ନବନୀତା ବ୍ୟୁରୋ। ସଭିଙ୍କର ଅତିି ଆପଣାର ମଣିଷଟିଏ। କିଏ ବା ଭଲନପାଏ ତାକୁ। କିନ୍ତୁ ଭାରି ଚିଡିଚିଡା ତଥାପି ତା ପାନଖିଆ ପାକୁଆ ପାଟିରେ କଥା କହି କିଣିନିଏ ସଭିଙ୍କୁ। ଛୋଟିଆ ଲୋକଟେ, କ୍ଷୀଣ ଶରୀର। ଠିକ୍ ଗାନ୍ଧୀବୁଢା ବେଶ ଧଳା ଧୋତି ଧଳା ଚାଦର। ବୟସର ଅପରାହ୍ନରେ ବି ସେ କେବେ ଥକି ଯାଇନି। ଦେହରେ ତାର ମାଂସଟିକିଏ ନାହିଁ ହାଡଗୁଡା ଗଣି ହେଇଯାଏ,ତଥାପି କୋଶ କୋଶ ଦୂର ସିଏ ହାତରେ ପାନଝୁଡି(ତା ଭାଷାରେ) ସୁନ୍ଦର, ସୁଅଁ ,ଟିକିଲି, ମାଳି ଭଳିକି ଭଳି ଜିନିଷ ଧରି ପାଦରେ ଚାଲି ଚାଲି ଆସେ। ସୋମବାର,ଶୁକ୍ରବାର ସେ ନିଶ୍ଚୟ ଆସେ। ସମସ୍ତଙ୍କର ସିଏ କେଳା ମଉସା। ଯେମିତି ଜହ୍ନମାମୁଁ ସମସ୍ତଙ୍କର ମାମୁଁ। ମୁଁ ବି ଡାକେ କିନ୍ତୁ ସିଏ ମତେ ନାତୁଣୀ ଡାକନ୍ତି। ତାକୁ ଦେଖିଦେଲେ ଚହଳ ପକାଏ ମାକୁ। ଆସେ କେଳା ବୁଢା ଆସିଲାଣି। ତାଙ୍କ ଝୁଡିରୁ ଯାହା ଆଣିଆସିଲେ କିଛି କହେନି। କହିବ ନାତୁଣୀ ନେ ଯା…। ହେଲେ ଯଦି କାହା ଉପରେ ରାଗିଥାଏ ନା ଜିନିଷ ଥିଲେବି ଦବନି ଚିଡିଚିଡି ହେଇ ପଳେଇବ। କେବେ କାହାକୁ ଦବା ଜିନିଷ ହିସାବ ରଖେନି କି ଯୋର କରି ମାଗେନି। ଆସୁ ଆସୁ ଅଧା ବାଟରୁ ଚହଳ ପକାଏ ..ହେ ଅମକ ଝିଅ(ସାଙ୍ଗିଆ ଲଗେଇ) ଜଲଦି ଆସ ମୋ ଟାଇମ ହେଲାଣି। ତା ପରେ ଆରମ୍ଭ ହେଇଯାଏ ତାଙ୍କ ସହ ଥଟ୍ଟା ମଜା ଆମର। ବୁଢା ପୁରୁଣାକାଳିଆ ଢଗମାରି ଆମକୁ ଉତ୍ତର ପଚାରେ, ହେଲେ ଆମେ କହିପାରୁନି ପ୍ରାୟ,ସେବେଳର ହିସାବ ପଣ,କାଣ ଏମିତି କଣ ପଚାରେ ଆମ ମୁଣ୍ଡରେ ବା କାହିଁ ପଶେ?? ସେ ହସି ହସି କହେ ମୁଁ ତ ମୁରୁଖ ପଥମ ଶେଣୀ ଯାଇନି,ପାଠ ପଢୁଆଙ୍କୁ ମୁଁ ଯଦି ଆଣ୍ଠେଇ ନଦେବି ମୁଁ କେଳାପୁଅ ନୁହେଁ। ମୁଁ ସ୍କୁଲ ପରେ ପରେ କଲେଜ, ମୋର ବୁଢାସହ ଆଉ ଦେଖା ହେଇପାରେନି ୫ ବର୍ଷ ତଳର କଥା ହଠାତ୍ ମା’କୁ ପଚାରିଲି ମା କେଳାବୁଢା ଆଉ ଆସୁନି କି? ମା-“କେଜାଣି ବୁଢା ଆଜିକାଲି କାହିଁ ଆସୁନି,ବଞ୍ଚିଛି କି ମଲାଣି”। ହଠାତ କାହିଁକି ବହୁତ ଯୋରେ ରାଗିଗଲି ମା’ ଉପରେ ଯେମିତି ଆପଣାର କାହାକୁ ସେ ଏମିତି କହୁଛି। ପୁଣି ବୁଢାର ଗୋଟେ କଥା ମନେ ପଡିଗଲା। ବୁଢା-ନାତୁଣୀ ମା’କୁ କେବେ କଷ୍ଟ ଦବୁନି ତା ଛଡା କେହି ଦୁନିଆଁରେ ନିଜର ନୁହେଁ। ଯଦି ତା ଆଶୀଷ ଥିବ ତୁ ଅଧିକ ପଇସା ରୋଜଗାର ନକର ପଛେ ତୁ ସମସ୍ତଙ୍କ ହୃଦୟରେ ରହିଥିବୁ। ବୈଶାଖର ଧୁଁ ଧୁଁ ଝାଞ୍ଜୀକୁ ବି ତିଳେ ଖାତିର କରେନା। ସେ ସେମିତି ବୁଲୁଥାଏ।
ବହୁତଥର ନିଜକୁ ପଚାରେ କଣ ବୁଢା ସତରେ ଟଙ୍କାପାଇଁ ଖରାତରା ମାନୁନି??ଧେତ୍ ମୁଁବି ନା କେଡେ ପାଗିଳି! ସେ ଛୋଟିଆ ପାନବୋଝ ଆଉ ସିନ୍ଦୁର ଡବେରେ କି ରୋଜଗାର ଯେ ୭୦-୮୦ ବର୍ଷର ବୁଢାର? ଟାଇଁଟାଇଁ ଖରା କି ଶ୍ରାବଣର ଝରି କି ଶୀତ କୁହୁଡି କେହି କଣ ତା ବାଟ ଓଗାଳି ପାରନ୍ତିନି? ହଁ ଏଇଟା ଶୁଣିଛି କେଳା ମଉସା ସିନ୍ଦୁର କାହାପାଖେ ମିଳିବନ, ଭାରି ଗାଢ୍,ମୁହଁକୁ ଭାରିମାନେ। ସବୁ ମା’ମାନେ ଆଜିବି ଝୁରନ୍ତି ତା ସିନ୍ଦୁରକୁ। ହେଲେ ସେଇ ମଣିଷ ପାଇଁ ମୋ ମନ ସବୁବେଳେ ପ୍ରଶ୍ନ କରେ। କେମିତିକା ମଣିଷ ଯେ ନା ଲୋଭ, ନା ମନରେ ପର, ଆପଣା ପୁଣି ବୟସର ଅପରାହ୍ନରେ ଏତେବାଟ କାହିଁକି ଆସୁଛି ? ତା ଘରେ କଣ ଅସୁବିଧା ଅଛି ନିଶ୍ଚୟ? ନା ନା ତେବେ ସେ ବେପାରୀ ପରି ପଇସାକୁ ଗୁରୁତ୍ବ ଦିଏନି କାହିଁକି??
ଏମିତି କିଛିଦିନ ପରେ , ଖରାବେଳେ ଖାଇବାକୁ ବସିଥାଏ ହଠାତ୍ ଶୁଭିଲା ବୁଢାର ସେଇ ସରୁ କଣ୍ଠରେ ଯୋହରେ ଡାକମାରିବାର ସ୍ବର। ମୁଁ ଖାଇବା ପାଖରୁ ଉଠି ସିଧା ଯାଇ ବୁଢା ପାଖରେ, ମୋ ପଛେ ପଛେ ମୋ ମା’ ଯାଇ କହିଲା ମଉସା କାହିଁ ଆସୁନଥିଲ ମୋ ଝିଅ ତମକୁ ଭାରି ଖୋଜୁଥିଲା।
ବୁଢା-ତୋ ଝିଅ ମତେ ବାହା ହବ ବୋଲି ଖୋଜୁଥିବ। ନିଇତି ମାଗଣା ସିନ୍ଦୁର ନାଇବ ପାନ ଭାଙ୍ଗିକି ମତେ ଦବ ଆଉ ଖାଇବ। ତାଙ୍କ କଥାବାର୍ତ୍ତା ଚାଲୁଥାଏ ମୁଁ କିନ୍ତୁ ମୋ ମନର କଥା ପଚାରିବାକୁ ସୁଯୋଗ ଖୋଜୁଥାଏ।ଭାବୁ ଭାବୁ ପଚାରିଲି ମଉସା ତମ ଦେହ ଭଲ ଅଛି ତ?ମୋର କଣ ହବ ଯମର ମୋର ଭାରି ଭଲ ସଂପର୍କ।
ଦେଖୁନୁ ପେଟ କଟା ହେଇଛି କଣ ଗୋଟେ ଅପରସନ୍ ହେଇଛି। ଡାକତର କହିଲା ବରଷେ କୁଆଡେ ଶୋଇ ରହିବି। ବୁଲୁରା ଲୋକ ରହି ପାରିଲିନି। ସତକୁ ସତ ପେଟରେ ପଟି ବନ୍ଧାହେଇଛି। ହେ ଭଗବାନ ତମେ ଏଇଥିରେ ଆସିଛ ମଉସା? ତମ ପୁଅ ,ଝିଅ କଣ କିଛି କରନ୍ତିନି? କହିଲା ସବୁ ଭଲ ଭଲ ଚାକିରିଆ। ତମକୁ କଣ ପଚାରୁନାହାନ୍ତି କି? ନା ନା ସମସ୍ତେ ଭଲ ନାତୁଣୀ ବୋହୁ ମୋର ଜମା ଛାଡେନି। ତାହାଲେ ତୁମେ କାହିଁ ଆସୁଛ?? ବୟସ ହେଲାଣି ଭଗବାନ ତ ସବୁ ଦେଇଛି ଆଉ କଣ ଦରକାର? ସବୁ ତାରି ଖେଳ। ସମସ୍ତଙ୍କୁ ନଦେଖିଲେ ମତେ ଭଲ ଲାଗେନି ୪୦ ବରଷ ହବ ପାନ ବିକୁଛି, ଆଜି ଭଲରେ ଅଛି ବୋଲି କଣ ମୁଁ ପାନବିକା ଛାଡିପାରିବି, ନା ଲାଜ କରିବି। ଦିନେ ସେଇ ପାନ ମୋ ପଖାଳହାଣ୍ଡି ଥିଲା, ଆଉ ଏଇ ଲୋକମାନଙ୍କୁ ମୋ ପାନ ଭାରି ଭଲ ଲାଗେ, ବେପାର ହଉ ନହଉ ସମସ୍ତଙ୍କୁ ଦେଖିଦେଲେ ମତେ ଖୁସିଲାଗେ ତା ଛଡା ଟିକେ ବୁଲି ନଆସିଲେ ଭଲ ଲାଗେନି। କେତେ ଦିନ ବଞ୍ଚିବି କିଏ କହିବ?ହାତ, ଗୋଡ ଚଳୁ ଥିଲା ଯାଏଁ ଆସିବି । ଏମିତି କହି ବସି ତା ପାନପତର ଗଣୁଥାଏ। ପ୍ରତ୍ୟେକ ବର୍ଷ ମୋ ମା ତାଙ୍କୁ ଧୋତି ଖଣ୍ଡେ ଦୁଇଖଣ୍ଡ ଦିଏ। ବହୁଦିନରୁ ଆସିନଥିଲେ ବୋଲି ମା ଆଣିକି ଦେଲା। ବୁଢା ଭାରି ଖୁସି ହେଇଗଲା କହିଲା ତୋ ଛୁଆ ଭଲରେ ରୁହନ୍ତୁୁ।ଆର ମାସକୁ ଆସିଲେ ଭଲ ଗାମୁଛାଟେ ରଖିଥିବୁ ମୋ ପାଇଁ। ବାସ୍ ସେ ଆରମାସ ଆଉ ଆସିନି। ମା କିନ୍ତୁ ଗାମୁଛା ଖଣ୍ଡେ ସାଇତି ରଖିଥିଲା। ହେଲେ କେଳାବୁଢା?? ୪ ବର୍ଷ ବିତିଗଲାଣି ବୁଢାର ମାସଟେ ହେଇନି। ହଠାତ୍ ଜଣେ ଲୋକ ବାଇକରେ ପାନ ଆଣି ଆସିଥିଲା। ସମସ୍ତେ ତାକୁ କେଳାବୁଢା କଥା ପଚାରୁଥାନ୍ତି। ସେ କଣ କେଳାବୁଢାର ଚିହ୍ନା ନା ତା ପରିବାରର କେହି? ଏମିତି ଭାବୁ ଭାବୁ ସେ ଚାଲିଗଲାଣି। କଥା ହଉଥିବା ସ୍ତ୍ରୀ ଲୋକ ଦିଜଣ ପରସ୍ପର ଭିତରେ କଥା ହେଇ ହେଇ ଯାଉଛନ୍ତି।ସତରେ କେଳାମଉସାଟା ଭାରି ସରଳିଆ, ନିଃସ୍କପଟ ଲୋକଟିଏ ଥିଲା। ସତରେ ବିଶ୍ବାସ ହେଉନି ସେ ଆଉ ନାହିଁ। ଏକଥା ଶୁଣିବା ପରେ ମୋ ଆଖିରୁ ଅଜାଣତେ ଦୁଇଧାର ଲୁହ ଆପେ ଗଡି ଆସିଲା।
କେଳାବୁଢା ଅନେକ କିଛି ଶିଖେଇଦେଇଗଲା ମତେ। କେବେ ନିଜର ବର୍ତ୍ତମାନର ଅହଂରେ ଅତୀତକୁ ଘୃଣା କରନା କି ଭୁଲନା କାରଣ ସେ ହିଁ ତୁମ ବର୍ତ୍ତମାନର କାରଣ। ଯେମିତି ଖରାପ ନଥିଲେ ଭଲର ମୂଲ୍ୟ କିଛି ମାନେ ରଖେନା। ଯେମିତି ଦୁଃଖ ନଥିଲେ ସୁଖକୁ ଅନୁଭବ କରିହୁଏନା। ସେମିତି ଅତୀତକୁ ଛାଡି ବର୍ତ୍ତମାନ ଆଉ ବର୍ତ୍ତମାନକୁ ଛାଡି ଭବିଷ୍ୟତର କଳ୍ପନା କରିହୁଏନା। ଭଲପାଇବା, ସ୍ନେହ ଆଗରେ ପଇସାର ମୂଲ୍ୟ ତୁଛ୍ଛ। ଧନ ବଳରେ ହୃଦୟ ଜିଣା ଯାଇପାରେନା କି ହୃଦୟରେ ରହିହୁଏନା। ହୃଦୟରେ ରହିବାକୁ ହେଲେ ସତ ଭଲପାଇବା, ତ୍ୟାଗ ଏବଂ ନିଃସ୍ବାର୍ଥପର ହେବା ନିହାତି ଆବଶ୍ୟକ। ଦୃଢ ଇଛାଶକ୍ତି ପାଖରେ ବୟସବି ହାରମାନେ। ବାପା, ମା’ଙ୍କୁ ଖୁସିରେ ରଖିଲେ ,ଧନ ନଥାଇବି କେହି ଦୁଃଖି ହେଇପାରେନା। ତାଙ୍କ ଆଶୀର୍ବାଦ ମଣିଷକୁ କାଳଜୟୀ କରେ। ଏବଂ ଦୁଃଖ,କଷ୍ଟକୁ ନିଜର ଦୁର୍ବଳତାର କାରଣ ନକରି ତା ସହ ମିତ୍ରତା କରି ଖୁସି ରହି ଅନ୍ୟକୁ ସୁଖ ବାଣ୍ଟିବା। ଶେଷରେ କେଳାବୁଢାକୁ ମୋର ପ୍ରଣାମ। ସେ ସବୁଦିନ ମୋ ଜୀବନର ଜଣେ ଆଦର୍ଶ ମଣିଷ ହେଇ ରହିବେ।
ଜଖପୁରା, ଯାଜପୁର
