ଗାଳ୍ପିକ ଜ୍ଞାନରଂଜନ ନାୟକଙ୍କ ଆଲେଖ୍ୟ ମୁଗ ଡାଲିର ବାସ୍ନା, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ।ମ ଛୋଟବେଳ ଅଲଗା ଥିଲା । ସ୍କୁଲରେ ପାଠ ପଢିବା ବେଳେ ଆମେ ଜଳଖିଆ, ପାଣି ନେଇ ବିଲକୁ ବାପାଙ୍କ ପାଖକୁ ଯାଉ ଥିଲୁ । ନବମ ଶ୍ରେଣୀରେ ପଢିଲାବେଳକୁ ହିଡମୁଣ୍ତରେ ବାପା ଖାଇ ବସିଲେ ଅଳ୍ପ ସମୟ ପାଇଁ ହଉ ପଛେ ହଳ ଧରୁଥୁଲୁ । ବିରି, ମୁଗ ଉପାଡିବା , ଗାଈଙ୍କ ପାଇଁ ଘାସ ସଂଗ୍ରହ କରିବା , ଗାଈପାଳି ଜଗିବା ଆଦି କାର୍ଯ୍ଯ ଗୋଟେ ହଇସ୍କୁଲ ଛାତ୍ର ପାଇଁ ନିହାତି ସାଧାରଣ ଥିଲା ।

ପରେ କିନ୍ତୀ ସମୟ ବଦଳିଗଲା । ଉଚ୍ଚଶିକ୍ଷା ପାଇଁ ସହର ଗଲୁ । ତା’ପରେ ସେଇଆଡେ ଚାକିରୀକରି ବାବୁ ପାଲଟିଗଲୁ ଯେ ଭେଡା ଭିତରେ ନିଜ କିଆରୀକୁ ବି ଚିହ୍ନି ପାରିଲୁନି ।

କୋରୋନାର ଲକ‐ଡାଉନ କିନ୍ତୁ ନୂଆ କାମଟେ କଲା। ଅଫିସରେ କାମ ନଥିବାରୁ ଅନ୍ୟ କେତେଜଣଙ୍କ ପରି ମୁଁ ଗାକୁ ଫେରି ଆସିଲି। କେଇଟା ଦିନ ତ ଭାରି ଭଲ ଲାଗିଲା ପରେ କିନ୍ତୁ ଖାସ ସମୟ ବିତାଇବା ପାଇଁ ମୁଁ ସାନ ଭାଇ ସହ ବିଲକୁ ଗଲି।

ଖରାଟିଆ ମୁଗର ଏଇଟା ଅମଳ ସମୟ । ମୂଲିଆ‐ମଜୁରିଆ ବି ମିଳିବା କଷ୍ଟ , ଆମେ ଦୁଇଭାଇ ସାଙ୍ଗହେଇ ମୁଗ ଉପାଡିଲୁ । ବଢିଲା ଘାସ ଭିତରେ ମୁଗ ଉପାଡିବା ଢେର କଷ୍ଟ ତଥାପି ଦୁଇଭାଇ ଗପସପ କରିକରି ଉପୁଡା କାମ ସାରିଦେଲୁ ।

କିଆରୀରୁ ମୁଗ ଉଠାଇ ଆଣିବାରେ କିନ୍ତୁ ଦେଖାଦେଲା ସମସ୍ୟା । ଶ୍ରାବଣ ମାସପରି ବର୍ଷା ଲାଗିରହିଲା । କଞ୍ଚାମୁଗ ଗଜାହେଇ ନଷ୍ଟ ହେବାର ସମ୍ଭାବନା ଦିଶିଲା। ଅନ୍ୟ ଚାଷୀଙ୍କୁ ଦେଖି ମୁଗ ଉପର‐ତଳକରି ଶୁଖାଇଲୁ । ବର୍ଷା ବି ସକାଳ‐ସଞ୍ଜକରି ଗାଳିଲା। ବିଜୁଳି‐ଘଡଘଡି ବି ବିଲକୁ ଯିବାକୁ ଡରେଇଲା। ଲାଗୁଥିଲା ଇଶ୍ବର ଯେମିତି ଭିନ୍ନ କିଛି ଚିନ୍ତା କରୁଛନ୍ତି। ମହାମାରୀ ସହ ଅନାହାର ପାଇଁ ପ୍ରସ୍ତୁତ ରହିବାକୁ ସେ ଯେମିତି ଆହ୍ବାନ କରୁଛନ୍ତି !

ଆଜି କିନ୍ତୁ ପାଗ ବଦଳିଗଲା । ସକାଳୁ ଆଦୌ ବର୍ଷା ହେଇନଥିଲା। ପୁର୍ବାହ୍ନ ବେଳକୁ ସ୍ଥିତି ପରକ୍ଷିବା ପାଇଁ ସାନଭାଇ ବିଲକୀ ପଳେଇଲା । ତାକୁ ଅପେକ୍ଷା କରି କରି ମୁଁ ଉତ୍ତିର୍ଣ୍ଣ ମଧ୍ୟାହ୍ନରେ ଠିକ ଖାଇବାକୁ ବସୁଛି ଝଡପରି ପହଞ୍ଚିଯାଇ ସେ କହିଲା : ‘ଚାଲ ଚାଲ ବିଲକୁ ଚାଲ , ମୁଗକୁ ଗଦା ମାଡିଦେବା’ ।

ମୁଁ କହିଲି : ‘ଖାଇସାରି ଗଲେ ଚଳିବନି’ !

ସେ ମତେ ଆକାଶ ଦେଖାଇଲା, କହିଲା : ‘ହୁଏତ ଡେରି ବି ହେଇଯାଇ ପାରେ ‘।

ମୁଁ ଆକାଶକୁ ଚାହିଁଲି , କଳାହାଣ୍ତିଆ ମେଘ ତା’ର କାୟା ବିସ୍ତାର କରୁଥିଲା।

ଡେରି ନକରି ମୁଁ ବାହାରିପଡିଲି ।

ଆମେ ଦୁହେଁ ଦୁଇଘଣ୍ଟା ପରିଶ୍ରମକରି ମୁଗ ସଂଗ୍ରହକରି ଗଦେଇଦେଲୁ ।

କାମସାରି ଘରେ ପହଞ୍ଚିଲା ବେଳକୁ ଉତ୍ତିର୍ଣ୍ଣ ଅପରାହ୍ନ । ତର ତରରେ ଦୁଇଭାଇ ଖାଇ ବସିଲୁ । ଭାତ, ମୁଗଡାଲି , ତରକାରୀ ସବୁ କିଛି ଥଣ୍ତା ହେଇ ସାରିଥିଲା । ତଥାପି କେଜାଣି କାହିଁକି ଆଜି ଅନ୍ୟ ଦିନ ଅପେକ୍ଷା ଟିକେ ଅଧିକ ଖାଇ ହେଇଗଲା ।

ସାନଭାଇ କହିଲା : ‘ଭାଇ , ଅନ୍ୟଦିନ ଅପେକ୍ଷା ଆଜି ତମେ ଅଧିକ ଖାଇଲଣି’ !

ମୁଁ କହିଲି : ‘ କାଇଁ ତୁ ବି ତ ଆଜି ଅଧିକ ଖାଇଲୁଣି ‘!

ସମାଧାନକରି ବେଉ ଉତ୍ତର ରଖିଲା : ‘ଆଜି ମୁଗଡାଲି ଟିକେ ଅଧିକ ବାସୁଛି ତ , ସେଇଥି ପାଇଁ।