ଭବାନୀପାଟଣାର ଜଣାଶୁଣା ଲେଖିକା ଲିପ୍ସା ପଟେଲଙ୍କ ମନଛୁଆଁ ଗପ ଅକ୍ଷତା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ରାକ୍ଷୀ ପୂର୍ଣ୍ଣିମାର ଦିନଟା ହିଁ କଟିଯାଏ ଦୁଃଖ, ଅବସୋସ ଓ ପ୍ରତୀକ୍ଷାର ଏକ ଫେଣ୍ଟାଫେଣ୍ଟି ପରିବେଶରେ । ସଂପର୍କ ସବୁ ରଂଗ ବଦଳାଇଲେ କାହିଁକି କେଜାଣି ସେସବୁକୁ ଦେହସୁଆ କରି ହୁଏନି । ସମୟ ବଦିଳି ଚାଲେ ସତ । ବୟସ ବି ଅଙ୍କ ହୋଇ ବଢ଼ିଚାଲେ ଅନର୍ଗଳ ଗୋଟେ ପଣିକିଆ ଖନ୍ଦା ପରି । ସେଇ ଭିତରେ କିଛି ସଂପର୍କ କାଳିମାରେ ଲୁଚିଯାଏ ତ ପୁଣି କିଛି ସତେଜ ହୋଇଚାଲେ । କିଛି ତୁଟିଯାଏ, କିଛି କିଛି ଯୋଡ଼ି ହୋଇଯାଏ । ବୟସର କାନ୍ଧରେ ଅନେକ ବୋଝ ଲଦି ହୁଏ, ଆଖି ତଳେ ସ୍ୱପ୍ନ ସବୁ କଳା ଆସ୍ତରଣ ପରି ଘେରେଇ ହୋଇଯାଏ । ବଦଳୁଥିବା ସଂପର୍କର ପରିଭାଷାରେ ଛାଇ ବି ନିଜର ହୋଇ ରହେନି ବେଳେବେଳେ! ଜୀବନ ବଦଳେ ଋତୁ ବଦଳେ, ପରିଚୟ ବଦଳେ, ମାତ୍ର ସ୍ମୃତିସବୁ ସେମିତି କଣ୍ଟାହୋଇ ଫୋଡ଼ି ହେଉଥାଏ ମନ ତଳେ । କାଳେ ଏ ସ୍ମୃତିସବୁ ଲୁଚିଯିବେ କି ଅନ୍ଧାରରେ ଦେହର ଛାଇ ପରି! ମନଟା ଅଶାନ୍ତିରେ ବତୁରି ଯାଉଥିଲା ।
ହଠାତ୍ କାହାର ରୋଜି ନାନୀ…ରୋଜି ନାନୀ ଡାକରେ ପ୍ରତିକୃସ୍ତ ହେଲା । ବର୍ଷା ପଡୁଛି । ଲୁଗାସବୁ କାଢ଼ି ନେବାକୁ ହେବ । ଆଗକୁ ଆଗକୁ ଜୋର ଜୋର ପାଦ ପକାଇ ଚାଲିଥିଲା ରୋଜି । ଏତେ ବଡ଼ ବଡ଼ ବାରଣ୍ଡା ପାରି କରିବାକୁ ସମୟ ତ ଲାଗିଯାଏ । ନିଜ ପ୍ରକୋଷ୍ଠ ପଟେ ଗଲାବେଳେ ଝରଣା ମାଉସୀ କହିଲେ, ଶୀଘ୍ର ଲୁଗା ରଖି ଦେଇ ଆସ, ଆଜି ତୋର ମନପସନ୍ଦ ଜିିନିଷ ହୋଇଛି । ସମସ୍ତେ ଧାଡ଼ିବାନ୍ଧି ଛିଡ଼ା ହେଲେ । ହାତ ଯୋଡ଼ି ପ୍ରାର୍ଥନା କଲେ । ରୋଜି କି ପ୍ରାର୍ଥନା କରିବେ? ସେ ତ ନିଜ ପରିଚୟ ପରିବ୍ୟାପ୍ତିକୁ ଜାକିଜୁକି ରଖି ଦେଇଛି ଏଇ ପ୍ରକୋଷ୍ଠ ଭିତରେ । ସମାଜରେ ହୁଏତ ଏଇ ମୋହରଟା କଳଙ୍କ ହୋଇପାରେ; ମାତ୍ର ତା’ ପାଇଁ ଏକ ସୁରକ୍ଷିତ ବଳୟ । ଯାହା ଅଛି ଭାଗ୍ୟରେ ଭୋଗିବାକୁ ପଡ଼ିବ… ଏତିକି ହିଁ ଆଶ୍ୱାସନା । ଏଇ ପରିସରକୁ ଆସିବା ଭିତରେ ଯୋଡ଼ି ହୋଇ ସାରିଛି ଅନେକ ସଂପର୍କ । ରୋଜି ନିଜ ବିଗତ ଜୀବନ ଓ ଦୁଃଖକୁ ହାଲୁକା କରିବାର ଏକ ସୂତ୍ର ପାଇଗଲା ସତେ ଯେମିତି ଏଇ କାରାଗାରରେ । ଝରଣା ମାଉସୀ ନିଜ ଲୁଗାକାନିରେ ରୋଜିର ମୁଣ୍ଡକୁ ପୋଛି ଦେଲେ । ବର୍ଷାରେ ଭିଜିଗଲୁ କି? ଏଇ ଟିକକ ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତାରେ ତ ବନ୍ଧା ପଡ଼ିଛି ରୋଜି । ମାଉସୀ, ଆଉ ଦୁଇ ମାସ ପରେ ତୁମେ ଚାଲିଯିବ? ଉଦାସ ଦେଖାଗଲା ତାଙ୍କ ମୁହଁ । ପରିଜନଙ୍କ ପାଖରେ ପରିତ୍ୟକ୍ତ ହୋଇ ବଞ୍ଚିବାର ଦୁଃଖଟା ତାଙ୍କ ମୁହଁରେ ଛାପ ଛାଡ଼ି ଦେଇଥିଲା । ଶତ ଚେଷ୍ଟା ପରେ ବି ନିଜ ପଣତରେ ଛିଟିକି ପଡ଼ିଥିବା ଅପବାଦ, ନିନ୍ଦାକୁ ଧୋଇବା କଣ ଏତେ ସହଜ! କିନ୍ତୁ ଏଇଠୁ ମୁକୁଳି କେମିତି ଏକ ସାଧାରଣ ଜୀବନ ବଞ୍ଚି ପାରିବା, ସମାଜର ସ୍ରୋତରେ ସାମିଲ ହୋଇ ପାରିବା, ଏଇଠି ଶିଖେଇଛନ୍ତି । ତଥାପି ତାଙ୍କର କାଳିମାକୁ ପୋଛିବା ପାଇଁ ଅଜସ୍ର ଲୁହର ଚିରସ୍ରୋତା ବୁହାଇବାକୁ ହେବ । ହଉ ଛାଡ଼, ଏଇ ଦେଖ ଆଜି ଦହିବରା ହୋଇଛି । ତୋର ଖୁବ୍ ପସନ୍ଦ ନା? ହସି ଦେଲା ରୋଜି । ଏଇ ଅପୂର୍ବ ବନ୍ଧନରେ ତ ବନ୍ଧା ପଡିଛନ୍ତି ସମସ୍ତ ଅନ୍ତେବାସୀ । ମୁଁ ଚାଲିଗଲେ ବି ତୋତେ ଦେଖା କରିବାକୁ ଆସିବି, ତୁ ବ୍ୟସ୍ତ ହଅନା । ଏକ ଆଶାରେ କିରଣ ସ୍ପଷ୍ଟ ବାରି ହୋଇ ପଡ଼ିଲା ରୋଜିର ମୁହଁରେ ।
ସବୁ ରକ୍ତ, ମାଂସର ସଂପର୍କ ବାଟ ବଦଳାଇ ଛାଡ଼ିଯାନ୍ତି ଏଇ କାରାଗାରକୁ ଆସିଲେ । ଯେହେତୁ ଝରଣା ମାଉସୀ ନିଜେ ଭୁକ୍ତଭୋଗୀ ସେ ଠିକ୍ ଜାଣିଛନ୍ତି ଅନ୍ତେବାସୀଙ୍କ ମନତଳ ଦୁଃଖ, ଅନୁଶୋଚନା ଓ ଶୋକକୁ । ନିଜ ପ୍ରତିଷ୍ଠା, ନିଜ ପରିଚୟର ଆଞ୍ଚ ଆସିବାର ଭୟଟା ବୋଧହୁଏ ଦୂରେଇ ଦିଏ ପରିବାର ଲୋକଙ୍କୁ, ସଂପର୍କୀୟଙ୍କୁ । କିନ୍ତୁ ଜୀବନର ସବୁ ଜୁଆର ଭଟ୍ଟା ଦେଇ ଗତି କରିବାକୁ ଏକ ଅଦମ୍ୟ ସାହସ ବସା ବାନ୍ଧିଛି ରୋଜି ମନରେ । ନିଜର ଏତେ ବଡ଼ ଶତ୍ରୁକୁ ପରାସ୍ତ କରି ବୋଧହୁଏ ସେ ବୁଝେଇ ପାରିଛି ଏ ସାହସ । କି ଦଫା, କି ଦଣ୍ଡ…ତାକୁ ପରବାୟ ନାହିଁ । ସେ ଏତିକି ଜାଣେ ଦୁର୍ଗା ଯଦି ମହିଷାସୁରକୁ ବଧ କରି ଦେବୀ ହୋଇ ପାରିଲେ, ପ୍ରତ୍ୟେକ ନାରୀ ଭିତରେ ସେଇ ଦୈବୀଟିଏ ରହିଛି । ରୋଜିର ଭାବନାକୁ ବାଧା ଦେଇ କିଏ କଣ ଡାକିଲେ । ବୁଲିପଡ଼ି ଦେଖେ ତ ଜେଲର ସାର୍ ।
ତୁମ ସହ କିଛି କଥା ଥିଲା
କହନ୍ତୁ ।
ମୁଁ ତ ଗତ ଚାରି ବର୍ଷ ହେଲା ଏଇଠି ଜେଲର । କିନ୍ତୁ ଜାଣିବାକୁ ପାଇଲି ତୁମେ ତା’ ପୂର୍ବରୁ ଏଇଠି ଅଛ ।
ହଁ ।
ଏତେ ବର୍ଷ ଭିତରେ ମୁଁ ସବୁ ଅନ୍ତେବାସୀଙ୍କୁ ଜାଣିବାକୁ ଚେଷ୍ଟା କରୁଛି । କିଛି ଦୂର ସଫଳ ମଧ୍ୟ ହୋଇଛି । ଅନେକଙ୍କର ବନ୍ଧୁ ପରିଜନ ଆସିବାର ଦେଖିଛି, ହେଲେ…
(ତାଙ୍କ ମୁହଁରୁ କଥା ଛଡ଼େଇ) ରୋଜି କହିଲା, ମୋର କେହି ନାହାନ୍ତି । ଗୋଟିଏ ଭାଇ ଥିଲା ଯାହାକୁ ମୋର ଦୁନିଆ ଭାବୁଥିଲି । ଏବେ ସେ ବି ଆସୁନି ଦେଖିବାକୁ ଏଇଠିକି ଆସିଲା ଦିନଠାରୁ ।
ତୁମକୁ ଦେଖିଲେ ବିଶ୍ୱାସ ହେଉନି ତୁମେ ଏମିତି ଜଘନ୍ୟ ଅପରାଧରେ କାରାଗାରରେ! କେଉଁ ପରିସ୍ଥିତିରେ ପଡ଼ି ଏମିତି କରିଛ ମୋର ଜାଣିବାକୁ ଇଚ୍ଛା ଅଛି, କହିବ?
ପୁରୁଣା ଘା’କୁ ଶୁଖିବାକୁ ଦେବେନି କି?
ଜେଲର ଚୁପଚାପ୍ ଚାଲିଗଲେ । ସମୟ ଓ ପରିସ୍ଥିତି ଯଦି ଠିକ୍ ହେବ ନିଶ୍ଚୟ ରୋଜି ନିଜ ମନ କଥା କହିବ । ଯେତେବେଳେ ସେ ଜଣେ ନାରୀ ସର୍ବଂସହା, ଉଦାରମନା । ବଗିଚାରେ କାମ କଲା ବେଳେ ହାବିଲଦାରଟା ଝରଣା ମାଉସୀକୁ ଧକ୍କା ଦେଇ କହିଲା- ଏଇଠି ଆରାମ କରିବାକୁ ଆସିଛୁ କି? ଅପରାଧ କରି ମାଗଣା ଖାଇବା ପାଇବା ପାଇଁ ଆସିଛୁ କି? ତା’ର ଏମିିତି ର୍ଦୁବ୍ୟହବାର ରୋଜିକୁ ପ୍ରତିକ୍ରିୟାଶୀଳ କରାଇ ଦେଲା । ହାତରେ ଧରିଥିବା କଟୁରୀକୁ ହାବିଲଦାର ବେକରେ ଲଗାଇ ଧମକାଇଲା । ସବୁ କର୍ମଚାରୀ, ଜେଲର୍ ସାର୍ ଆସି ରୁଣ୍ଡ ହୋଇଗଲେ । ଜେଲର୍ ରୋଜିକୁ ବୁଝାଇଲେ । ହାବିଲଦାରକୁ ଧମକ ଦେଲେ ଏଭଳି ଅଘଟଣ ଯେପରି ଆଗକୁ ନ ଘଟେ । ରୋଜିର ଶାନ୍ତ ଚରିତ୍ର ଭିତରେ ଏକ ଅଶାନ୍ତ ସମୁଦ୍ରକୁ ଠଉରାଇ ପାରିଲେ ଜେଲର୍ ।
ଏମିତି କାହିଁକି କଣ ରୋଜି?
ମୁଁ କୌଣସି ନାରୀ ପ୍ରତି ର୍ଦୁବ୍ୟବହାର ଦେଖି ପାରେନି ।
ତେଣୁ ତାକୁ ମାରି ଦେଇଥିଲି ।
କାହାକୁ?
ମୋ ମା’ର ସ୍ୱାମୀକୁ ।
ତୁମ ବାପାଙ୍କୁ?
ନା, ସେ ମୋ ବାପା ନୁହଁ, ମୋ ମା’ର ଦ୍ୱିତୀୟ ସ୍ୱାମୀ ।
ତେବେ ତୁମ ସାବତ ବାପା?
ବାପା ଶବ୍ଦ ସେ ନଂପୁସକ ପ୍ରତି ବ୍ୟବହାର କରିବା ଅର୍ଥ ଏକ ମର୍ଯ୍ୟାଦା ଲଙ୍ଘନ କରିବା ।
ମୋ ବାପା ରାଜମିସ୍ତ୍ରୀ ଥିଲେ । ଘରକାମ କଲା ବେଳେ ତାଙ୍କର ମୃତ୍ୟୁ ହେଲା । ଆମେ ଭାଇ, ଭଉଣୀ ଓ ମା ବାପାଙ୍କ ଗାଁକୁ ଚାଲି ଆସିଲୁ । ଜେଜେମା, ଜେଜେବାପା ଆମକୁ ଗ୍ରହଣ କରିବାକୁ ରାଜି ନଥିଲେ । ବୋଝ ଭାବିଲେ । ବାପାଙ୍କ ମୃତ୍ୟୁ ପାଇଁ ମା’କୁ ଦାୟୀ କଲେ । ମା’ ବାଧ୍ୟ ହୋଇ ଦ୍ୱିତୀୟ ବର କଲା । ଆମେ ମଧ୍ୟ ତାଙ୍କ ଘରେ ରହୁଥିଲୁ । ମୋ ପାଠପଢ଼ା ବନ୍ଦ କରି ଦିଆଯାଇଥିଲା । ମୁଁ ମା’ ସହ ମୂଲ ଲାଗିବା ପାଇଁ ଯାଉଥିଲି । ସେ ଲୋକ ବି ମୂଲିଆ କାମ କରୁଥିଲା । ଭାଇ ପାଠ ପଢୁଥିଲା, ଭଲ ପଢୁଥିଲା । ତାକୁ ବାଳଆଶ୍ରମରେ ଛାଡ଼ି ଦିଆଯାଇଥିଲା । ଗାଁ କୁକୁର…ଗୋଟେ ପିଶାଚ ଥିଲା । ମା’କୁ ବାହା ହୋଇ ସମାଜରେ ବଡ଼ଲୋକ ଦେଖାଇ ହେଉଥିଲା; କିନ୍ତୁ ମୋତେ ଝୁଣି ଖାଉଥିଲା । । ମା’ ମଧ୍ୟ ଏକଥା ଜାଣିଥିଲା, ହେଲେ ପ୍ରତିବାଦ କରି ପାରୁନଥିଲା ‘ଆଶ୍ରିତା’ ଶବ୍ଦଟି ସତରେ କେତେ ବଡ଼ ବୋଝ! ଭାଇ ତ ମୋଠାରୁ ଏତେ ସାନ ଯେ ଏସବୁ ତାକୁ କହିବା ମଧ୍ୟ ଠିକ୍ ନଥିଲା । ମା’ ଆଖିରେ ଲୁହ ଜକେଇ ମୋ ହାତରେ ଔଷଧ ଧରାଇ ଦେଉଥିଲା ସିନା ସେ ପିଶାଚକୁ ମାରି ପାରୁନଥିଲା । ତେଣୁ ମୁଁ ମାରି ଦେଲି । ଏବେ ମୁଁ ଏଇଠି ଖୁବ୍ ଖୁସି । ନିଜ ବିଜୟର ପରାକାଷ୍ଠାକୁ ଏଇ କାରଗାରାରେ ଉତ୍ତୋଳନ କରୁଛି ପ୍ରତିକ୍ଷଣ, ପ୍ରତିଦିନ । ମୁଁ ଆଦୌ ପଶ୍ଚାତାପ କରିନି । ଜେଲର ନିଜ ଜାଗା ଛାଡ଼ି ଗଲା ବେଳେ କହିଲେ, ତୁମ ଭାଇର ଠିକଣା ଯଦି ରଖିଛ ଦେବ । ମୁଁ ତାକୁ ଖଣ୍ଡେ ଚିଠି ଲେଖିବି ।
ନା, ସେ ଯଦି ମୋତେ ଦୋଷୀ ଭାବୁଛି, ଭାବୁ । ଏଇଠିକି ଆସିବାକୁ ଚାହୁଁନି, ନ ଆସୁ ।
ଆଶ୍ଚର୍ଯ୍ୟ, ତୁମେ କ’ଣ ଚାହୁଁନ ତା’ ପାଖକୁ ଫେରିବା ପାଇଁ? ଚଉଦ ବର୍ଷ ପରେ ତୁମେ ମୁକୁଳିଯିବ । ନଅବର୍ଷ ଏମିତିରେ କଟି ସାରିଲାଣି ।
ଯଦି ଆପଣ ମୋ ପାଇଁ କିଛି କରିବାକୁ ଚାହୁଁଛନ୍ତି ତେବେ ମୋତେ ଏଇ କାରଗାରରେ ସବୁଦିନ ପାଇଁ ରହିବାର ବ୍ୟବସ୍ଥା କରି ଦିଅନ୍ତୁ । ଏଇ ଚାରିକାନ୍ଥ, ସୁଉଚ୍ଚ ପ୍ରାଚୀର, ଏଇ ଅନ୍ତେବାସୀଙ୍କଠାରୁ ଅଧିକ ସୁରକ୍ଷିତ ମୁଁ କେଉଁଠି ମଧ୍ୟ ମିଣିନି ।
କିନ୍ତୁ, ଏମିତି ଆଇନରେ ନାହିଁ । ଅବଧି ସରିଲେ ସବୁ କଏଦୀ ମୁକୁଳିା ଯାଆନ୍ତି । ନିଜ ବାଟ ବାଛି ନିଅନ୍ତି ।
ଜେଲର୍‌ଙ୍କ ଗୋଡ଼ ଧରି କାନ୍ଦି ପକାଇଲା ରୋଜି । ମୁଁ ମୁକୁଳିବାକୁ ଚାହେଁନା । ଏଇଠି ଏମାନଙ୍କ ପାଇଁ ବଞ୍ଚିବାକୁ ଚାହେଁ । ଏହା ସମ୍ଭବ ନୁହେଁ ରୋଜି । ମୁଁ ଏତିକି କହିବି, ତୁମେ ଏଇଠୁ ବାହାରି ଅନ୍ୟ ଲୋକଙ୍କୁ ସାହାଯ୍ୟ କରି ପାରିବ ଯେମିତିକି ସେଇ ଝିଅମାନଙ୍କୁ ଏଇ କାଳକୋଠରୀ କି ଅପରାଧୀ ହୋଇ ଆସିବାକୁ ନ ପଡୁ । ମୁଁ ତୁମପାଇଁ କେଉଁ ଏନଜିଓ ସହ କଥା ହୋଇ ପାରିବି । ତୁମ ଭିତରର ଭଲ ମଣିଷକୁ ଦୁନିଆ ଜାଣୁ ।
ରୋଜି ହାତଯୋଡ଼ି କୃତଜ୍ଞତା ଜଣାଉଥିଲା ।
……………………………………………
ଭବାନୀପାଟଣା,କଳାହାଣ୍ଡି