ନବନୀତା ବ୍ୟୁରୋ। କରୋନା ଭାଇରସ ଯୋଗୁଁ ଇଟାଲୀରେ ଏଯାଏ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ହାନି ଘଟି ସାରିଲାଣି। ଏପରିକି ଏଠାରେ ଏହି ମହାମାରୀର ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଯାଏ ୫୧ ଜଣ ଡାକ୍ତର ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି।
ସେପଟେ ସ୍ପେନରେ ମଧ୍ୟ ଗତ ୪୮ ଘଣ୍ଟା ମଧ୍ୟରେ ୧୫୦୬ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୫୬୦୦ ଅତିକ୍ରମ କରି ସାରିଛି। ଇରାନରେ ବି ଭାଇରସ ପ୍ରଭାବ ଜାରି ରହିଛି। ୧୩୯ ନୂଆ ମୃତକ ମାମଲା ସାମନାକୁ ଆସିବା ସହ ମୋଟ ମୃତ୍ୟୁ ସଂଖ୍ୟା ୨୫୦୦ ରୁ ଅଧିକ ହୋଇଗଲାଣି।
ତେବେ ଇଟାଲୀରେ ମୃତ୍ୟୁ ବରଣ କରିଥିବା ସମସ୍ତ ଡାକ୍ତର କରୋନା ଭାଇରସ ଲଢାଇ ଲଢୁଥିଲ। ପରେ ସମସ୍ତଙ୍କ ପୋଜିଟିଭ୍ ରିପୋର୍ଟ ଆସିବା ସହ ସେମାନଙ୍କୁ ବଞ୍ଚାଇ ପାରିଲେ ନାହିଁ। ଇଟାଲୀ ଡାକ୍ତର ସଂଘର ଅଧ୍ୟକ୍ଷ ଫିଲୋପୋ ଅନେଲ୍ଲି ଏହି ବିପଦକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପାଇଁ ଆହୁରି ସୁରକ୍ଷା ସାମଗ୍ରୀ ଦାବି କରିଛନ୍ତି।
ଶନିବାର ଇଟାଲୀରେ ୮୮୯ ଲୋକଙ୍କ ମୃତ୍ୟୁ ହେବା ସହ ମୃତକ ସଂଖ୍ୟା ୧୦ ହଜାର ପାର ହୋଇଗଲାଣି। ଦେଶରେ ୮୬,୪୯୮ ସଂକ୍ରମଣ ହୋଇଥିବା ବେଳେ ୧୦,୯୫୦ ଆରୋଗ୍ୟ ଲାଭ କରିଛନ୍ତି। ସେପଟେ ସ୍ପେନରେ ୪୮ ଘଣ୍ଟା ମଧ୍ୟରେ ୧୫୦୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ପେନରେ ମୃତକ ସଂଖ୍ୟା ୫୮୧୨କୁ ବୃଦ୍ଧି ପାଇଛି।
ଇରାନରେ ମଧ୍ୟ ଶନିବାର ୧୩୯ ଜଣ ମୃତ୍ୟୁ ବରଣ କରିବା ସହ ମୃତକ ସଂଖ୍ୟା ୨୫୧୭ ହୋଇଛି। ଦେଶରେ ପୀଡ଼ିତ ସଂଖ୍ୟା ୩୫,୪୦୮ ହୋଇଥିବା ବେଳେ ୩,୨୦୬ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି।
ଇଟାଲୀରେ କରୋନା ମୁକାବିଲା କରୁଥିବା ୫୧ ଡାକ୍ତର ମୃତ, ସ୍ପେନରେ ସ୍ଥିତି ଗମ୍ଭୀର
