ଗୁରୁ ଦିବସରେ ଶତାଧିକ ଗୁରୁଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶାରାଜନୀତି

ଏନ୍ଏନ୍ ବ୍ୟୁରୋ I ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ିଶା ମୋ ପରିବାର ଲୋଇସିଂହା ଶାଖା ତରଫରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଃ ଗୁରୁ ଘାସିରାମ ମିଶ୍ର ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ବିଭୂତି ଭୂଷଣ ସାହାଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଜ଼ିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଶ୍ୟାମ ସୁନ୍ଦର ଭୋଇ ଓ ରାମ ଚନ୍ଦ୍ର ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ I

ସଭା ଆରମ୍ଭ ହେବା ପୂର୍ବରୁ ଅତିଥିମାନେ ବିଦ୍ୟାଦାତ୍ରୀ ସରସ୍ବତୀ ଓ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ପରେ ନିହାର ରଂଜନ ବେହେରା ଓ ତାଙ୍କ ସହଯୋଗୀମାନେ ଫୁଲ, ଚନ୍ଦନ, ଚାଉଳ ବନ୍ଦାଇ ଗୁରୁପୂଜନ କରିବା ସହ ଉତ୍ତରୀୟ ଓ କଲମ ଦେଇ ସମ୍ବର୍ଦ୍ଧନା କରିଥିଲେ I ଏ ଅବସରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର ଶହେରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା I ହେଲେ କିଛି ଦିନ ତଳେ ଅବସର ନେଇଥିବା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକକୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା I ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପୀତାମ୍ବର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply