କରୋନା ସଂକ୍ରମିତ ରାଜ୍ୟରୁ ଲୋକେ ଓଡ଼ିଶାକୁ ଫେରିଲେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବେଙ୍ଗଲ ପରେ ଓଡ଼ିଶାକୁ ଏବେ ପ୍ରବାସୀ ଶ୍ରମିକ ଟେନସନ। ୧୦ ଜିଲ୍ଲାରୁ ଏବେ ୧୪ ଜିଲ୍ଲାକୁ ବ୍ୟାପିଲାଣି କରୋନା। ଆଗକୁ ଆହୁରି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିବେ। ତେବେ କରୋନା ସଂକ୍ରମିତ ରାଜ୍ୟରୁ ସେମାନେ ଓଡିଶା ଫେରିଲେ ପଜିଟିଭ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କରୋନା ନେଇ ଭିଡିଓ ବାର୍ତ୍ତା ବେଳେ ଏଭଳି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ସରକାରଙ୍କୁ ସହଯୋଗ କଲେ ସ୍ଥିତି ନିୟନ୍ତ୍ରଣରେ ରହିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କ ଯତ୍ନ ନେବା।  ଓଡ଼ିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପଞ୍ଜୀକରଣ ଆରମ୍ଭ କରିଥିଲା। ସେତେବେଳେ ସରକାରଙ୍କ ଅନୁରୋଧ ରକ୍ଷା କରି ଆପଣମାନେ ସହଯୋଗ କରିବାରୁ ପରିସ୍ଥିତି ଭଲ ଭାବରେ ନିୟନ୍ତ୍ରଣ ହୋଇ ପାରିଲା। ଏବେ କିନ୍ତୁ ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀମାନଙ୍କ ଯତ୍ନ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ ସାଜିଛି। କାରଣ ବର୍ତ୍ତମାନ କରୋନା ପଜିଟିଭମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ,ବିପଦ ସମୟରେ ମା’ ଓ ମାତୃଭୂମି କଥା ପ୍ରଥମେ ଆମ ମନକୁ ଆସିଥାଏ। ଆଗାମୀ ଦିନରେ ଦେଶର ବହୁଳ ସଂକ୍ରମିତ ରାଜ୍ୟଗୁଡ଼ିକରୁ ବହୁ ଓଡ଼ିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ସମସ୍ତେ ଆମର ପିଲାଛୁଆ। ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ଏହାପରେ ପଜିଟିଭ ସଂଖ୍ୟା ବଢିବ କିନ୍ତୁ ସରକାରଙ୍କୁ ସହଯୋଗ କଲେ ସ୍ଥିତି ନିୟନ୍ତ୍ରଣରେ ରହିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଏହା ଜୀବନ ଓ ମୃତ୍ୟୁର କଥା। ମାତ୍ର ୧୦% ଲୋକଙ୍କ ଭୁଲ ଯୋଗୁଁ ସମସ୍ୟା ୧୦୦ ଗୁଣ ବୃଦ୍ଧି ପାଇବ। ତେଣୁ ଆମେ ସାବଧାନ ରହିବା ସହ ବାହାରୁ ଫେରୁଥିବା ଲୋକଙ୍କ ପଞ୍ଜୀକରଣ କରିବା। ଏବଂଏବଂ ସେମାନ କ୍ୱାରେଣ୍ଟାଇନରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା। ଏହାଦ୍ବାରା ସେମାନେ ସୁସ୍ଥ ରହିବା ସହିତ ଆମ ପରିବାର, ଆମ ଗାଁ ଓ ଆମ ସମାଜ ସୁସ୍ଥ ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଡରିବାର କିଛି ନାହିଁ। ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା। ଏପରିକି ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟଠାରୁ ବହୁତ ଭଲ ଅଛି। ଯଦି ସରକାରଙ୍କ ନିୟମ ମାନି ଚଳିବା, ପୁରା ସହଯୋଗ ଯୋଗାଇ ଦେବା, ତାହେଲେ ଓଡ଼ିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ସେ ମଧ୍ୟରୁ ୮୩ ଜଣ ସକ୍ରିୟ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରେ ଓଡ଼ିଶାରେ କେବଳ ଜଣଙ୍କ ମୃତ୍ୟୁ ହୋଇଛି।