କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦୀ: କହିଲେ ଲକ୍ ଡାଉନର ମିଳିଛି ଲାଭ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କରୋନା ଭୂତାଣୁ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି। ବୈଠକରେ ମୋଦୀଙ୍କ ସହ ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ରହିଥିଲେ।

୨୨ ମାର୍ଚ୍ଚରୁ ଦେଶରେ ଜାରି ଲକ୍ ଡାଉନ୍ ପରେ ମୋଦୀ ଚତୁର୍ଥ ଥର ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମହାମାରୀ ସ୍ଥିତି, ମହାମାରୀ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଚର୍ଚ୍ଚା କରାଯାଇଥିଲା। ଏଥିରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବୈଠକରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅରବିନ୍ଦ କେଜରିୱାଲ,ଉଦ୍ଧବ ଠାକରେ, ଇକେ ପାଳନିସ୍ବାମୀ, କୋନରାଡ ସାଙ୍ଗମା, ତ୍ରିବେନ୍ଦ୍ର ସିଂ ରୱାତ୍ ଓ ଯୋଗୀ ଆଦିତ୍ୟନାଥ ଥିଲେ।

ମେଘାଳୟ, ମିଜୋରାମ, ପୁଡୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ବିହାର, ଗୁଜରାଟ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ମିଳିଥିଲା। ତେବେ ଅନ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଲିଖିତ ଭାବେ ଦେବାକୁ କୁହାଯାଇଥିଲା। ମେଘାଳୟ ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଛନ୍ତି ଯେ, ରାଜ୍ୟ ୩ ମଇ ପରେ ମଧ୍ୟ ଲକ୍ ଡାଉନ୍ ଜାରି ରଖିବାକୁ ଚାହୁଁଛି। ଯେଉଁଥିରେ ଅନ୍ତଃ ରାଜ୍ୟ ଓ ଅନ୍ତଃ ଜିଲ୍ଲା ମଧ୍ୟରେ ଯିବା ଆସିବା ଉପରେ ପ୍ରତିବନ୍ଧକ ଜାରି ରହିବ।

ଏଥିସହ ସେ ଆହୁରି କହିଛନ୍ତି ଯେ,କେନ୍ଦ୍ର ସରକାର ଯାହା ନିଷ୍ପତି ନେବା ତାହା ରାଜ୍ୟ ସ୍ବୀକାର କରିବ। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବି ନାରାୟଣସାମୀ ରାଜ୍ୟର କରୋନା ଯୋଦ୍ଧା ପାଇଁ ପିପିଇ ଓ ଚିକିତ୍ସା ସାମଗ୍ରୀ ଦେବାକୁ ଦାବି କରିଥିଲେ। ୩ ମାର୍ଚ୍ଚ ରେ ଲକ୍ ଡାଉନ୍ ଶେଷ ହେବା ପରେ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକଟ କରିବା ସହ କରୋନା ଯୁଦ୍ଧରେ ଲଢ଼ିବା ପାଇଁ ଭାରତ ସରକାରକୁ ଆର୍ଥିକ ସହାୟତା ମାଗିଛନ୍ତି।

ମୋଦୀ କହିଲେ, ମିଳିଛି ଲକ୍ ଡାଉନ୍ ଲାଭ

ସୂତ୍ର ଅନୁସାରେ ବୈଠକରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ଉଦ୍ୟମର ଫାଇଦା ମିଳିଥିବା ମୋଦୀ କହିଛନ୍ତି। ଏପରିକି ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ ରହିଥିବା କହିଛନ୍ତି ମୋଦୀ।