୀ ଭାବୁଥିଲା ବଳାତ୍କାର ତ ମଣିଷର ଦେହ ମନ ଏମିତି କି ଆତ୍ମା ସହିତ ହୁଏ। ମଣିଷର ମନ ଓ ଆତ୍ମା,
ଦେହ ସହିତ ସବୁ ବେଳେ ଜଡିତ। ହେଲେ ଦେହର କଣ ମୂଲ୍ୟ ଯେତେବେଳେ ବଳାତ୍କାର ମଣିଷର ମନ ଓ ଆତ୍ମା ସହିତ ହୁଏ ! ଆତ୍ମା ତ ସବୁବେଳେ ପବିତ୍ର, ନିର୍ବିକାର।
ଥରେ ଜଣେ ବଳାତ୍କାରୀକୁ ଦଣ୍ଡ ଦେଇଦେଲେ ଆଉଥରେ କଣ ବଳାତ୍କାର ହୁଏନି? ତେବେ ସମାଜରେ ନାନା ଟିପ୍ପଣୀର ଶୀକାର ହୋଇ ଝିଅଟି କାହିଁକି ଆତ୍ମହତ୍ୟା କରେ?

ପ୍ରତି ମୁହୂର୍ତ୍ତରେ ଘରେ ବାହାରେ ମଣିଷର ବଳାତ୍କାର
ହେଉଛି। ଆତ୍ମ ସମ୍ମାନର ବଳି ପଡୁଛି। ଏଠି ଲିଙ୍ଗ, ବର୍ଣର ବାଛ ବିଚାର ନାହିଁ। ଧନ ତ ବହୁତ କାମ କରିନିଏ ତେଣୁ ଧନ ଥିବା ଲୋକର କେହି କିଛି କରି ପାରନ୍ତି ନି ବରଂ କହିବାକୁ ଗଲେ ଧନ ଅନ୍ୟର ବଳାତ୍କାର କରୁଛି। ତଥାପି ବେଳେ ବେଳେ ଧନ, ମାନ ବି ମାଡ ଖାଇଯାଏ। ସବୁଠି ମନ ଓ ଆତ୍ମା ହିଁ ଆଗ ବଳି ପଡୁଛନ୍ତି। କେବେ ସ୍ୱାମୀ ସ୍ତ୍ରୀ ର, ସ୍ତ୍ରୀ ସ୍ୱାମୀ ବା ପ୍ରେମକ ପ୍ରେମିକା ଉଭୟ ଉଭୟଙ୍କର ମନ ଆତ୍ମାକୁ ତିଳ ତିଳ ହତ୍ୟା କରୁଛନ୍ତି। ପିତାମାତା ପିଲାଙ୍କ ଇଛା ବିରୁଦ୍ଧରେ କ୍ୟାରିଅରର ବୋଝ ଲଦି ତାଙ୍କ ମନ ଆତ୍ମାକୁ ବଳି ଦେଉଛନ୍ତି ତ କେଉଁଠି ପିଲାମାନେ ବୃଦ୍ଧ ପିତା ମାତାଙ୍କର ଭରଣ ପୋଷଣର ଭାର ନ ନେବାରେ ତାଙ୍କ ଆତ୍ମାକୁ ବଳି ପକାଉଛନ୍ତି। କେଉଁଠି ସ୍କୁଲ, କଲେଜ, ଅନ୍ୟ ଅନୁଷ୍ଠାନ ଗୁଡ଼ିକ ଅବିଭାବକ ଓ ପିଲାମାନଙ୍କ ଆତ୍ମାକୁ ଉଚ୍ଚ ଡୋନେସନ ଆକାରରେ ଖିନ ଭିନ କରୁଛନ୍ତି। ଅଫିସରେ ବସ, ତା କର୍ମଚାରୀଙ୍କୁ, କୋଚ ଖେଳାଳିଙ୍କୁ, ଦୋକାନୀ ଗ୍ରାହକଙ୍କ ଆତ୍ମାକୁ ପ୍ରହାର କରୁଛନ୍ତି। ଏମିତି ଅନେକ। ଜାଣି ଜାଣି ଆମେ ଦୁର୍ନାମ ଭୟରେ ସତକୁ ଘୋଡେଇ ଦେଉ, ମନ କଷ୍ଟ ମନରେ ମାରି ନେଉ।

ଏଇ ଯେମିତି ପୁଣି ଥରେ ଧରିତ୍ରୀର ଆତ୍ମା ସହ ବଳାତ୍କାର ହେଉଛି। ସେ ଠିକ ଜଣେ ସେ ଝିଅଟି ତାର ସ୍ୱାର୍ଥ ପୂରଣ ନହେବାରୁ ସୁମିତଙ୍କ ଉପରେ ବଳାତ୍କାର ଆରୋପ ଲଗାଇ, ପ୍ରକାରାନ୍ତରେ ସୁମିତଙ୍କ ମନ, ଆତ୍ମାର ବଳାତ୍କାର କରି ଚାଲିଛି।

ଗତ କିଛି ମାସ ତଳେ ସେ ଝିଅଟିର ମଦ୍ୟପ ଭାଇ ଯିଏ ସୁମିତଙ୍କ କମ୍ପାନୀରେ ସୁପରଭାଇଜର ରୂପେ କାମ କରେ, ଜଣେ ମହିଳା ଶ୍ରମିକ ସହ ଦୁଷ୍କର୍ମ କରି ଥିବାରୁ ସୁମିତ ତାକୁ କମ୍ପାନୀରୁ ବାହାର କରିଥିଲେ। ଆଉ ତାର ସୁଯୋଗ ନେଇଛି ସେ ଝିଅଟି। ହେଲେ ଖୁଵ ଭଲ ତଥ୍ୟ ସଂଗ୍ରହ କରିଛି ସୁମିତଙ୍କ ବିରୁଦ୍ଧରେ।

ଜଜ ସିଟରୁ ଅନୁମତି ମାଗି ଓହ୍ଲେଇ ଆସିଲା ଧରିତ୍ରୀ। ସୁମିତଙ୍କୁ ନିର୍ଦୋଷ ପ୍ରମାଣ କରିବାକୁ କିଛି ମେଡିକାଲ ରିପୋର୍ଟ ସେ କୋର୍ଟରେ ଦାଖଲ କଲା। ସେ ରିପୋର୍ଟ ଯାହା ସୁମିତଙ୍କ ଅସମର୍ଥତାର ପ୍ରମାଣ। ସେମାନଙ୍କ ଯୁଗ୍ମ ଜୀବନ ଆରମ୍ଭ ହେବା ପରେ ସେ ସବୁ ଜଣା ଯାଇଥିଲା।

ଧରିତ୍ରୀର ଯେଉଁ ଦୁର୍ବଳତାକୁ ଘୋଡାଇବାକୁ ସୁମିତ, ତାଙ୍କର ଅଭୟ ବାହୁର ଛତ୍ରଛାୟା ଦେଇଥିଲେ ସେଦିନ, ସେ ଗୋପନ ଗଣ୍ଠି ଆଜି ଦୁନିଆ ଆଗରେ ଫିଟିଗଲା। ହେଲେ ଧରିତ୍ରୀ ସେଥିରେ ବିଚଳିତ ନଥିଲା ବରଂ ଗର୍ବ କରୁଥିଲା ସେ ସୁମିତଙ୍କୁ ନିର୍ଦୋଷ ପ୍ରମାଣ କରି ପାରିଛି ବୋଲି। କାଠଗଡାରେ ଠିଆ ହୋଇଥିବା ସୁମିତଙ୍କ ମୁହଁରେ ଆଶ୍ଚର୍ଯ୍ୟ ଓ ପ୍ରଶ୍ନବାଚୀର କୁହେଳିକା। ତାଙ୍କୁ ଉତ୍ତର ଦେବାକୁ ଯାଇ ସେ କେବଳ ଆଶ୍ୱାସନାର ହସଟିଏ ହସି ଥିଲା।
କାର୍ଡଗୁଡି, ବାଙ୍ଗାଲୋର

One thought on “ପ୍ରବାସୀ ଓଡ଼ିଆ ଲେଖିକା ଅନସୂୟା ପଣ୍ଡାଙ୍କ ଚମତ୍କାର ଗପ ବଳାତ୍କାର, ପଢନ୍ତୁ

Leave a Reply