ପଞ୍ଜାବରେ କରୋନା ଭୂତାଣୁର ‘ସୁପର ସ୍ପ୍ରେଡର’ କିଏ, ପଢନ୍ତୁ ଖବର

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ, ଭୁବନେଶ୍ୱର। କରନ୍ ସିଂ (ଛଦ୍ମ ନାମ) ଜର୍ମାନୀ ଓ ଇଟାଲୀରୁ ଫେରି ମାର୍ଚ୍ଚ ୭ ତାରିଖରେ ପଞ୍ଜାବର ନିଜ ଗାଁକୁ ଆସିଥିଲେ। ଏହାପରେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ କରନ୍ ସିଂର କରୋନା ପାଜିଟିଭ୍ ଆସିବା ସହ ତାଙ୍କ ମୃତ୍ୟୁ ହୋଇଥିଲା।
ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ଲୋକଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ଅଧିକାରୀଙ୍କୁ ଭୟ ଏହି କି ଯେ ସେ ହଜାର ହଜାର ଲୋକଙ୍କୁ ସଂକ୍ରମଣ କରିଥିବା ଆଶଙ୍କା କରାଯାଉଛି। ଜର୍ମାନୀ ଓ ଇଟାଲୀ ରୁ ଦୁଇ ହପ୍ତା ଗସ୍ତ ସରିବା ପରେ କରନ୍ ମାର୍ଚ୍ଚ ୭ ତାରିଖରେ ପଞ୍ଜାବ ରାଜ୍ୟର ନିଜ ଗାଁକୁ ଫେରିଥିଲେ। ତାଙ୍କୁ ରିସିଭ୍ କରିବା ପାଇଁ ଯାଇଥିବା ତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥି ବହୁତ୍ ଖୁସି ଥିଲେ।
ସେ ବିଦେଶରୁ ଫେରିଥିବା କାରଣରୁ ତାଙ୍କୁ ଘରେ ଏକାନ୍ତବାସରେ ରହି ସମୟ ବିତାଇବା କଥା। ହେଲେ ପରଦିନ ସେ ନିଜର ଦୁଇ ସାଙ୍ଗ ସହ ଦେଢ଼ ଘଣ୍ଟା ଯାତ୍ରା କରି ଆନନ୍ଦପୁରରେ ଆୟୋଜିତ ଏକ ମେଳାରେ ସାମିଲ ହୋଇଥିଲେ। ୬ ଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି।
ମାର୍ଚ୍ଚ ୧୩ ତାରିଖରେ କେନ୍ଦ୍ରୀୟ ନାଗରିକ ବିମାନ ମନ୍ତ୍ରାଳୟ ପକ୍ଷରୁ କରନ୍ ସିଂହଙ୍କ ବିଦେଶ ଗସ୍ତ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଏହାପରେ ତାଙ୍କ ଉପରେ ଅଧିକାରୀଙ୍କ ତୀକ୍ଷ୍ଣ ନଜର ରହିଥିଲା। ସେତେବେଳ ଯାଏ ତାଙ୍କର କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ଦେଖା ଦେଇ ନଥିଲା। ହେଲେ ୫ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ଜଣା ପଡ଼ିଲା ଯେ କରନ୍ ସିଂହ ହାର୍ଟ ରୋଗୀ ସହ ମଧୁମେହରେ ପୀଡ଼ିତ ଥିଲେ। ଏବଂ କରୋନା ଭାଇରସ ପରୀକ୍ଷାରେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ତାଙ୍କ ମରିବାର ପାଖାପାଖି ଗୋଟିଏ ସପ୍ତାହ ପରେ ଜିଲ୍ଲାରେ ୧୯ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ସମସ୍ତ ଲୋକ କରନ ସିଂହଙ୍କ ସମ୍ପର୍କରେ ଆସିଥିଲେ ଓ ସେ ମଧ୍ୟରୁ ଅଧିକ ଲୋକ ତାଙ୍କ ପରିବାର ଲୋକ ଥିଲେ।
ପଞ୍ଜାବର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏଯାଏ ରାଜ୍ୟରେ ୩୦ ରୁ ଅଧିକ ଲୋକ କରୋନା ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨୩ ଜଣ ଲୋକ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ କରନ ସିଂହଙ୍କ ସଂସ୍ପର୍ଶରେ ଆସିଥିଲେ। କୋଭିଦ୍-୧୯ ରେ ମୃତ୍ୟୁବରଣ କରିଥିବା କରନ ସିଂହ ଚତୁର୍ଥ ଭାରତୀୟ ଅଟନ୍ତି। ଏଥିସହ ପଞ୍ଜାବରେ ମୃତ୍ୟୁ ଘଟିଥିବା ପ୍ରଥମ କରୋନା ରୋଗୀ।
ତେବେ ତାଙ୍କ ସାମାଜିକ ମିଳାମିଶା ରାଜ୍ୟର ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ଆଶଙ୍କା କରାଯାଉଛି କି କରନ ସିଂ ରାଜ୍ୟରେ କରୋନା ଭୂତାଣୁର ସୁପର ସ୍ପ୍ରେଡର ସାବିତ୍ ହୋଇ ପାରନ୍ତି।