ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ବ୍ୟାପିଲା କରୋନା, ସମ୍ବଲପୁର ନୂଆ ଜିଲ୍ଲା ସହ କେଉଁ ଜିଲ୍ଲାରେ କେତେ ଜାଣନ୍ତୁ!

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ କାୟା ମେଳାଉଛି କରୋନା। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡିବାରେ ଲାଗୁଛି। ଆଜି ସମ୍ବଲପୁର ଜିଲ୍ଲାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ବ୍ୟାପିଲାଣି ମହାମାରୀ କରୋନା। ତେବେ ସୁରତ ଫେରନ୍ତା ବ୍ୟକ୍ତି ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି।


ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ରର ରଙ୍ଗ ବଦଳିଲା। ଗ୍ରୀନ ଜୋନରୁ ଅରେଞ୍ଜ ଅଭିମୁଖେ ସମ୍ବଲପୁର ଜିଲ୍ଲା। ଆଜି ଜିଲ୍ଲାରେ ପ୍ରଥମ କରି ଜଣେ ରୋଗୀ ଚିହ୍ନଟ ହେବା ପରେ ସାରା ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାୟା ବିସ୍ତାର କଲାଣି କରୋନା। ସମ୍ବଲପୁର ଜିଲ୍ଲାରେ ଜଣେ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭ରେ ପହଞ୍ଚିଛି। ସେ ମଧ୍ୟରୁ ୧୫ ଜଣ ସକ୍ରିୟ ଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


ଏପଟେ ବଲାଙ୍ଗିରରେ ଚିହ୍ନଟ ହୋଇଛନ୍ତି ପୁଣି ଦୁଇ ଜଣ ରୋଗୀ। ଉଭୟ ସହରର ତାଳପାଲିପଡ଼ାର। ସୁରତରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ। ତାଙ୍କର ସ୍ୱାବ୍ ପରୀକ୍ଷା ପରେ ପଜିଟିଭ ବାହାରିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଉଭୟଙ୍କୁ ଭୁବନେଶ୍ୱର କିମସ୍ କେ଼ାଭିଡ୍ ମେଡିକାଲକୁ ପଠା ଯାଇଥିବା କହିଛନ୍ତି ଜିଲ୍ଲାପାଳ। ତେବେ ଏହା ପୂର୍ବରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବାରୁ ଏବେ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ସମସ୍ତ ରୋଗୀ ସକ୍ରିୟ ରହିଛନ୍ତି। ସେହିପରି ବୌଦ୍ଧରେ ୪ରୁ ୪ ସକ୍ରିୟ, ଦେବଗଡରେ ୨ ରୁ ୧ ସକ୍ରିୟ ଥିବା ବେଳେ କଳାହାଣ୍ଡି ୨ ଓ ଝାରସୁଗୁଡା ଜିଲ୍ଲାରେ ୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏବେ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାର ମୋଟ ୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସକ୍ରିୟ ଥିବା ୨୫ ଜଣ ରୋଗୀ ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।