ଦୁନିଆର ସବୁଠୁ ହାସ୍ୟାସ୍ପଦ ଯୁଦ୍ଧ, ମଦ ପାଇଁ ପରସ୍ପର ମଧ୍ୟରେ ଲଢି ୧୦ ହଜାର ସୈନିକଙ୍କ ମୃତ୍ୟୁ

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଦୁନିଆରେ କୌଣସି ନା କୌଣସି କାରଣକୁ ନେଇ ସଂଘର୍ଷ ଘଟେ। ଏବଂ ଏହି ଯୁଦ୍ଧ ଦ୍ଵାରା ହଜାର ହଜାର ସୈନିକ ମୃତ୍ୟୁ ବରଣ କରିଥାନ୍ତି। କିନ୍ତୁ ଆଜିଠାରୁ ପାଖାପାଖି ୨୩୧ ବର୍ଷ ଆଗରୁ ଏକ ଅଜିବ କାରଣକୁ ନେଇ ସଂଘର୍ଷ ଘଟିଥିଲା। ଯେଉଁଥିପାଇଁ ଗୋଟିଏ ପକ୍ଷର ପାଖାପାଖି ୧୦ ହଜାର ସୈନିକ ମରିଥିଲେ। ତେବେ ଏହାକୁ ଯୁଦ୍ଧ ନ କହିବା ଭଲ। କାରଣ ଅପର ପକ୍ଷରେ ଲଢ଼ିବା ପାଇଁ ସେନା ହିଁ ନଥିଲେ। ଗୋଟିଏ ଭୁଲ ପାଇଁ ସୈନିକ ପରସ୍ପର ମଧ୍ୟରେ ସଂଘର୍ଷ ଘଟି ଜଣେ ଅନ୍ୟ ଜଣକୁ ହତ୍ୟା କରିଥିଲେ।

ଏହି ଯୁଦ୍ଧକୁ ବେଟଲ୍ ଅଫ୍ କେରନସିବ୍ସ ନାମରେ ଜଣାଯାଏ। ଏପରିକି ଏହାକୁ ଦୁନିଆର ସବୁଠୁ ହାସ୍ୟାସ୍ପଦ ଯୁଦ୍ଧ ବୋଲି ମଧ୍ୟ କୁହନ୍ତି। ୧୭୮୮ ମସିହା ବେଳର କଥା। ପାଖାପାଖି ଏକ ଲକ୍ଷ ଅଷ୍ଟ୍ରିୟାଇ ସୈନିକ କେରନସିବ୍ସ ସହର କବଜା  କରିବାକୁ ବାହାରିଥିଲେ। ସେତିକିବେଳେ ଅଷ୍ଟ୍ରିଆ ଓ ତୁର୍କୀ ମଧ୍ୟରେ ଯୁଦ୍ଧ ଚାଲିଥିଲା। ତେବେ ସେପ୍ଟେମ୍ବର ୨୧ ତାରିଖ ରାତିରେ ସେମାନେ ଟିମିସ ନଦୀ ନିକଟରେ  ପହଞ୍ଚିବା ସହ କେରନସିବ୍ସ ସହରକୁ ଘେରା ବନ୍ଦୀ କରିଥିଲେ। ତାଙ୍କୁ ନଦୀ ଆଖପାଖରେ ତୁର୍କୀ ସେନା ଦେଖିବାକୁ ମିଳିନଥିଲେ ମଧ୍ୟ ନଦୀର ଆର ପଟରେ ରୋମାନି ଲୋକଙ୍କ ଏକ ଶିବିର ଅବଶ୍ୟ ଦେଖିଥିଲେ। ସେଠାରେ ଅଷ୍ଟ୍ରିୟାଇ ଅଶ୍ୱାରୋହି ପହଞ୍ଚିଥିବା ପରେ ତାଙ୍କୁ ରୋମାନି ଲୋକେ ମଦ ପିଇବା ପାଇଁ ଆମନ୍ତ୍ରଣ କରିଥିଲେ।

ସେତେବେଳେ ଅଷ୍ଟ୍ରୀୟାଇ ଅଶ୍ୱାରୋହି ଥକି ପଡ଼ିଥିଲେ। ଏଥିପାଇଁ ସେମାନେ ନଦୀ କୂଳରେ ବସି ରୋମାନି ଲୋକଙ୍କ ସହ ମଦ ପିଉ ଥିଲେ। ଏ ସମୟରେ ଅଷ୍ଟ୍ରୀୟାଇର କିଛି ସୈନିକ ଚାଲି ଚାଲି ଆସି ସେଠାରେ ପହଞ୍ଚି ଥିଲେ। ଅଶ୍ୱାରୋହି ମଦ ପିଇବା ଦେଖି ସେମାନେ ମଧ୍ୟ ମଦ ପିଇବାକୁ ଇଚ୍ଛା କରିଥିଲେ। କିନ୍ତୁ ଅଶ୍ୱାରୋହି ସେମାନଙ୍କୁ ମଦ ଦେବାକୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଏ ସମୟରେ କୋୖଣସି ଏକ ସୈନିକ ଗୁଳି ଚଳାଇ ଦେଇଥିଲେ।

ଗୁଳି ଶବ୍ଦ ଶୁଣି ନଦୀର ଅନ୍ୟପଟେ ପଟେ ବିଶ୍ରାମ କରିଥିବା ସୈନିକଙ୍କୁ ଲାଗିଥିଲା ଯେ ତୁର୍କୀ ଆକ୍ରମଣ କରି ଦେଇଛି। ଏଥିପାଇଁ ସେମାନେ ତୁର୍କୀ ସୈନିକ କହି କିଛି ନ ବୁଝି ସୁଝି ଗୁଳି ବର୍ଷା କରିଥିଲେ। ନଦୀର ସେପଟେ ଥିବା ସୈନିକଙ୍କୁ ବି ଲାଗିଥିଲା ଯେ, ତୁର୍କୀ ଆକ୍ରମଣ କରିଦେଇଛି। ତେଣୁ ସେମାନେ ମଧ୍ୟ ଅନ୍ଧାଧୁନ ଗୁଳି ବର୍ଷା କରିଥିଲେ। ଏବଂ ନିଜ ସୈନିକଙ୍କୁ ମାରିବାରେ ଲାଗି ଥିଲେ।

ଅଷ୍ଟ୍ରୀୟାଇ ସୈନିକର ନେତୃତ୍ୱ କରୁଥିବା ଜର୍ମାନ ଅଧିକାରୀ ଏହା ଦେଖି ମନା କରିବା ସହ ହଲଟ୍ ଆଦେଶ ଦେଇଥିଲେ। କିନ୍ତୁ ଅଷ୍ଟ୍ରୀୟାଇ ସୈନିକ ଏହାର ଉଦ୍ଧେଶ୍ୟ ବୁଝି ପାରି ନ ଥିଲେ ଓ ସୈନିକ ମଧ୍ୟରେ କେହି ଆଲହା ଆଲହା ବୋଲି ଚିତ୍କାର କରୁଥିବା ଜଣାପଡିଥିଲା। ଏହାପରେ ମହୋଲ୍ ଆହୁରି ବିଗିଡିବାରେ ଲାଗିଲା। ଅନ୍ଧାରରେ ନିଜ ସୈନିକକୁ ତୁର୍କୀ ସୈନିକ ଲାଗିବା ସହ ଜୀବନ ବଞ୍ଚାଇବାକୁ ପରସ୍ପର ମଧ୍ୟରେ ସଂଘର୍ଷ ଘଟିଲା। ଏପରିକି ଅଷ୍ଟ୍ରୀୟାଇ ସୈନିକ ନିଜ ସାଥି ସୈନିକ ଉପରେ ତୋପ ଚଳାଇ ଥିଲେ। ଏକ ଛୋଟିଆ ଭୁଲ ଲାଗି ଅଷ୍ଟ୍ରିୟାଇ ସୈନିକ ପରସ୍ପର ମଧ୍ୟରେ ଲଢ଼ିବା ଯୋଗୁଁ ହଜାର ହଜାର ସୈନିକଙ୍କ ଜୀବନ ଚାଲି ଯାଇଥିଲା।

Leave a Reply