ନବନୀତା ବ୍ୟୁରୋ। ଗଞ୍ଜାମରେ ଅଣାୟତ୍ତ କରୋନା। ଘାତକ ସାଜିଛି ଏହି ମହାମାରୀ। ପୁଣି ଦୁଇ ଜଣଙ୍କ ମୃତ୍ୟୁ ପରେ ଜିଲ୍ଲାରେ ୩ କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରୁ ସୂଚନା ମିଳିଛି। ଉଭୟ ମୃତକ ପୁରୁଷ ହୋଇଥିବା ବେଳେ ତାଙ୍କର ବୟସ ୩୮ ଓ ୪୫ ବର୍ଷ। ଉଭୟ ସୁରତ ଫେରନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମରେ ୩ ମୃତ ସହ ରାଜ୍ୟରେ ୫କୁ ବୃଦ୍ଧି ପାଇଲା କରୋନା ମୃତକଙ୍କ ସଂଖ୍ୟା।

ସେହିପରି ପୁଣି ୧୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ। ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୨୫୯ ଜଣ ସକ୍ରିୟ ଥିବା ବେଳେ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରେ ଏଯାଏ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଚିନ୍ତାର ବିଷୟ ହେଲା ପ୍ରତିଦିନ ରାଜ୍ୟରେ ଅନେକ ରୋଗୀ ଚିହ୍ନଟ ହେବା। ଆଜି ପୁଣି ୯୧ ରୋଗୀ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ୮୭ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଲୋକ। ହେଲେ ଏମାନଙ୍କ ମଧ୍ୟରେ ଜଣେ ସରପଞ୍ଚ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ୯୧ ନୂଆ ଆକ୍ରାନ୍ତ ମଧ୍ୟରେ ଭଦ୍ରକରେ ୨୮, ବାଲେଶ୍ଵର ୧୭, ଗଞ୍ଜାମ ୧୫, କଟକ ୧୨, ପୁରୀ ୭, କେଉଁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହି ନୂଆ ରୋଗୀ ଚିହ୍ନଟ ସହ ରାଜ୍ୟରେ ୮୨୮କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୮୨୮ ରେ ପହଞ୍ଚିଛି। ସେଥିମଧ୍ୟରୁ ୬୨୭ ସକ୍ରିୟ ଥିବା ବେଳେ ୧୯୬ ଜଣ ବିଭିନ୍ନ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଏଯାଏ ୫ ଜଣଙ୍କ ମୃତ୍ୟୁ ଘଟିଛି।
