ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ କମୁନି ଦାଦନ ଦୁଃଖ। ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଶବ ହୋଇ ଫେରିଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ଦୁଇ ଜଣ ଦାଦନ ଶ୍ରମିକଙ୍କ ଶବ ବଲାଙ୍ଗିର ପହଞ୍ଚିଲାଣି। ହେଲେ ଜିଲ୍ଲାରେ ଜଳସେଚନ ଅଭାବ ସହିତ କାମ ଧନ୍ଦାର ଅଭାବ ଯୋଗୁଁ ଲକ୍ଷାଧିକ ଦାଦନ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଯେଉଁଥିରେ ଅର୍ଦ୍ଧାଧିକ ଦାଦନ ଶ୍ରମିକ ନିର୍ଯାତନା ସହି ବିଭିନ୍ନ ଇଟା ଭାଟିରେ କାମ କରନ୍ତି। ଏବଂ ବିଭିନ୍ନ ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିବା ବେଳେ ଶବ ଗାଁକୁ ଫେରୁଛି । ଏହିପରି ଦୁଇ ଦିନ ତଳେ ବଲାଙ୍ଗୀର ବେଲାପଡ଼ା ବ୍ଲକ ଅନ୍ତର୍ଗତ ଯୁବା ଗ୍ରାମର ନହୁଲା ଧାରୁଆ ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲକୁ ଦାଦନ ଖଟି ଯାଇ ସେଠି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପରେ ତାଙ୍କ ଶବ ଗାଁକୁ ଆସିଥିଲା।
ସେହିପରି ବ୍ଲକର ସୁଲକେଲା ଗ୍ରାମର ଆଉ ଜଣେ ମହିଳା ଦାଦନ ଶ୍ରମିକ ସ୍ନେହିଲତା ଦଳେଇଙ୍କ ମୃତ ଶରୀର ଆଜି ତାଙ୍କ ଗାଁରେ ପହଞ୍ଚିଛି। ଏମାନେ ଦଲାଲଠାରୁ ଆଗ୍ରୀମ ଟଙ୍କା ନେଇ ବାହାର ରାଜ୍ୟକୁ ସପରିବାର ଦାଦନ ଖଟିବାକୁ ଯାଇଥିବା ବେଳେ ସେଠି ନିର୍ଯାତନା ପାଇ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି। ଏବଂ ଗ୍ରାମବାସୀ କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡ ଦାବିରେ ଶବ ରଖି ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରେ ସୁଲକେଲା ଗାଁର ଶତାଧିକ ଲୋକ ସାମିଲ ହୋଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ସେପଟେ ରେଡକ୍ରସରୁ 15 ହଜାର ଓ ଏମବିପିଏସ ପାଣ୍ଠିରୁ 15 ହଜାର ଟଙ୍କା ସହାୟତା ଦିଆ ଯାଇଛି। ଏନେଇ ସ୍ଥାନୀୟ ଶ୍ରମ ଅଧିକାରୀ ତଦନ୍ତ କରାଯିବା ତଦନ୍ତ ସହ ସେଠି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି। ସୂଚନା ଅନୁସାରେ ଏହି ଅଞ୍ଚଳରୁ ଚଳିତ ବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ଯାଇଛନ୍ତି। ଯେଉଁଥିରୁ ମାତ୍ର ଦଶ ପ୍ରତିଶତ ପଞ୍ଜୀକୃତ ହୋଇଥିବାର ଜଣା ପଡ଼ିଛି। ସେପଟେ ବେଆଇନ ଦାଦନ ଚାଲାଣ ରୋକିବାକୁ ପଦକ୍ଷେପ ନିଆ ଯାଉଥିବାର ଶ୍ରମ ଅଧିକାରୀ କହିଛନ୍ତି।
